ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ବିଧାନସଭା ଭୋଟ ପାଇଁ ନିର୍ବାଚନ କମିଶନ ବିଗୁଲ ଫୁଙ୍କିବା ପରେ ସରଗରମ୍ ହୋଇଯାଇଛି ରାଜନୀତି। ୨୨ ବର୍ଷର ବିଜେପି ଗଡ଼କୁ ଭାଙ୍ଗିବା ପାଇଁ କଂଗ୍ରେସ ‘ଯୁବ’ ଏବଂ ‘ଓବିସି’ କାର୍ଡ ଖେଳିବାକୁ ଯୋଜନା କରୁଛି।

‘ଗୁଜୁରାଟରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତାହାଲେ ବେକାର ଯୁବକ ଯୁବତୀଙ୍କୁ ଭତ୍ତା ଦିଆଯିବ। ୩ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦେବା ପାଇଁ ଦଳ ଚିନ୍ତା କରୁଛି’- ଏହା କହିଛନ୍ତି ଗୁଜୁରାଟ କଂଗ୍ରେସ ସଭାପତି ଭରତ ସିଂ ସୋଲଙ୍କି।
ଗୁଜୁରାଟ କଂଗ୍ରେସ ସଭାପତିଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ୨୨ ବର୍ଷର ବିଜେପି ଗଡ଼କୁ ଧୂଳିସାତ କରିବା ପାଇଁ କଂଗ୍ରେସ ‘ଯୁବ’ କାର୍ଡ ଖେଳିବାକୁ ଯାଉଛି। ଯୁବକମାନଙ୍କ ନିକଟତର ହୋଇ କଂଗ୍ରେସ ବିଜେପିକୁ ଚେକ୍‌ ଦେବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଏହାସହ ପଛୁଆ ବର୍ଗଙ୍କ ପାଇଁ ଦଳ ୨୦ ପ୍ରତିଶତ ସଂରକ୍ଷଣ କରାଯିବ ବୋଲି ସୋଲଙ୍କି କହିଛନ୍ତି।
ଗୁଜୁରାଟ ଦଖଲ ପାଇଁ ଏବେ କଂଗ୍ରେସ ଯୁବ ଭୋଟ ଉପରେ ଗୁରୁତ୍ବ ଦେଉଛି। କାରଣ ଯୁବକମାନେ ପରିବର୍ତ୍ତନ ଚାହୁଁଥିବା କଂଗ୍ରେସ ନେତାମାନେ କହୁଛନ୍ତି। ୨୨ ବର୍ଷର ଶାସନ ଭିତରେ ବିଜେପି ଯୁବକମାନଙ୍କ ପାଇଁ କିଛି କରିନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ଯୁବକଙ୍କୁ ଅସ୍ତ୍ର କରି କଂଗ୍ରେସ ଭୋଟ ନେବାକୁ ଆଶା ରଖିଛି।
ସବୁଠୁ ବଡ଼ କଥା ହେଉଛି ବିଜେପି ବିରୋଧରେ ବର୍ତ୍ତମାନ ଗୁଜୁରାଟର ୩ ଯୁବନେତା ମୋର୍ଚ୍ଚା ଖୋଲିଛନ୍ତି। ପାଟିଦାର ନେତା ହାର୍ଦ୍ଦିକ ପଟେଲ, ଦଳିତ ନେତା ଜିଗ୍ନେସ ମୋବାନି ଏବଂ ଓବିସି ବର୍ଗର ଯୁବନେତା ଅଲ୍‌ପେସ ଠାକୁର ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି। ଏମାନେ ସେମାନଙ୍କ ବର୍ଗର ଯୁବକଙ୍କୁ ଏକାଠି କରି ବିଜେପି ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରୁ ବିଜେପି ରାଜନୈତିକ ଫାଇଦା ନେବା ଲାଗି ଗୋଟି ଚାଳନା ଆରମ୍ଭ କରିଛି।
ଏପଟେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଗୁଜୁରାଟ ଗସ୍ତ ଅବସରରେ ଯୁବକଙ୍କୁ ଉତ୍ସାହିତ କରିବା ଭଳି ଭାଷଣ ଦେଇଛନ୍ତି। କେନ୍ଦ୍ରର ମୋଦି ସରକାର ଯୁବକଙ୍କୁ ନିଯୁକ୍ତି ଦେବାରେ ଅସଫଳ କହି ବର୍ଷିଛନ୍ତି। ଆଉ ଏହାକୁ ଗୁଜୁରାଟର ଯୁବ ଭୋଟର ଗ୍ରହଣ କରିବେ ବୋଲି କଂଗ୍ରେସ ନେତାମାନେ ବିଶ୍ବାସ କରୁଛନ୍ତି। ଯୁବକଙ୍କୁ ନିଯୁକ୍ତି ପ୍ରସଙ୍ଗକୁ କଂଗ୍ରେସ ତାର ନିର୍ବାଚନୀ ଏଜେଣ୍ଡାରେ ରଖିବ ବୋଲି କୁହାଯାଉଛି। ତେବେ ଗୁଜୁରାଟ କଂଗ୍ରେସ ସଭାପତି ସୋଲଙ୍କି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ଅଣ୍ଡର ଗ୍ରାଜୁଏଟ ବେରୋଜଗାରୀଙ୍କୁ ୩ ହଜାର, ଗ୍ରାଜୁଏଟ ବେରୋଜଗାରୀଙ୍କୁ ୪ ହଜାର ଟଙ୍କା ଭତ୍ତା ଦେବ। ଏହି ଭର୍ତ୍ତା ପ୍ରସଙ୍ଗ ନିର୍ବାଚନୀ ଇସ୍ତାହାରରେ ରହିବ ବୋଲି ସୋଲଙ୍କି କହିଛନ୍ତି। ଏହାକୁ ନେଇ ଏବେ ଗୁଜୁରାଟ ରାଜନୀତି ଗୋଳିଆ ହୋଇଛି। ଆସନ୍ତା ସପ୍ତାହରେ କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶ ପାଇବ।

Comment