ଓଡ଼ିଶାଲାଇଭ୍‍ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ ବହୁଚର୍ଚ୍ଚିତ ରାଜନୀତି ଓ ତଥାକଥିତ ଗୁଜୁରାଟ ମଡେଲ ଏବେ କଷଟି ପଥରରେ। ଗୁଜୁରାଟ ନିର୍ବାଚନ ମଇଦାନକୁ ବିଜେପି ଯେତେବେଳେ ପୂରା ଓହ୍ଲାଇବ, କେବଳ ଦଳ ନୁହେଁ ଖୋଦ ମୋଦି ମଧ୍ୟ କଡ଼ା ପରୀକ୍ଷାର ସମ୍ମୁଖୀନ ହେବେ ଏହା ଜଳଜଳ ଦେଖାଯାଉଛି। ଆଉ ଏହି ଟକ୍କର ହେବ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସହିତ।
ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ବିଜେପି ୨୧ଟି ବିଧାନସଭା ଉପ-ନିର୍ବାଚନ ଲଢିଛି। ଏଥିରୁ ବିଜେପିକୁ ୧୨ଟି ସ୍ଥାନରେ ସଫଳତା ମିଳିଛି। ଏହି ସାଫଲ୍ୟ କାହାକୁ ବି ସନ୍ତୋଷ ଆଣିଦେଇପାରେ, କେବଳ ବିଜେପି ବା ମୋଦିଙ୍କୁ ନୁହେଁ।
ତେବେ ଡିସେମ୍ବର ମାସରେ ହେବାକୁ ଥିବା ଗୁଜରାଟ ନିର୍ବାଚନରେ ଉଭୟ ଦଳ ଓ ମୋଦି ବନ୍ଧା ପଡିଛନ୍ତି କହିଲେ ଭୁଲ ହେବ ନାହିଁ। ୨୦୧୪ ପରେ ମୋଦିଙ୍କ ପାଇଁ ଏହି ନିର୍ବାଚନ ଏକ ବଡ଼ ଚାଲେଞ୍ଜ ହେବାକୁ ଯାଉଛି। ତା’ଛଡ଼ା ୨୦୧୪ ପରଠାରୁ ଏହା ଏଭଳି ଏକ ନିର୍ବାଚନ ଯେଉଁଠି ବିଜେପି ଗୁଜରାଟରେ ବହୁମତରେ ଶାସନ କ୍ଷମତାରେ ରହିଛି। ପୁଣିଥରେ ଗୁଜରାଟକୁ ଅକ୍ତିଆର କରିବା ପାଇଁ ଚେଷ୍ଟା କରୁଥିବା ବିଜେପିର କିନ୍ତୁ କୌଣସି ସାଥୀ ସହଯୋଗୀ ନାହାଁନ୍ତି, ଦଳ ଏଠି ‘ଏକଲା ଚଲୋ’ର ରାସ୍ତା ଧରିବ।
ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏବଂ ଅମିତ ଶାହା ଦଳର ଅଧ୍ୟକ୍ଷ ଭାବେ ପୁଣି ଦାୟିତ୍ୱ ଗ୍ରହଣ କରିବା ପରେ ଗୁଜୁରାଟ ନିର୍ବାଚନକୁ ନେଇ ଦଳ ଉପରେ ଡେମୋକ୍ଲିସ୍ ଖଣ୍ଡା ଝୁଲୁ୍ଛି  ଓ ଏଠି ଗୁଡ଼ାଏ କଥା ବାଜିରେ ଲାଗିଛି। ୨୦୧୪ ସାଧାରଣ ନିର୍ବାଚନ ପରେ/ସହିତ ବିଜେପି ଆନ୍ଧ୍ରପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର, ବିହାର, ଦିଲ୍ଲୀ, ଆସାମ, କେରଳ, ପୁଡୁଚେରି, ତାମିଲନାଡୁ, ପଶ୍ଚିମବଙ୍ଗ, ଗୋଆ, ପଞ୍ଜାବ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ପାଇଁ ବିଜେପି ନିର୍ବାଚନ ଲଢ଼ିସାରିଛି।
ହରିୟାଣା ଓ ଆସାମରେ ବିରୋଧୀ ଦଳରେ ଥିବା ବିଜେପି ନିଜ ଦମ୍‍ ଦେଖାଇ କ୍ଷମତାକୁ ଆସିପାରିଛି। ଆନ୍ଧ୍ରପ୍ରଦେଶ, ସିକ୍କିମ, ଜାମ୍ମୁକାଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ବିହାର, ମଣିପୁର, ଗୋଆ ଏବଂ ଉତ୍ତରପ୍ରଦେଶରେ ବିଜେପି ନିଜେ କିମ୍ବା ନିଜ ନେତୃତ୍ୱରେ ମେଣ୍ଟ ସରକାର ଚଳାଇଛି।
ମୋଦି-ଶାହା ଯୋଡ଼ି ଟପରେ ରହି ୨୧ଟି ବିଧାନସଭା ଉପ-ନିର୍ବାଚନରେ ଯେଉଁ ୧୨ଟି ରେ ଜିତିପାରିଛନ୍ତି, ସେଥିସହିତ ଏକ ପ୍ରକାର ନିର୍ବାଚନୀ ପ୍ରସ୍ତୁତି ନିଶ୍ଚିତ କରିପାରିଛି। ଏହିସବୁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ୟୁପିଏ କ୍ଷମତାରେ ରହିଥିଲା। ପୁନଃ-ନିର୍ବାଚନ ପରେ ଏବେ କେବଳ ଦୁଇଟି ରାଜ୍ୟ କଂଗ୍ରେସ ହାତରେ ଅଛି – ଅରୁଣାଚଳ ପ୍ରଦେଶ ଓ ପୁଡୁଚେରି। ବାକି ସବୁ ରାଜ୍ୟ ବିଜେପି ହାତରେ।
ସବୁଠାରୁ ବଡ଼ କଥା ହେଉଛି ଏହି ୨୧ ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ଖୁବ୍ ଖରାପ ପ୍ରଦର୍ଶନ କରିଥିଲା। ତେବେ ବିଜେପିକୁ ମଧ୍ୟ-ବିହାର ଓ ଦିଲ୍ଲୀରେ ଝଟକା ଲାଗିଥିଲା। ଅବଶ୍ୟ ପରେ ବିହାରର ରାଜନୈତିକ ସମୀକରଣ ବଦଳିଗଲା ଓ ନୀତିଶ କୁମାର ଏନଡିଏରେ ଯୋଗଦେବା ପରେ ସେଠି ବି ବର୍ତ୍ତମାନ ବିଜେପି ମେଣ୍ଟ ସରକାର କରିଛି।
ହେଲେ ଡିସେମ୍ବରରେ ଗୁଜରାଟ ରେ ଯେଉଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ତାହାର ପ୍ରଭାବ ସମଗ୍ର ଦେଶରେ ଦେଖିବାକୁ ମିଳିବ। ଗୁଜୁରାଟ ନିର୍ବାଚନ ସ୍ଥିର କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତମୁଠା ଅଧିକ ଟାଣ ହେବ ନା ତାଙ୍କ ପାଦତଳୁ ମାଟି ଖସିବା ଆରମ୍ଭ ହେବ। ଏହି ନିର୍ବାଚନରେ ମୋଦିଙ୍କ ତଥାକଥିତ ଗୁଜୁରାଟ ମଡେଲ ମଧ୍ୟ ବାଜିରେ ଲାଗିଛି ବୋଲି ଧରିନେବାକୁ ପଡ଼ିବ।
ମୋଟାମୋଟି, ୨୦୧୪ ଲୋକସଭା ନିର୍ବାଚନ ପରେ ଡିସେମ୍ବର ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ପ୍ରଥମ ଥର ପାଇଁ ନିଜ ନୀତିକୁ ହିଁ ନିଜ ପକ୍ଷରୁ ଯଥାର୍ଥ ପ୍ରତିପାଦନ କରିବାକୁ ପଡ଼ିବ। ଏହାର କାରଣ ଉଭୟ କେନ୍ଦ୍ରରେ ଓ ରାଜ୍ୟରେ ବିଜେପି କ୍ଷମତାରେ ଅଛି।
ଏଥିରେ ଆଦୌ ସନ୍ଦେହ ନାହିଁ କି ଗତ ସାଢେ ତିନି ବର୍ଷ ମଧ୍ୟରେ ବିଜେପି, ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ପାଇଁ ସମୟ ଗୁଡ଼ିକ ବେଶ୍ ଭଲରେ କଟିଛି। ଗୋଟିଏ ପଟେ ପୂର୍ବ-ଉତ୍ତର ରାଜ୍ୟମାନଙ୍କରେ ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିଥିବା ବେଳେ ଉତ୍ତର ପ୍ରଦେଶ ରେ ସଂଖ୍ୟାଧିକ ମତରେ ସରକାରକୁ ଆସିପାରିଛି।

Comment