ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଛତ୍ରପୁର କାଉନସିଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଗିରଫ କରିଛି। ଏହି ଦୁଇ ଜଣ ହେଲେ କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡି। ଉଭୟଙ୍କୁ ପୋଲିସ ଉତ୍ତରାଖଣ୍ଡରୁ ଗିରଫ କରିଛି। ତେବେ ଗିରଫ ହେବା ପରେ ଘଟଣାରେ ନୂଆ ଟୁଇଷ୍ଟ ଆସିଛି। ପୂର୍ବରୁ ଏହି ଘଟଣାରେ ୧୫ ଜଣ ଗିରଫ ହୋଇଥିଲେ। ତେବେ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିଲା।
ସେପ୍ଟେମ୍ବର ୨୨ ତାରିଖରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ରକ୍ତଭିଜା କଟୁରି, ପ୍ଲାଷ୍ଟିକ ପାଇପ୍, ୨ଟି ବାଇକ, ଗୋଟିଏ ସ୍କୁଟର ଏବଂ କାର୍‌ ଜବତ କରିଥିଲା। ପରେ ଆଉ ୫ ଜଣ ପୋଲିସ ପଞ୍ଝାରେ ପଡ଼ିଥିଲେ।
ସେପ୍ଟେମ୍ବର ୧୬ ତାରିଖର ଘଟଣା। ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍ ଅଶାନ୍ତ ହୋଇଯାଇଥିଲା। ଆଉ ଏତିକି ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ନିର୍ମମ ଭାବେ ସଂଘବଦ୍ଧ ଭାବେ କେତେକ ଯୁବକ ଆକ୍ରମଣ କରିଥିଲେ। ଫଳରେ ଲକ୍ଷ୍ମୀଦତ୍ତଙ୍କ ମୃତ୍ୟୁ ଘଟିଥିଲା।
ଛତ୍ରପୁର ଟେଲିଫୋନ୍ ଭବନ ନିକଟ ସୂର୍ଯ୍ୟନଗର ଘରେ ବସିଥିଲେ ଲକ୍ଷ୍ମୀଦତ୍ତ । ଏହି ସମୟରେ କେତେକ ଯୁବକ ହାତରେ ମାରଣାସ୍ତ୍ର ଧରି ଘରେ ପଶି ଲକ୍ଷ୍ମୀଦତ୍ତଙ୍କୁ ଅଚାନକ ପିଟିଥିଲେ। ଏଥିରେ ଲକ୍ଷ୍ମୀଦତ୍ତଙ୍କ ଭାଇ ଦେବଦତ୍ତ ପ୍ରଧାନ ଏବଂ ବନ୍ଧୁ ଶିବଶଙ୍କର ପାଢ଼ୀ ବାଧା ଦେବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣକାରୀ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଗୁରୁତର ଅବସ୍ଥାରେ ଲକ୍ଷ୍ମୀଦତ୍ତଙ୍କୁ ପ୍ରଥମେ ଛତ୍ରପୁର ମେଡ଼ିକାଲରେ ଭର୍ତ୍ତୀ କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ଛତ୍ରପୁର ପୋଲିସ ଲକ୍ଷ୍ମୀଦତ୍ତଙ୍କ ସୂର୍ଯ୍ୟନଗର ଘରେ ପହଞ୍ଚି ସିସିଟିଭି ଫୁଟେଜ ଅନୁଧ୍ୟାନ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା।

 

Comment