ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ବ ବ୍ୟାଙ୍କର ‘ଇଜ୍‌ ଅଫ୍‌ ଡୁଇଙ୍ଗ ବିଜିନେସ୍‌’ ଇଣ୍ଡେକ୍ସରେ ଭାରତ ଗତବର୍ଷ ୧୩୦ତମ ସ୍ଥାନରେ ରହିଥିଲା। ହେଲେ ହେଲେ ୨୦୧୮ ବର୍ଷ ପାଇଁ ପ୍ରକାଶ ପାଇଥିବା ଇଣ୍ଡେକ୍ସରେ ଭାରତ ୧୦୦ତମ ସ୍ଥାନରେ ରହିଛି। ଭାରତର ଏହି ସଫଳତା କ୍ଷେତ୍ରରେ ଆଗାମୀ ଦିନରେ କାରବାରରେ ସୁଧାର ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କାରବାର ବ୍ୟାପାରରରେ ସ୍ଥିତି ସୁଧାରିବାରେ ଭାରତ ହେଉଛି ବିଶ୍ବରେ ୧ ନମ୍ବର ଦେଶ। କାରଣ କୌଣସି ଦେଶ ଏପର୍ଯ୍ୟନ୍ତ ଏକାଥରକେ ୩୦ଟି ସ୍ଥାନ ଉପରକୁ ଉଠିଥିବାର ନଜିର ନାହିଁ।

ଆମେରିକା-ଇଣ୍ଡିଆ ବିଜିନେସ୍‌ କାଉନ୍‌ସିଲ୍‌ର ନୂଆ ଅଧ୍ୟକ୍ଷ ନିଶା ଦିଶାଇ ବିଶ୍ବାଳ କହିଛନ୍ତି ଯେ, ଭାରତର ଏହି ସଫଳତା ଆଗାମୀ ଦିନରେ ବିଶ୍ବର ବଡ଼ବଡ଼ ପୁଞ୍ଜିପତିଙ୍କୁ ଆକର୍ଷିତ କରିବ।

କୁହାଯାଉଛି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କାରବାର ମାହୋଲରେ ସୁଧାର ଆସିଛି। ଆଉ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ସିଡି ଚଢ଼ିଛି। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ବେଳେ ‘ଇଜ୍ ଅଫ୍‌ ଡୁଇଙ୍ଗ ବିଜିନେସ୍‌’ ସୂଚକାଙ୍କରେ ଭାରତର ସ୍ଥାନ ରହିଥିଲା ୧୪୨। ଗତବର୍ଷ ଅର୍ଥାତ୍ ୨୦୧୬ରେ ଏହି ସୂଚକାଙ୍କରେ ଭାରତ ୧୩୦ତମ ସ୍ଥାନରେ ରହିଥିଲା। ମାତ୍ର ଚଳିତ ବର୍ଷ ଏହି ସୂଚକାଙ୍କ ପ୍ରକାଶ ପାଇବା ପରେ ଭାରତ ଏକାଥରକେ ୧୦୦ତମ ସ୍ଥାନକୁ ଲମ୍ଫ ମାରିଛି। ଏହା ବିଶ୍ବର ଅର୍ଥନୀତିଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, “ସୀମା ପାର୍ ବ୍ୟାପାର ଆଦି କ୍ଷେତ୍ରରେ ସୁଧାର ଅଣାଯାଉଛି। ଏଥିପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ ଏହାର ସଫଳତା ଦେଖିବାକୁ ମିଳିବ। ଆମେ ଇଜ୍‌ ଅଫ୍ ଡୁଇଙ୍ଗ୍ ଇଣ୍ଡେକ୍ସର ୫୦ତମ ସ୍ଥାନରେ ରହିବା ଲକ୍ଷ୍ୟ ନେଇ ଆଗେଇ ଚାଲିଛୁ।”

କାରବାରରେ ଲୁଧିଆନା ୧ ନମ୍ବର ସହର

ଭାରତରେ କାରବାର କ୍ଷେତ୍ରରେ ପଞ୍ଜାବର ଲୁଧିଆନା ସହର ୧ ନମ୍ବର ସ୍ଥାନରେ ରହିଛି। ସେହିପରି ହାଇଦ୍ରାବାଦ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ବର ରହିଛି ୩ ନମ୍ବର ସ୍ଥାନରେ। ଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ୧୦ମ ଏବଂ କୋଲକାତା ୧୭ତମ ସ୍ଥାନରେ ରହିଛି।

Comment