(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ପରଦାଫାଶ କରିଛି ସିବିଆଇ। ଏହି ହତ୍ୟାକାଣ୍ଡ ପଛରେ ଏକାଦଶ ଶ୍ରେଣୀର ଜଣେ ଛାତ୍ରଙ୍କ ହାତ ରହିଥିବା ସିବିଆଇ କହିଛି। ପରୀକ୍ଷା ଘୁଞ୍ଚାଇବା ଏବଂ ଅଭିଭାବକ-ଶିକ୍ଷକ ବୈଠକ ବାତିଲ୍‌ କରିବା ଲକ୍ଷ୍ୟରେ ଏହି ହତ୍ୟାକାଣ୍ଡ କରାଯାଇଥିବା ସିବିଆଇ କହିଛି। ଗତ ସେପ୍ଟେମ୍ବର ମାସରେ ଛାତ୍ର ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରାଯାଇଥିଲା।

ସିବିଆଇ ମୁଖପାତ୍ର ଅଭିଷେକ ଦୟାଲ୍‌ କହିଛନ୍ତି, “ସ୍କୁଲ୍‌ରେ ଯେପରି ପରୀକ୍ଷା ଓ ପିଟିଏମ୍‌ ହୋଇ ନପାରିବ ସେଥିପାଇଁ ଅଭିଯୁକ୍ତ ଛାତ୍ର ଜଣକ ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରିଥିଲା। ଏହା ପୂର୍ବରୁ ଏହି ମାମଲାରେ ବସ୍‌ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଥିଲା।”

ସେ ଆହୁରି କହିଛନ୍ତି ଯେ, ସମସ୍ତ ସାଇଣ୍ଟିଫିକ୍‌ ପ୍ରମାଣ ଅଧ୍ୟୟନ କରିବା ପରେ ଉକ୍ତ ଛାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଛାତ୍ରଙ୍କୁ ଆଇପିସି ଧାରା ୩୦୨ ଏବଂ ୨୫ ଆର୍ମ୍‌ସ ଆକ୍ଟ ଅନୁସାରେ ଗିରଫ କରାଯାଇଛି। ତାଙ୍କୁ ୪ରୁ ୫ ଥର ଜେରା କରାଯାଇଛି। ସିବିଆଇ ଅଭିଯୁକ୍ତ ଛାତ୍ରଙ୍କୁ ଜୁଭେନାଇଲ୍‌ କୋର୍ଟରେ ହାଜର କରିବା ପରେ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରିବ।”

ପ୍ରଦ୍ୟୁମ୍ନଙ୍କୁ ଯୌନ ଶୋଷଣ ଦିଆଯାଇଥିବା କଥାକୁ ସିବିଆଇ ଖଣ୍ଡନ କରିଛି। ପ୍ରଦ୍ୟୁମ୍ନଙ୍କ ବାପା ବରୁଣ ଠାକୁର କହିଛନ୍ତି, “ମୋ ସନ୍ଦେହ ଠିକ୍‌ ହେଲା। ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ଅଭିଯୁକ୍ତ କଣ୍ଡକ୍ଟର ନୁହେଁ ଅନ୍ୟ କେହିଥିବା ମୋର ସନ୍ଦେହ ହେଉଥିଲା।

 

Comment