(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଚାନ୍ଦିପୁରରେ ପିଏକ୍ସଇ ପ୍ରତିଷ୍ଠା ହେବାର ୧୨୩ ବର୍ଷ ପରେ ଖୋଲିଲା ୱିପନ୍‌ ପାର୍କ। ଏହାକୁ ଦେଶର ପ୍ରଥମ ୱିପନ୍‌ ପାର୍କ  ବୋଲି କୁହାଯାଉଛି। ଆଗାମୀ ପିଢ଼ିଙ୍କୁ ଏହି ପାର୍କ ଦେଶର ପ୍ରତିରକ୍ଷା ସମ୍ପର୍କରେ ଅବଗତ କରିବ।

ବାଲେଶ୍ୱର,(କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରେ ଖୋଲିଲା ଦେଶର ପ୍ରଥମ ୱିପନ୍‌ ପାର୍କ। ଏହାକୁ ଉଦ୍‌ଘାଟନ କରିଛନ୍ତି ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ) ଅଧ୍ୟକ୍ଷ ଏସ୍‌ ଖ୍ରୀଷ୍ଟୋଫର୍‌। ଗୋଳାବାରୁଦ ପରୀକ୍ଷାଗାର ପ୍ରୁଫ୍  ଆଣ୍ଡ୍ ଏକ୍ସପେରିମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ(ପିଏକ୍ସଇ)ପରିସରରେ ଏହି ପାର୍କ ଖୋଲା ଯାଇଛି। ୧୪ଟି ଯୁଦ୍ଧାସ୍ତ୍ରକୁ ଏହି ୱିପନ୍‌ ପାର୍କରେ ସ୍ଥାନିତ କରାଯାଇଛି। ଏହାସହ ୭୦ ଦଶକର ବହୁ ପୁରାତନ ଯୁଦ୍ଧାସ୍ତ୍ର ଏଥିରେ ସ୍ଥାନ ପାଇଛି। ଚାନ୍ଦିପୁରରେ ଡିଆରଡିଓ ପ୍ରତିଷ୍ଠା ହେବାର ୧୨୩ ବର୍ଷ ପରେ ଏହି ପାର୍କ ଖୋଲିଥିବାରୁ ବାଲେଶ୍ବରବାସୀ ଖୁସି ପ୍ରକାଶ କରିଛନ୍ତି।

ପିଏକ୍ସଇର ନିର୍ଦ୍ଦେଶକ ଆର.ଆପ୍ପାଭୁରାଜ କହିଛନ୍ତି, “ଆଗାମୀ ପିଢିଙ୍କୁ ଆମ ଦେଶର ପ୍ରତିରକ୍ଷା ସମ୍ପର୍କିତ ଜ୍ଞାନ ଦେବା ଏବଂ ଯବାନଙ୍କୁ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ଏଭଳି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଚାନ୍ଦିପୁରକୁ ଅନେକ ସମୟରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଆସୁଛନ୍ତି। ହେଲେ ସେମାନେ ଦେଖିବା ପାଇଁ ସେଭଳି କିଛି ସ୍ଥାନ ନଥିବାରୁ ଏଭଳି ଏକ ପାର୍କ ନିର୍ମାଣ ପାଇଁ ପିଏକ୍ସଇ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗର ମଞ୍ଜୁରି ପରେ ଏବେ ତାହା ସମ୍ଭବ ହୋଇପାରିଛି। ବିନା ଫାୟାରିଂ ଦିନ ଗୁଡିକରେ ଏହି ସଂଗ୍ରହାଳୟ ଖୋଲା ରହିବ। ପରେ ଏଥିପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯିବ। ଏହି ପାର୍କ ସାରା ଦେଶର ଜନସାଧାରଣ ଓ ବିଦ୍ୟାର୍ଥୀଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିବ।”

ୱିପନ୍‌ ପାର୍କର ଆକର୍ଷଣ

ଭାରତର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ ବା ୱିପନ୍‌ ପାର୍କ ପାଇଁ ବାଲେଶ୍ବର ଏବଂ ଓଡ଼ିଶାର ଗୌରବ ବଢ଼ିଛି। ଭାରତୀୟ ବାୟୁସେନା ଓ ନୌସେନାରେ ବ୍ୟବହୃତ ୧୪ଟି ଯୁଦ୍ଧାସ୍ତ୍ରକୁ ଏହି ୱିପନ୍‌ ପାର୍କରେ ସ୍ଥାନିତ କରାଯାଇଛି। ଏହାସହ ବୈଜୟନ୍ତ ଟ୍ୟାଙ୍କ୍ ସଂଗ୍ରହାଳୟର ପ୍ରମୁଖ ଆକର୍ଷଣ ସାଜିଛି। ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ଟ୍ୟାଙ୍କକୁ ବ୍ୟବହାର କରାଯାଇଥିଲା। ଏହି ଟ୍ୟାଙ୍କ ସେତେବେଳେ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିଥିଲା।

ଇଂଲଣ୍ଡରେ ନିର୍ମିତ ଏହି ଟ୍ୟାଙ୍କର ଓଜନ ୪୦ ହଜାର କିଲୋଗ୍ରାମ। ବୈଜୟନ୍ତ ଟ୍ୟାଙ୍କ ୫ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରହିଛି। ଏହି ପାର୍କରେ ରକେଟ୍‌ ଲଞ୍ଚର ଡବ୍ଲୁଏମ୍‌-୧୮, ୧୦୫ ଏମ୍‌ଏମ୍‌ ଭାରତୀୟ ଫିଲ୍ଡ ଗନ୍‌, ୧୨୨ ଏମଏମ୍‌ ଗ୍ରାଡ୍‌ ବିଏମ୍‌-୨୧ (ରକେଟ୍‌ ଲଞ୍ଚର), ୫୭ ଏମଏମ୍‌ ଆଣ୍ଟି ଟ୍ୟାଙ୍କ ଗନ୍‌, ୪୦ ଏମଏମ୍‌ ଲାଇଟ୍‌ ଗନ୍‌ ସମେତ ଅନେକ ରକେଟ ଲଞ୍ଚର ଓ ଯୁଦ୍ଧାସ୍ତ୍ର ସ୍ଥାନ ପାଇଛି।  ଏସବୁ ଯୁଦ୍ଧାସ୍ତ୍ର ବିଭିନ୍ନ ସମୟରେ ଭାରତୀୟ ସ୍ଥଳସେନା ଓ ନୌସେନାରେ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହୃତ ହୋଇଥିଲା।

 

LEAVE A REPLY

Please enter your comment!
Please enter your name here