ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତିଙ୍କ ରଚିତ ଏହି ବିଷୟଟି ଭାରତୀୟ ମୁକ୍ତି ସଂଗ୍ରାମର ଏକ ଅଭୁଲା ଅଧ୍ୟାୟ। ପାଇକ ବିଦ୍ରୋହକୁ ନେଇ ଓଡ଼ିଶା ଇତିହାସର ଏହି ଦୁର୍ଦ୍ଧଷ କାହାଣୀ ନୂଆ ପିଢ଼ି ପାଖରେ ପହଞ୍ଚାଇବା ଓଡ଼ିଶାଲାଇଭର ଏହି ପ୍ରୟାସ – ସମ୍ପାଦକ

ଦେଶ ସ୍ଵାଧୀନତା କଥା:

ଇତିହାସ କହେ, ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଓଡ଼ିଶାରେ ହିଁ ଆରମ୍ଭ ହୋଇଥିଲା। ଏ ଦେଶ ପାଇଁ, ଏ ଜାତି ପାଇଁ, ଏ ମାଟି ମାଆ ପାଇଁ ଯେଉଁ ବୀର ଯୋଦ୍ଧାମାନେ ସଂଗ୍ରାମର ସାମନାରେ ରହି, ଦେଶ ମାତୃକାକୁ ବିଦେଶୀ ଆକ୍ରମଣକାରୀଙ୍କ ହାତରୁ ମୁକ୍ତ କରିବା ପାଇଁ ନି ଜୀବନକୁ ବିସର୍ଜନ କରିଥିଲେ, ନିଜ ଜୀବନଠାରୁ ଦେଶର ସ୍ଵାଭିମାନକୁ ବଡ଼ ବୋଲି ଭାବୁଥିଲେ, ଫାଶୀ ପାଇ ହସି ହସି ମୃତ୍ୟୁବରଣ କରି ମୃତ୍ୟୁ ବିଜୟୀ ହୋଇଥିଲେ, ସେ  ବୀର ଯୋଦ୍ଧା, ପରମଦେଶ ଭକ୍ତମାନଙ୍କ ମଧ୍ୟରେ ଉତ୍କଳ ମାଟିର ବୀର, ଦେଶ ସ୍ଵାଧୀନତାର ପ୍ରଥମ ସଂଗ୍ରାମୀ ଯୋଦ୍ଧା ବିପ୍ଳବୀ ଜୟୀ ରାଜଗୁରୁ ଅନ୍ୟତମ।

ବିଶ୍ଵାସଘାତକ ଇଂରେଜମାନେ ଇଷ୍ଟ ଇଣ୍ଡିଆ କମ୍ପାନି ଗଠନ କରି ସାରା ଭାରତ ବର୍ଷକୁ ନିଜ ଅଧୀନକୁ ନେବା ପରେ ଶେଷ ସ୍ଵାଧୀନ ଦେଶ ଭାବେ ଓଡ଼ିଶାକୁ ଆଗମନ କଲେ। ଓଡ଼ିଶାରେ ସେତେବେଳକୁ ମରହଟ୍ଟାମାନେ ରାଜୁତି କରୁଥାନ୍ତି। ହାଇଦରାବାଦର ନିଜାମ, ମହୀଶୂରର ଟିପୁ ସୁଲତାନ, ପଞ୍ଜାବର ଶିଖ୍ ସଙ୍ଗଠନ ପ୍ରଭୃତି ଇଂରେଜମାନଙ୍କୁ ପ୍ରତିହତ କରିବା ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଥିବା ବେଳେ, ଓଡ଼ିଶାରେ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କ ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ, ରାଜ୍ୟର ବେବର୍ତ୍ତା ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମକରି ଇଂରେଜ ବିରୋଧୀରେ ଜନ ଜାଗରଣ ସୃଷ୍ଟି କରିପାରିଥିଲେ, ଯାହାକି ପରବର୍ତ୍ତୀ ସମୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବହୁବଳେନ୍ଦ୍ର, ଦୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ରସାଏ ପ୍ରମୁଖ ଅନୁପ୍ରାଣିତ ହୋଇ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ।

ବୀର କେବେ ପଛଘୁଞ୍ଚା ଦିଏ ନାହିଁ କି, ନିଜର ଜୀବନ ଭୟରେ ଦେଶର ସ୍ଵାଭିମାନକୁ ବଳି ଦିଏନାହିଁ। ସେହିପରି ଜଣେ ସଚ୍ଚା ଦେଶଭକ୍ତ, ଖୋର୍ଦ୍ଧା ରାଜାଙ୍କ ରାଜପୁରୋହିତ, ସେନାଧ୍ୟକ୍ଷ ଜୟୀ ରାଜଗୁରୁ, ଯିଏ ମାତୃଭୂମିକୁ ବିଦେଶୀ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ନିଜର ପ୍ରାଣବଳି ଦେଇଥିଲେ।

ଜନ୍ମରୁ ବୀର ଜୟୀ ରାଜଗୁରୁ

ଜୟୀ ରାଜଗୁରୁ ଥିଲେ ଜନ୍ମରୁ ବୀର। ପଣ୍ଡିତ ଶ୍ରେଷ୍ଠ ଗଦାଧର ରାଜଗୁରୁଙ୍କ ବଂଶଧରରେ ଜନ୍ମଗ୍ରହଣ କରି ନିଜର ପାଣ୍ଡିତ୍ୟ, ବୀରତ୍ୱ ପ୍ରଦର୍ଶନକରି ସାରା  ଭାରତବର୍ଷର ମୁକ୍ତି ସଂଗ୍ରାମର ପ୍ରଥମ ନାୟକ ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ୧୭୩୯ ଖ୍ରୀ: ଅ: ଅକ୍ଟୋବର ମାସ ୨୯ ତାରିଖ ପବିତ୍ର ଅଁଳାନବମୀ ତିଥିରେ ଦେବ ଅଂଶରେ ଶ୍ରୀକ୍ଷେତ୍ରର ଅଂଶବିଶେଷ ବୀରହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଚାନ୍ଦ ରାଜଗୁରୁ ଓ ମାତାଙ୍କ ନାମ ଥିଲା ହାରାମଣି ଦେବୀ। ଜୟୀ ରାଜଗୁରୁଙ୍କ ଭଲ ନାମ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର।

ଶୁଣାଯାଏ ପିଲାବେଳେ ଜୟୀ ଗୁରୁଣ୍ଡି ଗୁରୁଣ୍ଡି ଆସି ଦାଣ୍ଡପିଣ୍ଡାରେ ତଳକୁ ଖସି ପଡ଼ିବା ବେଳେ କାଳିଆ ଘୋଡ଼ା ଆସି ବୀର ବାଳକକୁ ଅଟକି ରଖିଥିଲା। ଘୋଡ଼ାର ବେକରେ ଥିବା ବେଲ୍ଟ ଧରି ଜୟୀ ଓହଳି ପଡ଼ି ଖୁସି ହେଉଥିଲେ।

ଏହି ସମୟରେ ପିତା ମନ୍ଦିରରୁ ପୂଜା କରି ଫେରୁଥାନ୍ତି। ପୁଅ କାଳିଆ ଘୋଡ଼ାର ବେକରେ ଓହଳି ଖେଳୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେହିଦିନଠାରୁ ବାଳକ ଜୟୀ ସବୁଦିନ କାଳିଆ ଘୋଡ଼ା ସହିତ ଖେଳିବାକୁ ଆଗ୍ରହୀ ଥିଲେ। ରକ୍ଷଣଶୀଳ ପରିବେଶ ମଧ୍ୟରେ ଜୟୀ ବାଲ୍ୟଶିକ୍ଷା ସମାପ୍ତ କରି ପାରମ୍ପରିକ ଶାସ୍ତ୍ରାଦିରେ ଦକ୍ଷତା ଅର୍ଜନ କରିଥିଲେ।

ରାଜାଙ୍କ କୁଳ ପୁରୋହିତ:

ପିତା ଚାନ୍ଦ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କର କୁଳ ପୁରୋହିତ। ରାଜଗୁରୁ ପଦବୀରେ ଅଧିଷ୍ଠିତ ଥାଇ ତାଙ୍କର ଅକାଳ ବିୟୋଗ ଘଟିଲା। ମାଆଙ୍କର ଇଛାଥିଲା ଜୟୀଙ୍କୁ ବିବାହ କରାଇ ସୁଖରେ ଘରକୁ ବୋହୂଟିଏ ଆଣିଲେ ଦୁଃଖ ଲାଘବ ହେବ। ମାତ୍ର ଯିଏ ନିଜ ଦେଶ ପାଇଁ,  ଅତ୍ୟାଚାରୀ ବିଦେଶୀ ଶାସକମାନଙ୍କ ଦାଉରୁ ପ୍ରଜାମାନଙ୍କୁ ରକ୍ଷା କରିବା ପାଇଁ ଅହରହ ଚିନ୍ତା କରୁଥିଲେ ସେ କ’ଣ ନିଜର ସୁଖ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ? ପୁଅର ଏପରି ହାବଭାବ ଦେଖି ମାଆ ଚିନ୍ତିତ ହୋଇପଡ଼ିଲେ। ଚିନ୍ତାରେ ଶଯ୍ୟାଶାୟୀ ହେଲେ। ମାଆଙ୍କର ଇଛା ଥିଲା ପିତାଙ୍କ ଅନ୍ତେ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ପଦବୀରେ ଜୟୀ ଅଧିଷ୍ଠିତ ହୁଅନ୍ତି। ସେତେବେଳକୁ ଖୋର୍ଦ୍ଧା ରାଜା ଜୟୀଙ୍କୁ ବାରମ୍ବାର ଖବର ପଠାଉଥାନ୍ତି। ସେହି ସମୟକୁ ନିଜ ଗାଁ ପାଖ ଅଞ୍ଚଳରେ ବର୍ଗୀମାନଙ୍କ ଦ୍ୱାରା ସାଧାରଣ ଲୋକ ଅତ୍ୟାଚାରିତ ହୋଇ ବିକଳ ହେଉଥାନ୍ତି। ଲୋମହର୍ଷଣକାରୀ ହିଂସାକାଣ୍ଡରେ ଜନସାଧାରଣ ଅତିଷ୍ଠ ହୋଇ ପଡ଼ୁଥିବା କଥା ଜାଣି ବିପ୍ଳବୀ ଜୟୀ ମାଆକୁ ଆଶାଙ୍କୁ ପୂରଣ କରିବା ପାଇଁ ଓ ନିଜ ନିରୀହ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖୋର୍ଦ୍ଧାରାଜାଙ୍କୁ ସାକ୍ଷାତ କଲେ। ଜୟୀଙ୍କର ବିଚକ୍ଷଣ ବୁଦ୍ଧି, ଦେଶପ୍ରୀତି, ଭକ୍ତି, ସାହସ ଓ ଶକ୍ତିକୁ ଦେଖି ରାଜା ୧୭୮୦ ମସିହାରେ ଜୟୀଙ୍କୁ ରାଜ୍ୟର ପ୍ରଧାନମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା, ସେନାଧ୍ୟକ୍ଷ ଏବଂ ରାଜ୍ୟର ମୁଖ୍ୟ ବେବର୍ତ୍ତା ରୂପେ ଅବସ୍ଥାପିତ କଲେ। ବିପ୍ଳବୀ ବୀର ନିଜର ଦାୟିତ୍ୱ, କର୍ତ୍ତବ୍ୟକୁ ଠିକ୍ ଭାବରେ ସମ୍ପାଦନ କରିବାକୁ ଯାଇ ଭୁଲିଗଲେ ନିଜର ପାରିବାରିକ କଥା। ମହାଭାରତର ଭୀଷ୍ମଙ୍କ ପରି ରହିଗଲେ ବ୍ରହ୍ମଚାରୀ।

ମୁକୁଟବିହୀନ ରାଜା:

୧୮୦୩ରେ ଇଂରେଜମାନେ ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଅଧିକାର କଲେ। ସେତେବେଳକୁ ଖୋର୍ଦ୍ଧା ରାଜ୍ୟ ସ୍ଵାଧୀନ ରାଜ୍ୟ। ଏହି ଘଡ଼ିସନ୍ଧି ସମୟରେ ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ଯୋଗୁଁ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ ହେଲେ। ଅଭିଜ୍ଞ, ଦକ୍ଷ ରାଜନୀତିଜ୍ଞ, କୁଶଳୀ କୁଟନୀତିଜ୍ଞ, ସେନାଧ୍ୟକ୍ଷ, ମହାମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା, ବେବର୍ତ୍ତାଙ୍କ ମୁଣ୍ଡରେ ରାଜ୍ୟର ସମଗ୍ର ଭାର ଲଦି ହୋଇପଡ଼ିଲା। ମୁକୁଟବିହୀନ ସମ୍ରାଟ ରୂପେ ଜୟୀ ରାଜଗୁରୁ ଦେଶକୁ ରକ୍ଷା କରିବା ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରମାନ ରଚନା କରିବାକୁ ଲାଗିଲେ।

ଇଂରେଜ ଗଭର୍ଣ୍ଣର ଜେନେରାଲ୍‌ ୱେଲସେଲିଙ୍କ ଉଦ୍ୟମରେ ଇଂରେଜମାନେ ନାଗପୁର ଭୋନ୍‌ସଲା ରାଜାଙ୍କ ଦ୍ୱାରା ନିଯୁକ୍ତ ମରହଟ୍ଟା ସୁବାଦାର ରାଓଙ୍କୁ ପରାସ୍ତ କରି ଓଡ଼ିଶା ଅଧିକାର କରି ନେଇଥିଲେ। ଓଡ଼ିଶା ଅଧିକାର କରିବା ପୂର୍ବରୁ ଇଂରେଜମାନେ କୌଶଳ କରି ନାବାଳକ ରାଜା ମୁକୁନ୍ଦ ଦେବଙ୍କ ଦେବ ନିଜ ମାମୁଘରେ ଥିବା ଅବସ୍ଥାରେ ଚୁକ୍ତିପତ୍ର ସ୍ଵାକ୍ଷର କରାଇ ନେଇଥିଲେ। ଉକ୍ତ ଚୁକ୍ତି ଅନୁଯାୟୀ ଖୋର୍ଦ୍ଧାରାଜା ତାଙ୍କର ପୂର୍ବ ଅଧିକାର ଫେରିପାଇବେ। ପୂର୍ବରୁ ମରହଟ୍ଟାମାନେ ନେଇଥିବା ପ୍ରଗଣାଗୁଡ଼ିକ ଫେରିପାଇବେ ଓ ଖୋର୍ଦ୍ଧା ରାଜ୍ୟ ମଧ୍ୟ ଦେଇ ରାଜଧାନୀ କଟକ ଯାତାୟତ କରିବା ପାଇଁ  ସୁଯୋଗ ଦେବା ନିମନ୍ତେ ଏକ ଲକ୍ଷ ଟଙ୍କା ପାରିତୋଷିକ ଦେବେ। ନାବାଳକ ରାଜାଙ୍କଠାରୁ ଏଭଳି ବିଶ୍ଵାସଘାତକ ଚୁକ୍ତିପତ୍ରକୁ ବିରୋଧ କରି ଜୟୀ ରାଜଗୁରୁ ନିଜ ଦେଶ ଓ ପ୍ରଜାମାନଙ୍କର ହିତ ପାଇଁ ନିଜର ଅନ୍ନଦାତା ଗଜପତି ମହାରାଜାଙ୍କୁ ମଧ୍ୟ ଧିକ୍କାର କରିବାକୁ ପଛାଇଲେ ନାହିଁ। ରାଜ୍ୟ ଶାସନ ଓ ପ୍ରଜାଙ୍କ ଅଧିକାର ଉପରେ ରାଜାଙ୍କୁ ସଚେତନ କରାଇବାକୁ ଯାଇ ପ୍ରଶ୍ନ କରି କହିଲେ-

“ମହାରାଜ! ଏସବୁ ମୁଁ କ’ଣ ଶୁଣୁଛି? ପଚାରିଲେ ସେନାଧ୍ୟକ୍ଷ ଜୟୀରାଜଗୁରୁ। “ଆପଣ ଯାହା ଶୁଣିଛନ୍ତି ତାହା ସତ୍ୟ ଅଟେ”। ଦୁଃଖରେ ଉତ୍ତର ଦେଲେ ଗଜପତି ମୁକୁନ୍ଦଦେବ। ଏତିକି ଉତ୍ତର ପାଇ ରାଜଗୁରୁ ଗର୍ଜନ କରିଉଠିଲେ।

“ଗଜପତି ରାଜାଙ୍କ ମୁହଁରୁ ଏଭଳି ଉତ୍ତର ଆଶା କରାଯାଇପାରେନା। ଆପଣ ଭୁଲି ଯାଉଛନ୍ତି ଯେ ଖୋର୍ଦ୍ଧାଗଡ଼ର ମହାମନ୍ତ୍ରୀ ପାଇକମାନଙ୍କର ସେନାପତି ଏବେବି ଜୀବିତ। ପାଇକ ବୀରଙ୍କର ଭକ୍ତ ଏବେବି ଚଳଚଞ୍ଚଳ। ଯେଉଁ ତରବାରୀ ଦିନେ ଦେଶଦ୍ରୋହୀ ଶତ୍ରୁମାନଙ୍କର ରକ୍ତ ପାନ କରିଛି, ସେ ତରବାରୀ ଇଂରେଜମାନଙ୍କ ରକ୍ତ ଦେଖିବାକୁ ପଶ୍ଚାତପଦ ହେବନାହିଁ। ଏ ଦେଶ ଠାକୁର ଦେଶ। ଆମେ ସମସ୍ତେ ଠାକୁରଙ୍କ ଦାୟଦ। ଠାକୁର ନିଜେ ରାଜାଙ୍କର ସ୍ଵାଭିମାନ ରକ୍ଷା ପାଇଁ  ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଆପଣ ସେହି ଲକ୍ଷେ ରାଜାର ମଉଡମଣି। ଶ୍ରୀ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ଆପଣ ନିଜ ଇଛାରେ ଯାହା ତାହା  କରିଯିବେ, ଏ ଅଧିକାର ଆପଣଙ୍କର ନାହିଁ। ଆମେ ବଞ୍ଚି ଥାଉ ଥାଉ ଶ୍ରୀମନ୍ଦିର ପରିଚାଳନା ଭାର ବିଧର୍ମୀମାନଙ୍କ ହାତକ ଟେକି ଦେଇପାରିବୁ ନାହିଁ। ମନ୍ଦିର ଯାତ୍ରୀମାନଙ୍କ ଉପରେ ଟିକସ, ପାଇକମାନଙ୍କ ଜାଗିରି ଉଚ୍ଛେଦ କରି ଖଜଣା ଧାର୍ଯ୍ୟ କରିବାକୁ ଆମେ ସୁଯୋଗ ଦେବୁନାହିଁ। ଆମ ଧମନୀରେ ଆ-ଗଙ୍ଗା ଗୋଦାବରୀ ବିସ୍ତୃତ ଉତ୍କଳର ବୀର ରକ୍ତକଣିକା ପ୍ରବାହିତ। ଆମେ ବୀର। ଆମେ ମରିବୁ ପଛେ ପଛ ଘୂଞ୍ଚା ଦେଇ ଏ ଜାତିର ଇତିହାସକୁ କଳଙ୍କିତ କରିପାରିବୁ ନାହିଁ।

ଗଜପତି ନିଜର ନିର୍ବୋଧତା ପାଇଁ ନିଜକୁ ଧିକ୍କାର କଲେ। ଫଳରେ ଇଂରେଜ କର୍ଣ୍ଣେଲ ହାଇକୋର୍ଟ ଦ୍ୱିତୀୟବାର ପଠାଇଥିବା ଘୋଷଣାନାମାକୁ ଦସ୍ତଖତ ନ କରି ଫେରାଇ ଦେଲେ। ଚୁକ୍ତି ପରେ ଚାରୋଟି ପ୍ରଗଣା ଶୀଘ୍ର ରାଜାଙ୍କୁ ହସ୍ତାନ୍ତର ହେବ ବୋଲି ଭାବିଥିଲେ ମାତ୍ର ତାହା ହେଲାନାହିଁ। ବରଂ ଖୋର୍ଦ୍ଧାରାଜ୍ୟ ଦେଇ ଇଂରେଜମାନେ ସୈନ୍ୟସାମନ୍ତ ନେଇ କଟକର ବାରବାଟୀ ଦୁର୍ଗ ଦଖଲ କଲେ। ଇଂରେଜମାନଙ୍କ ଚରମ ବିଶ୍ଵାସଘାତକତାରେ କ୍ଷୁବ୍ଧ ହୋଇ ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କଲେ।

ଓଡ଼ିଆ ଜାତିର ଭୀଷ୍ମ:

ଜୟୀ ରାଜଗୁରୁ ‘ଶମ୍ଭୁଭାରତୀ’ ନାମକ ଜଣେ ସନ୍ୟାସୀଙ୍କୁ ସାଥି କରି ଗାଁ ଗାଁରେ ଲୋକଙ୍କୁ ଇଂରେଜ ବିରୋଧୀ ଜନମତ ସୃଷ୍ଟି କଲେ। ଫଳରେ ଗାଁ ଗାଁରେ ପାଇକପୁଅ ଖଣ୍ଡାୟତ ପୁଅ, ବୀର, ଯୋଦ୍ଧାମାନେ ମାତି ଉଠିଲେ, ତାତି ଉଠିଲେ। ପାଇକମାନଙ୍କୁ ନେଇ ମେଳି ତିଆରି ହେଲା। ମେଳିର ମେଢ଼ି ହୋଇ ବୀରଯୋଦ୍ଧା ଜୟୀ ରାଜଗୁରୁ ସୈନ୍ୟମାନଙ୍କୁ ତାଲିମ ଦେଲେ। ହଠାତ୍ ଦୁଇ ହଜାର ସୈନ୍ୟ ସମାନ୍ତଙ୍କୁ ନେଇ ଜୟୀ ରାଜଗୁରୁ କଟକ ବାରବାଟୀ ଦୁର୍ଗକୁ ଘେରାଉ କରି କର୍ଣ୍ଣେଲ ହାରକୋର୍ଟଙ୍କୁ ଚୁକ୍ତିପତ୍ର ଅନୁଯାୟୀ ଏକଲକ୍ଷ ଟଙ୍କା ଦାବି କଲେ। କର୍ଣ୍ଣେଲ ଏଭଳି ଅତର୍କୀତ ଆକ୍ରମଣରେ ଭୟଭୀତ ହୋଇ ନଗଦ ଚାଳିଶ ହଜାର ଟଙ୍କା ପ୍ରଦାନ କଲେ ମାତ୍ର, ଚାରିଗୋଟି ପ୍ରଗଣା ଫେରସ୍ତ ପାଇଁ ରାଜି ହେଲେ ନାହିଁ। ଜୟୀ ରାଜଗୁରୁ ଚାଳିଶି ହଜାର ଟଙ୍କା ନେଇ ପାଇକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କଲେ ଓ ଇଂରେଜ ଶାସନ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଲେ। ଖୋର୍ଦ୍ଧା ରାଜ୍ୟର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ ଗଡ଼ରେ ଯୁଦ୍ଧ ତାଲିମ ପ୍ରଦାନ କରାଗଲା। କନିକା, କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁର ରାଜାମାନେ ବିଦ୍ରୋହରେ ସାମିଲ୍ ହେବା ପାଇଁ ହାତ ବଢ଼ାଇଲେ। ଏହି ସମୟରେ ଜୟୀ ରାଜଗୁରୁ ଚତୁରତାର ସହ ମରହଟ୍ଟାମାନଙ୍କ ସାହାଯ୍ୟ ପାଇଁ  ନାଗପୁର ଭୋନ୍‌ସଲାଙ୍କ ସହ ଗୁପ୍ତ ମନ୍ତ୍ରଣା କଲେ। କିନ୍ତୁ ଜୟୀଙ୍କ କଥାରେ ଭୋନ୍‌ସଲା ଏକମତ ହେବା ପରେ ଖୋର୍ଦ୍ଧା ରାଜ୍ୟରୁ ଗୁପ୍ତଚର ଚିଠି ନେଇ ସୈନ୍ୟ ସରଞ୍ଜାମର ଚିଠା ନେଇ ଯିବା ବାଟରେ ସମ୍ବଲପୁରଠାରେ ଇଂରେଜମାନଙ୍କ ହାତରେ ଧରାପଡ଼ିଲେ। ଜୟୀଙ୍କର ସମସ୍ତ କୁଟନୀତିକୁ ଭଣ୍ଡୁର କରିବାକୁ ଇଂରେଜ ଶାସକ ଷଡଯନ୍ତ୍ର ରଚନା କଲେ। ନିଶାର୍ଦ୍ଧ ରାତ୍ରିରେ ସୁଡ଼ଙ୍ଗ ମଧ୍ୟରେ ଜୟୀ ଦୁର୍ଦ୍ଦଶ ସୈନ୍ୟମାନଙ୍କୁ ତାଲିମ ଦେଉଥିଲେ। ସେନାବାହିନୀଙ୍କୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଥିଲା। ସେଗୁଡ଼ିକ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଏହା ଛଡ଼ା ବିଭିନ୍ନ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ସେନାପତି ରାଜଗୁରୁ ଚାରି ଭାଗରେ ବିଭକ୍ତ କରିଥିଲେ। ପାହାଡ଼ି, ବାଣୁଆ, ଢ଼େଙ୍କିଆ, ଗରିଲା ବିଭାଗରେ ମୋଟ ପନ୍ଦର  ହଜାର ସୈନ୍ୟ ପ୍ରସ୍ତୁତ ହୋଇଥିଲେ। ପାହାଡ଼ିମାନେ ବଣ ପାହାଡ଼ରେ ଲୁଚି ଛପି ଶତ୍ରୁଙ୍କୁ ଆକ୍ରମଣ କରିବା ବେଳେ, ବଣୁଆମାନେ ବାଣ ତିଆରି କରି ଖାର, ଗନ୍ଧକ, କୋଇଲା ଓ ଲୌହଗୁଣ୍ଡରେ ତିଆରି ଆଗ୍ନେୟାସ୍ତ୍ର ପ୍ରୟୋଗର ଧୁରନ୍ଧର ଥିଲେ। ଢ଼େଙ୍କିଆମାନେ ଖଣ୍ଡା, ତଲୁଆର, ଢ଼ାଲ, ଧନୁଶର ସାହାଯ୍ୟରେ ଆକ୍ରମଣ କରୁଥିବା ବେଳେ ଗରିଲାମାନେ ପଛପଟୁ ଅତର୍କୀତ ଆକ୍ରମଣ କରି ଉଭା ନେଇ ଯାଉଥିଲେ। ସୈନ୍ୟମାନେ ଜଳନ୍ଧର ବ୍ୟୁହ, ଅର୍ଦ୍ଧଚକ୍ରବ୍ୟୁହ, ସୂଚୀବ୍ୟୁହ ଓ ସେନାଶାୟୀ ବ୍ୟୁହ ରଚନା କରି ଚକମା ଦେଖାଇବାରେ ଧୁରନ୍ଧର ଥିଲେ। ଏହାଛଡ଼ା ମା’ ବରୁଣେଇଙ୍କର କୃପାରୁ ତନ୍ତ୍ରସାଧକ ଓ ମନ୍ତ୍ର ସାଧକ ଅଜନ୍ମ ବ୍ରହ୍ମଚାରୀ ଓଡ଼ିଆ ଜାତିର ଭୀଷ୍ମ ନିଜର ସାଧନା ବଳରେ ଖୋର୍ଦ୍ଧାଗଡ଼କୁ ଦୈବୀଶକ୍ତିରେ ବନ୍ଧନ କରି ରଖିଥିଲେ।

ସୁନାକୁଲେଇ କଥା:

ଖୋର୍ଦ୍ଧାଗଡ଼କୁ ପ୍ରବେଶ ପାଇଁ ଚାରିଗୋଟି ଗୁପ୍ତ ପ୍ରବେଶପଥ ଥିଲା। ପୂର୍ବ ଦ୍ୱାରରେ ବାବାଭୂତନାଥଙ୍କ ମନ୍ଦିର। ଏହି ଦ୍ୱାରରେ ଭୂତ, ପିଶାଚମାନଙ୍କୁ ରଖାଯାଇଥିଲା। ଶୂନ୍ୟରୁ ଟେକା ପଥର ପଡ଼ିବା ଓ ହଠାତ୍ ଶତ୍ରୁଙ୍କୁ ଦେଖିଲେ ଅଗ୍ନିବର୍ଷଣ ହେଉଥିଲା। ପଶ୍ଚିମ ଦ୍ୱାରରେ ପିଶାଚ ଓ ଯୋଗିନୀମାନଙ୍କୁ ନିୟୋଜିତ କରାଯାଇଥିଲା। ଦକ୍ଷିଣ ଦ୍ୱାରରେ ହାଡ଼ ମାଂସ ରକ୍ତ ଖିଆ ବେତାଳମାନେ ଗତି ରହିଥିଲେ। ଉତ୍ତର ଦ୍ୱାରରେ ଦେବୀ ଚାମୁଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଖଣ୍ଡା, ଖର୍ପର ଓ ମୁଣ୍ଡମାଳ ପକାଇ ଦେବୀ ଚାମୁଣ୍ଡା ବିଦ୍ୟମାନ ହୋଇଥିବାରୁ ଶତ୍ରୁମାନେ ସହଜେ ଗୁପ୍ତଦ୍ୱାରକୁ ସନ୍ଧାନ କରିପାରୁନଥିଲେ। ଜୟୀ ରାଜଗୁରୁ ଏ ସମସ୍ତ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ସଙ୍ଗେ ସଙ୍ଗେ ମା’ ବରୁଣେଇ ଓ ଅରୁଣେଇଙ୍କ ପାଖକୁ ଯାଇ ଅଧ୍ୟା ପଡ଼ି ସିଦ୍ଧିଲାଭ କରିଥିଲେ। ଏପରିକି ‘ଧୂମାବତୀ’ଙ୍କର ସାଧନାରେ ସିଦ୍ଧି ଲାଭ କରି ଏକ “ସୁନା କୁଲେଇ” ବର ପାଇଥିଲେ। ଏହି କୁଲାକୁ ବିଞ୍ଚିଲେ ସେଥିରେ ଧୂମ୍ରମୟ ସୃଷ୍ଟି ହୋଇ ଅନ୍ଧକାର ହୋଇଯାଉଥିଲା। ଫଳରେ ଶତ୍ରୁ ପଳାୟନ ପାଇଁ ବାଟ ପାଇପାରୁନଥିଲା। ବରଂ ଜୟୀ ରାଜଗୁରୁ ଶତ୍ରୁମାନଙ୍କୁ ଦମନ କରିବାରେ ସଫଳ ହେଉଥିଲେ। ଲୋକମୁଖରୁ ଶୁଣାଯାଏ ତନ୍ତ୍ରସାଧନ ଜୟୀ ଗୁରୁଙ୍କ ତନ୍ତ୍ର ପ୍ରଭାବରେ ମା’ ବରୁଣେଇ ନିଜେ ଓଡ଼ିଆ ପାଇକମାନଙ୍କୁ ରକ୍ଷା କରୁଥିଲେ।

କାହାଳୀଆଷଣ୍ଢ କଥା:

ତନ୍ତ୍ର ସାଧକ, ମନ୍ତ୍ର ସାଧକ, ସିଦ୍ଧି ସାଧକ, ଦୁର୍ଦ୍ଧଶ ବୀରନାୟକ ଜୟୀ ରାଜଗୁରୁ ଜାଗ୍ରତ ସିଂହ ପରି ଦିବାରାତ୍ର ରାଜ୍ୟ ରକ୍ଷା ପାଇଁ ଚିନ୍ତାମଗ୍ନ ରହୁଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମଭକ୍ତ, ରାଜାଙ୍କ କୁଳ ପୁରୋହିତ ଜୟୀ ରାଜଗୁରୁ ମନ୍ଦିର ପ୍ରଶାସନ ଦାୟିତ୍ୱ ନିଜ ହାତକୁ ନେଇଗଲେ ଓ ଚାରୋଟି ପ୍ରଗଣାରୁ ଖଜଣା ଆଦାୟ ପାଇଁ ଖୋର୍ଦ୍ଧା ରାଜ୍ୟ ତରଫରୁ ସନନ୍ଦ ଜାରି କରାଇଲେ ଫଳରେ ଇଂରେଜ ସେନାବାହିନୀ ପକ୍ଷରୁ ସେହି ପ୍ରଗଣାମାନଙ୍କରେ ଆକ୍ରମଣ କରାଗଲା। ଏହି ସମୟରେ ଜୟୀ ରାଜଗୁରୁଙ୍କ ବିଶ୍ଵସ୍ତ ଶମ୍ଭୁଭାରତୀଙ୍କୁ ବନ୍ଦୀ କରି ଜୟୀ ରାଜଗୁରୁଙ୍କ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ଖୋର୍ଦ୍ଧାରାଜାଙ୍କୁ ପ୍ରବର୍ତ୍ତାଇଲେ। ଜୟୀ ରାଜଗୁରୁ ଇଂରେଜବିରୋଧୀ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଭାବି ଜୟୀ ରାଜଗୁରୁଙ୍କ ବିରୋଧରେ ଗୁପ୍ତ ମନ୍ତ୍ରଣା କଲେ ଓ ଖଳନାୟକ, ସ୍ଵାର୍ଥପର, ଚୁଗୁଲିଆ, ତୋଷାମତିଆମାନଙ୍କ ସହ କୁମନ୍ତ୍ରଣା ଜାରି ରଖିଲେ। ଖୋର୍ଦ୍ଧା ନିକଟ ମେଣ୍ଢାଶାଳ ଗ୍ରାମର ପୂର୍ବଭାଗରେ ଥିବା ଗୋଲାକୃତି ଦେଉଳିଆ ପାହାଡ଼ର ମଧ୍ୟଭାଗରେ ଥିବା ସମତଳ ନିଛାଟିଆ ଜାଗାରେ ପାଇକମାନଙ୍କୁ ନେଇ ଗରିଲାଯୁଦ୍ଧ ପାଇଁ ଜୟୀ ରାଜଗୁରୁ ତାଲିମ ଦେଉଥିଲେ। ଚାରି କି.ମି. ଦୈର୍ଘ୍ୟ ଏହି ପାହାଡ଼ର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ପାହାଡ଼ର ଗିରିସଙ୍କଟକୁ ପ୍ରବେଶ ଦ୍ୱାର ରୂପେ ବ୍ୟବହାର କରି ଗିରିସଙ୍କଟର ପଥରୁଦ୍ଧ ପାଇଁ ବଡ଼ ବଡ଼ ପଥର ଖଣ୍ଡମାନ ଖଞ୍ଜି ରଖିଥିଲେ। ଏଠାରେ ଜଣେ କାହାଳୀ ଯୋଦ୍ଧା ଯାହାଙ୍କୁ “କାହାଳିଆ ଷଣ୍ଢ” ନାମରେ ସମସ୍ତେ ଜାଣୁଥିଲେ। ଗରିଲା ଯୁଦ୍ଧ ମାଧ୍ୟମରେ ଇଂରେଜ ସେନାମାନେ ବାରମ୍ବାର ପରାଜିତ ହେବା ଗ୍ଲାନିରେ ପ୍ରତିଶୋଧ ନେବା ପାଇଁ ଗୁପ୍ତ ଆଶ୍ରୟସ୍ଥଳୀର ସନ୍ଧାନରେ କିଛି ବିଶ୍ଵାସଘାତକ ଓଡ଼ିଆଙ୍କୁ କରାୟତ କରିଥିଲେ। ପାଇକ ଗୁପ୍ତ ଆଶ୍ରୟସ୍ଥଳୀର ନକ୍ସା ପାଇବା ପରେ ଦିନେ ଇଂରେଜମାନେ ମେଣ୍ଢାଶାଳର ଦେଉଳିଆ ବଜାଇଥିଲା। କାହାଳିଆକୁ ହତ୍ୟା କରିବା ସତ୍ତ୍ୱେ ତା’ର ବିଶ୍ଵସ୍ତ ଘୋଡ଼ା କାହାଳିଆକୁ ମୃତ ଅବସ୍ଥାରେ ପିଠିରେ ଧରି କାହାଳିଆ ସାହି ପର୍ଯ୍ୟନ୍ତ ଟାଣି ନେଲା। ଶତ୍ରୁଙ୍କ ପ୍ରବେଶ ହେବା କଥା ଜାଣି ସବୁ କାହାଳିଆମାନେ ବାଦ୍ୟ ବଜାଇଲେ। ପାଇକମାନେ ବାଦ୍ୟ, କାହାଳୀ ଶଦ୍ଦ ଶୁଣି ପାହାଡ଼ ଉପରକୁ ଯାଇ ଯୁଦ୍ଧ ଆରମ୍ଭ କରିଥିଲେ। ସେହି ସମୟରେ ଘୋର ଝଡ଼ବର୍ଷା ହେବାଫଳରେ ବହୁ ଇଂରେଜ ସୈନ୍ୟ ମୃତ୍ୟୁବରଣ କରିଥିଲେ ଓ କେତେକ ଛତ୍ରଭଙ୍ଗ ମଧ୍ୟ ଦେଇଥିଲେ।

ମାଟିଗୋଡ଼ି କଥା କହିଲେ:

ଏସବୁକୁ ଭ୍ରୂକ୍ଷେପ ନ କରି ଜୟୀ ରାଜଗୁରୁ ଇଂରେଜମାନଙ୍କୁ ପିପିଲି ଡେଲାଙ୍ଗ ମଝିରାସ୍ତାରେ ଅତର୍କିତ ଆକ୍ରମଣ କରି ବହୁ ଇଂରେଜ ସୈନ୍ୟଙ୍କୁ ହତ୍ୟା କଲେ ଓ ବହୁ ପରିମାଣ ଗୁଳିଗୋଳା, ବନ୍ଧୁକ, ଆଧୁନିକ ଅସ୍ତ୍ରଶସ୍ତ୍ର ଅକ୍ତିଆର କରିଆଣିଲେ। ଇଂରେଜମାନଙ୍କର ଶୋଚନୀୟ ପରାଜୟ ପାଇଁ କର୍ଣ୍ଣେଲ ହାରକୋର୍ଟ ମାନ୍ଦ୍ରାଜ ଏବଂ କଲିକତାରୁ ଦକ୍ଷ ସୈନ୍ୟମାନଙ୍କ ସହ ମେଜର ଫ୍ଲେଚରଙ୍କୁ ଡକାଇ ପଠାଇଲେ। ୧୮୦୪ ନଭେମ୍ବର ମାସରେ ମେଜର ଫ୍ଲେଚରଙ୍କ ନେତୃତ୍ୱରେ ଇଂରେଜସେନା ଗଡ଼ ଉପରେ ତିନିଆଡୁ ଆକ୍ରମଣ କଲେ। ଦୀର୍ଘ ତିନି ସପ୍ତାହ ଧରି ଖୋର୍ଦ୍ଧାଗଡ଼କୁ ଅବରୋଧ କରି ରଖିଲେ।

ଇଂରେଜମାନଙ୍କର ସମର ସଜ୍ଜା ଦେଖି ଗାଁ ଗାଁରେ ଯୁବଶକ୍ତି, ପାଇକଶକ୍ତି, ଦଳେଇ, ଦଳବେହେରାମାନେ ଟୋକାମାନଙ୍କଠାରୁ ବୁଢ଼ାମାନଙ୍କ ପର୍ଯ୍ୟନ୍ତ, ଝିଅ ବୋହୂଙ୍କଠାରୁ ଆରମ୍ଭ କରି ବୁଢ଼ୀମାନଙ୍କ ମନରେ ବିଦ୍ରୋହର ଚମକ ସୃଷ୍ଟି ହେଲା। ଉତ୍ତେଜିତ ହୋଇ ମାଟି ମାଆ ପାଇଁ ପ୍ରାଣବଳି ଦେବାକୁ ଅଣ୍ଟାଭିଡ଼ି ଆଗେଇ ଆସିଲେ ଶହ ଶହ ବୀର ଯବାନ। ପାଇକ ଆଖଡ଼ାଦଳ, ଢ଼ୋଲ ମାଦଳ ବଜାଇବାକୁ ଶଙ୍ଖ ମହୁରୀ ବଜାଇବାକୁ ଇତର ଜାତିର ଭେଣ୍ଡିଆମାନେ ଅଣ୍ଟା ଭିଡିଲେ। ଖୋର୍ଦ୍ଧା ମାଟି ତାତି ଉଠିଲା। ଇଂରେଜମାନେ ବରୁଣେଇ ଗଡ଼ ତଳେଥିବା ମୁକୁନ୍ଦ ପ୍ରସାଦ, ଜେମାଦେଇ, ପୋଡ଼ାସାହି ଅଞ୍ଚଳରେ ସୈନ୍ୟ ଛାଉଣୀ ସଜାଇ ପ୍ରସ୍ତୁତ ହେଲେ ଯୁଦ୍ଧ ପାଇଁ। ସେଥିପ୍ରତି ଭ୍ରୂକ୍ଷେପ ନ କରି ଗରିଲା ବାହିନୀ ବରୁଣେଇ ପାହାଡ଼ ଉପରୁ ଅଗ୍ନିବର୍ଷା ପରି ଶର ନିକ୍ଷେପ କରି ଶହ ଶହ ଇଂରେଜସୈନ୍ୟଙ୍କୁ ଧରାଶାୟୀ କରିଦେଲେ। ତିନିଦିନ ଧରି ବରୁଣେଇ ଅବରୋଧ ହେଲା। ଗଡ଼ର ଭେଦ ଇଂରେଜମାନେ ପାଇପାରିଲେ ନାହିଁ।

ଘମାଘୋଟ ଯୁଦ୍ଧରେ ଗଗନ ପବନ ପ୍ରକମ୍ପିତ ହେଲା। ଖୋର୍ଦ୍ଧାର ମାଟି ଗୋଡ଼ି କଥା କହିଲେ। ଗୋଟାଏ ପଟେ ମାଟି ମାଆକୁ ରକ୍ଷା କରିବାକୁ, ନିଜର ଭିଟାମାଟିକୁ ସୁରକ୍ଷିତ କରିବାକୁ ପ୍ରତ୍ୟେକ ଲୋକମାନଙ୍କ ମନରେ ସୃଷ୍ଟି ହେଲା ପ୍ରତିହିଂସା। ଇଂରେଜମାନଙ୍କୁ ଖଣ୍ଡା ତଲୁଆର ଧରି ଆକ୍ରମଣ କରିବାକୁ ପାଇକଜାତି, ଲଢ଼ୁଆବୀର ଖଣ୍ଡାୟତମାନେ ସିଂହପରି ଗର୍ଜନ କରି ଉଠିଲେ। ସେନାଧ୍ୟକ୍ଷ ରାଜଗୁରୁ ସୁଡ଼ଙ୍ଗ ମଧ୍ୟରେ ରହି ବ୍ୟୁହ ରଚନା କରିବାରେ ଲାଗିଥାନ୍ତି ଏବଂ ମାଆ ବରୁଣେଇଙ୍କ ପୀଠରେ ମନ୍ତ୍ର ଓ ତନ୍ତ୍ର ସାଧନାରେ ନିଜକୁ ନିମଜ୍ଜିତ କରି ମାଆଙ୍କର ବରପ୍ରାପ୍ତି ପାଇଁ ଅଳି ଅର୍ଦ୍ଦଳି କରୁଥାନ୍ତି। ଗଜପତିଙ୍କର ସୁରକ୍ଷା ନିମନ୍ତେ ଗୁପ୍ତ ସୁଡ଼ଙ୍ଗ ବାଟଦେଇ ମହାରାଜା ମୁକୁନ୍ଦଦେବଙ୍କୁ ପୁରୀର ଗଙ୍ଗାମାତା ମଠକୁ ପଠାଇ ଦେବାକୁ ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ନିରାପଦ ନଥିବାରୁ ରାଜାଙ୍କୁ ଖୋର୍ଦ୍ଧାଗଡ଼ର ପଶ୍ଚିମପଟ ଟାଙ୍ଗେଣୀ ପାହାଡ଼ ପାଦ ଦେଶରେ ଥିବା କାଂଶିଆ ଗୋହିରୀ ଓ ଗୋଡ଼ଘଷା ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରୁଥିଲେ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭୋଗ ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାଶଙ୍କ ପାଖକୁ ଏକ ପତ୍ର ଲେଖି ପ୍ରେରଣ କରିଥିଲେ।

ଯୁଦ୍ଧର ଦୁନ୍ଦୁଭୀ ସମୟରେ ଜଗନ୍ନାଥଙ୍କ ପରମ ଭକ୍ତ, ସେବକ ଜୟୀ ରାଜଗୁରୁ, ମହାପ୍ରଭୁଙ୍କର ସେବା ନିମିତ୍ତ ମଧ୍ୟ ସଚେତନ ଥିଲେ। ଏକଥା ଶୁଣିଲେ, ପ୍ରତ୍ୟେକ ଓଡ଼ିଆ ମନରେ କମ୍ପନ ସୃଷ୍ଟି ହୁଏ। ଏକ ପକ୍ଷରେ ବିଶ୍ଵାସଘାତକ ଦେଶଦ୍ରୋହୀଙ୍କ ସମର୍ଥିତ ଇଂରେଜ ଶକ୍ତି ଓ ଆରପକ୍ଷରେ ଆଧୁନିକ ଅସ୍ତ୍ରଶସ୍ତ୍ର ବିହୀନ ଦେଶଭକ୍ତ ପାଇକ, ଦଳବେହେରା ଓ ସାଧାରଣ ଜନଶକ୍ତିକୁ ନେଇ ବିପ୍ଳବୀ ରାଜଗୁରୁଙ୍କର ଦେଶରକ୍ଷା ପାଇଁ ବଜ୍ର ଶପଥ କଥା ଶୁଣିଲେ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ କରିବା କଥା।

ଚାକି ଖୁଣ୍ଟିଆ:

ନିମକହାରାମ ଚୁଗୁଲିଆ ଚରଣ, କାଞ୍ଚି ବେୱା ସନ୍ଥ ମହମ୍ମଦ କଥା:

ନିଜର ନିଷ୍ଠା, ନିଃସ୍ଵାର୍ଥପରତା, ସାଧୁତା ଓ କର୍ମଠତାକୁ ନେଇ ମଣିଷ ଜୀବନର ପୂର୍ଣ୍ଣତା ମପାଯାଇଥାଏ। ସ୍ଵୟଂସମ୍ପୂର୍ଣ୍ଣ ମଣିଷଟିଏ ହେବା ପାଇଁ, ଦେଶର ଜାତିର ଆଦର୍ଶ ପୁରୁଷ ହେବା ପାଇଁ ଯେତିକି ଆଦର୍ଶ ଆବଶ୍ୟକ ତାହା ବିପ୍ଳବୀ ବୀର ଜୟୀ ରାଜଗୁରୁଙ୍କଠାରେ ପ୍ରତିପାଦିତ ହୋଇଥିଲା।

ଯୁଗେ ଯୁଗେ ସାଧୁ, ସନ୍ଥ ଦେଶପ୍ରେମୀମାନଙ୍କ  ଉଦାହରଣ ସହିତ କେତେକ ଦେଶଦ୍ରୋହୀ, ଚୁଗୁଲିଆ, ମନ୍ଥରାମାନଙ୍କ ଉଦାହରଣ ମଧ୍ୟ କମ୍ ନଥାଏ। ନିଜର ସ୍ଵାର୍ଥ ସାଧନ ପାଇଁ ସେମାନେ ଭାଙ୍ଗି ଦେଇପାରନ୍ତି ସୁବର୍ଣ୍ଣ ମନ୍ଦିର। ସାମାନ୍ୟ ରାଜ୍ୟ ସିଂହାସନ ପାଇଁ, ମାଆର ମମତାକୁ ଭୁଲି ରାମଚନ୍ଦ୍ର ଯାଆନ୍ତି ଚଉଦ ବର୍ଷ ବନବାସ। ସେହିପରି ନିଜର ମାଟି ମାଆ ପାଇଁ ସାରା ସଂସାରର ସୁଖ ଭୁଲିଯାଇ ଯିଏ ଅହରାତ୍ର ଚିନ୍ତା କରୁଥିଲା ଅନ୍ୟମାନଙ୍କର ମଙ୍ଗଳ, ସେହି ମହାନ ବ୍ୟକ୍ତିତ୍ୱ ବିରୁଦ୍ଧରେ ସାମାନ୍ୟ କେତେ ଟଙ୍କା ପାଇଁ ଚୁଗୁଲିଆ ଚରଣ, କଳଙ୍କିନୀ କାଞ୍ଚି ବେୱା, ବିଶ୍ଵାସଘାତକ ସନ୍ଥ ମହମ୍ମଦଙ୍କ ଭଳି କ୍ରୁର ବ୍ୟକ୍ତିମାନଙ୍କର ଭୂମିକା କମ୍‍ ଗୁରୁତ୍ୱପୂର୍ଣ୍ଣ ନଥିଲା। ଗଡ଼କୁ ପ୍ରବେଶ କରିବା ପଥ, ଜୟୀଙ୍କର ଦୈବୀସାଧନା ଓ ବ୍ୟୁହ ଭାଙ୍ଗିବାର କୌଶଳକୁ ବତାଇ ଦେଇ ସାରାଜୀବନ ପାଇଁ ନିଜକୁ କଳଙ୍କିତ କରାଇବା ପାଇଁ ଏମାନେ ପଛାଇ ନଥିଲେ। କେବଳ ନିଜେ କଳଙ୍କିତ ହୋଇନଥିଲେ ସାରା ଓଡ଼ିଆ ଜାତି ପାଇଁ କଳଙ୍କ କାଳିମା ଲେପନ କରି ଚାଲିଗଲେ। ସନ୍ଥ ମହମ୍ମଦଙ୍କ ବିଶ୍ଵାସଘାତକ ପାଇଁ ରାଜା ମଧ୍ୟ ଶେଷରେ ବନ୍ଦୀ ହେଲେ।

ବୀର ମାରେ  ଅବା ମରେ କରି ରଣ

ନାରୀ ଜାତିର କଳଙ୍କିନୀ କାଞ୍ଚି ବେୱା ନିଜର କପଟତାକୁ ଚରିତାର୍ଥ କରିବା ପାଇଁ ଆଶାରେ ଦିବ୍ୟପୁରୁଷ, ଆଜୀବନ ବ୍ରହ୍ମଚାରୀ, ଓଡ଼ିଆବୀର ପାଇକର ଦୁର୍ଦ୍ଦଶ ସେନାପତି, ଓଡ଼ିଆ ଜାତିରକ୍ଷକ, ବୀର ଜୟୀ ରାଜଗୁରୁଙ୍କର ଗୁପ୍ତ ସାଧନା ଏବଂ ଦୈବୀ ସାଧନାକୁ ପରାହତ କରିବାକୁ କୁମନ୍ତ୍ରଣା କରିଥିଲା। ବରୁଣେଇ ଠାକୁରାଣୀ ପୀଠରେ ଗୋମାଂସ ପକାଇ ଅପବିତ୍ର କଲା। ଦୀର୍ଘ ଦିନର ସାଧନା ଓ ଅଭୟ ବରକୁ  ନଷ୍ଟ କଲା। ଫଳରେ ଦୈବୀଶକ୍ତି ଆଉ କାମ କଲା ନାହିଁ। ବିଧର୍ମୀମାନଙ୍କର ଅପବିତ୍ରତାରେ ଦୈବୀଶକ୍ତି ଦୁର୍ବଳ ହୋଇଗଲା। ଦୁର୍ଗର ପ୍ରାଚୀର ଭାଙ୍ଗି ଗଡ଼ ମଧ୍ୟକୁ ଇଂରେଜମାନେ ପ୍ରବେଶ କଲେ। ଗଡ଼ ମଧ୍ୟରେ ଗୁପ୍ତ ରାସ୍ତାକୁ ଜାଣିପାରି ଇଂରେଜ ସୈନ୍ୟମାନେ ଗଡ଼ ମଧ୍ୟକୁ ପ୍ରବେଶ କରି ଆରମ୍ଭ କଲେ ନରସଂହାର। ପରାସ୍ତ ହେବା ଆଶଙ୍କାରେ ମୁକୁନ୍ଦ ଦେବ ବରୁଣେଇର ଘନ ଜଙ୍ଗଲ ଭିତରେ ଲୁଚି ରହିଲେ। ମାତ୍ର ବୀର ମାରେ ମରେ କରି ରଣ ନ୍ୟାୟରେ ଜୟୀ ରାଜଗୁରୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଲେ। ଶେଷରେ ନିରୁପାୟ ହୋଇ ଜାଗ୍ରତ ସିଂହ, ଲୌହମାନବ, ଲୌହଶୃଙ୍ଖଳରେ ହେଲେ ବନ୍ଦୀ। ୧୮୦୪ ମସିହା ଡିସେମ୍ବର ମାସ ୪ ତାରିଖରେ ଜୟୀ ରାଜଗୁରୁ ବନ୍ଦୀ ହେବା ଜାଣି ମହାରାଜା ବ୍ୟସ୍ତ ବିବ୍ରତ ହୋଇ ଛଦ୍ମ ବେଶରେ ଅନ୍ୟତ୍ର ପଳାୟନ କରିବା ବାଟରେ ସନ୍ଥ ମହମ୍ମଦ ନାମକ ବିଶ୍ଵାସଘାତକ ସହାୟତାରେ ଧରାପଡ଼ି ବନ୍ଦୀ ହେଲେ। ରାଜା ଦ୍ଵିତୀୟ ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କୁ ପ୍ରଥମେ ଖୋର୍ଦ୍ଧାରେ ବନ୍ଦୀ କରି ରଖାଗଲା। ଖୋର୍ଦ୍ଧାର ବରୁଣେଇ ଦୁର୍ଗ ଇଂରେଜ ହାତକୁ ଚାଲିଗଲା। ମୁକୁନ୍ଦଦେବ ଖୋର୍ଦ୍ଧାର ରାଜା ନୁହନ୍ତି ବୋଲି ଇଂରେଜମାନେ ଘୋଷଣା କଲେ  ପାଇକମାନଙ୍କ ଭୟରେ। ରାଜା ମନ୍ତ୍ରୀ ଦୁହିଁଙ୍କୁ ବନ୍ଦୀ କରି ବାରବାଟୀ ଦୁର୍ଗକୁ ପଠାଇ ଦିଆଗଲା। ଖବର ପାଇ ପାଇକମାନେ ବିଦ୍ରୋହ କରିବା ଆଶଙ୍କାରେ ରାଜା ଓ ମନ୍ତ୍ରୀଙ୍କୁ ପୁଣି କଟକ ବାରବାଟୀ ଜେଲରୁ ବାଲେଶ୍ଵରର ମେଦିନୀପୁରକୁ ସ୍ଥାନାନ୍ତରିତ କରାଗଲା।

ମାହାଳିଆ ମୁକୁନ୍ଦଦେବ:

ଦୁର୍ବଳମନା ରାଜା ପ୍ରାଣ ଭୟରେ ଓ ରାଜ୍ୟ ଫେରିପାଇବା ଆଶାରେ ମତାମତକୁ ପରିବର୍ତ୍ତନ କରି ସମସ୍ତ ଦୋଷକୁ ରାଜ୍ୟର ପରାମର୍ଶଦାତା, ପ୍ରଧାନମନ୍ତ୍ରୀ ଜୟୀ ରାଜଗୁରୁଙ୍କ ଉପରେ ଲଦିଦେଲେ। ପ୍ରାଣ ଭୟରେ ମିଥ୍ୟାର ଆଶ୍ରୟ ନେଇ ରାଜା କ୍ଷମା ମାଗିଲେ। ବିଚାର ହେଲା ବିପରୀତ। ମାତ୍ର ଯିଏ ନିଜର ପରିବାର, ଗାଁ, ରାଜକୀୟ ଭୋଗ ବିକାଶକୁ ତୁଚ୍ଛ କରି, ମାଟି ମାଆ ପାଇଁ ଜୀବନକୁ ବାଜି ଲଗାଇ ଦେଇପାରିଲେ ସେହି ପରମଭକ୍ତ, ଦେଶପ୍ରେମୀ ମୁହଁରେ କ’ଣ ମିଥ୍ୟା, ଛଳନା ଶୋଭା ପାଇପାରିବ। ଯିଏ ସାରା ରାଜ୍ୟକୁ ନିଜର ବୋଲି ଭାବୁଥିଲା, ଯିଏ ରାଜାଙ୍କୁ ଠାକୁରଙ୍କର ଚଳନ୍ତି ପ୍ରତିମା ବୋଲି ଭାବୁଥିଲା, ଠାକୁରରାଜା ବିରୋଧରେ କହିବାକୁ ତା’ର ଜିଭ ଲେଉଟିବ କେମିତି?  ରାଜଗୁରୁ ସମସ୍ତ ଅଭିଯୋଗକୁ ସ୍ୱୀକାର କରି ବଜ୍ରକଣ୍ଠରେ ଘୋଷଣା କରି କହିଥିଲେ- ଏ  ରାଜ୍ୟର ଗଜପତିଙ୍କ ଜୀବନ ରକ୍ଷା କରିବା ଯେପରି ମୋର କର୍ତ୍ତବ୍ୟ ଥିଲା। ସେହିଭଳି ଇଂରେଜ ସରକାରଙ୍କ ବିରୋଧରେ ଜାତୀୟ ଆନ୍ଦୋଳନକୁ ଆଗେଇ ନେବା ମଧ୍ୟ ମୋର ପ୍ରଧାନ କର୍ତ୍ତବ୍ୟ। ତାହାହିଁ ମୋର ଶ୍ରେଷ୍ଠ ଧର୍ମ ବୋଲି ମୁଁ ଭାବୁଛି। ତେଣୁ ଇଂରେଜ ବିରୋଧରେ ଯେଉଁସବୁ ଆନ୍ଦୋଳନ ଚାଲିଛି ତାହାର କର୍ତ୍ତା ମୁଁ ନିଜେ। ସେଦିନର ବିଚାର ଥିଲା ଏକ ପ୍ରହସନ।

ମିଥ୍ୟା ସାକ୍ଷୀ ପାଇଁ ଭୀରୁ ରାଜାଙ୍କୁ କ୍ଷମା ଦିଆଗଲା ଓ ନିର୍ଦ୍ଦୋଷ ଜୟୀ ରାଜଗୁରୁଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା। ରାଜା ବନ୍ଦୀ ହୋଇ ବାରବାଟୀ ଦୁର୍ଗରେ ରହିଲେ। ଇଂରେଜମାନଙ୍କୁ ଖୋର୍ଦ୍ଧା ରାଜ୍ୟ ଫେରାଇ ଦେବାକୁ ରାଜା ଅନୁରୋଧ କଲେ, ମାତ୍ର ଇଂରେଜ ଶାସକ କର୍ଣ୍ଣେଲ ହାରିକୋଟ ତାଙ୍କୁ ବନ୍ଦୀମୁକ୍ତ କରି କେବଳ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ୱ ଦେଲେ। ରାଜାଙ୍କର ଏସବୁ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଜାମାନେ ମାହାଳିଆ ମୁକୁନ୍ଦଦେବ ବୋଲି କହିଲେ।

ଦେଶପାଇଁ ପ୍ରାଣବଳି:

ମୃତ୍ୟୁ ଆସନ୍ନ ଜାଣି ମଧ୍ୟ ବୀର ଯୋଦ୍ଧା ଜୟୀ ରାଜଗୁରୁ ଉଦ୍ଦାମତ୍ତା ସହ କର୍ଣ୍ଣେଲ ହାରକୋର୍ଟଙ୍କୁ ଧମକ ଦେଇ ନିଜର ଦୋଷକୁ ମାଟି ମାଆର କର୍ତ୍ତବ୍ୟ ବୋଲି ଦୃଢ଼ ଭାବରେ ଜବାବ ଦେଇ କହିଥିଲେ “ଖୋର୍ଦ୍ଧାଗଡ଼ ଇଂରେଜମାନଙ୍କର ନୁହେଁ, ଆଫଗାନ, ମୋଗଲ ବା ମରହଟ୍ଟାମାନଙ୍କର ନୁହେଁ। ଏହା ପୁରୁଷ ପୁରୁଷଧରି ଆମର। ମାଟି ମାଆକୁ ରକ୍ଷା କରିବାକୁ ମୁଁ କିଛି ଦୋଷ କରିନି ବରଂ ମୁଁ ଯାହା କରିଛି ତାହା ମୋର କର୍ତ୍ତବ୍ୟ କଲି।”

‘ଯେଉଁ ରାଜାଙ୍କ ପାଇଁ ସେ ପଣବନ୍ଦୀ ହେବାକୁ ପଛାଇ ନଥିଲେ ସେହି ରାଜାଙ୍କ ସାକ୍ଷକୁ ସମ୍ବଳ କରି ସାହାସୀ ବୀର, ଉନ୍ନତନାସୀ, ପଦ୍ମପଳାଶ ଲୋଚନଧାରୀ ଦୁର୍ଦ୍ଧଷ ସିଂହକୁ ଫାଶୀ ଆଦେଶ ମିଳିଲା। ମିଥ୍ୟା ମତାମତକୁ ନେଇ ଇଂରେଜଶାସକ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ବାଲେଶ୍ଵର ଜିଲ୍ଲାର ମେଦିନୀପୁର ଗ୍ରାମର ବାଘୀତୋଟା ନାଳ ନିକଟ ପୁରୁଣା ବରଗଛ ଡାଳ ଦୁଇଟିରେ ଆହତ ସିଂହକୁ ଗୋଡଦୁଇଟିକୁ ଦୁଇଫାଳ କରି ଫାଡ଼ିଦେଲେ। ଝର ଝର ତାଜା ରକ୍ତରେ ମାଟି ମାଆ କାନ୍ଦି ଉଠିଲା। ସ୍ତବ୍ଧ ହୋଇଗଲେ ଶାଗୁଣା, ବିଲୁଆ, ତୋଟାମାଳର ପଶୁପକ୍ଷୀମାନେ। ଏଣେତେଣେ ଧାଇଁଲେ ଅସହ୍ୟ ବେଦନାରେ। ଘାସଫୁଲମାନେ ଝାଉଁଳି ପଡ଼ିଲେ। ଗଛଡ଼ାଳରୁ ଝରିଲା ଲୋତକ। ଖୋର୍ଦ୍ଧା ବାଇକ ମଶାଣିସମ ନିସ୍ତବ୍ଧ ଦିଶିଲା। ଜୟୀ ରାଜଗୁରୁ ମରିବି ଅମର ହୋଇଗଲେ ଯୁଗ ଯୁଗକୁ। କଳଙ୍କିନୀ କାଞ୍ଚି ବେୱା, ଚୁଗୁଲିଆ ଚରଣ, ସନ୍ଥ ମହମ୍ମଦ ମରିବି ଆଜି ଘୃଣ୍ୟ ଓ କଳଙ୍କମୟ କାଳିମାରେ କଳଙ୍କିତ।

ଜୟୀ ରାଜଗୁରୁଙ୍କ ଜୀବନର ଅବସାନ ଘଟିଲା ମାତ୍ର ଇଂରେଜ ବିରୋଧରେ ବିଦ୍ରୋହର ନିଆଁ ଜଳିଉଠିଲା। ଓଡ଼ିଆ ପୁଅ ବୀର ଜୟୀ ରାଜଗୁରୁ ଆରମ୍ଭ କରିଥିବା ବିଦ୍ରୋହ ପ୍ରବଳରୁ ଅତି ପ୍ରବଳ ହୋଇ ୧୮୧୭ରେ ପାଇକ ବିଦ୍ରୋହ ଓ ୧୮୫୭ରେ ସିପାହୀ ବିଦ୍ରୋହର ରୂପ ଧାରଣ କଲା। ଜୟୀ ରାଜଗୁରୁଙ୍କ ପ୍ରାଣବଳି କେବଳ ଖୋର୍ଦ୍ଧା ପାଇଁ ନଥିଲା, ଦେଶର ସ୍ଵାଧୀନତା ଆନ୍ଦୋଳନକୁ ବ୍ୟାପକ କରିବାକୁ ସଂଗ୍ରାମୀମାନଙ୍କୁ ପ୍ରେରଣା ଯୋଗାଇବା ଥିଲା ପ୍ରଥମ ପଦକ୍ଷେପ। ଦେଶ ସ୍ଵାଧୀନତା  ଆନ୍ଦୋଳନର ମୁଖ୍ୟ ପୁରୋଧା, ତ୍ୟାଗୀ, ବୀର ଶହୀଦ ଜୟୀ ରାଜଗୁରୁ ଥିଲେ ପ୍ରଥମ ଓ ମୁଖ୍ୟ ନାୟକ।

ମହାଭାରତର ପିତାମହ ଭୀଷ୍ମ ମୃତ୍ୟୁକୁ ମୁକ୍ତଚିତ୍ତରେ ଆଦରି ନେଲାପରି ରାଜଗୁରୁ ହସି ହସି ଦେଶ ଓ ଜାତି ପାଇଁ ଜୀବନ ଉତ୍ସର୍ଗ କରି ଜଗତରେ ଅକ୍ଷୟ କୀର୍ତ୍ତିର ବିଜୟ ବାନା ଉଡ଼ାଇ ଦେଇଗଲେ। ଧନ୍ୟ ଜୟୀ ରାଜଗୁରୁ ଧନ୍ୟ ତୁମର ନିଷ୍ଠା ଓ ସାଧନା। ସତରେ ତମେ ଏ ଜାତିର କାଳଜୟୀ ପୁରୁଷ। ତୁମେ ପିତାମହ ଭୀଷ୍ମ। ତୁମକୁ କୋଟି କୋଟି ପ୍ରଣାମ।

1 COMMENT

Comment