ଭାସ୍କର ପରିଚ୍ଛା

ପୁସ୍ତକ ସମୀକ୍ଷା

ଓଡ଼ିଶାରେ ଆଉ ଏକ ମାସିକ ସାହିତ୍ୟ ପତ୍ରିକାର ଆବଶ୍ୟକତା ଅଛି? ଏହିଭଳି ଏକ ପ୍ରଶ୍ନ ଅବାନ୍ତର ଲାଗିପାରେ। ବାସ୍ତବ କ୍ଷେତ୍ରରେ, ଓଡ଼ିଶାରେ ଶହଶହ ପତ୍ରିକା ପ୍ରକାଶ ପାଉଥିବା ବେଳେ ଏହାର ଗ୍ରହଣୀୟତା ଓ ପାଠକୀୟତା କେବଳ ଯେଉଁମାନେ ସାହିତ୍ୟ ଲେଖନ୍ତି ଓ ପଢ଼ନ୍ତି ସେମାନଙ୍କ ପାଖରେ ହିଁ ସୀମିତ। ଏକ ଗଣପତ୍ରିକାର ଆବଶ୍ୟକତା ହୁଏତ ଏଠି ସୃଷ୍ଟି ହୋଇନାହିଁ କିମ୍ବା ସେ ଦିଗରେ ନିଷ୍ଠାପର ଉଦ୍ୟମ ହୋଇନାହିଁ।

ଏହି ନିରାଶଜନକ ପୃଷ୍ଠଭୂମିରେ, ଗଣ ଆବେଦନ ରଖୁଥିବା ଆଉ ଗୋଟିଏ  ସାହିତ୍ୟ ପତ୍ରିକାର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି ଯଦି ପତ୍ରିକାଟି ଅତ୍ୟନ୍ତ ସୃଜନଶୀଳ ହୋଇଥିବ, ଜଣେ ଦକ୍ଷ ସମ୍ପାଦକ ଏଥିପାଇଁ ନିଯୁକ୍ତ ହୋଇଥିବେ, ପତ୍ରିକାଟି କେବଳ ସାହିତ୍ୟଧର୍ମୀ ହୋଇନଥିବ, ସଧାରଣ ପାଠକଙ୍କ ପାଇଁ କିଛି ଖୋରାକ ଥିବ ଓ ସର୍ବୋପରି ପତ୍ରିକାର ସ୍ଥାୟିତା ଓ ପୁନଃପୌନିକତାର ନିଶ୍ଚିତତା ଥିବ।

ସଦ୍ୟ ବଜାରକୁ ଆସିଥିବା ମାସିକ ସାହିତ୍ୟ ପତ୍ରିକା ‘ନନ୍ଦିକା’ ଏହି ସବୁ ପରିମାପକୁ ପୂରଣ କରୁଥିବାରୁ ଏଥିରେଏକ ନୂଆ ସମ୍ଭାବନା ଭରି ରହିଛି ବୋଲି କହିଲେ କଥାଟି ଭୁଲ ହେବ ନାହିଁ।

ନନ୍ଦିକାର ଗୋଟିଏ ବିଶେଷତ୍ୱ ହେଉଛି ଯେ ଏହା ଏକ ନବ୍ୟ-ପ୍ରତିଷ୍ଠିତ ଖବର କାଗଜ ସଂସ୍ଥାର ପ୍ରକାଶନ। ଏଣୁ ଏଥିରେ ଅଧିକ କିଛି ସମ୍ଭାବନା ଆଶା କରାଯିବା ସ୍ଵାଭାବିକ। ଓଡ଼ିଶାରେ ଆନୁମାନିକ ଚାରିଟି ଖବରକାଗଜ ମାସିକ ପତ୍ରିକା ପ୍ରକାଶ କରିବା ପାଇଁ ନିରନ୍ତର ଉଦ୍ୟମ କରି ଆସିଛନ୍ତି: ସମାଜ-ସତ୍ୟବାଦୀ, ପ୍ରଜାତନ୍ତ୍ର-ଝଙ୍କାର, ସର୍ବସାଧାରଣ-ଶିଶିର ଓ ଏବେ ନିତିଦିନ-ନନ୍ଦିକା। ନନ୍ଦିକା ଓ ନିତିଦିନର ସଂଯୋଗ ଅଚାନକ ନହେଲେ ମଧ୍ୟ ସୁଚିନ୍ତିତ ନିଶ୍ଚିତ।

ନନ୍ଦିକା ପୁଳାଏ ତଟକା ପବନର ସମାହାର ବୋଲି କହିଲେ ଅତିରଞ୍ଜିତ ହେବ ନାହିଁ। ଏଥିରେ ମନନଶୀଳ ସାହିତ୍ୟ ଅବଶ୍ୟ ଅଛି। କିନ୍ତୁ ତାହାର  ପରିବେଷଣ ଶୈଳୀ ଓ ପରିପାଟୀ କିଛି ଅଲଗା। ସୟେଦ ହାଇଦର ରାଜାଙ୍କ ଏକ ସଂକ୍ଷିପ୍ତ ପରିଚୟ ସହ ତାଙ୍କର ଏକ  କଳାକୃତିକୁ ଉଦ୍‌ଘାଟନୀ ସଂଖ୍ୟାର ପ୍ରଚ୍ଛଦ ଭାବେ ବ୍ୟବହାର କରାଯାଇଛି।

ପତ୍ରିକାର ବିଭାଗ ବଣ୍ଟନ ମଧ୍ୟ ଚମତ୍କାର।

ପ୍ରଥମ ସଂଖ୍ୟାରେ ‘ସାରସ୍ୱତ ଆତ୍ମକଥନ’ରେ ଅମୃତା ପ୍ରିତମଙ୍କ ଜ୍ଞାନପୀଠ ପୁରସ୍କାର ଗ୍ରହଣ କରିବା ସମୟର ଅଭିଭାଷଣ, ‘ବିଶ୍ଵ ସାହିତ୍ୟ’ ସ୍ତମ୍ଭରେ ଏ ବର୍ଷର ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା କାଜୁଓ ଇସିଗୁରୋଙ୍କ ଉପରେ ଏକ ପ୍ରବନ୍ଧ କେବଳ ସାମ୍ପ୍ରତିକ ନୁହେଁ ପଠନଯୋଗ୍ୟ ମଧ୍ୟ।

ଆଦ୍ୟ ସଂଖ୍ୟାର ଆଉ ଏକ ଚମତ୍କାର ପରିକଳ୍ପନା ହେଉଛି ‘ପୂର୍ବାବଲୋକନ’ ଶୀର୍ଷକରେ ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ ଓ ମଲାଜହ୍ନ (ଚଳଚ୍ଚିତ୍ର)ର ଆଲୋଚନା। ସମ୍ପାଦକଙ୍କ ସହ ଆଲୋଚନା ସମୟରେ ସେ କହିଲେ ଏହା ଏକ ଧାରାବାହିକ ପରିକଳ୍ପନା ଏବଂ ପରବର୍ତ୍ତୀ ସଂଖ୍ୟାରେ ବିଭିନ୍ନ ଔପନ୍ୟାସିକଙ୍କ ଜୀବନ ଓ କୃତି ଉପରେ ଆଲୋଚନା କରାଯିବ। ଭଲ କଥା। ନୂଆ ପିଢିକୁ ପୁରୁଣା ସାହିତ୍ୟ ସହିତ ଯୋଡ଼ିବାର ଏକ ପ୍ରୟାସ।

ଇନଷ୍ଟାଗ୍ରାମରେ ବହୁଚର୍ଚ୍ଚିତ କବି ରୁପୀ କାଉରଙ୍କ ଉପରେ ଏକ ଆଲେଖ୍ୟ ଏବଂ ତାଙ୍କର କିଛି କବିତାର ଅନୁବାଦ ସଂଖ୍ୟାଟିକୁ ସମୃଦ୍ଧ କରିଛି। ‘ଶତାବ୍ଦୀ ସ୍ମରଣ’ ସ୍ତମ୍ଭରେ ସମ୍ପାଦକ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇଛନ୍ତି। ଜଣେ ଦେବଦାସର ସ୍ରଷ୍ଟା ଶରତଚନ୍ଦ୍ର ଓ ଅନ୍ୟ ଜଣେ ହେଉଛନ୍ତି ଗୋପାଳ ଛୋଟରାୟ। ସେମାନଙ୍କର ଦୁଇଟି କୃତିରୁ ସେ ସମୟର ସାହିତ୍ୟ ଉପରେ ଧାରଣା କରି ହେବ।

କିଛି ପ୍ରତିଷ୍ଠିତ  ଓଡ଼ିଆ କବି (ବିପିନ ନାୟକ, ଶତୃଘନ ପାଣ୍ଡବ) ଓ ଗାଳ୍ପିକ(ସଦାନନ୍ଦ ତ୍ରିପାଠୀ, ଜ୍ୟୋତି ନନ୍ଦ, ସୁଚେତା ମିଶ୍ର)ଙ୍କ କବିତା ଏବଂ ଗଳ୍ପ ସମେତ ଜଣେ ନବାଗତା(ପଲ୍ଲବୀ ନାୟକ)ଙ୍କ ଗଳ୍ପରେ ସମୃଦ୍ଧ ‘ନନ୍ଦିକା’ର ଏହି ସଂଖ୍ୟା।

ସବୁ ସାହିତ୍ୟ ପତ୍ରିକା ଭଳି ନନ୍ଦିକାରେ ମଧ୍ୟ ଏକ ସମ୍ପାଦକୀୟ ପାହ୍ୟା ବା ହାଏରାରକି ସୃଷ୍ଟି କରାଯାଇଛି। ମନେହୁଏ ଏହିଭଳି ଏକ ବୋଝ ସତ୍ତ୍ୱେ ସମ୍ପାଦକ ତାଙ୍କର ଦୀର୍ଘ ଅଭିଜ୍ଞତା ଏବଂ ପ୍ରତିବଦ୍ଧତାକୁ ପୂରା କାମରେ ଲଗାଇ ପାରିଛନ୍ତି।

ବିକ୍ରମ କେଶରୀ ପଣ୍ଡାଙ୍କ ପ୍ରଚ୍ଛଦ ଓ ରଙ୍ଗୀନ ଅଳଙ୍କରଣ ପତ୍ରିକାର ମର୍ଯ୍ୟାଦାକୁ ବେଶ୍ ପରିମାଣରେ ଉନ୍ନତ କରିଛି।
ମୋଟାମୋଟି କହିବାକୁ ଗଲେ, ‘ନନ୍ଦିକା’ ଏକ ଚମତ୍କାର ଓ ସମ୍ଭାବନାମୟ ପରିକଳ୍ପନା।ପ୍ରକାଶନ ସଂସ୍ଥାକୁ ଏଥିପାଇଁ ଧନ୍ୟବାଦ ଦିଆଯିବା ଦରକାର।

ନନ୍ଦିକା
ନ୍ୟୁ ଏଜ୍ ମିଡିଆ ଆଣ୍ଡ ପବ୍ଲିକେସନ
ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା
ମୂଲ୍ୟ ୨୦ ଟଙ୍କା

ସମ୍ପାଦକ: କ୍ଷୀରୋଦ ପରିଡ଼ା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment