ନୀଳାମ୍ବର ରଥ

ଏବେ ଓଡ଼ିଶାରେ ସମସ୍ତଙ୍କୁ ଭାଇରାଲ୍ ଭିଡିଓ ଚିନ୍ତା। କୋଉ ମୁହୂର୍ତ୍ତରେ ସୋସିଆଲ୍ ମିଡିଆରେ କାହାର ଭିଡିଓ ପଡ଼ିବ ତା’ର ଠିକ୍ ଠିକଣା ନାହିଁ। ବାସ୍ତବରେ ସୋସିଆଲ୍ ମିଡିଆ ଉପରେ କାହାର ନିୟନ୍ତ୍ରଣ ନାହିଁ। ଗୋଟିଏପଟେ ବ୍ୟବସ୍ଥା ଆଖିରେ ଧୂଳି ଦେଇ କେତେକ ମୁର୍ଖ ଓ ଅସାମାଜିକ ଲୋକ ଏହି ନିଆଁହୁଳା ସାଙ୍ଗରେ ଖେଳୁଛନ୍ତି। ଅନ୍ୟପକ୍ଷରେ ବ୍ୟକ୍ତି ସ୍ଵାଧୀନତା ଓ ମିଡିଆର ସ୍ଵାଧୀନତା ନାଁରେ ଅନେକ ମଧ୍ୟ ମଣିଷପଣିଆ ଭୁଲିଗଲେଣି!

(‘ଛୋଟ ଛୋଟ କଥା’ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ଏକ ସାମୟିକ ସ୍ତମ୍ଭ। ଏହି କ୍ରମରେ ସେ ଆମ ଆଖି ଆଗରେ ପଡ଼ୁଥିବା ବିଭିନ୍ନ ଛୋଟ ଛୋଟ କଥାକୁ ଆପଣମାନଙ୍କ ସାମନାରେ ରଖିବାକୁ ଏକ ଛୋଟ ଉଦ୍ୟମ କରିଛନ୍ତି।)

ଗତ କିଛିଦିନ ମଧ୍ୟରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମହିଳାଙ୍କର ବା ଯୁବତୀଙ୍କର ନଗ୍ନ ବା କୌଣସି ଦୁର୍ବଳ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ ଭାଇରାଲ ହେବା ନେଇ ଖବର ଉଠୁଛି ପଡ଼ୁଛି। ଏହାର ପ୍ରଭାବ ଏବେ ଘରେ ଘରେ ଦେଖିବାକୁ ମିଳିଲାଣି। ଲୋକ ଲଜ୍ଜ୍ୟା ଡରରେ କେଉଁଠି ଝିଅଟି ଆତ୍ମହତ୍ୟା କଲାଣି ତ ଆଉ କେଉଁଠି ବିବାହିତ ଯୁବକ ସ୍ତ୍ରୀର କାଣ୍ଡକାରଖାନା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ବେକରେ ଫାଶୀ ଦେବାକୁ ପଛାଉନାହିଁ।

ସବୁ ମାମଲା ଏବେ ପୋଲିସ୍ ପାଖରେ। ସବୁ ଦୋଷ ପୋଲିସର। କୌଣସି ପୁଅ ଝିଅଙ୍କର ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ବା ଭିଡ଼ିଓ ଉଠାଉଥିବା ଲୋକର ଦୋଷ କେତେ? ସେହି ଫଟୋ ବା ଭିଡ଼ିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟିଂ କରୁଥିବା ବ୍ୟକ୍ତିର ଦୋଷ କେତେ? ଏଭଳି କୌଣସି ଘଟଣାରେ ଶିକାର ହେଉଥିବା ଯୁବତୀ ବା ମହିଳା (ବା ପୁରୁଷ ମଧ୍ୟ) ତଥା ତାଙ୍କ ପରିବାର ଲୋକ ଲଜ୍ଜ୍ୟା ଡରରେ ନିରବ ରହିବା ଏକ ଦୋଷ କି ନୁହେଁ? ଏଭଳି ଘନ ଘନ ଘଟଣା ଘଟି ଶହ ଶହ ମଣିଷଙ୍କ ମାନହାନି ଏବଂ କେତେକଙ୍କ ଜୀବନହାନି ଘଟୁଥିଲେ ମଧ୍ୟ ପୋଲିସ୍ ଏହାର ନିୟନ୍ତ୍ରଣ କରିନପାରିବା ଦୋଷ କି ନୁହେଁ? – ଆଜି ଏହିସବୁ ପ୍ରଶ୍ନକୁ ନେଇ ଆଲୋଚନା ପର୍ଯ୍ୟାଲୋଚନାରେ ସୋସିଆଲ୍ ମିଡିଆ ଭରିଯାଉଛି।

ଏ ଲେଖକ ସେ ବିଷୟକୁ ଯିବାକୁ ଚାହେଁ ନାହିଁ। କାରଣ ସମାଜର ହଜାର ହଜାର ଲୋକ ସେ ବିଷୟରେ ଚିନ୍ତା କରି ନିଜର ମତ ଓ ପ୍ରତିକ୍ରିୟା ଦେଇ ଚାଲିଛନ୍ତି। ଏଭଳି ଘଟଣାକୁ କିଭଳି ନିୟନ୍ତ୍ରଣ କରାଯିବ ସେ ବିଷୟରେ ସରକାର ଓ ପୋଲିସ୍ ମଧ୍ୟ ଚିନ୍ତା କରୁଛନ୍ତି। ମୋର ଏ ଲେଖାର ଉଦ୍ଦେଶ୍ୟ ହେଉଛି ସୋସିଆଲ୍ ମିଡିଆରେ ଯେଉଁ ପ୍ରକାରର ଭାଣ୍ଡାମି ଚାଲିଛି ତାକୁ ନିଜେ ଆଗଧାଡ଼ିର ପାରମ୍ପରିକ ବା ଆଜିର ୱେବ୍‍ ମିଡିଆ କିଭଳି ଭାବେ ଗ୍ରହଣ କରୁଛି ଓ ଉପସ୍ଥାପନ କରୁଛି। କେବଳ ସୋସିଆଲ ମିଡିଆର ବିଲକ୍ଷଣ କଥା ନୁହେଁ, ମହିଳା, ଶିଶୁ ଏବଂ ସମାଜର କୌଣସି ଅସହାୟ ବର୍ଗର ଲୋକଙ୍କ ଦୁଃଖ ବା ଅପରାଧରେ ଶିକାର ହୋଇଥିବା କାହାଣୀକୁ ଆଜି ମିଡିଆ କିଭଳି ଅନ୍ୟମାନଙ୍କ ସାମ୍ନାରେ ଉପସ୍ଥାପନ କରୁଛି।

ନିକଟରେ ଏକ ୱେବ୍‍ ପୋର୍ଟାଲରେ ଏକ ଖବର ଥିଲା ‘ନିର୍ଯାତନା ସହିନପାରି ନବବଧୂର ଆତ୍ମହତ୍ୟା’। ଏହି ଷ୍ଟୋରିରେ ଯେଉଁ ଫଟୋଟି ପ୍ରକାଶ ପାଇଥିଲା ସେଥିରେ ବେକରେ ରଶି ଲଗାଇ ଫ୍ୟାନରେ ଝୁଲିଥିବା ସମ୍ପୃକ୍ତ ମହିଳା ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏ କି ପ୍ରକାର ସାମ୍ବାଦିକତା ବା ମିଡିଆ କାରବାର ମୁଁ ବୁଝିପାରୁନାହିଁ। ନା ଏଥିରେ ଅଛି ଆଇନଗତ ଶାଳୀନତା, ଗଣମାଧ୍ୟମର ଉତ୍ତରଦାୟିତ୍ଵ ନା ମାନବିକତା। ଏସବୁ ଓଡ଼ିଶା କିମ୍ବା ଭାରତୀୟ ମିଡିଆରେ ଦେଖିବାକୁ ମିଳେ। ସେଥିପାଇଁ ଆଜିବି ଗଣମାଧ୍ୟମରେ ଆଦର୍ଶ କଥା ଖୋଜିଲେ ବିଦେଶୀ ମିଡିଆକୁ ଅଧିକ ପସନ୍ଦ କରୁ।

କିଛି ବର୍ଷ ତଳେ ଓଡ଼ିଶାର ଏକ ପ୍ରମୁଖ ଖବରକାଗଜରେ ଏକ ଆତ୍ମହତ୍ୟାର ଖବର ପ୍ରକାଶ ପାଇଥିଲା। ଖବରଟି ଥିଲା ଜଣେ ଯୁବକ କୌଣସି ପାରିବାରିକ କାରଣରୁ କୋଣାର୍କ ମନ୍ଦିର ପାଖରେ ଥିବା ଏକ ଝାଉଁ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲା। ସେତେବେଳେ ସେଇ ଯୁବକର ଫାଶୀ ଲଗା ଫଟୋଟି ସମ୍ପୃକ୍ତ ଖବରକାଗଜରେ ପ୍ରକାଶ ପାଇଥିଲା। ଏଭଳି ଏକ ଦାୟିତ୍ଵହୀନ ସାମ୍ବାଦିକତା ବାବଦରେ ଏ ଲେଖକ ସେତେବେଳେ ସମ୍ପୃକ୍ତ ଖବରକାଗଜର ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପରବର୍ତ୍ତୀ ସମୟରେ ସେହି କାଗଜରେ ସେଭଳି ଫଟୋ ବୋଧହୁଏ ମୁଁ ଆଉ ଦେଖି ନାହିଁ।

ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିବା ଭିତରେ ମୁଁ ପ୍ରିଣ୍ଟ ମିଡିଆ ଓ ଟେଲିଭିଜନ ପରେ ଏବେ ନ୍ୟୁ ମିଡିଆ ବା ୱେବ୍‍ ମିଡିଆରେ କାମ କରିଆସୁଛି। ପ୍ରତି ମିଡିଆର କିଛି ସ୍ଵାତନ୍ତ୍ର୍ୟ ଅଛି। ସେହିପରି ରହିଛି କେତେକ ଲକ୍ଷ୍ମଣରେଖା। ବିଶେଷକରି କୌଣସି ଖବର ପରିବେଷଣ କଲାବେଳେ ଯେଭଳି ଆମେ ସାମ୍ବାଦିକତାର ମୂଳ ପାଠକୁ ଭୁଲିନଯାଉ ଏହିକଥା ଆମକୁ ବାରମ୍ବାର କୁହାଯାଇଛି। ତେବେ ସାମ୍ବାଦିକତା କ୍ଷେତ୍ରରେ ରାତିଅଧିଆ ସଫଳତା ପାଇଁ ଆଜି ଅନେକ ବରିଷ୍ଠ ଓ କନିଷ୍ଠ  ସାମ୍ବାଦିକ ବା ଗଣଯୋଗାଯୋଗ ପେସାଦାର ଏଭଳି କୌଣସି ଶୃଙ୍ଖଳା ବା ଲକ୍ଷ୍ମଣରେଖାକୁ ଆଗେ ଗୋଇଠା ମାରିବା ଦରକାର ବୋଲି ଭାବୁଛନ୍ତି। ଯେଉଁ ପଥରକୁ ଭଗବାନ ଭାବି ଆମେ ପୂଜା କରୁ ସେହି ପଥରକୁ ଶିଡ଼ି କରି ପାହାଚ ଚଢ଼ିବାକୁ ଚାହୁଁଥିବା ଲୋକପ୍ରିୟ ସାମ୍ବାଦିକମାନଙ୍କ ଖୁରାକୁ ମୋର ଜୁହାର।

ବ୍ରାଣ୍ଡିଂ ଓ ବିଜ୍ଞାପନ ବଜାରରେ ଆଜି ଏକ ବଜ୍‌ ୱାର୍ଡ ହେଉଛି ‘ଭାଇରାଲ୍‍’। ଇଣ୍ଟରନେଟ୍‍ ମାଧ୍ୟମରେ କୌଣସି ପୋଷ୍ଟ ବା ଭିଡିଓକୁ କିପରି ଭାଇରାଲ କରାଯାଇପାରେ, ସେ ବାବଦରେ ଡିଜିଟାଲ ମିଡିଆ ମାର୍କେଟିଂ ପାଠ ପଢାଯାଉଛି। ତେବେ କୌଣସି ଜିନିଷକୁ ଆଜି ଭାଇରାଲ କରିବାକୁ ହେଲେ ସେ କ୍ଷେତ୍ରରେ ମିଡିଆ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି କୌଣସି ବିବାଦୀୟ ବା ଯୌନ‌ଉତ୍ତେଜନା ସୃଷ୍ଟିକାରୀ କନ୍‌ଟେଣ୍ଟ ସୋସିଆଲ ମିଡିଆରେ ପଡ଼ିଲେ ତାହା ଆପେଆପେ ଭାଇରାଲ ହୋ‍ଇଯାଉଛି। ତା’ ସାଙ୍ଗକୁ ଟିଭିବାଲାଏ ମାତିଗଲେ ଏହି ଭାଇରାଲ ବଜାରରେ ଦର ବଢିଯାଉଛି। ୟୁଟ୍ୟୁବ୍‍ ବା ଫେସବୁକରୁ ଏଭଳି ଭିଡିଓ ଡାଉନଲୋଡ କରି ହ୍ୱାଟସଆପ ମାଧ୍ୟମରେ ତାହା ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ମୁହୂର୍ତ୍ତକରେ ପହଞ୍ଚି ଯାଉଛି।

ଓଡ଼ିଶାର ଝିଅ ଓ ଯୁବତୀମାନଙ୍କ ଇଜ୍ଜତକୁ ସୋସିଆଲ୍ ମିଡିଆରେ ନିଲାମ କରୁଥିବା ଅଭିଯୁକ୍ତମାନଙ୍କୁ ବାନ୍ଧିବାକୁ ଏବେ ଓଡ଼ିଶା ପୋଲିସ୍ ଆଗକୁ ବାହାରିଛି। ଏଭଳି ଅପରାଧ ଘଟଣାରେ ଅଭିଯୁକ୍ତମାନଙ୍କୁ ଧରି ଭାରତୀୟ ଦଣ୍ଡବିଧି ଆଇନ ବ୍ୟବସ୍ଥା ଭିତରେ ଏବଂ ଆଇଟି ଆକ୍ଟ ଅଧୀନରେ ବୁକ୍ କରିବାକୁ ଏବେ ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ବିଭାଗର ଛାମୁଆ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୋଟିଏ ପଟେ ସୋସିଆଲ ମିଡିଆରେ ଘଟୁଥିବା  ଅପରାଧକୁ ଆୟତ୍ତ କରିବା ପାଇଁ ଆଇନ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଯଥେଷ୍ଟ ନୁହେଁ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ଥିବା ଆଇନକୁ ଇଣ୍ଟରପ୍ରିଟ୍ କରି ଏଭଳି ଅପରାଧକୁ ପୋଲିସର କଏଦକୁ ଆଣିବା ଉଦ୍ୟମ ପ୍ରଶଂସନୀୟ। କିନ୍ତୁ ଏହା କିଭଳି ଆନ୍ତରିକତାର ସହ ପାଳନ କରାଯାଇପାରିବ ତାହା ହେଉଛି ସବୁଠୁ ବଡ଼କଥା। ଅନ୍ୟପକ୍ଷରେ ଜନସାଧାରଣ, ଯୁବବର୍ଗ ବିଶେଷକରି କୌଣସି ସାଇବର କ୍ରାଇମର ଶିକାର ହୋଇଥିବା ଯୁବତୀ ବା ମହିଳା ଆଗେଇ ଆସି ଘଟଣା ସମ୍ପର୍କରେ ଅଭିଯୋଗ କରିବା ଦରକାର। ତା ସାଙ୍ଗକୁ ଏ ବାବଦରେ ଯଦି ସୋସିଆଲ୍ ମିଡିଆ ଅପରାଧ ଏବଂ ତାହାର ଦଣ୍ଡବିଧାନ ପ୍ରସଙ୍ଗରେ ଯଦି ମିଡିଆରେ ଲଗାତର ଭାବେ ଖବର ପ୍ରକାଶ ପାଏ ତେବେ ତାହା ମଧ୍ୟ ସଚେତନତାର ଏକ ବଡ଼ ଦିଗ ହୋଇପାରିବ।

ମୁଁ ପୁଣି ଫେରୁଛି ଗଣମାଧ୍ୟମର ଉତ୍ତରଦାୟିତ୍ଵ ପାଖକୁ। ଜଣେ ବେପରୁଆ ଯୁବକ ବା ବ୍ୟର୍ଥ ପ୍ରେମିକ ବା ଅପରାଧୀ ମାନସିକତାର ଜଣେ ବ୍ୟକ୍ତି  ସୋସିଆଲ୍ ମିଡିଆର ବ୍ୟବହାର କରି କୌଣସି ଯୁବତୀ ବା ମହିଳାଙ୍କର ଇଜ୍ଜତ ବିକ୍ରି କରିବା ପାଇଁ ଆଗେଇ ଆସେ। ତା’ର ଲଗାନଥାଏ କି ପଘା ନଥାଏ। ସେ ତା’ର ସାମୟିକ ଉତ୍ତେଜନା ବା ପ୍ରତିକ୍ରିୟା ବା ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ଯାଇ କାହାର କେତେ ବଡ଼ ସର୍ବନାଶ କରିପାରେ ତାହା ସେ ବିଚାର କରେ ନାହିଁ। କିନ୍ତୁ ଏଇଠି ଆଉ ଗୋଟିଏ କଥା ମଧ୍ୟ ବିଚାର କରିବାକୁ ହେବ ଯେ ଏଭଳି କୌଣସି ଘଟଣାରେ ଗଣମାଧ୍ୟମ କିଭଳି ରିପୋର୍ଟିଂ କରୁଛି। ଆଜି ଭାଇରାଲ୍ ଭିଡ଼ିଓ ପାଇଲା ମାତ୍ରେ ତାକୁ ପ୍ରଚାର କରିବା ପାଇଁ ଟେଲିଭିଜନ ଓ ୱେବ୍‍ ମିଡିଆ ଯେଉଁଭଳି ଭାବେ ଏକ ପ୍ରତିଯୋଗିତାପୂର୍ଣ୍ଣ ସ୍ଥିତିକୁ ଆସି ଯାଇଛନ୍ତି ଏହା ମିଡିଆର ଲକ୍ଷଣ କି ବିଲକ୍ଷଣ  ଆପଣ ବିଚାର କରିବେ।

ଏ ଲେଖକ ଗୋଟିଏ ଟେଲିଭିଜନ ଚ୍ୟାନେଲର ସମ୍ପାଦକ ଥିବା ବେଳେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏକ ନୋଟିସ୍ ଆସିଥିଲା। ସେଥିରେ ଅଭିଯୋଗ ଥିଲା ସକାଳ ୬ଟା ବେଳର ନ୍ୟୁଜ୍ ବୁଲେଟିନରେ ଏକ ଡେଡ୍ ବଡ଼ି ଭିଜୁଆଲ୍ କାହିଁକି ବ୍ୟବହାର କରାଗଲା? ଏଥିପାଇଁ  ସମ୍ପୃକ୍ତ ମିଡିଆକୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ପ୍ରଶ୍ନ ପଚରାଯାଇଥିଲା। ଅସଲରେ ଘଟଣାଟି ଥିଲା ଦଶପଲ୍ଲା ନିକଟସ୍ଥ ଗଣିଆ ପାଖରେ ଏକ ବୁଡ଼ା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଗୋଟିଏ ଯାତ୍ରୀବାହୀ ବସ୍ ଅତିକ୍ରମ କରୁଥିଲା। ବନ୍ୟା ପାଣିରେ ତାହା ଭାସି ଯାଇଥିଲା। ଭୋରରୁ ମୋର ପ୍ରତିନିଧି ଘଟଣାର ଯେଉଁ କେତୋଟି ଫଟୋ ପଠାଇଥିଲେ ତାହା ଭିତରୁ ଗୋଟିଏ ଫଟୋରେ ଲୋକେ ମୃତଦେହ ପାଣିରୁ ଉଠାଇ ଆଣୁଥିବାର ଦେଖିବାକୁ ମିଳିଥିଲା। ସେ ଫଟୋଟି ବ୍ୟବହାର ହୋଇନଥିଲେ ହୁଏତ ଭଲ ହୋଇଥାନ୍ତା। ସେହି ଘଟଣାରେ ଚ୍ୟାନେଲର ସମ୍ପାଦକ ହିସାବରେ ଏ ଲେଖକକୁ ସେତେବେଳେ ସରକାରୀ ଚିଠିର ଉତ୍ତରରେ ଏକ ପ୍ରକାର କ୍ଷମା ମାଗିବାକୁ ପଡ଼ିଥିଲା। ଆଜିବି ସେକଥାକୁ ସକାରାତ୍ମକ ଭାବେ ଗ୍ରହଣ କରିବାରେ ମୋର କୌଣସି ଦ୍ଵିଧା ନାହିଁ।

ଆଜିର ଟେଲିଭିଜନ ମିଡିଆରେ କୌଣସି ଦୁର୍ଘଟଣା ବେଳର ରିପୋର୍ଟିଂ ଯଦି ଆପଣ ଦେଖିବେ ପରଦାରେ କ’ଣ ଦେଖାଯାଉଛି  ଆପଣ ସହଜରେ ବୁଝିପାରିବେ। ଗୋଟିଏ ମୃତଦେହର ଫଟୋ ମାତ୍ର କିଛି ସେକେଣ୍ଡ ପାଇଁ ଟେଲିଭିଜନ ପରଦାରେ ଦିଶିବା ଯଦି ଗ୍ରହଣୀୟ ନୁହେଁ ବୋଲି ଆମେ ବିଚାର କରୁ ତାହାହେଲେ ଆଜି ଆମ ଦେଶର ଅଧିକାଂଶ ଟିଭି ଚ୍ୟାନେଲକୁ ଦିନକୁ ୨୪ଘଣ୍ଟାରେ ହୁଏତ ୪୮ଥର କ୍ଷମା ମାଗିବାକୁ ପଡ଼ିବ। ଆମେ ଏଥିପାଇଁ ପ୍ରସ୍ତୁତ ତ?

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ। ପୃଥିବୀର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ। ଏହି ଘଟଣାରେ ଶହ ଶହ ଲୋକ ମୃତ ବାହକ ହୋଇଥିଲେ। ସାରା ପୃଥିବୀର ଗଣମାଧ୍ୟମ ଏହି ଘଟଣାର ରିପୋର୍ଟିଂ କରୁଥିଲେ। ହେଲେ ଆପଣ ମନେପକାନ୍ତୁ ସେତେବେଳେ ଆପଣ କେତେ ମୃତଦେହ ଟିଭି ପରଦା ବା ଖବରକାଗଜ ପୃଷ୍ଠାରେ ଦେଖିବାକୁ ପାଇଥିଲେ। ଦୁର୍ଘଟଣା, ଦୈବୀ ଦୁର୍ବିପାକ ବା କୌଣସି ଅପରାଧ ଘଟଣାରେ ମୃତାହତମାନଙ୍କ ଫଟୋ ବା ଭିଜୁଆଲ୍ ଦେଖାଇବା ଉଚିତ୍ କି ନୁହେଁ ସେ ବିଷୟରେ ଆମ ସମୟର ସାମ୍ବାଦିକ ଓ ଟେଲିଭିଜନ ପ୍ରଡ୍ୟୁସରମାନଙ୍କୁ ମୋର ଭାଷଣ ଦେବାର ନାହିଁ।

୯/୧୧ ଘଟଣାର ଠିକ୍ ଓଲଟା ଥିଲା ବମ୍ବେର ୧୧/୯ରେ ଘଟିଥିବା ଘଟଣାର ରିପୋର୍ଟିଂ। କିଛି ବର୍ଷ ତଳେ ବମ୍ବେର ନରିମାନ୍ ପଏଣ୍ଟ ଏବଂ ତାଜମହଲ ହୋଟେଲ ଉପରେ ହୋଇଥିବା ଅତି ଭୟାନକ ଆତଙ୍କବାଦୀ ଆକ୍ରମଣର ରିପୋର୍ଟିଂ ବେଳେ ଭାରତୀୟ ମିଡିଆ ସବୁପ୍ରକାର ସଂଯମ ହରାଇ ବସିଥିଲେ। ଏହି ଘଟଣାରେ ରଥଯାତ୍ରା କିମ୍ବା କ୍ରିକେଟ ଖେଳର ଧାରା ବିବରଣୀ ଦେଲା ଭଳି ଲାଇଭ୍ ରିପୋର୍ଟିଂର ଯେଉଁ ପ୍ରତିଯୋଗିତା ଚାଲିଥିଲା ତାହା ସମ୍ଭବତଃ ପୃଥିବୀରେ କେଉଁଠି ଦେଖିବାକୁ ମିଳେ ନାହିଁ। କୁହାଯାଏ ଯେ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ପାଇଁ ଏ ପ୍ରକାର ଲାଇଭ୍ ରିପୋର୍ଟିଂ ପାଇଁ ବଡ଼ ସାହାଯ୍ୟ କରିଥିଲା। ଦେଶର ସାର୍ବଭୌମତ୍ଵ ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଜଳାଞ୍ଜଳି ଦେଇ ଆମେ ମାତିଥିଲୁ କିଏ କେତେ ଦେଖାଇପାରିବ ଏବଂ ପରଦାରରେ କିଏ କେତେ ଉତ୍ତେଜନା ଆଣିପାରିବ।

ବମ୍ବେ ଆକ୍ରମଣ ଘଟଣା ପରେ ସରକାରଙ୍କର ଚେତା ପଶିଲା। ମିଡିଆ ରିପୋର୍ଟିଂ ବେଳେ ଗଣମାଧ୍ୟମର ଆଦର୍ଶ ନେଇ ପ୍ରଶ୍ନ କରାଗଲା। ସରକାର ଘୋଷଣା କଲେ ଯେ ଏ ବାବଦରେ ଖୁବ୍ ଶୀଘ୍ର ଏକ ଆଇନ ଅଣାଯିବ। ସରକାର ଓ ମିଡିଆ ମୁହାଁମୁହିଁ ହେଲେ। ଖୁସିର କଥା ଯେ ଏହି ଘଟଣାକୁ ସମ୍ମାନ ଜଣାଇ ଭାରତୀୟ ଟେଲିଭିଜନ ଚ୍ୟାନେଲ୍ ନିଜ ପାଇଁ କୋଡ୍ ଅଫ୍ ଏଥିକ୍ସ ପ୍ରସ୍ତୁତ କଲେ। ବିଭିନ୍ନ ଟେଲିଭିଜନ ସଂଘ ନିଜ ନିଜ ସଦସ୍ୟମାନଙ୍କୁ ଏ ବାବଦରେ ପରାମର୍ଶ ଦେଲେ। ବିଦେଶୀ ଗଣମାଧ୍ୟମ ଢାଞ୍ଚାରେ ଏହିସବୁ ଆତ୍ମସଂଯମର ତାଲିକା ପ୍ରସ୍ତୁତ ହେଲା ସତ କିନ୍ତୁ ଆଜି ଭାରତୀୟ ଟେଲିଭିଜନ ଚ୍ୟାନେଲମାନେ କ’ଣ ପାଳୁଛନ୍ତି ବା ପାଳୁନାହାନ୍ତି ତାହା ସମସ୍ତଙ୍କୁ ଜଣା। ସେତେବେଳେ କେନ୍ଦ୍ର ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଟେଲିଭିଜନ କଣ୍ଟେଣ୍ଟ ମନିଟରିଂ ପାଇଁ ଏକ ସ୍ଵତନ୍ତ୍ର ସେଲ୍ ଗଠନ କରାଯାଇଥିଲ। ହେଲେ  ଏହି ବ୍ୟବସ୍ଥା ଚେଇଁଛି କି ଶୋଇଛି ତାହା ସରକାରଙ୍କୁ ହିଁ ଜଣା।

ସେହିପରି ଭାରତବର୍ଷରେ ଗଣମାଧ୍ୟମରେ କାର୍ଯ୍ୟଧାରା ଉପରେ ନଜର ରଖିବାକୁ ଏକ ସମୟରେ ଗଢ଼ି ଉଠିଥିଲା ପ୍ରେସ୍ କାଉନସିଲ୍। ଏହା ସେତେବେଳର ପ୍ରିଣ୍ଟ ମିଡିଆକୁ ଆଖି ଆଗରେ ରଖି ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଟେଲିଭିଜନ ନ୍ୟୁଜ୍ ମିଡିଆ ଲୋକପ୍ରିୟ ହେଲା। ହେଲେ ସେହି ଇଲେକ୍ଟ୍ରୋନିକ୍  ମିଡିଆ ପରେ ଆଜି ଯେଉଁ ନ୍ୟୁ ମିଡିଆର ଆନ୍ଦୋଳନ ଆସିଛି ତାହା ସରକାରଙ୍କ ମୁଣ୍ଡ ଉପର ଦେଇ ଚାଲିଯାଉଛି। ସୋସିଆଲ୍ ମିଡ଼ିଆ ବା ୱେବ୍‍ ମିଡିଆର ପରିଚାଳନା ପାଇଁ ଆଦର୍ଶଗତ ପରିଚାଳନା ପାଇଁ ଗାଇଡଲାଇନ୍ ବା ନିୟମ ଆଣିବା ଦୂରର କଥା, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଟେଲିଭିଜନ ମାଧ୍ୟମ ପାଇଁ ବି ବିଶେଷ କିଛି କରିପାରିଲେ ନାହିଁ। ଓଡ଼ିଶାରେ ଅବସ୍ଥା ତଦ୍ରୂପ। ଆମ ରାଜ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମରହଟ୍ଟୀକାଳର ନିୟମ ଓ ତାଲିକା କରି କେବଳ ଖବରକାଗଜ ସାମ୍ବାଦିକମାନଙ୍କ ହିସାବ ଧରି ବସିଛନ୍ତି। ୱେବ ଗଣମାଧ୍ୟମ କ’ଣ ଓ ଏହାର ପ୍ରଭାବ କେତେ ସେ ବିଷୟରେ ବୁଝିବା ପାଇଁ ହୁଏତ ଆହୁରି ଅନେକ ବର୍ଷ ଲାଗିଯିବ। ଖବରକାଗଜ ଓ ଟେଲିଭିଜନକୁ ଯଦି ଆମେ ଦାନ୍ତ ବୋଲି ଭାବିବା, ଅସଲରେ ଇଣ୍ଟରନେଟ୍ ମିଡିଆ ଆଜି ଦୁଇପଟୁ ଧାରୁଆ ଛୁରି ଭାବେ ଦେଖାଦେଇଛି। ଜବତ କଲେ ମଲ, ନ କଲେ ବି ମଲ!

ଗତ କିଛିବର୍ଷ ତଳେ ସାଇବାର କାଫେ ସେକ୍ସ ଏକ ଚର୍ଚ୍ଚିତ ବିଷୟ ଥିଲା। ରାଜ୍ୟର ବିଭିନ୍ନ ଛୋଟବଡ଼ ସହରରେ କେହି କେହି ଯୁବକ/ଯୁବତୀମାନେ ସାଇବର କାଫେରେ ଇଣ୍ଟରନେଟ୍ ବ୍ୟବହାର କରିବା ନାଁରେ ଶାରୀରିକ ଘନିଷ୍ଠତା ଆଡକୁ ମୁହାଁଉଥିଲେ। ସାଇବର କାଫେର ମାଲିକ ବା କୌଣସି ଚାଲାକ୍ ବ୍ୟକ୍ତି ୱେବକ୍ୟାମରେ ଏହାକୁ କଏଦ କରି ବଜାରକୁ ଛାଡ଼ି ଦେଉଥିଲେ। ସେତେବେଳେ ଟେଲିଭିଜନ ପରଦାରେ ଏଭଳି ରିପୋର୍ଟ ହଇଚଇ ସୃଷ୍ଟି କରୁଥିଲା। ହେଲେ ଦେଖିବାର କଥା ଥିଲା କୋଉ ଟିଭି ଚ୍ୟାନେଲ ସେହି ଭିଜୁଆଲକୁ ପରଦାରେ ଦେଖାଉଛି।

ଲୋକଙ୍କର ସବୁକିଛି ଦେଖିବାକୁ ତ ମନ! ହେଲେ ମିଡିଆ କୌଣସି ଲକ୍ଷ୍ମଣରେଖା ମାନୁଛି କି ଲୋକଙ୍କ ମନକୁ ଚାହିଁ ଓ ଟିଆରପି ଚକରରେ ନୈତିକତାର ପରଦା ଖୋଲିଦେଉଛି ତାହା ହେଉଛି ସବୁଠୁ ବଡ଼ ପ୍ରଶ୍ନ।

ଆଜି ପାରମ୍ପରିକ ଗଣମାଧ୍ୟମ ଏବଂ ଟେଲିଭିଜନ ମାଧ୍ୟମ ଟପି ଆମେ ମୋବାଇଲ୍ ଓ ସୋସିଆଲ୍ ମିଡିଆକୁ ଆଧାର କରି ସାମ୍ବାଦିକତାର ଏକ ନୂଆ ଜଗତରେ ପହଞ୍ଚିଛୁ। ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ମେନଷ୍ଟ୍ରିମ୍ ମିଡିଆ ପାଇଁ ଆଜି ସୋସିଆଲ ମିଡିଆ ଖବରର ଏକ ବଡ଼ ଉତ୍ସ ବା ସୋର୍ସ ହୋଇଛି। ଅନେକ କ୍ଷେତ୍ରରେ ଖବରକୁ ଆଉ ଖୋଳିବାକୁ ପଡ଼ୁନି। କେବଳ ବିଭିନ୍ନ ସୋସିଆଲ୍ ମିଡିଆ ଉପରେ ନଜର ରଖିଲେ ଏବଂ ଖୋଜି ଜାଣିଲେ ତହୁଁ ତହୁଁ ବଡ଼ ଖବର, ଅନୁସନ୍ଧାନମୂଳକ ତଥ୍ୟ ଏବଂ ଦିଗ ମିଳିଯାଉଛି।

ଏହି ଡିଜିଟାଲ୍, ମୋବାଇଲ୍ ଓ ସୋସିଆଲ ମିଡିଆ ଦୁନିଆରେ ଆଜି ଗଣମାଧ୍ୟମ ପ୍ରତିନିଧି ଓ ପେଶାଦାରମାନଙ୍କ ପାଇଁ ନିଜ ଘୋଷିତ ବା ନିଜେ ସୃଷ୍ଟି କରିଥିବା ଲକ୍ଷ୍ମଣରେଖା ସବୁଠାରୁ ବଡ଼ କଥା। ଯଦି ଆମେ କୌଣସି ସଞ୍ଜମ, ଶାଳୀନତା ବା ଶୃଙ୍ଖଳା ନ ମାନିବା ଆଗକୁ ଆମକୁ କେହି ନା କେହି ନାଲି ପତାକା ଦେଖାଇବାକୁ ଆଗେଇ ଆସିବେ। ବାସ୍ତବରେ ଆଜି ଆମେ ମିଡିଆ ଓ ପ୍ରସାରଣ ନାଁରେ ଯେଉଁ ପ୍ରକାର କାଣ୍ଡ କାରଖାନା କରୁଛୁ ହାତରେ ନ ହେଲେ ମଧ୍ୟ ନୈତିକତାର ଏବଂ ସାମାଜିକ ଉତ୍ତରଦାୟିତ୍ଵର ରଶିରେ ଲୋକେ ଆମକୁ ଏତେବେଳକୁ ବାନ୍ଧି ପକାଇବା କଥା।

ସାମ୍ବାଦିକତା ନାଁରେ ଯଦି କେଉଁଠି ମୂର୍ଖାମୀ, ଭାଣ୍ଡାମୀ ଓ ଚପଳାମୀ ଚାଲିଥାଏ ତାହା ବନ୍ଦ ହେଉ। ସାମ୍ବାଦିକତା ହେଉ ସମ୍ବେଦନତାର ସହ ସୂଚନା ଆଦାନପ୍ରଦାନର ଏକ ଗୁରୁଦାୟିତ୍ଵ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ଏହି ଲେଖାରେ ପ୍ରକାଶିତ ମନ୍ତବ୍ୟ ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ।)

Comment