ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ମନ୍ତବ୍ୟ ଦେଇ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ଡାକ୍ତର ଦାମୋଦର ରାଉତ। ଏହି ବିବାଦରେ ଦାମ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି।

‘ଜୟୀ ରାଜଗୁରୁ’ଙ୍କୁ ନେଇ ବିବାଦ ତେଜିଛି। ଆଉ ଏହି ବିବାଦରେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି। ଯଦି ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ତାହାଲେ ୧୮୦୪ ମସିହାକୁ ଧର୍ମେନ୍ଦ୍ର ପ୍ରଥମ ସ୍ବାଧୀନତା ସଂଗ୍ରାମ ନକହି ୧୮୧୭ ମସିହାକୁ କାହିଁକି କହୁଛନ୍ତି ବୋଲି ଦାମ ଆଜି ପୁଣି ବାଣ ମାରିଛନ୍ତି।

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ଜୟୀ ରାଜଗୁରୁ ଜଣେ ମହାନ୍ ବ୍ୟକ୍ତି। ସେ ଜଗନ୍ନାଥ ସଂସ୍କୃତିର ପୁରୋଧା। ହେଲେ ସେ ଦେଶ ସ୍ବାଧୀନତା ପାଇଁ ସଂଗ୍ରାମ କରି ନାହାନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ। ଯେଉଁମାନେ ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା କରୁଛନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ।”

ଦାମ ଆହୁରି କହିଛନ୍ତି ଯେ, ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୮୧୭ ପାଇକ ବିଦ୍ରୋହକୁ ଦୃଷ୍ଟିରେ ରଖି ଏହି ଉତ୍ସବ ପାଳନ କରାଯାଉଛି। ଅର୍ଥାତ୍ କେନ୍ଦ୍ର ସରକାର ବି ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ହୋଇଥିବା ବିଦ୍ରୋହକୁ ପ୍ରତମ ସ୍ବାଧୀନତା ସଂଗ୍ରାମ ଭାବେ ଗ୍ରହଣ କରୁଛନ୍ତି। ୧୮୧୭ ବେଳକୁ ଜୟୀ ରାଜଗୁରୁ ନଥିଲେ ବୋଲି ଏହି ବରିଷ୍ଠ ନେତା କହିଛନ୍ତି।

ଗୁରୁବାର ଖୋର୍ଦ୍ଧା ଲୋକ ମହୋତ୍ସବରେ ଡାକ୍ତର ଦାମୋଦର ରାଉତ ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି ବୋଲି ଗଣମାଧ୍ୟମରେ ମତ ଦେଇଥିଲେ। ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଏନେଇ ଦାମଙ୍କୁ ସମାଲୋଚନା କରିଥିଲେ। ବହୁ ଐତିହାସିକ ଏବଂ ଖୋର୍ଦ୍ଧା ବାସିନ୍ଦା ମଧ୍ୟ ଏହି ମନ୍ତବ୍ୟକୁ ନାପସନ୍ଦ କରିଥିଲେ।

ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, “ଦାମବାବୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଣୁ ଏ ସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁନି।”

 

Comment