ପ୍ରଶାନ୍ତ କୁମାର ମଙ୍ଗରାଜ
ଓଡ଼ିଆ ପାଇକମାନଙ୍କର ଥିଲା ଏକ ନିର୍ଦ୍ଦିଷ୍ଟ ଓ ଶୃଙ୍ଖଳିତ ସମର ନୀତି ବା ଯୁଦ୍ଧ ପରିଚାଳନା ବ୍ୟବସ୍ଥା ଯାହା ଆଜି ବି ବେଶ୍ ପ୍ରାସଙ୍ଗିକ ମନେହୁଏ।
ଖବର ପ୍ରେରଣ:
ପାଇକମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାଇକଙ୍କୁ କହଲା ପାଇକ କୁହାଯାଏ। ସେମାନେ ରାଜପୁରରେ ରହନ୍ତି। ଏଣୁ ସେମାନଙ୍କର ବହପ ବେଶୀ। ଗଡ଼ନାୟକମାନେ ଗଡ଼ର ଅଧିପତି ଭାବେ ଘୋଷିତ। ସେମାନେ ପ୍ରଥମେ ସମର ଖବର ପାଆନ୍ତି। ସେ ଖବର ବର୍ମଧାରୀ ଯୋଦ୍ଧା (କଞ୍ଚୁକୀ)ଙ୍କ ପାଖରେ ପହଞ୍ଚେ। ସେମାନେ ତା’ ଉପରେ ଚିନ୍ତା କରନ୍ତି। ତା’ ପରେ ସେମାନେ ପାଇକରାୟଙ୍କୁ ଖବର ଦିଅନ୍ତି। ପାଇକରାୟ ସଙ୍ଗେ ସଙ୍ଗେ କ୍ଷୁଦ୍ରକାୟ ଘୋଟକ (ତଟୁ) ଦେଇ ଝପଟସିଂହଙ୍କୁ ଖବର ପଠାନ୍ତି। ଝପଟସିଂହ କହଲା ସିଂହଙ୍କୁ ଚିଟାଉ ଦେଲା ପରେ ତାହା ଯାଇ ‘ଭୋଇମୂଳ’ ପାଖରେ ପହଞ୍ଚେ। ଭୋଇମୂଳ ୪ ଖଣ୍ଡ ଗ୍ରାମର ମୁଖ୍ୟ। ସେ ଚିଟାଉ ନେଇ ଗ୍ରାମ ପାଇକଙ୍କ ପାଖରେ ପହଞ୍ଚାଇଥାନ୍ତି। ତା’ ପରେ ଭୋଇମୂଳ ସମର ପାଇଁ ସୈନ୍ୟଚୟନ କରନ୍ତି।
ସୈନ୍ୟଚୟନ:
୧) ସାମାଜିକ ଦୃଷ୍ଟିକୋଣରୁ ହିଁ ପାଇକମାନଙ୍କ ମଧ୍ୟରୁ ସୈନ୍ୟ ଚୟନ କରାଯାଇଥାଏ। ସୈନ୍ୟ ଚୟନ ବେଳେ ‘ଭୋଇମୂଳ’ର ଆଦେଶ ହିଁ ଶେଷ ଓ ଶ୍ରେଷ୍ଠ ନିଷ୍ପତ୍ତି।
୨) ସୈନ୍ୟ ଚୟନ ବେଳେ କଳା ଓ ଗୋରା, ଛୁଆଁ ଅଛୁଆଁ ଭେଦଭାବ ନଥାଏ।
୩) ଯେଉଁ ପାଇକ ଏକମାତ୍ର ପୁତ୍ର ହୋଇଥିବ ସେ ସୈନ୍ୟ ହୋଇପାରିବ ନାହିଁ।
୪) ଭାଇଥିଲେ ବଡ଼ଭାଇ ସୈନ୍ୟ ହେବା ବେଳେ ସାନ ଭାଇ ଘର ଜଗିବ।
୫) ଯାହାର ପିତାମାତା ମରିଯାଇଥିବେ, ସେ ତିନି ବର୍ଷ ଯାଏଁ ସୈନ୍ୟ ହୋଇପାରିବେ ନାହିଁ।
୬) ବିବାହ ହୋଇଥିଲେ, ତିନି ବର୍ଷ ଯାଏଁ ସୈନ୍ୟ ହେବାକୁ ଯୋଗ୍ୟ ହେବେ ନାହିଁ।
୭) ନିର୍ବନ୍ଧ ହୋଇଥିଲେ ସମରକୁ ଯିବେ ନାହିଁ। ଯିବା ପାଇଁ ଆଗ୍ରହ ପ୍ରକାଶ କଲେ; ବ୍ରାହ୍ମଣଙ୍କୁ ଡାକି ନିର୍ବନ୍ଧ ଫିଟାଇବା।
୮) ରୋଗ ବ୍ୟାଧି ଥିଲେ ସୈନ୍ୟ ହୋଇପାରିବେ ନାହିଁ। ରୋଗ ଦେଖି ବଇଦ ନିଦାନ କଲା ପରେ ସୈନ୍ୟ ହେବାକୁ ଯୋଗ୍ୟ ହେବେ।
୯)ସାଧୁ ହୋଇ ବୈଷ୍ଣବଙ୍କ ଶିଷ୍ୟ ହୋଇଥିଲେ; ଗୁରୁ ଆଜ୍ଞା ପାଇଲା ପରେ ସମରକୁ ସୈନ୍ୟ ହୋଇଯାଇପାରିବେ।
୧୦) ପିତା ସମରକୁ ଯାଇଥିଲେ; ମାତାଙ୍କ ଅନୁମତି ନେଇ ବଡ଼ପୁଅ ସମରକୁ ଯାଇପାରିବ। ହେଲେ ମାତାଙ୍କ ଷଠିଡୋରି ନେଇ କରାଯିବ।
ବୟସ ଅନୁସାରେ କାର୍ଯ୍ୟ:
୧) କୋଡିଏ ପୂରିଲେ ପାଇକ ହୋଇବେ।
୨) ପଚିଶି ବର୍ଷ ପୂରିଲେ ସୈନ୍ୟ ରୂପେ ଗଣା ହେବେ।
୩) ତିରିଶ ବର୍ଷ ପୂରିଲେ ବ୍ୟୁହ ରଚନା କରିପାରିବେ।
୪) ଚାଳିଶି ବର୍ଷ ପୂରିଲେ ରଥୀ ରୂପେ ଗଣା ହେବେ।
୫) ବୃଦ୍ଧ ବୟସରେ ଦୁର୍ଗକୁ ଜଗିବେ।
୬) ବୃଦ୍ଧ ବୟସରେ ଗଡ଼ିଗଲେ ଗାଁ ଗାଁ ଆଖଡ଼ା କରିବେ।
(ଆଖଡ଼ା- ପାଇକମାନଙ୍କୁ ସମର ବିଦ୍ୟା ଶିକ୍ଷା ଦେବାକୁ ଆଖଡ଼ା କୁହାଯାଏ। ଯେଉଁ ଘରେ ଆଖଡ଼ା ଶିକ୍ଷା ଦିଆଯାଏ; ତାକୁ ଆଖଡ଼ା ଘର କୁହାଯାଏ)
ସାମାଜିକ ଦୃଷ୍ଟିକୋଣରୁ ପାଇକ ସମର ନୀତି ଖୋର୍ଦ୍ଧା ରାଜ୍ୟରେ ପ୍ରଚଳିତ ଥିଲା, ଯାହା ଅନ୍ୟାନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା।
(ଲେଖକ ଜଣେ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ)








ଓଡ଼ିଆ ପାଇକମାନଙ୍କର ଥିଲା ଏକ ନିର୍ଦ୍ଦିଷ୍ଟ ଓ ଶୃଙ୍ଖଳିତ ସମର ନୀତି ବା ଯୁଦ୍ଧ ପରିଚାଳନା ବ୍ୟବସ୍ଥା ଯାହା ଆଜି ବି ବେଶ୍ ପ୍ରାସଙ୍ଗିକ ମନେହୁଏ।










ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ ବାବୁ ।
କଳିଙ୍ଗର ପାଇକ ସମର କଳା ନୌପୁନ୍ୟ, ଅସୀମ ସାହସ, ବିରଳ ବୀରତ୍ୱ, ଅଭେଦ୍ୟ ସମର ସଜ୍ଜା, ଅତର୍କିତ ଆକ୍ରମଣ କୌଶଳ, ଶତ୍ରୁ ହୃଦୟରେ ଆତଙ୍କର କମ୍ପନ ସୃଷ୍ଟିକାରୀ ଭୟଙ୍କର ଭାଷା-ଭାଵ-ଭଙ୍ଗୀ ପ୍ରଦର୍ଶନ, ମା-ମାଟି-ମାନ-ସମ୍ମାନ ପାଇଁ ଉତ୍ସର୍ଗୀକୃତ ଭାବନା ସର୍ବୋପରି ଦେଶ ପ୍ରେମ ବହ୍ନିରେ ପ୍ରଜ୍ଜ୍ୟୋଳିତ ତଥା ପ୍ରତିଭାଦୀପ୍ତ ଚରିତ୍ର ବିଶ୍ବ ବିଦିତ ।
ଆପଣଙ୍କ ମତାମତ ପାଇଁ ସାଧୁବାଦ ।