ପ୍ରଶାନ୍ତ କୁମାର ମଙ୍ଗରାଜ
ପିଣ୍ଡିକି ଥିଲେ ଯେପରି ଚାଲାକ, ସେପରି ଚତୁର। ଖୋର୍ଦ୍ଧା ମାଟିରୁ ଫିରିଙ୍ଗ ହଟାଇବା ଥିଲା ତାଙ୍କର ବ୍ରଜ ଶପଥ।
ଜୟୀ ରାଜଗୁରୁଙ୍କୁ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ବାଲେଶ୍ୱରର ମେଦିନପୁରର ବାଘତୋଟା ନାଳକୂଳରେ ବରଗଛରେ ଫାଶି ଦିଆଗଲା। ଫଳରେ ୧୮୦୪ ମସିହାରୁ ଆରମ୍ଭ ହୋଇଥିବା ସ୍ୱାଧୀନତା ସଂଗ୍ରାମ (ପାଇକ ବିଦ୍ରୋହ) ପ୍ରଶମିତ ହୋଇଗଲା। ସ୍ୱାଧୀନତା ସଂଗ୍ରାମ (ପାଇକ ବିଦ୍ରୋହ)ର ପୃଷ୍ଠଭୂମିରେ ଜୟୀ ରାଜଗୁରୁ ଯେଉଁଭଳି ସ୍ୱାଧୀନତାର ସ୍ୱାଦ ଚଖେଇ ଶହୀଦ ହୋଇଗଲେ; ତାହା ପାଇକମାନଙ୍କ ପ୍ରାଣରେ ନୂତନ ଜୀବନ ସଞ୍ଚାର କଲା। ଜୟୀ ରାଜଗୁରୁ ସହିଦ ହେବାର ୧୧ ବର୍ଷ ପରେ ବକ୍ସି ଜଗବନ୍ଧୁ ସ୍ୱାଧୀନତା ସଂଗ୍ରାମକୁ ସଠିକ ରୂପେ ପରିଚାଳନା କଲେ। ସେହି ସମୟରେ ଅରାଙ୍ଗଗଡ଼ର ଦଳବେହେରା କୃତ୍ତିବାସ ପାଟ୍ଟଶାଣୀ, ତାପଙ୍ଗଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ଓ ଘଡ଼ ଦାରୁଠେଙ୍ଗର ଦଳବେହେରା ପିଣ୍ଡିକି ବାହୁବଳେନ୍ଦ୍ର ପରି ବୀର ପାଇକମାନେ ସଂଗ୍ରାମକୁ ତ୍ୱରାନ୍ୱିତ କରିଥିଲେ। ସ୍ୱାଧୀନତା ସଂଗ୍ରାମ (ପାଇକ ବିଦ୍ରୋହ)ରେ ଯେଉଁ ୧୫ ଜଣ ସେନା ନାୟକ ଥିଲେ ସେମାନଙ୍କ ମଧ୍ୟରେ ଗଡ଼ ଦାରଠେଙ୍ଗର ଦଳବେହେରା ପିଣ୍ଡିକି ବାହୁବଳେନ୍ଦ୍ର ଅନ୍ୟତମ।
ଖୋର୍ଦ୍ଧା କିଲାର ଦାଣ୍ଡିମାଳ ଜିଲା ଅନ୍ୟତମ। ସେହି ଜିଲାରେ ଗଡ଼ଦାରୁଠେଙ୍ଗରେ ୧୭୬୮ ମସିହାରେ ବୀରପୁତ୍ର ପିଣ୍ଡିକି ବାହୁବଳେନ୍ଦ୍ର ଶଉରି କ୍ଷତ୍ରିୟ ଖଣ୍ଡାୟତ କୁଳରେ ଜନ୍ମଗ୍ରହଣ କରିଥିଲେ। ଗଡ଼ ଦାରୁଠେଙ୍ଗ ଖୋର୍ଦ୍ଧାର ସମସ୍ତ ଗଡ଼ ମଧ୍ୟରେ ଥିଲା ସର୍ବବୃହତ୍। ସେଠାରେ ଅଧିବାସୀମାନଙ୍କ ମଧ୍ୟରେ ଶଉରି କ୍ଷତ୍ରିୟ ଖଣ୍ଡାୟତ ସଂଖ୍ୟା ଗରିଷ୍ଠ। ଅତଏବ ପିଣ୍ଡିକି ଏକ ବୀରମାଟିରେ ଜନ୍ମ ଦେଇ ପିଲାଟି ବେଳୁ ଦେଶପ୍ରେମ, ବୀରତ୍ୱ ଶିକ୍ଷା ଲାଭ କରିଥିଲେ। ଖୋର୍ଦ୍ଧା ମାଟିରୁ ଫିରିଙ୍ଗ ହଟାଇବା ଥିଲା ତାଙ୍କର ମୁଖ୍ୟ କାମ। ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ପିତାପଲ୍ଲୀଠାରୁ କଟକ, ଚନ୍ଦକା, ପଟିଆ ଓ ମୁଣ୍ଡ ସୁହାଣ ଆଦି ଅଞ୍ଚଳ ବୁଲି ଫିରିଙ୍ଗ ହଟାଇବା ପାଇଁ ବିଦ୍ରୋହ କରୁଥିଲେ। ଫଳରେ ଫିରିଙ୍ଗ ପିଞ୍ଜରା ଥରିଉଠୁଥିଲା। ଏଣୁ ସେମାନେ କଳବଳ କୌଶଳ କରି ସେମାନେ ପିଣ୍ଡିକିଙ୍କୁ ଧରି ନେଇଥିଲେ।
ପିଣ୍ଡିକି ଥିଲେ ଯେପରି ଚାଲାକ, ସେପରି ଚତୁର। ଖୋର୍ଦ୍ଧା ମାଟିରୁ ଫିରିଙ୍ଗ ହଟାଇବା ଥିଲା ତାଙ୍କର ବ୍ରଜ ଶପଥ। ଏଣୁ ଦ୍ୱୀପାନ୍ତରରୁ ମୁକ୍ତି ପାଇବା ପାଇଁ ସମୁଦ୍ର ମଧ୍ୟରେ ପହଁରି ପହଁରି ପଳାଇ ଆସିଥିଲେ।
୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ସ୍ୱାଧୀନତା ସଂଗ୍ରାମରେ ନିଜକୁ ପୂରା ପ୍ରାଣରେ ଉତ୍ସର୍ଗ କରିଦେଇଥିଲେ। ଦାଣ୍ଡିମାଳ ଜିଲାର ୨୧୩ ଖଣ୍ଡ ଗ୍ରାମରେ ବିଦ୍ରୋହର ବହ୍ନି ଜାଳି ଦେଇଥିଲେ। କଟକ, ଚନ୍ଦକା, ପଟିଆ, ମୁଣ୍ଡ ମୁହାଣ ଅଞ୍ଚଳରେ ତାଙ୍କ ନେତୃତ୍ୱରେ ସଂଗ୍ରାମ ସଂଗଠିତ ହୋଇଥିଲା।
ବୀରପୁତ୍ର ପିଣ୍ଡିକି ବାହୁବଳେନ୍ଦ୍ର କେବଳ ବିଦ୍ରୋହ ମଧ୍ୟରେ ସୀମିତ ନଥିଲେ। ଷଣ୍ଢର ବଳ ଓ ବିଲୁଆର ଚତୁରତା ପ୍ରୟୋଗ କରି ସେ ଖଣ୍ଡଗିରି ଓ ଚନ୍ଦକା ଅଞ୍ଚଳରେ ଇଂରେଜମାନଙ୍କର ନିଦ ହଜାଇ ଦେଇଥିଲେ।
ବୀରପୁତ୍ର ପିଣ୍ଡିକି ବାହୁବଳେନ୍ଦ୍ର କେବଳ ବିଦ୍ରୋହ ମଧ୍ୟରେ ସୀମିତ ନଥିଲେ। ଷଣ୍ଢର ବଳ ଓ ବିଲୁଆର ଚତୁରତା ପ୍ରୟୋଗ କରି ସେ ଖଣ୍ଡଗିରି ଓ ଚନ୍ଦକା ଅଞ୍ଚଳରେ ଇଂରେଜମାନଙ୍କର ନିଦ ହଜାଇ ଦେଇଥିଲେ। ସରକାରୀ ଖଜଣାଖାନା ଲୁଟ ଓ ସରକାରୀ କର୍ମଚାରୀଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ। ଶିଖର ଚଣ୍ଡି ମୁଣ୍ଡିଆର ବରଗଛ ଉପରେ ଲୁଚି ବସି ରହୁଥିଲେ। ଗୋରା କର୍ମଚାରୀମାନେ ଖଜଣା ଆଦାୟ କରି ଫେରିବା ବେଳେ ସେମାନଙ୍କ ଟଙ୍କା ଲୁଟ କରିବା ସହ ସେମାନଙ୍କୁ ଜୀବନରେ ମାରି ଦେଉଥିଲେ। ଫଳରେ ଫିରିଙ୍ଗ ଶାସନ ବିଚଳିତ ହୋଇପଡ଼ିଥିଲା। ବାରମ୍ବାର ଧରିବା ପାଇଁ ପ୍ରୟାସ କରି ମଧ୍ୟ ବିଫଳ ହୋଇପଡ଼ୁଥିଲେ। ଶେଷରେ ଫିରିଙ୍ଗ ସରକାର ଘୋଷଣା କଲେ ଯେ ଯିଏ ବୀରପୁତ୍ର ପିଣ୍ଡିକିଙ୍କୁ ଧରାଇ ଦେବ; ସେ ଏକ ହଜାର ଟଙ୍କା ସହ ତମ୍ବା ପାତିଆର ସନନ୍ଦ ପାଇବ। ସେତେବେଳେ ଏକ ହଜାର ଟଙ୍କାର ମୂଲ୍ୟ ଖୁବ୍ ବେଶି ଥିଲା। ଅନେକ ଟଙ୍କା ଲୋଭରେ ପିଣ୍ଡିକିଙ୍କୁ ଧରାଇବା ପାଇଁ ଚେଷ୍ଟା କରୁଥିଲେ। ସେମାନଙ୍କ ମଧ୍ୟରେ ବିଦ୍ରୋହୀ ମଧୁ ମହାନ୍ତି ଓ ବିଷ୍ଣୁ ମହାନ୍ତି ଅନ୍ୟତମ। ସେ ଦୁହେଁ ଧରିବା ପାଇଁ ଯୋଜନା ତିଆରି କଲେ। ଖୋର୍ଦ୍ଧାର ଆକ୍ଟିଙ୍ଗ ମାଜିଷ୍ଟ୍ରେଟ ଏମ୍. ଏଚ୍ ଟର୍ଣ୍ଣବୁଲଙ୍କୁ ସମ୍ବାଦ ଦେଲେ। ମାଜିଷ୍ଟ୍ରେଟ ମଧ୍ୟ ଧରାଇ ଦେଲେ ପୁରସ୍କାର ଦେବେ ବୋଲି ପ୍ରତିଶ୍ରୁତି ଦେଲେ।
ପିଣ୍ଡିକିଙ୍କୁ ଗିରଫ କରିବାର ଦାୟିତ୍ୱ ବିଗ୍ରେଡିୟର ଥୋମାସ୍ ସାହେବଙ୍କ ଉପରେ ନ୍ୟସ୍ତ ହେଲା। ମଧୁ ମହାନ୍ତି ଓ ବିଷ୍ଣୁ ମହାନ୍ତିଙ୍କ ପ୍ରରୋଚନାରେ ୧୮୧୮ ସେପ୍ଟେମ୍ବର ୨୦ ତାରିଖରେ ସେ ଧରିବା ପାଇଁ ଉଦ୍ୟମ କଲେ ସତ; ହେଲେ ସେ ବିଫଳ ହେଲେ। କେବଳ ସାଧୁଚରଣ ମଙ୍ଗରାଜ, ବିଷ୍ଣୁ ପାଇକରାୟ ଓ ଧ୍ରୁବ ଜେନା ଧରା ପଡ଼ିଲେ। ବିଶ୍ୱାସଘାତକ ବିଷ୍ଣୁ ମହାନ୍ତି ଓ ମଧୁ ମହାନ୍ତି ୨୫୦ ଟଙ୍କା ଲେଖାଏଁ ପୁରସ୍କାର ପାଇଲେ।
ପିଣ୍ଡିକି ବାହୁବଳେନ୍ଦ୍ର ଧରା ନ ପଡ଼ିବାରୁ ଫିରିଙ୍ଗ ସରକାର ଚିନ୍ତା ବଢ଼ିଗଲା। କିପରି ଧରିବେ ଉପାୟ ଖୋଜି ବୁଲିଲେ। କେତେକ ଖଚୁଆଙ୍କଠାରୁ ଜାଣିବାକୁ ପାଇଲେ ଯେ ମଳିପଡ଼ାର ଜାଗିରଦାର ଧନୁର୍ଜୟ ହରିଚନ୍ଦନ ହେଉଛନ୍ତି ପିଣ୍ଡିକିଙ୍କର ପିଲାବେଳର ସାଙ୍ଗ। ଏଣୁ ଧ୍ରୁବଜୟ ହରିଚନ୍ଦନଙ୍କର ସାହାଯ୍ୟ ଲୋଡିଲେ। ଧାର ନ ଦେଲେ ଜାଗିର ଉଚ୍ଛେଦ କରିବେ ବୋଲି ଧମକ ଦେଲେ।
ଜାଗିର ଓ ପୁରସ୍କାର ଲୋଭରେ ଧ୍ରୁବଜୟ ହରିଚନ୍ଦନ ଫିରିଙ୍ଗର କଥାରେ ରାଜି ହୋଇଗଲେ। ସେମାନଙ୍କ କଥାନୁସାରେ ଧ୍ରୁବଜୟ ପିଣ୍ଡିକିଙ୍କୁ ମଳିପଡ଼ାସ୍ଥିତ ବାସଭବନକୁ ଡାକି ଆଣିଲେ। ଭୋଜନରେ ଭାଙ୍ଗ ନିଶା ମିଶାଇ ଦେଲେ। ଶୋଇଥିବା ଅବସ୍ଥାରେ ସିପାହୀମାନେ ତାଙ୍କୁ ଧରିନେଲେ ଓ କଟକ ପଠାଇ ଦେଲେ। ପିଣ୍ଡିକି ବାରବାଟୀ ଦୁର୍ଗରେ ବନ୍ଦୀ ହୋଇରହିଲେ। ଏଣେ ଧ୍ରୁବଜୟ ଫିରିଙ୍ଗ ମାଜିଷ୍ଟ୍ରେଟ ଫୋଷ୍ଟରଙ୍କ ଠାରୁ ୩୪ ବାଟି ୧୦ ମାଣ ଜମି ପୁରସ୍କାର ପାଇଲେ।
ହଠାତ୍ ଦିନେ ଏମିତି ଘଟିଲା। ବାରବାଟୀ ଦୁର୍ଗରେ ବନ୍ଦୀ ଥିବା ବେଳେ ଗୋଡ଼ରେ ବେଡ଼ିଥାଇ ତାଙ୍କୁ ଅସ୍ତ୍ରଶସ୍ତ୍ର ସଫା କରିବାକୁ ଦିଆଗଲା। ସେ ତହିଁରୁ ଗୋଟିଏ ତରବାରୀ ଆପଣା ମୁଠାରେ ଠିକ୍ କରି ବନ୍ଦ ଘରୁ ବାହାରି ଆସିଲେ। କାଠଯୋଡ଼ି ନଦୀ ଆପଣା ବାହୁ ବଳରେ ପାର ହୋଇଗଲେ। ବାରଙ୍ଗଠାରେ ଆସି ପହଞ୍ଚିଲେ। ଫିରିଙ୍ଗ ସୈନ୍ୟମାନେ ତାଙ୍କୁ ଧରିପାରିଲେ ନାହିଁ। ବନ୍ଧୁକ ମାରିଲେ। ହେଲେ ପିଣ୍ଡିକି ଗୁଳିଗୋଳା ହାତରେ ଧରି ପକାଉଥିଲେ। ପରିଶେଷରେ ସେମାନେ ଚାରିପଟୁ ଘେରାଉ କରି ଗୁଳିଗୋଳା ବର୍ଷଣ କଲେ। ଶେଷରେ ପିଣ୍ଡିକିଙ୍କର ମୃତ୍ୟୁ ହେଲା। ସବୁଦିନ ପାଇଁ ଫିରିଙ୍ଗ ଜାତିର ଭୟ ଦୂର ହେଲା। ହେଲେ ଫିରିଙ୍ଗ କର୍ତ୍ତୃପକ୍ଷ ଏପରି ଭାବରେ ମାରିବା ପାଇଁ ଚାହୁଁ ନଥିଲେ। ଏଥିପାଇଁ ଦୁଃଖପ୍ରକାଶ କଲେ।
ପିଣ୍ଡରେ ପ୍ରାଣ ଥିଲା। ପିଣ୍ଡିକି ଲଢ଼ୁଥିଲେ ଦେଶ ପାଇଁ ଜାତି ପାଇଁ। ସଂଗ୍ରାମ ମଧ୍ୟରେ ପ୍ରାଣ ବାୟୁ ଚାଲିଗଲା ସତ ହେଲେ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ପ୍ରାଣବଳି ସର୍ବଦା ପ୍ରତୀୟ ହୋଇ ରହିଥିବ।
(ଲେଖକ ଜଣେ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍)








ପିଣ୍ଡିକି ଥିଲେ ଯେପରି ଚାଲାକ, ସେପରି ଚତୁର। ଖୋର୍ଦ୍ଧା ମାଟିରୁ ଫିରିଙ୍ଗ ହଟାଇବା ଥିଲା ତାଙ୍କର ବ୍ରଜ ଶପଥ।









