ପ୍ରଫେସର ରାଜକିଶୋର ପଣ୍ଡା

ଆମ ଦେଶରେ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ଉପରେ ଅନେକ କାରଣ ରହିଛି। ତେବେ ତା’ର ମୁକାବିଲା ପାଇଁ ସରକାର କେତେକ ଆଶୁ ପଦକ୍ଷେପ ନେବା ଜରୁରୀ

ଦେଶରେ କୃଷକ ଆତ୍ମହତ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ୧୯୯୦ ଦଶକରେ ଏ ପ୍ରକାରର ଭୟଙ୍କର ଓ ଦୁଃଖଦାୟକ ଘଟଣା ଅଳ୍ପ କେତେକ ପ୍ରଗତିଶୀଳ ରାଜ୍ୟରେ ସୀମିତ ଥିବା ବେଳେ ବର୍ତ୍ତମାନ ଏହା ଅଧିକରୁ ଅଧିକ ରାଜ୍ୟମାନଙ୍କୁ ଓ ଅଧିକମାତ୍ରାରେ ବ୍ୟାପିବାରେ ଲାଗିଛି। ଜାତୀୟ ବ୍ୟୁରୋ ରେକର୍ଡ ଅନୁଯାୟୀ ୨୦୧୪ ବର୍ଷରେ ଦେଶରେ ୫୬୫୦ଜଣ କୃଷକ ଆତ୍ମହତ୍ୟା କରିଥିବା ବେଳେ ୨୦୧୫ ବର୍ଷରେ ଏହି  ସଂଖ୍ୟା ୮୦୦୭କୁ ବୃଦ୍ଧି ପାଇଛି। ଅର୍ଥାତ୍ ବିଗତ ଦୁଇ ବର୍ଷରେ  ଦେଶରେ କୃଷକ ଆତ୍ମହତ୍ୟା ୪୨ ପ୍ରତିଶତ ବୃଦ୍ଧି ହୋଇଛି। ପୁନଶ୍ଚ ଉକ୍ତ ବ୍ୟୁରୋ ରେକର୍ଡ ଅନୁଯାୟୀ କୃଷକ ଆତ୍ମହତ୍ୟା ଉଭୟ ଅଣକୃଷକ ଓ କୃଷିଶ୍ରମିକଙ୍କଠାରୁ ଉର୍ଦ୍ଧ୍ୱରେ ରହିଥିବା ବେଳେ ୨୦୧୫ ବର୍ଷରେ ଦେଶରେ ଘଟିଥିବା ମୋଟ ଆତ୍ମହତ୍ୟା ସଂଖ୍ୟାର ଦୁଇ-ତୃତୀୟାଂଶରେ ପହଞ୍ଚିଛି।

କୃଷକ ଆତ୍ମହତ୍ୟାର କାରଣ ଓ ନିରାକରଣ ସମ୍ବନ୍ଧରେ ଅନେକ ଅଧ୍ୟୟନ ଦେଖାଯାଉଛି। ଉକ୍ତ ଅଧ୍ୟୟନଗୁଡ଼ିକରୁ ଅଧିକାଂଶ କୃଷକ ଆତ୍ମହତ୍ୟାର ଦୁଇ ପ୍ରମୁଖ କାରଣ, ଯଥା- ସ୍ୱଳ୍ପ ଆୟ ଓ ଋଣଭାର ବିଷୟକୁ ନେଇ ଚର୍ଚ୍ଚା କରିଛନ୍ତି। ବିଭିନ୍ନ ତଥ୍ୟକୁ ନେଇ ଉକ୍ତ ଅଧ୍ୟୟନଗୁଡ଼ିକରେ ଦର୍ଶାଯାଇଛି ଯେ, ଦେଶର ଦୀର୍ଘ ବିକାଶ ପ୍ରକ୍ରିୟାରେ କୃଷକଙ୍କର ଅବିଚ୍ଛିନ୍ନ ଆର୍ଥିକ ଉନ୍ନତି ଲାଗି କୌଣସି ଦୀର୍ଘସୂତ୍ରୀ ଯୋଜନା ପ୍ରବର୍ତ୍ତନ କରାଯାଇନାହିଁ। ଯାହାକିଛି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ତାହା ପ୍ରାୟତଃ ସ୍ୱଳ୍ପକାଳୀନ, ପ୍ରସଙ୍ଗଭିତ୍ତିକ ଓ ପ୍ରାକୃତିକ ଦୁର୍ବିପାକ ପରବର୍ତ୍ତୀ ପଦକ୍ଷେପ ମାତ୍ର।

କୃଷକର ଆୟରେ ଅବନତି ଓ ଅସ୍ଥିରତା ବୃଦ୍ଧିପାଇଛି। ୨୦୧୨-୧୩ରୁ ୨୦୧୫-୧୬ ମଧ୍ୟରେ କୃଷକର ଆୟ ଅଣକୃଷକ ତୁଳନାରେ ଅଧିକ ହ୍ରାସ ହେବାର ତଥ୍ୟ ମିଳୁଛି। କୃଷି କ୍ରମଶଃ ବ୍ୟୟବହୁଳ ହେବା ଯୋଗୁଁ କୃଷକର ନିଟ୍ ଆୟ ପରିବାର ଭରଣପୋଷଣ ପାଇଁ  ପର୍ଯ୍ୟାପ୍ତ ହୋଇପାରୁନାହିଁ। ଉଭୟ ପରିବାର ଖର୍ଚ୍ଚ ଓ କୃଷିରେ ବିନିଯୋଗ ପାଇଁ କୃଷକ ଋଣ କରିବାକୁ ବାଧ୍ୟ ହେଉଛି।

ଯଦିଓ କୃଷିର ବିକାଶ ପାଇଁ ୧୯୫୦ ଦଶକରୁ ୧୯୭୦ ଦଶକ ମଧ୍ୟରେ କେତେକ ସଂସ୍କାରମୂଳକ ଆଇନ ପ୍ରଣୟନ କରାଯାଇଛି ତେବେ ୧୯୮୦ ଦଶକ ପରବର୍ତ୍ତୀ ସମୟରେ ଓ ବିଶେଷତଃ ଉଦାରୀକରଣ ପରେ କୃଷିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଫଳସ୍ୱରୂପ ଗତ ଦୁଇ ଦଶନ୍ଧି ଧରି କୃଷି ଅଭିବୃଦ୍ଧି ହାର ମନ୍ଥର ହୋଇଛି। କୃଷକର ଆୟରେ ଅବନତି ଓ ଅସ୍ଥିରତା ବୃଦ୍ଧିପାଇଛି। ୨୦୧୨-୧୩ରୁ ୨୦୧୫-୧୬ ମଧ୍ୟରେ କୃଷକର ଆୟ ଅଣକୃଷକ ତୁଳନାରେ ଅଧିକ ହ୍ରାସ ହେବାର ତଥ୍ୟ ମିଳୁଛି। କୃଷି କ୍ରମଶଃ ବ୍ୟୟବହୁଳ ହେବା ଯୋଗୁଁ କୃଷକର ନିଟ୍ ଆୟ ପରିବାର ଭରଣପୋଷଣ ପାଇଁ  ପର୍ଯ୍ୟାପ୍ତ ହୋଇପାରୁନାହିଁ। ଉଭୟ ପରିବାର ଖର୍ଚ୍ଚ ଓ କୃଷିରେ ବିନିଯୋଗ ପାଇଁ କୃଷକ ଋଣ କରିବାକୁ ବାଧ୍ୟ ହେଉଛି।

କୃଷକର ଋଣ ସମ୍ବନ୍ଧରେ ଅନେକ କୌତୁହଳଜନକ ଅଧ୍ୟୟନ ଦେଖିବାକୁ ମିଳୁଛି। ଯଦିଓ ଆମେ ଜାଣିଛୁ ଯେ, ୧୯୬୯ ବ୍ୟାଙ୍କ ଜାତୀୟକରଣ ପରେ କୃଷକଙ୍କର ଅଣଆନୁଷ୍ଠାନିକ ଋଣ କମିଛି ଓ ଆନୁଷ୍ଠାନିକ ଋଣ ବୃଦ୍ଧି ହୋଇଛି ତଥାପି ସଦ୍ୟ ପ୍ରକାଶିତ ଜାତୀୟ ନମୁନା ସର୍ଭେ ୨୦୧୨-୧୩ ରିପୋର୍ଟ ଅନୁଯାୟୀ ଗତ କିଛିବର୍ଷ ମଧ୍ୟରେ କୃଷକଙ୍କର ଆନୁଷ୍ଠାନିକ ଋଣ ହ୍ରାସ ପାଉଥିବା ବେଳେ ଅଣଆନୁଷ୍ଠାନିକ ଋଣ ବଢ଼ିବାରେ ଲାଗିଛି।

୨୦୦୨-୦୩ ବର୍ଷରେ କୃଷକର ଅଣଆନୁଷ୍ଠାନିକ ଋଣ ୩୪ ପ୍ରତିଶତ ଥିବା ବେଳେ ୨୦୧୨-୧୩ରେ ଏହା ୪୨ ପ୍ରତିଶତକୁ ବଢ଼ିଛି। ପୁନଶ୍ଚ ଦେଶରେ ଋଣଗ୍ରସ୍ତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୧୯୯୧-୯୨ ବର୍ଷରେ ଋଣଗ୍ରସ୍ତ ଚାଷୀଙ୍କ ସଂଖ୍ୟା ୨୫.୯ ପ୍ରତିଶତ ଥିବାବେଳେ, ୨୦୦୨-୦୩ ବର୍ଷରେ ୨୯.୭ ପ୍ରତିଶତ ଓ ୨୦୧୨-୧୩ରେ ୩୫ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଋଣୀ କୃଷକଙ୍କ ସଂଖ୍ୟା ବଢ଼ିବା ସହିତ ସେମାନଙ୍କର ଅଣଆନୁଷ୍ଠାନିକ ଋଣ ବୃଦ୍ଧି ପାଇଛି।

କୃଷକମାନଙ୍କ ଆର୍ଥିକ ଦୁରବସ୍ଥାକୁ ଲାଘବ କରିବା ପାଇଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ୨୦୨୨-୨୩ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ ହେବା ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। କିନ୍ତୁ ଆୟ ଦ୍ୱିଗୁଣିତ ହେବାଦ୍ୱାରା କୃଷକର ଚିରାଚରିତ ସମସ୍ୟା (ଯଥା: ସ୍ୱଳ୍ପ ଆୟ ଓ ଋଣ ବୋଝ)ର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ।

ଭାରତରେ କୃଷି ଏକ ସମସ୍ୟାବହୁଳ ବୃତ୍ତି, କୃଷକମାନେ  ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କୃଷିକାର୍ଯ୍ୟରେ ନିୟୋଜିତ ଥାନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀ ସଂଖ୍ୟାଧିକ ଥିବା ବେଳେ ସେମାନଙ୍କ ନିକଟରେ ସମ୍ବଳ ଓ ସୁଯୋଗର ଘୋର ଅଭାବ। ଭାଗଚାଷୀ ପ୍ରଥା ଆଇନତଃ ନିଷେଧ ହୋଇଥିବା ସତ୍ତ୍ୱେ ଅନୌପଚାରିକ ଭାବରେ ଦେଶରେ ଏହା ବଳବତ୍ତର ରହିଛି। ତା’ ସାଙ୍ଗକୁ କୃଷିଜାତ  ଦ୍ରବ୍ୟର ବିକ୍ରିବଟା ପାଇଁ ଉନ୍ନତ ବଜାରର ବକାଶ ବର୍ତ୍ତମାନ ସୁଦ୍ଧା ଯଥେଷ୍ଟ ହୋଇନାହିଁ। ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କରୁ ଚାଷୀକୁ ଦରକାର ମୁତାବକ ଋଣ ମିଳିପାରୁନାହିଁ। କୃଷିକ୍ଷେତ୍ରରେ ଏହିସବୁ ମୁଖ୍ୟ ଅଭାବ ଅସୁବିଧା ଥିବା ଦୃଷ୍ଟିରୁ କୃଷି ଓ କୃଷକର ଉନ୍ନତି ପାଇଁ ବଡ଼ଧରଣର ସଂସ୍କାର ଖୁବ୍ ଜରୁରୀ।

ମୁଖ୍ୟ ଭାବରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଅଣକୃଷି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଭାଗଚାଷୀଙ୍କୁ ଆଇନସମ୍ମତ କରିବା, କୃଷିଜାତ ଦ୍ରବ୍ୟର ସଠିକ ମୂଲ୍ୟ ପାଇଁ ଉନ୍ନତ ବଜାର ସୃଷ୍ଟି କରିବା, ଗ୍ରାମାଞ୍ଚଳରେ ମହାଜନି କାରବାରକୁ ସ୍ୱୀକୃତିଦେବା ଇତ୍ୟାଦି ବିଷୟ ଉପରେ ପ୍ରଗତିଶୀଳ ଆଇନ ପ୍ରଣୟନ କରିବା ସରକାରଙ୍କ ବର୍ତ୍ତମାନ ପରିସ୍ଥିତିରେ କର୍ତ୍ତବ୍ୟ ବୋଲି ଆମେ ମନେକରୁଛୁ।

(ଲେଖକ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର)

Comment