ଗୋଦାବରୀଶ ମହାପାତ୍ର

କବି ଗୋଦାବରୀଶ ଓଡ଼ିଆ ପାଇକ ବୀରର ଜୀବନଗାଥାକୁ ଅତି ମାର୍ମିକ ଭାବରେ କଲମରେ ଫୁଟାଇଛନ୍ତି। ବର୍ତ୍ତମାନ ପାଇକ ବିଦ୍ରୋହର ଶତବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ ‘ପାଇକର ଯୁଦ୍ଧଯାତ୍ରା’ କବିତାକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛି।

ଗୋଦାବରୀଶ ମହାପାତ୍ର ଓଡ଼ିଆ ସାହିତ୍ୟର ଜଣେ ବିପ୍ଲବୀ ସ୍ୱର। ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ତତ୍‌କାଳୀନ ଉଦ୍‌ଭ୍ରାନ୍ତ ସମାଜ ଏବଂ ରାଜନୈତିକ ଧାରା ବିରୋଧରେ ସେ ତାଙ୍କ କଲମରେ ଜବାବ ଦେଇଛନ୍ତି। ‘ଉଠ କଙ୍କାଳ’ ତାଙ୍କର ଏକ କାଳଜୟୀ କବିତା। ସେହିପରି ’ନୀଳ ମାଷ୍ଟରାଣୀ’ ଗୋଦାବରୀଶଙ୍କ ଏକ କ୍ଲାସିକ୍‍। କବି ଗୋଦାବରୀଶ ଓଡ଼ିଆ ପାଇକ ବୀରର ଜୀବନଗାଥାକୁ ଅତି ମାର୍ମିକ ଭାବରେ କଲମରେ ଫୁଟାଇଛନ୍ତି। ବର୍ତ୍ତମାନ ପାଇକ ବିଦ୍ରୋହର ଶତବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ ‘ପାଇକର ଯୁଦ୍ଧଯାତ୍ରା’ କବିତାକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛି।

ସେଦିନ ଅଶିଣର ରଜନୀ ସୁଗଭୀର

ବିଜୁଳି ହସେ,

କୁଳିଶ ଉଠେ ଥରି ପଲ୍ଲୀପୁରଧରି

ଓଡ଼ିଶା ଦେଶେ।

ଶୁଭିଲା ରଣଭେରୀ ବଣପାହାଡ଼ ଚିରି

ସେ ଭଳି ଦିନେ,

ଉଠିଲେ କିଏ କେତେ ସମର- ଜାଗ୍ରତେ

ଆକୁଳ ମନେ।

ଲାଗିଲା ପୁରେ ପୁରେ ସେ ଘୋର ଅନ୍ଧାରେ

ଚରଚା ଖାଲି,

ଦୂରେ ସେ ଗଜପତି ଡାକିପଠାଇଛନ୍ତି

ଯିବାକୁ କାଲି।

ଡାକୁଆ ଦେଲା ଡାକ, ଉଠିଲେ ପୁରଯାକ

ଡେରିଲେ କାନ,

“ଉଠରେ ଉଠ ଭାଇ, କରେ ଖଡ଼ଗ ବହି

ରଖିବ ମାନ।

ସମର- କାଙ୍ଗାଳ ଧର ହେ ଧନୁଶର,

ପାହିବ ରାତି,

ଦୁଆରେ ବଇରୀ ସେ ଆସଇ ଉପହାସେ

ସମରେ ମାତି।

ବିଶୋଇ ଆସ ଉଠି, ଖଡ଼ଗେ ଦେଇ ମୁଠି

ପଧାନେ ଆସ,

କି କର ପରିଡ଼େ ହେ, ଆହୁରି ବେଳ ସହେ

ନ ଲାଗେ ପ୍ରାସ।

ଉଠ ହେ ସୁନ୍ଦରା, ରଜନୀ ଥାଉ ପରା

ଲାଗିବ ରଣ,

କାହିଁ ହେ ଶାସମଲ, ନ ହୁଅ ଚଞ୍ଚଳ

ନ ଗାଅ ଗାନ।“

ବାଜିଲା ରଣଭେରୀ, ଉଠିଲା ଥରି ଥରି,

ସେ ପୁରେ ପ୍ରାଣ,

ଘରକେ ଜଣେ ଜଣେ ସମର ପ୍ରାଙ୍ଗଣେ

ଜୀବନ ଦାନ।

ଶତେକ ଯୁବାଜନ ଏକୁ ବଳଇ ଆନ

ଗଠନ ରୂପେ,

ସେ ଶତ ମୁଖେ ହସେ, ଜୀବନ ପ୍ରୀତି ରସେ

କି ଅପରୂପେ।

ସେ ଯୁବା ହୃଦ ତଳେ ଉଛୁଳେ କଳକଳେ

ଜୀବନ- ନଈ,

ଜନନୀ ପ୍ରୀତିଭରେ ସିକ୍ତ କରିବେ ରେ

ସମରଭୂଇଁ।

ଶ୍ରାବଣ ଅନ୍ଧାରେ, ପଲ୍ଲୀତରୁ ତଳେ

ସକଳେ ଉଭା,

କରକେ କରବାଳ, କରକେ ଶୋହେ ଢାଲ,

ଲାଗିଲା ସଭା।

କହିଲେ ଯୁବା କେହି, ଆଉ ତ ରାତି ନାହିଁ

ଚାଲ ହେ ଚାଲ,

ମୋ ବାପା ଯାଇଥିଲେ ଏପରି ରଜନୀରେ

ଶୁଣିଛି ବୀର।

ସିଂହଭୂମେ କାହିଁ, ସମରେ ପ୍ରାଣ ଦେଇ,

କହନ୍ତି ମାଆ,

ଯିବି ମୁଁ ଆଜି ଚାଲି ସେ ପଦ ଅନୁସରି

ପ୍ରଭୁ ମୋ ସାହା।

କହଇ ଆନ ବୀର, ଉଚ୍ଚେ ଟେକି ଶିର-

“ଏ ବାହୁ ତଳେ

ଚାଳିଶି ବରଷର ବୀର- ରକତଧାର

ଉଛୁଳି ଖେଳେ।

ମୋ ପରି ଦଶ ଜଣ ଅରପିଛନ୍ତି ପ୍ରାଣ

ସମର- ଶେଯେ,

ନ ଜାଣେ କିଏ ଲେଶେ, ଶତ୍ରୁଶଲ ଯଶେ

ଓଡ଼ିଶା ଦେଶେ?”

କହେ କେ ଆନ ଉଠି ଖଡ଼ଗେ ଦେଇ ମୁଠି

ଫୁଲାଇ ଛାତି।

“ଦୂରେ ସେ କାଞ୍ଚିଗଡ଼େ ମୋହରି ଭାଇ ମଲେ

ଫୁଟାଇ ଛତି।”

ସେ କହେ ହସି ହସି “ସେ ଦିନ ମୋ ମାଉସୀ

ପହିଲି ପାଳି-

ଆସିଲା ଘରେ, ମୋର ମଉସା ଗଲେ ଦୂର

ବିଦେଶେ ଚଳି।

ଫେରିଲା ଦଶ ମାସେ ଖବର ଅବଶେଷେ

ଶୋଇଲେ ରଣେ,

ସେ ଥର ଗଜପତି ଗଉଡ଼ ଦେଶ ଜିତି-

ଥିଲେଟି କ୍ଷଣେ।”

ଅଳପେ ଟେକି ଶିର କହିଲା କେଉଁ ବୀର-

“ଶୁଣିନ ବାରେ?

ଦିନକେ ଅଶୀ କୋଶ ବରଜି ଭୋକ ଶୋଷ

ମୋ ବାପା ଥରେ,

ଚଳାଇଥିଲେ ଘୋଡ଼ା, ପଡ଼ିଲେ ପଥେ ଧରା,

ବଇରୀଗଣ

ଖବର ଦେବା ଆଶେ ବନ୍ଦୀ କଲେ ମାସେ

କି ହଇରାଣ।

ନ କହି ପଦେ ବାଣୀ ମୋ ବାପା ବୀରମଣି,

ତେଜିଲେ ଦେହ,

ସହିଲେ ଦୁଃଖ ଯେତେ, କିଏ ସେ ଦେଶେ ଏତେ

ସହିଛି କହ?’’

ବାହାରେ ମାରି କର କିଏ ସେ ବୀରବର

ତୋଳିଲା ତାନ-

“ଦକ୍ଷିଣକବାଟର ବୁକୁଟି ଲୁହାବାଡ଼

କୁଳିଶୁ ଟାଣ।“

ଆବର କହେ କେହୁ- “ବୁକେ ବୁହାଇ ଲହୁ

ଲେଖିଲେ ଚିଠି

ପାଇକରାୟ କୁଳେ ସେ କାଳେ ଥିଲେ ବୀରେ

ଗରବେ ମାତି।

ରକତ ଚିଠି ଧରି ସମରେ ଗଲେ ଚଳି

ସେ ବୀର ସୁତ

କହିଲେ ବାପା ମୋର – ଲାଗରେ ଥର ଥର

ଆସିଛି ମୁଁ ତ।

ବରଷ ଦଶ ମତେ, ବତାଅ ଯାହା ମୋତେ

ପାଳିବି ଏଥି

ପାଇକରାୟ ସୁତ! ନ ଫେରିପାରେ ସେ ତ

ନ ଜାଣେ ଭୀତି।“

ଏପରି କେତେ କଥା, କିଏ ସେ ଗାଇବ ତା

କଲମମୁନେ

କହିଲେ ବିଶ୍ୱାଳ, ବାହିନୀପତି ବୀର,

ଗରବ ପଣେ।

କହିଲେ ଚମ୍ପତି, କିଏ ଯେ କେତେ ଉଠି

ଗାଇଲେ ଗୀତି

ଫାଟିଲା ସିନ୍ଦୂରା, ହସିଲା ଅବା ଧରା

ବିଜୟେ ମାତି।

ସମର- ଯାତ୍ରା ଏ ଚାଲିଲେ ନିର୍ଭୟେ

ପଲ୍ଲୀ ବୀରେ,

କେ ଗାଏ ବାପଗୁଣ, ଧରଇ ଭାଇ ନାମ

ଆବେଗଭରେ।

ପଛରେ ହୁଳହୁଳି ନାରୀଏ ଦେଲେ ତୋଳି

ଶଙ୍ଖ ବାଜେ,

ରକତ ଉଠେ ତାତି, ଥରିଲା  ବସୁମତୀ

ସମର ସାଜେ।

ଫେରିବା ଆଶା ତିଳେ ନାହିଁ ଯେ ହୃଦୟରେ

ବିଜୟ ବିନା,

ମରଣେ ନାହିଁ ଭୟ, ଓଡ଼ିଆ ଦୁର୍ଜୟ

ଜଗତଜିଣା।

(ସୌଜନ୍ୟ – ଗୋଦାବରୀଶ ରଚନାବଳୀ)

1 COMMENT

Comment