ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୦ ତାରିଖ ଯାଏଁ ଚାଲିବ ଚିତ୍ରକଳା ପ୍ରଦର୍ଶନୀ
  • ୪ ଜଣ ବରିଷ୍ଠ ଶିଳ୍ପୀଙ୍କୁ ମିଳିଲା ‘ଶିଳ୍ପୀ ସମ୍ରାଟ ସମ୍ମାନ-୨୦୧୭’
  • ୨୮ ଜଣଙ୍କୁ ସ୍ୱତନ୍ତ୍ର ସମ୍ମାନ
  • ୧୪ ଜଣଙ୍କୁ ‘ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସମ୍ମାନ’

ପ୍ରତିବର୍ଷ ପରି ଚଳିତ ବର୍ଷ ଆୟୋଜନ ହୋଇଛି ବିଶ୍ୱ ଶିଳ୍ପୀ ଦିବସ। ଭୁବନଶ୍ୱର ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପରିସରରେ ଶୁକ୍ରବାର ଏହା ଉଦଘାଟିତ ହୋଇଛି। ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ପକ୍ଷରୁ ଏହି ଦିବସ ଆୟୋଜନ କରାଯାଇ ଆସୁଛି। ଏହି କାର୍ଯ୍ୟକ୍ରମରେ ଇପ୍‌କା (ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟ) ସାମିଲ ହୋଇଛି। ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

ସିନେ ନିର୍ଦ୍ଦେଶକ ତଥା ଅଭିନେତା ପ୍ରଶାନ୍ତ ନନ୍ଦ, ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ଖଦି ବୋର୍ଡ ସଭାପତି ତେଜଶ୍ୱର ପରିଡ଼ା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ୪ ଜଣ ବରିଷ୍ଠ ଶିଳ୍ପୀଙ୍କୁ ‘ଶିଳ୍ପୀ ସମ୍ରାଟ ସମ୍ମାନ-୨୦୧୭’ରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ଶିଳ୍ପୀ ବିନୋଦ ମହାରଣା, ଲଲାଟ ମୋହନ ପଟ୍ଟନାୟକ, ପଞ୍ଚାନନ ସୁର୍, ନିକୁଞ୍ଜ ବିହାରୀ ଦାସ। ଏହାସହ ୨୮ ଜଣଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

ପ୍ରଶାନ୍ତ ନନ୍ଦ କହିଛନ୍ତି, “ଶିଳ୍ପୀ ଦିବସ ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଶିଳ୍ପୀମାନଙ୍କୁ ରାଜ୍ୟ ସରକାର ସବୁବେଳେ ପ୍ରୋତ୍ସାହନ କରି ଆସିଛନ୍ତି। ଆଗକୁ ମଧ୍ୟ ପ୍ରୋତ୍ସାହନ ଜାରି ରହିବ।”

୧୪ ଜଣଙ୍କୁ ଶିଳ୍ପୀ ସ୍ମାରକୀ ସମ୍ମାନ ଏବଂ ବାକି ୧୪ ଜଣଙ୍କୁ ‘ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହାସହ ୫ଟି ବିଭାଗରେ ୧୩ ଜଣ ଜାତୀୟ ସ୍ତରର ଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଛି। ୩ ଜଣଙ୍କୁ ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଚିତ୍ରକଳାରେ ଯଶପାଲ୍ ସିଂହ, ଭାସ୍କର୍ଯ୍ୟ କଳାରେ ରବି ପ୍ରକାଶ, ପ୍ରିଣ୍ଟମେକିଂରେ ରାହୁଲ ଧୀମାନଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇଛି।

ଚିତ୍ରକଳାରେ ଚିନ୍ମୟୀ ବେହେରା, ଭାସ୍କର୍ଯ୍ୟ କଳାରେ ନରୋତ୍ତମ ଦାସ, ପ୍ରିଣ୍ଟ ମେକିଂରେ ସମରେନ୍ଦ୍ର ବେହେରା, ଡ୍ରଇଂରେ ସନ୍ଦୀପ ଦେବ ଏବଂ କେଶବ ଖରାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି।

ଶିଶୁ ଚିତ୍ରକଳା ପ୍ରଦର୍ଶନୀରେ ୧୯୦୦ ପିଲାଙ୍କ ଚିତ୍ରକଳା ଏବଂ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ୩୦୦ ଚିତ୍ରଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ୧୨ଟି ଦେଶର ଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନୀ କରାଯାଇଛି। ଓମାନ୍, ବ୍ରାଜିଲ, ଫ୍ରାନ୍ସ, ;ଡନମାର୍କ, ୟୁକେ, ଜର୍ମାନୀ, ମାଲେସିଆ, ଆମେରିକା, ତୁର୍କୀ, ଜାପାନ ଆଦି ଦେଶର ଶିଳ୍ପୀଙ୍କ ଚିତ୍ରକଳା ମୁଖ୍ୟ ଆକର୍ଷଣ ପାଲଟିଛି।

ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଶିଳ୍ପୀ ଦିବସର ଆଭିମୁଖ୍ୟ, ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ଗ୍ୟାଲେରୀ ପରିଚାଳକ ସୁବ୍ରତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚିତ୍ରକଳା ପ୍ରଦର୍ଶନୀ ପ୍ରତିଦିନ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ।

“ପ୍ରଥମ ଥର ପାଇଁ ଆମେ ୱେବସାଇଟ୍ ଉନ୍ମୋଚନ କରିଛୁ। ଏହାଦ୍ବାରା ଲୋକେ ବିଭିନ୍ନ ଚିତ୍ରକଳା ୱେବସାଇଟରେ ଦେଖିପାରିବେ। ଶିଳ୍ପୀଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଶିଳ୍ପୀ ଦିବସ ପ୍ରତିବର୍ଷ ଆୟୋଜନ କରୁଛୁ। ୨୦୦୯ରୁ ପ୍ରତିବର୍ଷ ଡିସେମ୍ବର ୮ରେ ଶିଳ୍ପୀ ଦିବସ ଆୟୋଜନ କରାଯାଇ ଆସୁଛି”, ଏହା କହିଛନ୍ତି ତାରାକାନ୍ତ ପରିଡ଼ା

Comment