ପ୍ରଶାନ୍ତ କୁମାର ମଙ୍ଗରାଜ

ଓଡ଼ିଆ ପାଇକ ପୁଅ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱ ଓ ବଳିଦାନର କାହାଣୀ

ବକ୍ସି ଜଗବନ୍ଧୁ। ପୂରା ନାମ-ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର। ଜନ୍ମ ୧୭୭୩ ମସିହା। ସେ ଥିଲେ ଭୋଇବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କର ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କର ଅଷ୍ଟମ ବଂଶଜ। ବଂଶ ପରମ୍ପରା ଅନୁଯାୟୀ ବାଲ୍ୟକାଳରୁ ଅସ୍ତ୍ରବିଦ୍ୟା, ଧନୁବିଦ୍ୟା ପ୍ରଭୃତି ଶିକ୍ଷା ଲାଭ କରିଥିଲେ। ତାଙ୍କ ଜନ୍ମବେଳକୁ ଖୋର୍ଦ୍ଧା ରାଜ୍ୟକୁ ଗଜପତି ବୀରକିଶୋର ଦେବ (୧୭୩୬-୧୭୯୩) ରାଜତ୍ଵ କରୁଥିଲେ।

ବକ୍ସି ଜଗବନ୍ଧୁଙ୍କର ଅଧିକାଂଶ ସମୟ ମରହଟ୍ଟା ଶାସନ ମଧ୍ୟରେ କଟିଥିଲା।  ତଥାପି ତାଙ୍କର ଉପରେ ଓଡ଼ିଆ ପରମ୍ପରା, ଚାଲିଚଳଣି, ଖେଳକୁଦର ପ୍ରଭାବ ଗଭୀର ଭାବେ ପଡ଼ିଥିଲା। ଉଚ୍ଚ ସମ୍ଭ୍ରାନ୍ତ ଶ୍ରେଣୀରେ ଜାତ ହୋଇ ମଧ୍ୟ ତାଙ୍କର ପାଖରେ ଥିଲା ଅସାଧାରଣ ଦେଶ ପ୍ରେମ। ଫଳସ୍ଵରୂପ ସେ ନେଇପାରିଥିଲେ ପାଇକ ବିଦ୍ରୋହର ମହାନ୍ ନେତୃତ୍ଵ।

ଖୋର୍ଦ୍ଧା ରାଜ୍ୟର ସେନାପତି (ବକ୍ସି) ପଦବୀ ତାଙ୍କୁ ବଂଶ ପରମ୍ପରା ଅନୁଯାୟୀ ଦିଆଯାଇଥିଲା। ଯୁବକାବସ୍ଥାରେ ପଦାର୍ପଣ କଲାପରେ ସେ ‘ବକ୍ସି’ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରିଥିଲେ। ଖୋର୍ଦ୍ଧା ରାଜ୍ୟରେ ଗଜପତି ମୁକୁନ୍ଦଦେବଙ୍କ ପରେ ଲୋକମାନେ ବକ୍ସି ଜଗବନ୍ଧୁଙ୍କୁ ଅଧିକ ସମ୍ମାନ ଦେଉଥିଲେ। ତାଙ୍କରି କଥାରେ, ମାର୍ଗରେ ପରିଚାଳିତ ହେଉଥିଲେ। ଅତଏବ ବକ୍ସି ଜଗବନ୍ଧୁ ଥିଲେ ପାଇକମାନଙ୍କର ପ୍ରାଣର ପରମ ଆରାଧ୍ୟ ଦେବତା।

ବିବାହ ବନ୍ଧନ

ବକ୍ସି ଜଗବନ୍ଧୁ ଗଞ୍ଜାମ ଶେରଗଡ଼ ରାଜକୁମାରୀ ରାଧାରାଣୀ ଜେମାଦେଇଙ୍କୁ ବିବାହ କରିଥିଲେ। ହେଲେ ପାଟ୍ଟରାଣୀ ରାଧାରାଣୀଙ୍କର କୌଣସି ସନ୍ତାନସନ୍ତତି ହେଲେ ନାହିଁ। ବଂଶରକ୍ଷା ପାଇଁ ବକ୍ସି ଜଗବନ୍ଧୁ ଗୋଟିଏ ପୋଷ୍ୟ ପୁତ୍ର ଓ ଗୋଟିଏ ପୋଷ୍ୟ ପୁତ୍ରୀ ଗ୍ରହଣ କରିଥିଲେ। ସେ ଦୁହେଁ ହେଲେ ଶ୍ୟାମସୁନ୍ଦର ରାୟ ଓ ପଦ୍ମା ଦେଇ। ପୋଷ୍ୟ ପୁତ୍ର ଗ୍ରହଣ କରି ମଧ୍ୟ ବକ୍ସି ଜଗବନ୍ଧୁ ନିଜେ ଖୁସି ହୋଇପାରିଲେ ନାହିଁ। ଏଣୁ ପୁନଶ୍ଚ ବିବାହର ନିଷ୍ପତ୍ତି ନେଲେ। କଟକ ବଡ଼ମ୍ବାର ରାଜକନ୍ୟା ଚତୁରମଣୀଙ୍କୁ ବିବାହ କଲେ। ତାଙ୍କ ଔରସରୁ ଏକମାତ୍ର ପୁତ୍ର ଗୋପୀନାଥ ବିଦ୍ୟାଧର ଜାତ ହୋଇଥିଲେ।

ବକ୍ସିବାଦ

ଖୋର୍ଦ୍ଧା ରାଜ୍ୟରେ ‘ବକ୍ସିପଦ’ ବଂଶାନୁକ୍ରମିକ ଥିଲା। ଏଥିନିମନ୍ତେ ସେ ରାହାଙ୍ଗ, ଲେମ୍ବାଇ, ସରାଇ, ଚବିଶକୁଦ ୪ଟି ପ୍ରଗଣା ସହ ରୋଡଙ୍ଗ କିଲା ଜାଗିରି ରୂପେ ପାଇଥିଲେ। ଏହାକୁ ‘ବକ୍ସିବାଦ’ କୁହାଯାଏ। ମେଜର ଫ୍ଲେଚର ଖୋର୍ଦ୍ଧାକୁ ଶାସନ କଲା ପରେ ବକ୍ସିଙ୍କୁ ଗଡ଼ ରୋଡଙ୍ଗରୁ ହଟାଇ ଦେଇଥିଲେ।

ଗଡରୋଡଙ୍ଗ ହରାଇଲେ ବକ୍ସି

୧୮୦୪/୦୫ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ଦ୍ଵାରା ଓଡ଼ିଶାରେ ପ୍ରଥମ ବନ୍ଦୋବସ୍ତ ପ୍ରଚଳନ ହେଲା। ସେତେବେଳେ ଇଂରେଜମାନେ ‘ରୋଡଙ୍ଗ’କୁ ବକ୍ସିଙ୍କ ନାମରେ ରେଜିଷ୍ଟ୍ରି କରାଇଥିଲେ। ପରବର୍ତ୍ତୀ କାଳରେ କଲେକ୍ଟର ଜିୱେବ ‘ରୋଡଙ୍ଗ’ କିଲାର ମାଲିକ ବକ୍ସି ବୋଲି ଉଲ୍ଲେଖ କରାଇଥିଲେ। ଦିୱାନ କୃଷ୍ଣଚନ୍ଦ୍ର ସିଂହ ଓ ପୁରୀ ତହସିଲଦାର ଗୌରହରି ସିଂହ ବକ୍ସିଙ୍କ ରୋଡଙ୍ଗକୁ ହଡପ କରିବା ନିମନ୍ତେ ମସୁଧା ଚଳାଇଥିଲେ।

୧୮୦୭ ମସିହାରେ ଦିୱାନ କୃଷ୍ଣଚନ୍ଦ୍ରଙ୍କ ପ୍ରରୋଚନାରେ ତହସିଲଦାର ଗୌରହରି ସିଂହ ‘ରୋଡଙ୍ଗ’ ବଦଳରେ କାଗଜପତ୍ରରେ ରାହାଙ୍ଗ ଓଗେର ଲେଖାଇ ଦେଲେ। ‘ରାହାଙ୍ଗ ଓଗେର’ ନାମରେ ବକ୍ସି ଖଜଣା ପୈଠ କରୁଥିବାରୁ କୃଷ୍ଣଚନ୍ଦ୍ରଙ୍କୁ ଖଜଣା ହଡପ ପାଇଁ ମସୁଧା ହେଲା। କଲେ ମଧ୍ୟ।

୧୮୦୬ ଖ୍ରୀଷ୍ଟାବ୍ଦରେ ଲାଗୁହୋଇଥିବା ନିଲାମ ବ୍ୟବସ୍ଥା ଲାଗୁହେଲା। ଖଜଣା ଅନାଦେୟ ହେତୁ ‘ରୋଡଙ୍ଗ’ ନିଲାମ ହେଲା। ଚନ୍ଦ୍ରପ୍ରସାଦ ସିଂହଙ୍କ ଗମଗ ଲୋକନୀ ନାରାୟଣ ୧୮୦୭ରେ କ୍ରୟ କଲେ। ସେହି ବର୍ଷ ଅନ୍ୟ ଜଣେ ବ୍ୟକ୍ତି କ୍ରୟ କଲେ। ପରେ ପରେ ଚଢ଼ାଦରରେ ଦିୱ।ନ କୃଷ୍ଣଚନ୍ଦ୍ର ରାୟ କ୍ରୟକରି ତାହାର ନାମ ‘ପୁରୁଷୋତ୍ତମ ଛତ୍ର’ ଦେଲେ।

ବକ୍ସି ପ୍ରବଳ ପ୍ରତିବାଦ କରିବାରୁ ରୋଡଙ୍ଗ ଦଖଲ କରିପାରିଲେ ନାହିଁ। ୧୮୦୯/୧୮୧୩ କୃଷ୍ଣଚନ୍ଦ୍ର ଲିଜ୍ ସୂତ୍ରରେ ରୋଡଙ୍ଗ କ୍ରୟ କଲେ। ଫଳରେ ରୋଡଙ୍ଗ ହରାଇ ବକ୍ସି ବଣଜଙ୍ଗଲ ମଧ୍ୟରେ ଘୁରି ବୁଲିଲେ।

୧୮୧୩ରୁ ୧୮୧୭ ମଧ୍ୟରେ ବକ୍ସି ଜଗବନ୍ଧୁ ଜାଗିର ଜମି ହରାଇଥିବା ଦଳେଇ, ଦଳବେହେରାଙ୍କୁ ସଙ୍ଗଠିତ କଲେ। ପାଇକମାନଙ୍କ ମନରେ ବିଦ୍ରୋହର ବହ୍ନି ସଂଯୋଗ କଲେ।

ବିଦ୍ରୋହ

ପାଇକ ବିଦ୍ରୋହକୁ ମୂଳରୁ ପରିଚାଳନା କରୁଥିଲେ ବକ୍ସି ଜଗବନ୍ଧୁ। ୧୮୧୭ ମାର୍ଚ୍ଚ ୧ ତାରିଖରେ ଘୁମୁସରରୁ ୪୦୦ କନ୍ଧ ପାଇକ ବ୍ରିଟିଶ ସରକାରଙ୍କ ବିପକ୍ଷରେ ଅସ୍ତ୍ରଶସ୍ତ୍ର ସଜ୍ଜିତହୋଇ ବାହାରିଲେ। ସେମାନେ ବାଣପୁର ଅଞ୍ଚଳରେ ପ୍ରବେଶକରି ଥାନା ଓ ଖଜଣା ଥାନା ଲୁଟ୍ କରିବା ଆରମ୍ଭ କରିଦେଲେ। ଏହାକୁ ସୁବର୍ଣ୍ଣ ସୁଯୋଗ ମନେ କରି ବକ୍ସି ଖୋର୍ଦ୍ଧା ଅଞ୍ଚଳରେ ବିଦ୍ରୋହକୁ ସଙ୍ଗଠିତ କଲେ। ଦଳେଇ, ଦଳବେହେରାଙ୍କୁ ଏକତ୍ରିତ କରି ବିଦ୍ରୋହର ଅଗ୍ନି ପ୍ରଜ୍ଜ୍ଵଳିତ କଲେ।

ବକ୍ସି ନେତୃତ୍ଵରେ ବିଦ୍ରୋହ ବେଳକୁ ବେଳ ସମ୍ପ୍ରସାରିତ ହେଲା। ବିଦ୍ରୋହୀ ପାଇକମାନେ ବାଣପୁର ଅଞ୍ଚଳରେ ବ୍ରିଟିଶ ଲୁଣ ଏଜେଣ୍ଟ ବେଚର ସାହେବଙ୍କୁ ଆକ୍ରମଣ କଲେ। ହେଲେ ସେ ଅଳ୍ପକେ ବର୍ତ୍ତିଗଲେ।

ହେଲେ ତାଙ୍କର ବାଣିଜ୍ୟ ତରୀକୁ  ବିଦ୍ରୋହୀମାନେ ଲୁଟ୍ କରିନେଲେ। ସଫଳତାର ସହ ବିଦ୍ରୋହ ବାଣପୁରରୁ ଖୋର୍ଦ୍ଧା ଆଡକୁ ସମ୍ପ୍ରସାରିତ ହେଲା। ବିଦ୍ରୋହୀମାନେ କୁଦିଆରି ଗ୍ରାମରେ ଥିବା ବ୍ରିଟିଶ ସାହାଯ୍ୟକାରୀ ଚରଣ ପଟ୍ଟନାୟକଙ୍କୁ ହତ୍ୟା କଲେ।

ଇଣ୍ଟେଲିଜେଣ୍ଟ ବିଭାଗର ଗୁପ୍ତ ତଥ୍ୟ ଅନୁଯାୟୀ ମାଜିଷ୍ଟ୍ରେଟ ଇମ୍ପେ ସାହେବ ବିଦ୍ରୋହ ଦମନ ନିମନ୍ତେ ଲେଫଟନାଣ୍ଟ ଫ୍ରିଡସ୍କଙ୍କୁ ଖୋର୍ଦ୍ଧା ଓ ଲେଫଟନାଣ୍ଟ ଫାରିସକୁ ପିପିଲି ପ୍ରେରଣ କଲେ।

ଇମ୍ପେ ସାହେବ, ଲେଫଟନାଣ୍ଟ ଟ୍ରାଭିସ ଓ କେତେ ଜଣ ଇଂରେଜ ସିପାହୀ ସହ ୧୮୧୭ ଅପ୍ରେଲ୍ ୧ ତାରିଖ ଖୋର୍ଦ୍ଧା ନିକଟବର୍ତ୍ତୀ ଗଙ୍ଗପଡ଼ାଠାରେ ପହଞ୍ଚିଲେ। ମାତ୍ର ବିଦ୍ରୋହୀମାନଙ୍କ ସମରସଜ୍ଜା ଦେଖି ଭୟଭୀତ ହୋଇ କଟକ ଫେରିଗଲେ। ବିଦ୍ରୋହୀମାନେ ଲେଫଟନାଣ୍ଟ ଫାରିସକୁ ଗଙ୍ଗପଡ଼ାଠାରେ ହତ୍ୟା କଲେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵ ୫୦୦୦ ପାଇକ ଲେଫଟନାଣ୍ଟ ପ୍ରିଡିସ୍କଙ୍କୁ ଖୋର୍ଦ୍ଧାଠାରେ ଆକ୍ରମଣ କରିବା ଅଗ୍ରସର ହେବା ଦେଖି ସେ ପିପିଲି ବାଟେ କଟକ ପଳାୟନ କଲେ।

ଅପ୍ରେଲ୍ ୭ ତାରିଖ ୧୮୧୭ରେ ବିଦ୍ରୋହୀମାନେ ପିପିଲି ଅଧିକାର କଲେ। ସେହି ସମୟରେ ଗଡ଼ପଦ୍ମପୁରର ରାଜା ବଳଭଦ୍ର ଛୋଟରାୟ ବିଦ୍ରୋହରେ ଯୋଗ ଦେଲେ।

୧୮୧୭ ଅପ୍ରେଲ୍ ୯ ତାରିଖ କ୍ୟାପଟେନ ଲେ.ଫିବରେ ୫୫୦ ଜଣ ସିପାହୀ ସହ ଖୋର୍ଦ୍ଧା ଯାତ୍ରା କରି ବିନା ପ୍ରତିରୋଧରେ ଦଖଲ କଲେ। ଠିକ୍‍ ସେହିଦିନ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ବିପୁଳ ସଂଖ୍ୟକ ପାଇକ ଲୋକନାଥ ଘାଟ ଦେଇ ପୁରୀରେ ପ୍ରବେଶ କଲେ। ସେମାନେ ବହୁ ସରକାରୀ କୋଠା ଓ କଚେରୀରେ ଅଗ୍ନି ସଂଯୋଗ କଲେ। ପୁରୀଠାରେ ଥିବା କର୍ମଚାରୀମାନେ ଭୟରେ କଟକ ପଳାୟନ କଲେ। ସେହି ସମୟରେ ଜଗନ୍ନାଥ ମନ୍ଦିରର ପଣ୍ଡା ଓ ସେବାୟତମାନେ ଓଡ଼ିଶାରୁ ବ୍ରିଟିଶ୍ ଶାସନ ଲୋପ ପାଇଲା ବୋଲି ସର୍ବସାଧାରଣରେ ଘୋଷଣା କଲେ।

ରାଜା ଦ୍ଵିତୀୟ ମୁକୁନ୍ଦଦେବଙ୍କୁ ପୁନର୍ବାର ରାଜଗାଦିରେ ବସାଇବା ପାଇଁ ବକ୍ସି ଓ ବିଦ୍ରୋହୀମାନେ ଶ୍ରୀ ନଅରରେ ପ୍ରବେଶ କଲେ। ହେଲେ ରାଜା ପ୍ରସ୍ତାବରେ ରାଜି ହେବା ପରିବର୍ତ୍ତେ ବ୍ରିଟିଶ୍ କର୍ତ୍ତୃପକ୍ଷଙ୍କୁ ଗୁପ୍ତରେ ସାମରିକ ସୁରକ୍ଷା ଭିକ୍ଷା କଲେ। ବକ୍ସି ରାଜାଙ୍କ ପାଖରେ ରଖିଥିବା ବିଶ୍ଵାସ ଟିକିକ ଶେଷରେ ହରାଇ ବସିଲେ।

ବକ୍ସିଙ୍କ ଆତ୍ମ ସମର୍ପଣ

୧୮୧୭ ଅପ୍ରେଲ୍ ୧୬ରେ କ୍ୟାପଟେନ୍ ଲେ.ଫେବର ଖୋର୍ଦ୍ଧାଠାରୁ ପୁରୀ ଯାଇ ରାଜା ଦ୍ଵିତୀୟ ମୁକୁନ୍ଦଦେବ ଓ ତାଙ୍କ ପୁତ୍ରଙ୍କୁ ବନ୍ଦୀ କରି ବାରବାଟୀ ଦୁର୍ଗରେ ରଖିଲେ। ନଭେମ୍ବର ୩୦, ତାରିଖ ୧୮୧୭ ତାଙ୍କର କାରାଗାର ମଧ୍ୟରେ ମୃତ୍ୟୁ ହେଲା।

କେତେକ ବିଦ୍ରୋହୀଙ୍କୁ ରାଜକ୍ଷମା ଦିଆଯାଇଥିଲେ ମଧ୍ୟ ବକ୍ସି ଜଗବନ୍ଧୁ, କୃଷ୍ଣଚନ୍ଦ୍ର ବିଦ୍ୟାଧର, ଗୋପାଳ ଛୋଟରାୟ, ପୀତବାସ ମଙ୍ଗରାଜ, ପଦ୍ମନାଭ ଛୋଟରାୟ, ବିଷ୍ଣୁ ପାଇକରାୟ ଓ ପିଣ୍ଡିକି ବାହୁବଳେନ୍ଦ୍ରଙ୍କୁ ରାଜକ୍ଷମାରୁ ବାଦ୍ ଦିଆଗଲା। ୧୨୩ ଜଣ ପାଇକଙ୍କୁ ଦ୍ୱୀପାନ୍ତର ଦଣ୍ଡ, ବାମଦେବ ପାଟ୍ଟଯୋଶୀ ଓ ନାରାୟଣ ପରମଗୁରୁକୁ ୧୪ ବର୍ଷ ଲେଖାଁଏ ଜେଲ୍ ଦଣ୍ଡ ଓ ଚରଣ ପଟ୍ଟନାୟକଙ୍କ ହତ୍ୟାକାରୀ ପର୍ଶୁରାମ ରାଉତରାୟଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା।

ଏସବୁ ସତ୍ତ୍ଵେ ବକ୍ସି ଜଗବନ୍ଧୁ ଥିଲେ ଇଂରେଜ ସରକାରଙ୍କର ମୁଣ୍ଡବ୍ୟଥାର କାରଣ। ତେଣୁ ବକ୍ସିଙ୍କୁ ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ। ସେ ଜାଣିପାରି ଘୁମୁସର ଜଙ୍ଗଲରେ ଆତ୍ମଗୋପନ କଲେ। ସେଠାରୁ ଯାଇ କିଛି ଦିନ ଶ୍ଵଶୁର ଘର ସେରଗଡ଼ରେ ଅବସ୍ଥାନ କଲେ। ଏହି ସମୟରେ ଖୋର୍ଦ୍ଧାର ପାଇକମାନେ ଗୁପ୍ତରେ ବକ୍ସିଙ୍କୁ ସହାୟତା ପ୍ରଦାନ କରୁଥିଲେ।

ଇଂରେଜମାନେ ବୌଦ ରାଜା ଚନ୍ଦ୍ରଶେଖର ଦେବଙ୍କ ସହ ସମ୍ପର୍କ ସ୍ଥାପନ କରି ଜାଣିପାରିଲେ ବକ୍ସି ଘୁମୁସର ଅଞ୍ଚଳରେ ଅବସ୍ଥାନ କରୁଛନ୍ତି। ବିଗେଡିୟର ଜେନେରାଲ୍ ତୋମାସ ଗୁପ୍ତ ଖବର ପାଇ ଘୁମୁସର ଅଞ୍ଚଳରେ ଚଢ଼ାଉ କଲେ । ହେଲେ ବକ୍ସିଙ୍କୁ ଧରିପାରିଲେ ନାହିଁ। ଶେଷରେ ନିରାଶ ହୋଇ ଘୋଷଣା କଲେ ଯେ ବକ୍ସି ଯଦି ଆତ୍ମସମର୍ପଣ କରନ୍ତି ତେବେ ତାଙ୍କ ଜୀବନ ପ୍ରତି ବିପଦ ନାହିଁ। ହେଲେ ବକ୍ସି ଇଂରେଜମାନଙ୍କ ଘୋଷଣାକୁ ଭ୍ରୂକ୍ଷେପ କଲେ ନାହିଁ।

ଇଂରେଜମାନେ ଅଭିନବ ଉପାୟ ଅବଲମ୍ବନ କଲେ। ୧୮୨୦ ଜୁଲାଇ ୨୦ ତାରିଖରେ ବକ୍ସିଙ୍କର ଦୁଇ ପତ୍ନୀ, ନାବାଳକ ପୁତ୍ର, ଗୁମସ୍ତା, ଚାକରଙ୍କୁ ବନ୍ଦୀ କରି ବାରବାଟୀ ଦୁର୍ଗରେ ରଖିଲେ। ତଥାପି ବକ୍ସି ବିଚଳିତ ହେଲେ ନାହିଁ। ଏଣୁ ୧୮୨୦ ସେପ୍ଟେମ୍ବର ୧ ତାରିଖରେ ତାଙ୍କ ପରିବାରକୁ ମୁକ୍ତ କରିଦେଲେ।

ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା ପରେ ଇଂରେଜ କମିଶନର ଟି. ପାକେନ୍ ହାସ ବ୍ରିଟିଶ୍ ସର୍ତ୍ତ ରାଜି କରାଇବା ପାଇଁ ନୟାଗଡ଼ ରାଜାଙ୍କୁ ପରୱାନା ପଠାଇଲେ। ସର୍ତ୍ତ ଥିଲା ବକ୍ସିଙ୍କର ଭରଣପୋଷଣ ପାଇଁ ଇଂରେଜ ସରକାର ୧୦୦ ଟଙ୍କା ଭତ୍ତା ଦେବେ। ଏଥିରେ ବକ୍ସିଙ୍କର ମର୍ଯ୍ୟାଦା ହାନି ହେବ ନାହିଁ ଜାଣି ନୟାଗଡ଼ ରାଜା ବକ୍ସିଙ୍କୁ ଆତ୍ମସମର୍ପଣ ପାଇଁ ଅନୁରୋଧ କଲେ। ୧୮୨୫ ମଇ ୨୭ ତାରିଖରେ ବକ୍ସି ଆତ୍ମସମର୍ପଣ କଲେ। କଟକରେ ଅବସ୍ଥାନ କରିରହିଲେ। ୧୮୨୯ ଜାନୁଆରୀ ୨୪ ତାରିଖରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଇହଲୀଳା ସମ୍ବରଣ କଲେ।

(ଲେଖକ ଜଣେ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍)

Comment