ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସରେ ଶନିବାର ନୂଆ ଯୁଗର ଆରମ୍ଭ ହୋଇଛି। କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ରାହୁଲ ଗାନ୍ଧି। ସୋନିଆ ଗାନ୍ଧିଙ୍କ ପରେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଆଜିଠାରୁ ଆଗକୁ ବଢ଼ିବ।

ରାହୁଲ ଆଜି ଦାୟିତ୍ୱ ନେବା ଅବସରରେ କଂଗ୍ରେସ ପାର୍ଟି ଅଫିସରେ ଉତ୍ସବ ଆୟୋଜନ କରାଯାଇଛି। କର୍ମକର୍ତ୍ତାମାନେ ବାଜା ବଜାଇ ରାହୁଲ ଯୁଗକୁ ସ୍ୱାଗତ କରିଛନ୍ତି।

ସୋନିଆ ଗାନ୍ଧି କିଛନ୍ତି, “ରାହୁଲ ଗାନ୍ଧି କଂଗ୍ରେସର ନୂଆ ସଭାପତି ଭାବେ ଦାୟିତ୍ୱ ନେଉଥିବାରୁ ମୁଁ ତାଙ୍କୁ ସ୍ୱାଗତ ଜଣାଉଛି। ଦଳକୁ ଆଗକୁ ନେବା ପାଇଁ ମୁଁ ତାଙ୍କୁ ଆଶୀର୍ବାଦ ମଧ୍ୟ କରୁଛି।”

ସୋନିଆ ଆହୁରି କହିଥିଲେ ଯେ ୨୦ ବର୍ଷ ତଳେ ମୁଁ ଯେତେବେଳେ ଏହି ପୁରୁଣା ପାର୍ଟିର ସଭାପତି ହେଲି, ସେତେବେଳେ ମୋତେ ଭୟ ଲାଗୁଥିଲା। କିନ୍ତୁ କର୍ମକର୍ତ୍ତାଙ୍କ ଯୋଗୁ ସବୁକିଛି ସହଜ ହୋଇଥିଲା। ଇନ୍ଦିରା ଗାନ୍ଧି ମୋତେ ତାଙ୍କ ଝିଅ ଭଳି ଦେଖୁଥିଲେ। ଏବେ ସମୟ ବଦଳିଯାଇଛି। ରାହୁଲଙ୍କ ନେତୃତ୍ୱରେ ଦଳ ଆହୁରି ଆଗକୁ ଯିବ।

ରାହୁଲ ଦାୟିତ୍ୱ ନେବା ବେଳେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ୪୭ ବର୍ଷିୟ ରାହୁଲ ୧୩୨ ବର୍ଷର କଂଗ୍ରେସ ପାର୍ଟିର ୪୯ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ନୂଆ ସଭାପତି ଭାବେ ଦାୟିତ୍ୱ ନେବା ବେଳେ ରାହୁଲ କଂଗ୍ରେସ କର୍ମକର୍ତ୍ତାଙ୍କ ଉଦବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ବିଜେପିକୁ ନିଶାନା କରିଛନ୍ତି।

ରାହୁଲ କହିଛନ୍ତି, “କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରାଯିବ। ପୁରୁଖା ଏବଂ ଯୁବନେତାଙ୍କୁ ନେଇ ପାର୍ଟିକୁ ମଜବୁତ କରାଯିବ। ବିଜେପି ସାରା ଦେଶରେ ହିଂସା ସୃଷ୍ଟି କରୁଛନ୍ତି। ବିଜେପି ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଛି, ହେଲେ ଆମେ ଯୋଡ଼ିବାକୁ ଉଦ୍ୟମ କରୁଛୁ।”

Comment