ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଅନ୍ଧବିଶ୍ୱାସ ସମାଜରୁ ଦୂର ହୋଇନି। ଶିକ୍ଷା ଓ ସଚେତନତା ଅଭାବରୁ  ବସାବାନ୍ଧି ବସିଛି କୁସଂସ୍କାର ଓ ଅନ୍ଧବିଶ୍ୱାସ। ଡାହାଣୀ ସନ୍ଦେହରେ ସମ୍ପର୍କୀୟ ପିଉସୀଙ୍କୁ ହତ୍ୟା କରିବା ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଦାମପୁର ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ୍ ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଲୁହା ରଡ୍ ମଧ୍ୟ ପୋଲିସ୍ ଜବତ କରିଛି।

ଯୋଡା ବ୍ଲକ କଣ୍ଡରା ପଞ୍ଚାୟତ ଦାମପୁର ଗାଁର ଜଗନ୍ନାଥ ମୁଣ୍ଡା (୨୨)କୁ ମୁନି ମୁଣ୍ଡାଙ୍କ ଏକ ବର୍ଷର ପୁଅର ଦେହ ବାରମ୍ବାର ଅସୁସ୍ଥ ହେଉଥିଲା। ଏହି ଦମ୍ପତି ପୁଅକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆଙ୍କ ପରାମର୍ଶ ନେଇଥିଲେ। ଦାମପୁରରେ ରହୁଥିବା ଏହି ଦମ୍ପତିଙ୍କ ସମ୍ପର୍କୀୟ ପିଉସୀ ଯଶୋମତୀ ମୁଣ୍ଡା (୪୦)ଗୁଣିଗାରେଡି କରୁଥିବାରୁ ପୁଅର ଦେହ ଖରାପ ହେଉଥିବା ବିଶ୍ୱାସ କରୁଥିଲେ।

ଜଗନ୍ନାଥ ଓ ତାଙ୍କ ସ୍ତ୍ରୀ ମୁନି ପିଉସୀ ଯଶୋମତୀଙ୍କୁ ଗୁଣିଗାରେଡି ସମ୍ପର୍କରେ ପଚାରିଥିଲେ। ଯଶୋମତୀ ଅଭିଯୋଗକୁ ସ୍ୱୀକାର କରିନଥିଲେ। ପରେ ତିନିହେଁ ଯାଇଥିଲେ ଗୁଣିଆଙ୍କ ପାଖକୁ। ଗୁଣିଆ ଜଣକ ସମସ୍ତଙ୍କ ସମ୍ମୁଖରେ ଯଶୋମତୀଙ୍କ ନାମ ନେଇଥିଲେ। ଉତ୍ତ୍ୟକ୍ତ  ହୋଇ ପଡ଼ିଥିଲେ ଜଗନ୍ନାଥ ଓ ତାଙ୍କ ସ୍ତ୍ରୀ ମୁନି। ନୂଆବର୍ଷରେ ଦାମପୁର ଗ୍ରାମବାସୀ ଭୋଜିଭାତରେ ମସଗୁଲ୍ ଥିଲାବେଳେ ଯଶୋମତୀଙ୍କୁ ଧାନ ଖଳାରେ ଏକୁଟିଆ ପାଇ ଏକ ଲୁହାରଡରେ ପିଟି ପିଟି ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି।

Comment