ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ହିସାବ ଅନୁଯାୟୀ ପ୍ରତି ୩ଦିନରେ ଗୋଟିଏ ବାଘ ମୃତ୍ୟୁମୁଖରେ ପଡ଼ୁଛି। ଗତ ୨ବର୍ଷ ଧରି ଭାରତରେ ବାଘ ମୃତ୍ୟୁ ସଂଖ୍ୟା ବାର୍ଷିକ ୧୦୦ ଟପିଯାଇଛି। ଏହା ଏବେ ଚିନ୍ତାର କାରଣ।
ପରିସଂଖ୍ୟାନ ଅନୁଯାୟୀ ଏବେ ଭାରତରେ ବାଘ ସଂଖ୍ୟା ହେଉଛି ୨,୨୨୬। ଦେଶର ବିଭିନ୍ନ ସ୍ଥାନରେ ୨୦୧୭ରେ ୯୮ଟି ବାଘର ମୃତ ଦେହ ମିଳିଥିଲା। ସେହିପରି ୧୭ଟି ଘଟଣାରେ ବାଘ ମୃତ ଦେହର କିଛି ଅଂଶ ଠାବ କରାଯାଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଦୁଇଟି ସଂଖ୍ୟାକୁ ମିଶାଇ ୨୦୧୭ରେ ମୋଟ୍ ବାଘ ମୃତ୍ୟୁ ସଂଖ୍ୟା ୧୧୫ ବୋଲି ହିସାବ କରାଯାଇଛି।
ଭାରତରେ ବାଘ ମୃତ୍ୟୁ କ୍ଷେତ୍ରରେ ସବୁଠୁ ଉପରେ ଅଛି ମଧ୍ୟପ୍ରଦେଶ। ୨୦୧୭ରେ ସେଠାରେ ୩୦ଟି ବାଘ ମୃତ୍ୟୁବରଣ କରିଛନ୍ତି। ସେହି ହିସାବ ଅନୁଯାୟୀ ଏହି ସଂଖ୍ୟା ମହାରାଷ୍ଟ୍ରରେ ୨୫, ଆସାମରେ ୧୭, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ପ୍ରତ୍ୟେକରେ ୧୬, ତାମିଲନାଡ଼ୁରେ ୩, କେରଳ ଓ ଛତିଶଗଡ଼ ପ୍ରତ୍ୟେକରେ ୨ ରହିଛି। ବାଘ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ସବୁଠାରୁ ତଳେ ରହିଛନ୍ତି ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶ। ଏହି ରାଜ୍ୟଗୁଡ଼ିକରେ ୨୦୧୭ରେ ଗୋଟିଏ ଲେଖାଁଏ ବାଘ ମୃତ୍ୟୁ ରେକର୍ଡ ହୋଇଛି।
ଆମ ଦେଶରେ ବାଘ ମୃତ୍ୟୁର ମୁଖ୍ୟ କାରଣ ହେଉଛି ଶିକାର। ବିଷ ଦେଇ ହେଉ କିମ୍ବା ଗୁଳି କରି, ଶିକାରୀମାନେ ବାଘ ନଖ, ଛାଲ ଓ ଶରୀରର ଅନ୍ୟ ଅଂଶ ପାଇଁ ଏହି ଜୀବଟିକୁ ଖତମ୍ କରିବାକୁ ପଛାଉ ନାହାନ୍ତି। ସେହିପରି ମଣିଷ ସହ ସଂଘର୍ଷ ଏବଂ ସ୍ଵାଭାବିକ ମୃତ୍ୟୁ କାରଣରୁ ଭାରତରେ ବାଘ ସଂଖ୍ୟା ହ୍ରାସ ପାଇବାର ଅନ୍ୟ କାରଣ।
୨୦୧୭ରେ ଯେଉଁ ୧୧୫ ବାଘ ମୃତ୍ୟୁ ରେକର୍ଡ କରାଯାଇଛି, ତା’ ଭିତରେ ୬୧ଟି ଘଟଣା ଘଟିଛି ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳରେ। ଏହା ସବୁଠାରୁ ଅଧିକ ଚିନ୍ତାର କାରଣ।
୨୦୧୬ ଥିଲା ବାଘ ମୃତ୍ୟୁ ପାଇଁ ଏକ କଳା ବର୍ଷ। ଏହି ବର୍ଷ ୧୨୨ଟି ବାଘ ମରିଥିବା ହିସାବ କରାଯାଇଛି। ୨୦୧୫ରେ ଭାରତରେ ବାଘ ମୃତ୍ୟୁ ସଂଖ୍ୟା ଥିଲା ୮୦।
ଭାରତ ହେଉଛି ବିଶ୍ଵର ସର୍ବାଧିକ ବାଘ ଥିବା ଦେଶ। ୨୦୧୫ ବାଘ ଗଣନା ଅନୁଯାୟୀ ଆମ ଦେଶରେ ବାଘ ସଂଖ୍ୟା ସେତେବେଳେ ଥିଲା ୨,୨୨୬। ୨୦୧୦ରେ ଏହା ୧,୭୦୬ ଏବଂ ୨୦୦୬ରେ ଏହି ସଂଖ୍ୟା ୧,୪୧୧ ରହିଥିଲା।
“ବାଘର ଜୀବନ ସାଧାରଣତଃ ୧୫ରୁ ୧୭ ବର୍ଷ। ଏହା ପରେ ସେ ଶିକାର କରିବାକୁ ଆଉ ସକ୍ଷମ ହୁଏ ନାହିଁ। ଚିଡ଼ିଆଖାନାରେ ଥିବା ବାଘ ୨୦-୨୨ ବର୍ଷ ବଞ୍ଚି ଯାଇପାରନ୍ତି। କିନ୍ତୁ ଜଙ୍ଗଲରେ ବାଘ ଶିକାର ବିନା ବେଶୀ ଦିନ ବଞ୍ଚିପାରିବ ନାହିଁ। ତେଣୁ ବାଘର ସ୍ଵାଭାବିକ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟାର ଏକ ବଡ଼ ଭାଗ ହେବ ନିଶ୍ଚୟ’’, ଓଡ଼ିଶାଲାଇଭକୁ କହିଛନ୍ତି ଡେପୁଟି କନଜରଭେଟର ଅଫ୍ ଫରେଷ୍ଟ (ଡିସିଏଫ୍) କମଳ ଲୋଚନ ପୁରୋହିତ।
“ବନ୍ୟପ୍ରାଣୀ ସଂରକ୍ଷଣ ଆଇନ କଡ଼ାକଡ଼ି ହେବା ଫଳରେ ଆମ ଦେଶରେ ଶିକାର ସଂଖ୍ୟା ମଧ୍ୟ ଢେର କମିଯାଇଛି। ତେବେ ବିଭିନ୍ନ ବାଘ ମୃତ୍ୟୁ ଘଟଣାର ସମୀକ୍ଷା କଲେ ଜଣାଯିବ ଯେ, ଅସଲରେ କେଉଁ କ୍ଷେତ୍ରରେ ବାଘ ମୃତ୍ୟୁର ମୁଖ୍ୟ କାରଣ ହେଉଛି ମଣିଷ। ଏଭଳି ଘଟଣାକୁ ନିୟନ୍ତ୍ରଣ କରିବାକୁ ହେବ’’, ପରାମର୍ଶ ଦିଅନ୍ତି ବରିଷ୍ଠ ଜଙ୍ଗଲ ଅଧିକାରୀ ଶ୍ରୀ ପୁରୋହିତ।
ଆମ ଦେଶରେ ଜନସଂଖ୍ୟା ବୃଦ୍ଧି, ଜାତୀୟ ଓ ରାଜ୍ୟ ରାଜପଥର ସମ୍ପ୍ରସାରଣ ଏବଂ ଅନ୍ୟ ଅନେକ କାରଣରୁ ଜଙ୍ଗଲ ପରିମାଣ କମି କମି ଯାଉଛି। ତେଣୁ ଘଞ୍ଚ ଜଙ୍ଗଲ ଭିତରେ ଓ ନିଜସ୍ଵ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ବାଘ ଭଳି ପ୍ରାଣୀ ଅନେକ ସମୟରେ ବାହାରକୁ ଚାଲିଯାଉଛନ୍ତି। ଯଦିଓ ହାତୀ-ମଣିଷ ଭଳି ପରିସ୍ଥିତି ବାଘ କ୍ଷେତ୍ରରେ ନାହିଁ, ତଥାପି କେତେକ ଜାଗାରେ ମଣିଷ ମୁହଁରେ ପଡ଼ି ବାଘର ଜୀବନ ଯାଉଛି।
ଭାରତରେ ବାଘ ମୃତ୍ୟୁ ବାବଦରେ ଯେଉଁ ପରିସଂଖ୍ୟାନ ଦିଆଯାଉଛି ତାହା ବାସ୍ତବରେ ଅଧିକ ହୋଇପାରେ। କାରଣ ଅତି ଘଞ୍ଚ ଜଙ୍ଗଲ ଭିତରେ କେଉଁଠି କେତେବେଳେ କେଉଁ ବାଘ ମରିପଡ଼ିଛି ତାହା ଦେଖିବା ବନ କର୍ମଚାରୀଙ୍କ ପକ୍ଷରେ ସମ୍ଭବ ନୁହେଁ।


















