ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜାତୀୟ ଭେଷଜ ଆୟୋଗ (ଏନ୍ଏମ୍‌ସି ବିଲ୍ -୨୦୧୭) ସଂସଦରେ ଆଗତ ପରେ ଷ୍ଟାଣ୍ଡିଂ କମିଟିକୁ କେନ୍ଦ୍ର ସରକାର ପଠାଇ ଦେଇଛନ୍ତି। ଏହି ବିଲକୁ ନେଇ ଭାରତୀୟ ମେଡିକାଲ୍ ସଂଘ (ଆଇଏମ୍ଏ) ଚଳାଇଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି। ଏହି ବିଲ୍‌କୁ ବିରୋଧ କରି ଆଇଏମ୍ଏ ଦେଶ ବ୍ୟାପୀ ଆନ୍ଦୋଳନ ଚଳାଇବାରୁ ରୋଗୀ ସେବା ପ୍ରଭାବିତ ହୋଇଥିଲା।

ଆଇଏମ୍ଏର ବିରୋଧ ସତ୍ତ୍ୱେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରସାଦ ନଡ୍ଡା ଏହି ବିଲ୍ ଲୋକସଭାରେ  ଆଗତ କରିଥିଲେ। ଏହି ବିଲ୍ ଉପରେ ଅଧିକ ବିଚାରବିମର୍ଶର ଆବଶ୍ୟକତା ଥିବାରୁ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦେଇଛନ୍ତି। ୨୦୧୮ ବଜେଟ୍ ଅଧିବେଶନ ପୂର୍ବରୁ ରିପୋର୍ଟ ପ୍ରଦାନ ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନଏମ୍ସି ବିଲ୍‌ର ବିଶେଷତ୍ୱ

ଭାରତୀୟ ଭେଷଜ ପରିଷଦ (ଏମ୍‌ସିଆଇ) ପରିବର୍ତ୍ତେ ଏନ୍ଏମ୍ସି ପ୍ରତିଷ୍ଠା। ଏଥିରେ ୨୫ ଜଣ ସଦସ୍ୟ ରହିବେ। ଭାରତୀୟ ଭେଷଜ ଗବେଷଣା ପରିଷଦ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପ୍ରତିନିଧିଙ୍କୁ ସାମିଲ୍ କରାଯିବ।

ଏନ୍ଏମ୍‌ସିର ପ୍ରତିନିଧି ଓ ସାମୟିକ ସଦସ୍ୟ ନିଯୁକ୍ତି ପାଇଁ ଏକ କମିଟି କେନ୍ଦ୍ର ସରକାରଙ୍କୁ ନାମ ସୁପାରିଶ କରିବେ। ଏହାର କାର୍ଯ୍ୟକାଳ ସର୍ବାଧିକ ୪ବର୍ଷ। କାର୍ଯ୍ୟକାଳକୁ ବୃଦ୍ଧି କରାଯାଇପାରିବ ନାହିଁ।

ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁନର୍ବାର ଦିଆଯାଇପାରିବ ନାହିଁ। ଏଥିରେ ସ୍ନାତକ ଭେଷଜ ଶିକ୍ଷାବୋର୍ଡ, ସ୍ନାତକୋତ୍ତର ଶିକ୍ଷା ବୋର୍ଡ, ମେଡିକାଲ୍ ମାନ୍ୟତା ପ୍ରଦାନ ଓ ମୂଲ୍ୟାଙ୍କନ ବୋର୍ଡ ଏବଂ ପଞ୍ଜିକରଣ ବୋର୍ଡ ଭଳି ୪ଟି ସ୍ୱୟଂଚାଳିତ ବୋର୍ଡ ରହିବ।

ଡାକ୍ତରୀ ପଢ଼ିବା ପାଇଁ ସାଧାରଣ ପରୀକ୍ଷା ହେବ। ଡିଗ୍ରୀ ହାସଲ ପରେ ଅଭ୍ୟାସ ଲାଗି ଛାତ୍ରଛାତ୍ରୀ ଲାଇସେନ୍ସ ପାଇବା ପାଇଁ ଆଉ ଏକ ପରୀକ୍ଷା ଦେବେ। ଏହି ପରୀକ୍ଷାର ଫଳ ଅନୁଯାୟୀ ସେମାନଙ୍କୁ ଅଧିକ ପାଠ ପଢ଼ିବା ପାଇଁ  ସୁଯୋଗ ଦିଆଯିବ।

Comment