ଓଡ଼ିଶାଲାଇଭ୍ ବ୍ୟୁରୋ

- ଡାକ୍ତର ରବୀନ୍ଦ୍ର ଜେନା ନିଲମ୍ବିତ
- ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠନ ପାଇଁ ଏମ୍ସ ଅମଙ୍ଗ
- ସ୍ୱାସ୍ଥ୍ୟ ବିଭାଗ ନେଲା ଦାୟିତ୍ୱ
କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ୍ (ଏସ୍ସିବି)ର ହେମାଟୋଲେଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ବିନା ଅନୁମତିରେ ବିଦେଶ ଭ୍ରମଣ ମହଙ୍ଗା ପଡ଼ିଛି। ବହୁ ରାଷ୍ଟ୍ରୀୟ ଔଷଧ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସେ ବିଦେଶ ବୁଲିଥିଲେ। ସେତିକି ନୁହେଁ ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠିର ଦୁରୁପଯୋଗ ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ଆସିଛି। ଏହି ତିନି କାରଣ ଯୋଗୁଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୁପାରିଶକ୍ରମେ ସରକାର ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ଏସ୍ସିବିର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଧା ସେଠୀଙ୍କୁ ନିଲମ୍ବନ କରାଯାଇଛି। ମାସକ ମଧ୍ୟରେ ଏହି ଦୁଇ ଡାକ୍ତରଙ୍କୁ ମିଶାଇ ୫ ଜଣ ନିଲମ୍ବିତ ହୋଇଛନ୍ତି।
ଡାକ୍ତର ଜେନାଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେ ଶକ ଦେବାଶିଷ ପାଣିଗ୍ରାହୀ ଚିଠି ଲେଖିଛନ୍ତି। ଏମ୍ସର ଏକ ତଦନ୍ତକାରୀ ଟିମ୍ ପଠାଇବା ପାଇଁ ଶ୍ରୀ ପାଣିଗ୍ରାହୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।
ଶ୍ରୀ ପାଣିଗ୍ରାହୀଙ୍କ ଚିଠି ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏହି ମାମଲାର ସମସ୍ତ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇବାକୁ ଏମ୍ସକୁ ସୁପାରିଶ୍ କରିଥିଲେ। କିନ୍ତୁ ଏମ୍ସ କର୍ତ୍ତୃପକ୍ଷ ଏଥିରେ ରାଜି ହୋଇନାହାନ୍ତି। ଡାକ୍ତର ଅଭାବ ଦର୍ଶାଇ ସ୍ୱତନ୍ତ୍ର ଟିମ୍ ପଠାଇ ପାରିବେ ନାହିଁ ବୋଲି ଏମ୍ସ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦେଇଛନ୍ତି। ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବେ ତତ୍ପର ହୋଇଉଠିଛି। ଏହି ଟିମ୍ ବହୁ ରାଷ୍ଟ୍ରୀୟ କମ୍ପାନୀ ଡାକ୍ତର ଜେନାଙ୍କୁ ଦେଇଥିବା ସହାୟତା ସମ୍ପର୍କରେ ତଦନ୍ତ କରିବେ।


















