ଓଡ଼ିଶାଲାଇଭ୍‍ ବ୍ୟୁରୋ

ଉଚ୍ଚ ଦରମାରେ ଚାକିରି କରି ମଧ୍ୟ ସରକାରୀ ବାବୁଙ୍କ ଲାଞ୍ଚ ମୋହ ତୁଟିନି। ମାତ୍ର ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଓମ୍‌ପ୍ରକାଶ ରଣା।

କୋରାପୁଟ୍ ଭିଜିଲାନ୍ସ ଥାନାରେ ଶ୍ରୀ ରଣାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ରାୟଗଡ଼ା ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ସୌର ସିଂହପୁର ଗାଁର ଲିଙ୍ଗରାଜ ପଣ୍ଡା ମାଛ ଚାଷ ପାଇଁ ଏକ ପୋଖରୀ ଖୋଳିଥିଲେ। ସବ୍‌ସିଡ଼ି ଅର୍ଥ ବାବଦରେ ୨ ଲକ୍ଷ ଟଙ୍କା ଶ୍ରୀ ପଣ୍ଡାଙ୍କୁ ଦେବା ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ରଣା ୫ ହଜାର ଟଙ୍କା ଦାବି କରିଥିଲେ।

ଏ ସମ୍ପର୍କରେ ହିତାଧିକାରୀ ଶ୍ରୀ ପଣ୍ଡା ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ। ଲାଞ୍ଚ ଟଙ୍କା ଦେବାକୁ ହିତାଧିକାରୀ ଶ୍ରୀ ପଣ୍ଡା ପହଞ୍ଚିଥିଲେ ମତ୍ସ୍ୟ ଅଧିକାରୀ ଶ୍ରୀ ରଣାଙ୍କ ନିକଟରେ। ଏକ ଖାମ୍ ଭିତରେ ଟଙ୍କା ଭର୍ତ୍ତି କରି ଦେବା ପାଇଁ ଶ୍ରୀ ରଣା ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ମତ୍ସ୍ୟ ଅଧିକାରୀ ଶ୍ରୀ ରଣା ତାଙ୍କ ଅଫିସ୍‌ରେ ହିତାଧିକାରୀଙ୍କଠାରୁ ଟଙ୍କା ଥିବା ଖାମ୍ ନେଇ ପ୍ୟାଣ୍ଟର ଡାହାଣ ପକେଟରେ ରଖିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ।

Comment