ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ରେ କଟକ ପୋଲିସ୍ କରିଥିଲା ୭ଟି ଏନ୍କାଉଣ୍ଟର। ନୂଆବର୍ଷରେ ପ୍ରଥମ ଏନ୍କାଉଣ୍ଟରର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ତ୍ରିଲୋଚନ ନାହକ (ବୁଦ୍ଧିଆ)। ପୋଲିସର ମୋଷ୍ଟ ୱାଣ୍ଟେଡ୍ ଥିବା ବୁଧିଆର ଡାହାଣ ଗୋଡରେ ବାଜିଛି ଗୁଳି। ଏସ୍ଆଇ କେଏସ୍ ବରାଡ କରିଥିଲେ ଏନ୍କାଉଣ୍ଟର। ଗୁରୁତର ବୁଦ୍ଧିଆକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆଠାରୁ ଗୋଟିଏ ମାଉଜର, ଗୋଟିଏ ରିଭଲଭର୍, ୧୦ ଗୁଳି, ୩ ମୋବାଇଲ୍ ସମେତ ବାଇକ୍ ଜବତ କରାଯାଇଛି। ବୁଦ୍ଧିଆ ନାଁରେ ୩୨ଟି ସଙ୍ଗୀନ ଅପରାଧ ମାମଲା ରହିଛି। ବୁଦ୍ଧିଆ କଟକରେ ଏକ ଅପରାଧ ଘଟାଇବା ପାଇଁ ବାଇକ୍ରେ ୧୬ ନମ୍ବର ଜାତୀୟ ରାଜପଥରେ ଆସୁଥିବା ଖବର କଟକ ସଦର ଥାନା ପୋଲିସ୍ ପାଇଥିଲା। ଗୋପାଳପୁର ଟୋଲ୍ଗେଟ୍ ପାଖରେ ପୋଲିସ୍ ତାକୁ ଅଟକାଇବା ପାଇଁ ଉଦ୍ୟମ କରୁଥିବା ବେଳେ ବୁଦ୍ଧିଆ ବାଇକ୍ ଛାଡ଼ି ଦୌଡ଼ିଥିଲା।
ପିଛା କରିଥିଲା ପୋଲିସ୍। ବୁଦ୍ଧିଆ ପୋଲିସ୍ ଉପରକୁ ଚଳାଇଥିଲା ଗୁଳି। ପାଲଟା ଜବାବ ଦେଇଥିଲା ପୋଲିସ୍। ଏସ୍ଆଇ ଶ୍ରୀ ବରାଡଙ୍କ ଗୁଳି ବାଜିଥିଲା ବୁଦ୍ଧିଆର ଡାହାଣଗୋଡ଼ରେ। ଘଟଣାସ୍ଥଳରେ ସେ ପଡ଼ିଯାଇଥିଲା। ପୋଲିସ୍ କହିଛି ବୁଦ୍ଧିଆ ନୟାଗଡ଼ ଥାନା ଉପରକୁ ବୋମା ପକାଇବା ପୋଲିସ୍ ଉପରକୁ ଗୁଳି ଚଳାଇବା ପ୍ରଭୃତି ମାମଲା ତା ନାଁରେ ରହିଛି।


















