ଓଡ଼ିଶାଲାଇଭ୍ ବ୍ୟୁରୋ
ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୪ ବର୍ଷ ଜେଲ୍ରେ ରହିବା ପରେ ସେ ଶୁକ୍ରବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଜଣକ ପରେ ଜଣେ ଅଭିଯୁକ୍ତ ଜେଲ୍ରୁ ମୁକୁଳିଥିବା ବେଳେ ଜମାକାରୀ କିପରି ନ୍ୟାୟ ପାଇବେ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।
ସିସୋର ଚିଟଫଣ୍ଡ ଠକେଇର ଖଳନାୟକ ପ୍ରଶାନ୍ତ ଦାସଙ୍କୁ ମିଳିଛି ଜାମିନ୍। ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ପ୍ରଶାନ୍ତ ଆଜି ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି। ୪ ବର୍ଷ ପରେ ପ୍ରଶାନ୍ତ ଦାଶ ଜେଲରୁ ବାହାରିଛନ୍ତି। ସିସୋର କମ୍ପାନିରେ ଟଙ୍କା ଲଗାଇଥିବା ଜମାକାରୀଙ୍କୁ ଟଙ୍କା ମିଳି ନଥିବା ବେଳେ ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କୁ ଜାମିନ୍ ମିଳିବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲୋକଙ୍କୁ ଠକି ଲୋକଙ୍କ ଟଙ୍କାରେ ସି-ସୋର୍ ସାମ୍ରାଜ୍ୟ ଚଳାଇଥିଲେ ପ୍ରଶାନ୍ତ ଦାଶ। ପାଖାପାଖି ୭୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ପୋଲିସ ଓ କ୍ରାଇମବ୍ରାଞ୍ଚ ଏହି ଠକେଇର ତଦନ୍ତ କରିଥିଲେ। କ୍ରାଇମବ୍ରାଞ୍ଚ ହିଁ ପ୍ରଶାନ୍ତଙ୍କୁ ୨୦୧୩ ଜୁନ୍ ୧୯ ତାରିଖରେ ମୁମ୍ବାଇରୁ ଗିରଫ କରିଥିଲା। ଶେଷରେ ଏହି ଘଟଣାର ତଦନ୍ତ ସିବିଆଇ କରିଥିଲା। ସିବିଆଇ ପ୍ରାରମ୍ଭିକ ଚାର୍ଜସିଟ୍ରେ ୫୪୦ କୋଟି ଠକେଇ ହୋଇଥିବା ଉଲ୍ଲେଖ କରିଛି।
ଏପର୍ଯ୍ୟନ୍ତ ସିସୋର ଠକେଇର ଫାଇନାଲ ଚାର୍ଜସିଟ୍ ଦାଖଲ କରାଯାଇ ନାହିଁ। ଏବେବି ସିବିଆଇ ସିସୋର ଚିଟ୍ଫଣ୍ଡ ଠକେଇର ତଦନ୍ତ ଜାରି ରଖିଛି। ସିବିଆଇ ତଦନ୍ତ ବେଳେ ପ୍ରଶାନ୍ତ ଦାଶଙ୍କର ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଥିବା ଜଣାପଡ଼ିଥିଲା। ୨୦୧୭ ଅଗଷ୍ଟ ମାସରେ କେତେକ ମାମଲାରେ ସର୍ତ୍ତମୂଳକ ଜାମିନ୍ ମିଳିଥିଲା। କିନ୍ତୁ ଅନ୍ୟ ମାମଲାରେ ଜାମିନ୍ ମିଳି ନଥିଲା।
ପ୍ରଶାନ୍ତ ଦାଶଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ୮ଟି ମାମଲା ରହିଥିଲା। ଜୟପୁରରେ ୩ଟି, ନବରଙ୍ଗପୁରରେ ୧ଟି, ଟିଟିଲାଗଡରେ ୧ଟି, ଯାଜପୁରରେ ୧ଟି ମାମଲା ରହିଥିଲା। ଏହାସହ ସିବିଆଇରେ ଏକ ମାମଲା ରହିବା ସହ ଓ୍ବାନ୍ ସିସି ମାମଲା ରହିଥିଲା। ଏସବୁ ମାମଲାର ବିଚାରକୁ ନିଆଯାଇ ପ୍ରଶାନ୍ତଙ୍କୁ ଜାମିନ୍ ମିଳିଛି।
ସିସୋର ଚିଟଫଣ୍ଡ ଠକେଇରେ ପ୍ରଶାନ୍ତ ଦାଶଙ୍କ ସମେତ ତାଙ୍କ ଭାଇ ପ୍ରଭାତ ଦାଶ ଏବଂ ମଧ୍ୟସ୍ଥି ଶୁଭଙ୍କର ନାୟକ ଗିରଫ ହୋଇଥିଲେ। ହେଲେ ସେମାନେ ପୂର୍ବରୁ ଜାମିନ୍ ପାଇ ସାରିଛନ୍ତି। ପ୍ରଶାନ୍ତଙ୍କୁ ଆଜି ମିଳିବା ପରେ ସିସୋର୍ ଠକେଇର ଆଉ କୌଣସି ଅଭିଯୁକ୍ତ ଜେଲ୍ରେ ନାହାନ୍ତି।
ଜଣକ ପରେ ଜଣେ ଅଭିଯୁକ୍ତ ଜେଲରୁ ମୁକୁଳିଥିବାରୁ ଜମାକାରୀଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜେଲ୍ରୁ ମୁକୁଳିବା ପରେ ପ୍ରଶାନ୍ତ କହିଛନ୍ତି ଯେ, “ମୋର କୌଣସି ରାଜନେତାଙ୍କ ସହ ସମ୍ପର୍କ ନଥିଲା କି ଏବେ ନାହିଁ। ଜମାକାରୀଙ୍କ ଟଙ୍କା ଫେରାଯିବ। ଏଥିପାଇଁ ମୁଁ ପଦକ୍ଷେପ ନେବି।”








ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୪ ବର୍ଷ ଜେଲ୍ରେ ରହିବା ପରେ ସେ ଶୁକ୍ରବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଜଣକ ପରେ ଜଣେ ଅଭିଯୁକ୍ତ ଜେଲ୍ରୁ ମୁକୁଳିଥିବା ବେଳେ ଜମାକାରୀ କିପରି ନ୍ୟାୟ ପାଇବେ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।









