ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଚ୍‌ ଡି ଦେବେଗୌଡାଙ୍କ ସରକାର ପତନ ପରେ କଂଗ୍ରେସ ସହ ନୂଆ ବୁଝାମଣା କରି ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଗୁଜରାଲ୍‌। କୁହାଯାଏ ଯେ, ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ପଦରୁ ଦେବେ​‌ଗୌଡ଼ାଙ୍କୁ  ହଟାଇ ଦେଇଥିଲେ ଲାଲୁ।

୧୯୯୭ ଏପ୍ରିଲ୍‌ ୨୭ ତାରିଖ। ସେହି ଦିନର ଏକ ଖବର ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ତାହା ଥିଲା, ନ୍ୟୁଜ ଚ୍ୟାନେଲ୍‌ରେ ସିବିଆଇ ଡାଇରେକ୍ଟର ଯୋଗିନ୍ଦର ସିଂହଙ୍କ ବୟାନ। ସେ ଗଣମାଧ୍ୟମକୁ ଜଣାଇଥିଲେ, ‘ଗୋଚାରା ଦୁର୍ନୀତି ନେଇ ବଡ଼ ପ୍ରମାଣ ସିବିଆଇ ନିକଟରେ ରହିଛି। ସେହି ଆଧାରରେ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ଚାର୍ଜ-ସିଟ୍‌ ଦାଖଲ କରିବାକୁ ଆମେ ପ୍ରସ୍ତୁତ।’

ଏହି ଘଟଣାର ମାତ୍ର ୬ ଦିନ ପୂର୍ବରୁ ୟୁନାଇଟେଡ୍‌ ଫ୍ରଣ୍ଟର ନୂଆ ନେତା ଭାବେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଆଇ.କେ ଗୁଜରାଲ୍‌। ଏଚ୍‌ ଡି ଦେବେଗୌଡ଼ାଙ୍କ ସରକାର ପତନ ପରେ କଂଗ୍ରେସ ସହ ନୂଆ ବୁଝାମଣା କରି ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଗୁଜରାଲ୍‌। କୁହାଯାଏ ଯେ, ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ପଦରୁ ଦେବେ​‌ଗୌଡ଼ାଙ୍କୁ  ହଟାଇ ଦେଇଥିଲେ ଲାଲୁ। ଟଳମଳ ସ୍ଥିତିରେ ରହିଥାଏ କେନ୍ଦ୍ର ସରକାର। ଆଉ ଲାଲୁ ଯାଦବ ସେତେବେଳେ ଜନତା ଦଳର ସବୁଠୁ ପ୍ରଭାବଶାଳୀ ନେତା।

ଟିଭି ସେଟ୍ ନିକଟରେ ଦିନ ତମାମ ଜଗି ବସିଥିବା ଲାଲୁ ଯାଦବ ସିବିଆଇ ଚାର୍ଜ-ସିଟ୍‌ ଖବର ଜାଣିବା ପରେ ଅସ୍ତବ୍ୟସ୍ତ ହୋଇପଡିଲେ। କେବଳ ବ୍ୟସ୍ତ ହୋଇ ପଡିଥିଲେ ତାହା ନୁହେଁ ତାଙ୍କ ରାଗ ମଧ୍ୟ ପଞ୍ଚମକୁ ଉଠିଯାଇଥିଲା। କାରଣ ତାଙ୍କ ସହାୟତା ବିନା କେନ୍ଦ୍ର ସରକାର ଗୋଟିଏ ଦିନ ତିଷ୍ଟିବା କଷ୍ଟକର ବୋଲି ସେ ଭାବୁଥିଲେ। ତାଙ୍କ ନାଁରେ ସିବିଆଇ ଚାର୍ଜ-ସିଟ୍‌ ଦେବାକୁ ଯାଉଛି ଜାଣି ସାଙ୍ଗେ ସାଙ୍ଗେ ଫୋନ ଲଗାଇଲେ ପ୍ରଧାନମନ୍ତ୍ରୀ ଆଇ.କେ ଗୁଜରାଲଙ୍କ ନିକଟକୁ। କ୍ଷୋଭ ଭରା କଣ୍ଠରେ କହିଲେ, ‘ଏ ସବୁ କ’ଣ ହେଉଛି? ଆପଣ ଏସବୁ ବକ୍‌ବାସ୍‌ କାହିଁକି କରାଉଛନ୍ତି। ମୁଁ ଜଣକୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଆପଣଙ୍କୁ ପ୍ରଧାନମନ୍ତ୍ରୀ କରିଥିଲି। ଆପଣ ବି ସେହି କଥା କଲେ!’

ଗୁଜରାଲ ତାଙ୍କର ଅସହାୟତା ସଂପର୍କରେ ବୁଝାଇବାକୁ ଉଦ୍ୟମ କରିଥିଲେ, ହେଲେ ପ୍ରଧାନମନ୍ତ୍ରୀଙ୍କଠାରୁ ପୂରା ଉତ୍ତର ନଶୁଣି ରାଗରେ ଫୋନ କାଟି ଦେଇଥିଲେ ଲାଲୁ।

ଫୋନ ସିନା କାଟି ଦେଇଥିଲେ; ହେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ନେବେ, ସେହି ଚିନ୍ତାରେ ପଡିଯାଇଥିଲେ ଲାଲୁ। ତାଙ୍କ ଭିତରେ ଦ୍ୱନ୍ଦ୍ୱ ଥିଲା, ଚାର୍ଜ-ସିଟ୍ ଦାଖଲ ହେବା ପରେ ସେ କ’ଣ କରିବେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନା’ ନାହିଁ, ଏହି ଚିନ୍ତା ତାଙ୍କୁ ଘାରିଥିଲା।

ପ୍ରଧାନମନ୍ତ୍ରୀଙ୍କ ସହ ଫୋନ କଲ୍ ଅଧାରୁ କାଟିବା ପରେ ଦିଲ୍ଲୀରେ ଥିବା ବରିଷ୍ଠ ନେତା ଚନ୍ଦ୍ରଶେଖରଙ୍କୁ ସେ ଫୋନ ଲଗାଇଥିଲେ। ସେହି ଦିନ ରାତିରେ ୟୁନାଇଟେଡ୍‌ ଫ୍ରଣ୍ଟ୍‌ର ସବୁ ନେତାଙ୍କ ସହ ସେ ଯୋଗାଯୋଗ କରିଥିଲେ। ଚନ୍ଦ୍ରବାବୁ ନାଇଡୁ, ଜ୍ୟୋତି ବସୁ, ଇନ୍ଦ୍ରଜିତ୍‌ ଗୁପ୍ତା, ଶରଦ ଯାଦବ ଆଦି ନେତା ଗୋଟିଏ ପରାମର୍ଶ ଦେଇଥିଲେ ଯେ ଚାର୍ଜସିଟ୍‌ ଦାୟର ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିଯିବାକୁ ପଡିବ। ତେବେ ଏହି ପରାମର୍ଶକୁ ଗ୍ରହଣ କରିପାରିନଥିଲେ ଲାଲୁ।

ପରଦିନ ସକାଳେ କାଉଣ୍ଟର ଆଟାକ୍‌ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ଲାଲୁପ୍ରସାଦ ଯାଦବ। ଏକ ଷ୍ଟେଟ୍‌ମେଣ୍ଟ୍‌ ଜାରି କରି ସେ କହିଲେ, ‘ ମୋ ବିରୋଧରେ ସିବିଆଇର ଚାର୍ଜ-ସିଟ୍‌ ଦାଖଲ ନିଷ୍ପତ୍ତି ଉଦ୍ଦେଶ୍ୟ ପ୍ରଣୋଦିତ ଓ ଦୁର୍ଭାବନାପୂର୍ଣ୍ଣ। ମାତ୍ର ଦୁଇ ଦିନ ତଳେ ପାଟନା ହାଇକୋର୍ଟ ମୋ ବିରୋଧରେ ଥିବା ପ୍ରମାଣଗୁଡ଼ିକର ସମୀକ୍ଷା ପାଇଁ ଅଧିକ ସମୟ ଆବଶ୍ୟକ କହିଥିବାବେଳେ ସେମାନେ ହଠାତ୍‌ ଚାର୍ଜ-ସିଟ୍ ଦାଖଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ମୁଁ ଗ୍ରହଣ କରୁନାହିଁ। କୌଣସି ପରିସ୍ଥିତିରେ ମୁଁ ଇସ୍ତଫା ଦେବି ନାହିଁ। ବିହାରବାସୀ ମୋତେ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ସିବିଆଇ ମୋ ଅଧିକାରକୁ ଛଡାଇ ନେଇପାରିବନାହିଁ।’

ଲାଲୁଙ୍କ ଏପରି ଆକ୍ରମଣାତ୍ମକ ବୟାନ ପରେ ଉଭୟ ୟୁନାଇଟେଡ୍ ଫ୍ରଣ୍ଟ ଓ ଗୁଜରାଲଙ୍କ ସରକାରଙ୍କ ଉପରେ ଘନେଇ ଆସିଥିଲା ସଙ୍କଟ।

ଗୋଖାଦ୍ୟ ଦୁର୍ନୀତିରୁ ନିଜକୁ ଖସାଇ ଦେବାକୁ ଜୋରଦାର ଉଦ୍ୟମ କରିଥିଲେ ଲାଲୁ। କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲେ। ମାତ୍ର ସିବିଆଇକୁ ଚାର୍ଜ-ସିଟ୍‌ ଦାଖଲରୁ ଅଟକାଇ ପାରିନଥିଲେ। ଲାଲ ଚାହୁଁଥିଲେ, କେନ୍ଦ୍ର ସରକାର ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ। କାରଣ ତାହା ହେଲେ ଜନତା ଦଳକୁ ବିଭାଜିତ କରି କେନ୍ଦ୍ର ସରକାରଙ୍କୁ ଚାପ ଭିତରେ ରଖିବା ସହଜ ହେବ ବୋଲି ସେ ଭାବୁଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ଆଇ.କେ ଗୁଜରାଲ ତାହା ମଧ୍ୟ କରିନଥିଲେ।

ଲାଲୁଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇନଥିଲେ ମଧ୍ୟ ଦୁର୍ନୀତିର ଛିଟା ଲାଗି ତାଙ୍କର ଛବି ଖରାପ ହେବାରେ ଲାଗିଲା। ବିଶେଷକରି ଲାଲୁଙ୍କ ବିରୋଧୀ ଭାବେ ଜଣାଶୁଣା ଏଚ୍‌.ଡି ଦେବେଗୌଡ଼ା ଓ କମ୍ୟୁନିଷ୍ଟ ଦଳର ନେତାମାନେ ତାଙ୍କଠାରୁ ଦୂରେଇ ଯିବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରବର୍ତ୍ତାଇଲେ।

୧୯୯୭ ଜୁନ ୧୭ ତାରିଖରେ ତତ୍କାଳୀନ ବିହାର ଗଭର୍ନର ଏ.ଆର୍‌ କିଦ୍‌ୱାଇ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାର୍ଜ-ସିଟ୍‌ ଦାଖଲ ପାଇଁ ଅନୁମତି ଦେଲେ। ଏହାର ଏକ ସପ୍ତାହ ପରେ ଲାଲୁପ୍ରସାଦ ଯାଦବ ଏବଂ ଅନ୍ୟ ୫୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ।

ଏହାପରେ ବି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଲେ ଲାଲୁପ୍ରସାଦ ଯାଦବ। ମାତ୍ର ସେପଟେ ତାଙ୍କ ନିଜ ଦଳରୁ ଅର୍ଥାତ୍‌ ଜନତା ଦଳର ନେତା ରାମବିଳାସ ପାଶୱାନ ଓ ଶରଦ ଯାଦବ ଆଦି ଲାଲୁଙ୍କ ଇସ୍ତଫା ଦାବି କଲେ। ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ତୀବ୍ର ହେବାରେ ଲାଗିଲା।

ଶେଷରେ ପ୍ରଧାନମନ୍ତ୍ରୀ ଗୁଜରାଲଙ୍କୁ ଲାଲୁ ପ୍ରସ୍ତାବ ଦେଲେ ଯେ, ସେ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବେ, ମାତ୍ର ଜନତା ଦଳର ସଭାପତି ଭାବେ କାର୍ଯ୍ୟ କରିବେ। ଫଳରେ ତାଙ୍କର ସମ୍ମାନ ରହିଯିବ ବୋଲି ସେ ଯୁକ୍ତି ବାଢିଲେ। ମାତ୍ର ଏହି ଯୁକ୍ତିକୁ କେହି ଗ୍ରହଣ କଲେନାହିଁ। କାରଣ ସମସ୍ତେ ଜାଣିଥିଲେ ଯେ, ଲାଲୁ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ହିଁ ପଡ଼ିବ। ତେଣୁ ତାଙ୍କୁ ଜନତା ଦଳର ସଭାପତି କଲେ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ।

୧୯୯୭ ମସିହା ଜୁଲାଇ ୫ ତାରିଖ ଦିନ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ଗଠନ କଲେ ଲାଲୁପ୍ରସାଦ ଯାଦବ। ନିଜେ ହେଲେ ଏହାର ଅଧ୍ୟକ୍ଷ। ୨୨ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ତାଙ୍କୁ ସମର୍ଥନ କରିଥିଲେ ୧୮ ଜଣ। ରାଜ୍ୟସଭାର ୬ ଜଣ ସାଂସଦ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଲେ।

ଲାଲୁଙ୍କ ନୂଆ ଦଳ ୟୁନାଇଟେଡ୍ ଫ୍ରଣ୍ଟରେ ନଥିଲେ ବି ଗୁଜରାଲଙ୍କ ସରକାରରେ ତାଙ୍କ ଦଳର ସାଂସଦ ମନ୍ତ୍ରୀ ପଦରେ ରହିଥିଲେ। କୁହାଯାଏ, ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ ସହ ଲାଲୁଙ୍କ ବ୍ୟକ୍ତିଗତ ବନ୍ଧୁତା ଅତି ଘନିଷ୍ଠ ଥିଲା। ତେଣୁ ଅନେକ ସମୟରେ ଲାଲୁଙ୍କ ଉପରେ ତାଙ୍କର ନରମ ମନୋଭାବ ଦେଖିବାକୁ ମିଳୁଥିଲା। ତେବେ ସେ ତାଙ୍କ ବନ୍ଧୁଙ୍କୁ ସିବିଆଇ ବିପଦରୁ ରକ୍ଷା କରିବା ପାଇଁ କିଛି କରିନଥିଲେ। ଏକଥା ମଧ୍ୟ ସତ ଯେ ଗୁଜରାଲ କେବେ ବି କଠୋର ପଦକ୍ଷେପ ନେଇନଥିଲେ ଲାଲଙ୍କ ବିରୋଧରେ।

ଗୁଜରାଲଙ୍କ ଆଉ ଏକ ନିଷ୍ପତ୍ତି ମଧ୍ୟ ବେଶ ଚର୍ଚ୍ଚାକୁ ଆସିଥିଲା। ଶେଷ ମୁହୂର୍ତ୍ତରେ ଦଳକୁ ଭାଗ ଭାଗ ହେବାରୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ ଗୁଜରାଲ୍‌। ଲାଲୁଙ୍କୁ ଖୁସି କରିବା ସିବିଆଇ ନିର୍ଦ୍ଦେଶକ ପଦରୁ ଯୋଗିନ୍ଦର ସିଂହଙ୍କୁ ହଟାଇ ଦେଇଥିଲେ। ଏଥିପାଇଁ ବଦନାମର ବୋଝ ମୁଣ୍ଡାଇବାକୁ ପଡିଥିଲା ଗୁଜରାଲଙ୍କୁ। ତେବେ ଗୁଜରାଲଙ୍କ ଏହି ଫର୍ମୁଲା କାମ କରିନଥିଲା। ନା’ ସେ ଲାଲଙ୍କୁ ରକ୍ଷା କରିପାରିଥିଲେ, ନା’ ସରକାରକୁ।

ଲାଲୁଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଦଳ ଭିତରେ ଜୋରଦାର ଚାପ ପଡ଼ିଲା। ଯେତେବେଳେ ଲାଲୁଙ୍କୁ ଗିରଫ ହେବାର ସମୟ ପାଖେଇ ଆସିଲା, ସେତେବେଳେ ବିହାରରେ ବ୍ୟାପକ ହିଂସାକାଣ୍ଡ ଭିଆଇବା ପାଇଁ ଲାଲୁଙ୍କ ସମର୍ଥକ ଧମକ ଦେଲେ। ପାଟନା ରାଜଭବନକୁ ଘେରାଉ କଲେ ଲାଲୁଙ୍କ ଉତ୍ତ୍ୟକ୍ତ ସମର୍ଥକ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଫୋନ କଲେ ରାଜ୍ୟପାଳ କିଦ୍‌ୱାଇ।

ଏହାପରେ ଗୁଜରାଲଙ୍କ ନିକଟରେ ଆଉ କିଛି ଚାରା ନଥିଲା। ଲାଲୁଙ୍କୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଗଲା। କାରଣ ଜଣାଇ ଦିଆଗଲା ଯେ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ।

Comment