ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ତିନି ବର୍ଷର ଶିଶୁକୁ ଅଙ୍ଗନୱାଡ଼ି ଦିଦି ତାଲା ପକାଇ ପଳାଇବା ଘଟଣା ଜଗତ୍ସିଂହପୁର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ଅନ୍ଧାର ଘରେ ବିକଳରେ କାନ୍ଦୁଥିବା ଛୁଆକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ବାଗସାହି ୨ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଘଟିଛି ଏହି ଅଭାବନୀୟ ଘଟଣା। ଚନ୍ଦନ ବେହେରାଙ୍କ ପୁଅ ଶାଶ୍ୱତ ଯାଇଥିଲେ ଅଙ୍ଗନୱାଡ଼ି କେନ୍ଦ୍ରକୁ। ମଧ୍ୟାହ୍ନ ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଟୁନି ଦେଇଙ୍କୁ ମଧ୍ୟ ପଚାରିଥିଲେ। ମାତ୍ର ଟୁନି କହିଥିଲେ ଶାଶ୍ୱତ ସହାୟିକାଙ୍କ ସହ ଯାଇଛନ୍ତି। ୩ ବର୍ଷର ପୁଅକୁ ନପାଇ ବାପା ଚନ୍ଦନ ବ୍ୟତିବ୍ୟସ୍ତ ହୋଇ ସହାୟିକା କନକଲତା ମଣ୍ଡଳଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ବନ୍ଦ କୋଠରୀର ଅନ୍ଧାର ଭିତରେ ଜଣେ ଶିଶୁର କରୁଣ କ୍ରନ୍ଦନ ଶୁଣି ଗ୍ରାମବାସୀ ଜମା ହୋଇଯାଇଥିଲେ। ଏହି ସମୟରେ ପହଞ୍ଚିଥିଲେ ଚନ୍ଦନ। ସେତେବେଳକୁ ଗ୍ରାମବାସୀ ଶାଶ୍ୱତଙ୍କୁ ଉଦ୍ଧାର କରିସାରିଥିଲେ। ଅଙ୍ଗନୱାଡ଼ି ଦିଦି ଓ ସହାୟିକାଙ୍କ ଦାୟିତ୍ୱହୀନତାକୁ ଦାୟୀ କରି ତାତିଥିଲେ ଗ୍ରାମବାସୀ।
ପରେ ସେମାନେ ଜଗତ୍ସିଂହପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦଶେରେ ଜିଲ୍ଳା ସମାଜମଙ୍ଗଳ ଅଧିକାରିଣୀ (ଡିଏସ୍ଡବ୍ଲୁଓ) ଭାଗ୍ୟସରିତା ବିଜୟାନନ୍ଦ ବାଗ୍, ପ୍ରୋଗ୍ରାମ୍ ଅଫିସର ସ୍ବର୍ଣ୍ଣଲତା ମହାପାତ୍ର ଓ ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ବାଗସାହିରେ ପହଞ୍ଚି ତଦନ୍ତ କରିଥିଲେ।


















