ନୀଳାମ୍ବର ରଥ

ଆଜି ଆଧୁନିକ ଜୀବନଧାରା ପାଇଁ ଏକ ବଡ଼ ଆହ୍ୱାନ ହୋଇଛି ମଣିଷର ଜୀବନ ଓ ଧନର ନିରାପତ୍ତା। ଏହି ନିରାପତ୍ତା ମଧ୍ୟରେ ଅଗ୍ନି-ନିରାପତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ଦୁର୍ଭାଗ୍ୟର କଥା ଏହା କେବେ ଆମ ଆଜେଣ୍ଡାରେ ନଥିଲା କି ଆଜିବି ନାହିଁ।

ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ଏକ ଭୟାବହ ବିଷୟ। ଏହା ଆଖି ପିଛୁଳାକେ ଜୀବନ ଓ ଧନ ପୋଛିନିଏ। ଖାଲି ଦୁର୍ଭାଗ୍ୟର କଥା ଯେ ଆନୁଷ୍ଠାନିକ ପରିସର ବା ଘରୋଇ ଜୀବନରେ ଓଡ଼ିଶାରେ ଆମ୍ଭେମାନେ ସେ ବାବଦରେ ଆଦୌ ସଚେତନ ନୋହୁଁ। ଏ କଥା କାହାକୁ ଅଡୁଆ ଲାଗିପାରେ। ହେଲେ ଶତକଡ଼ା ୯୦ ଘଟଣାରେ ଏହା ସତ ବୋଲି ପ୍ରମାଣିତ ହୋଇପାରେ।

ଟ୍ରେନରେ ନିଆଁ, ମଲ୍‌ରେ ନିଆଁ, ଏପରିକି ଡାକ୍ତରଖାନାରେ ନିଆଁ। ଏହି ନିଆଁର କବଳରୁ କେହି ଖସି ଯାଇପାରିବେ ନାହିଁ। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏଭଳି ସର୍ବସାଧାରଣ ସ୍ଥାନରେ ଘଟୁଥିବା ଅଗ୍ନିକାଣ୍ଡ ପଛରେ ଅଧିକାଂଶ ସମୟରେ ମଣିଷର ହାତ ରହିଥାଏ। ଏହି ମଣିଷକୃତ ଅଗ୍ନିକାଣ୍ଡକୁ ଆମେ ଦୁର୍ଘଟଣା ବୋଲି କହି ସାଧାରଣତଃ ନିଜର ଦୋଷ ଝାଡ଼ିଦେଉ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଘଟିଥିବା ଗୁରୁତର ଅଗ୍ନିକାଣ୍ଡଗୁଡ଼ିକର କାରଣ ଯଦି ଖୋଜାଯାଏ ତାହା ହେଲେ ତା’ର ଚେର ଯାଇ ପହଞ୍ଚିବ କୌଣସି ନା କୌଣସି ମନୁଷ୍ୟକୃତ ଅବହେଳା ପାଖରେ।

ନୂଆଦିଲ୍ଲୀର ଏକ ସିନେମା ହଲ୍‌ରେ ନିଆଁ ହେଉ କଲିକତାର ଏକ ଘରୋଇ ଡାକ୍ତରଖାନାରେ ନିଆଁ – ସେତେବେଳେ ଏହି ଘଟଣା ସାରା ଦେଶରେ ହଲ୍‌ଚଲ୍ ସୃଷ୍ଟି କରିଥିଲା। ସର୍ବସାଧାରଣ ସ୍ଥାନରେ ଅଗ୍ନିକାଣ୍ଡ ରୋକିବା ପାଇଁ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଅନେକ ଆଲୋଚନା, ତର୍ଜମା ଏବଂ ଆଇନକାନୁନ ପ୍ରସ୍ତୁତ ହୋଇଛି। ହେଲେ ଏବେ ବି ଆମେ ଦୁର୍ଘଟଣା ରୋକିବାରେ ସକ୍ଷମ ହେଉନାହୁଁ। ମୋ ବିଚାରରେ ଏହା ପଛରେ ଥିବା ସବୁଠୁ ବଡ଼ ସମସ୍ୟାଟି ହେଉଛି ବ୍ୟକ୍ତିଗତ ବା ସାଙ୍ଗଠନିକ ଜୀବନରେ ଆମେ ଏ ବାବଦରେ ଯେତିକି ସଚେତନ ହେବା କଥା ସେତିକି ହୋଇପାରୁନାହୁଁ। ଆମେ ଯେ ଚେଷ୍ଟା କରି ଏହି ପରିବେଶ ସୃଷ୍ଟି କରିପାରୁନାହୁଁ ସେ କଥା ମଧ୍ୟ ନୁହେଁ; ବରଂ ଆମ ଭିତରେ ଅଧିକାଂଶଙ୍କ ଆଜେଣ୍ଡାରେ ଏହି ବିଷୟଟି ନାହିଁ।

ଗତବର୍ଷ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଯେଉଁଭଳି ଭାବରେ ଅଗ୍ନିକାଣ୍ଡ ଘଟି ଜୀବନ ଓ ଧନ ନଷ୍ଟ ହେଲା ସେଥିରୁ ପ୍ରମାଣିତ ହେଲା ଯେ ଏଭଳି ଅନୁଷ୍ଠାନ ସୃଷ୍ଟି କରିଥିବା ବ୍ୟକ୍ତି ଏବଂ ସେହିସବୁ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ ସ୍ତରରେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଯେତିକି ଦାୟୀ, ଅଗ୍ନିଜନିତ ଦୁର୍ଘଟଣା ରୋକିବା ପାଇଁ ଥିବା ଆଇନକାନୁନ ଜଗିବାକୁ ଥିବା ସରକାରୀ ଅଧିକାରୀମାନେ ମଧ୍ୟ ସେତିକି ଦାୟୀ। ତୁ ତ ମୁତୁରୀ ମୁଁ ତ ମୁତୁରୀ, ହେଂସ କାହିଁପାଇଁ ଧୋଇବା?

କିଛି ଦିନ ତଳେ ରାଜଧାନୀରେ ଏକ ମଲ୍‌ରେ ଅଗ୍ନିକାଣ୍ଡ ଘଟିବା ଫଳରେ ଆମେମାନେ ପୁଣି ଥରେ ସେ ବିଷୟରେ ହଠାତ୍ ସଚେତନ ହୋଇଉଠିଛୁ। ରାଜ୍ୟରେ ଥିବା ସିଭିଲ୍ ଡିଫେନ୍ସ ବିଭାଗ ପକ୍ଷରୁ ନିକଟରେ ଭୁବନେଶ୍ୱରର କେତେକ ସପିଙ୍ଗ୍ ମଲ, ନର୍ସିଂ ହୋମ୍, ଏବଂ ହୋଟେଲ୍ ଉପରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ବେଳେ ଜଣାପଡ଼ିଛି ଯେ ଅଧିକାଂଶ ବ୍ୟାବସାୟିକ ଅନୁଷ୍ଠାନ ଅଗ୍ନିନିରାପତ୍ତା ନିଶ୍ଚିତ କରିବା ପାଇଁ ଥିବା ଲାଇସେନ୍ସ ନେଇନାହାନ୍ତି କିମ୍ବା ଯେଉଁମାନେ ଲାଇସେନ୍ସ ନେଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଆବଶ୍ୟକ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ପୁଣି କେଉଁଠି ଅଗ୍ନି ନିର୍ବାପକ ସାମଗ୍ରୀ ଥିଲେ ମଧ୍ୟ ତାହା ସଚଳ ଅବସ୍ଥାରେ ନାହିଁ କିମ୍ବା ତା’କୁ ଚଲାଇବାକୁ ଲୋକଙ୍କ ମଧ୍ୟରେ ତାଲିମ୍ ବା ସଚେତନତାର ଅଭାବ। ଚମତ୍କାର!

ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କହିଛନ୍ତି ଯେ ଆଗକୁ ଏହି ଚଢ଼ଉ ଜୋରଦାର ହେବ। ସେହିପରି ଯେଉଁ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଅଗ୍ନି ନିର୍ବାପକ ନିୟମ ମାନୁନାହାନ୍ତି ସେମାନଙ୍କୁ ତୁରନ୍ତ ନୋଟିସ୍ ଦିଆଯିବ। ଯଦି ସେମାନେ ନୋଟିସର ଅବମାନନା କରନ୍ତି ତେବେ ସରକାର ସେହିସବୁ ସର୍ବସାଧାରଣ ସ୍ଥାନକୁ ସିଲ କରିଦେବାକୁ ପଛାଇବେ ନାହିଁ। ଖୁବ୍ ବଢ଼ିଆ! ଖାଲି ଲାଗୁ ହେଲେ ହେଲା।

ଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଗଢ଼ିଉଠିଛି ଶତାଧିକ ଛୋଟ ବଡ଼ ମଲ୍‌। ସେହିପରି ହସ୍ପିଟାଲ୍‌ ଓ ହୋଟେଲ୍ ସଂଖ୍ୟା ମଧ୍ୟ ବଢ଼ିଛି। କେବଳ ସେତିକି ନୁହେଁ ସହରର ବିଭିନ୍ନ ଅଞ୍ଚଳରେ ପୁରୁଣା ଘର ଭଙ୍ଗା ହୋଇ ସେ ଜାଗାରେ ନୂଆ ଆପାର୍ଟମେଣ୍ଟ ଠିଆ ହେବାରେ ଲାଗିଛି। ଯେତିକି ଜାଗାରେ ଆଗେ ଗୋଟିଏ ପରିବାର ଘର କରି ରହୁଥିଲା ସେଇ ଜାଗାରେ ଏବେ ତିନି ଚାରି ମହଲାର ଆପାର୍ଟମେଣ୍ଟ ତିଆରି ହୋଇ ୧୨ରୁ ୧୫ଟି ପରିବାର ବସବାସ କରୁଛନ୍ତି। ସବୁଠି ଚୁଣ୍ଟିଚାଣ୍ଟି ଘର କରାଯାଇଛି। ଘର ଭିତରେ ମଧ୍ୟ ଇଣ୍ଟେରିଅର୍ ଡିଜାଇନ୍‌, ସାଜସଜ୍ଜା ଏବଂ ଆସବାବ ଖୁନ୍ଦିଖାନ୍ଦି ହୋଇ ରହିଛନ୍ତି। ସବୁ ନିଆଁକୁ ଘିଅ!

ମଲ୍ ହେଉ କି ହସ୍ପିଟାଲ୍‌, ହୋଟେଲ୍ ହେଉ କି ଆପାର୍ଟମେଣ୍ଟ, ସବୁ ସର୍ବସାଧାରଣ ଏବଂ ଜନଗହଳିପୂର୍ଣ୍ଣ କ୍ଷେତ୍ରରେ ନିର୍ମାଣ ବେଳେ ଅତ୍ୟାଧୁନିକ ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ସମୟ କ୍ରମେ ଏହାର ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ଦରକାର। କେବଳ ସେତିକି ନୁହେଁ ଏହି ଅଗ୍ନି ନିର୍ବାପକ ଯନ୍ତ୍ରପାତିର ସଠିକତାର ଅଡିଟ୍ ହେବା ସହ ଏହା ସହ ସମ୍ପୃକ୍ତ କର୍ମଚାରୀଙ୍କର ତାଲିମ ଓ ଅଭ୍ୟାସ ଉପରେ ଜୋର୍ ଦିଆଯିବା ଦରକାର। ଯେଉଁ ଜାଗାରେ ଅଗ୍ନି ନିର୍ବାପକ ପାଇଁ ନିର୍ଦ୍ଦିଷ୍ଟ ଭାବରେ କର୍ମଚାରୀ ନିୟୋଜିତ ହୋଇନାହାନ୍ତି ସେ ସ୍ଥାନରେ ଉପଲବ୍ଧ ସମସ୍ତ କର୍ମଚାରୀ ବା ବ୍ୟକ୍ତିବିଶେଷଙ୍କର ମଧ୍ୟ ଏ ଦିଗରେ ସଚେତନତା ଏବଂ ସର୍ବନିମ୍ନ ଦକ୍ଷତା ରହିବା ଆବଶ୍ୟକ। କିନ୍ତୁ ଆଜି ଯଦି ଆପଣ ଘର ଘର ବୁଲି ଏକ ସର୍ଭେ କରନ୍ତି ତେବେ ଦେଖିବେ ଯେ ୧୦୦ରୁ ୯୦ ଭାଗ ଲୋକଙ୍କର ନା ଏ ବାବଦରେ ସଚେତନତା ଅଛି ନା ଆଗ୍ରହ। ଆନୁଷ୍ଠାନିକ ବା ସର୍ବସାଧାରଣ ସ୍ଥାନରେ ମଧ୍ୟ ଅବସ୍ଥା ତତୋଧିକ!

ଯେଉଁ ରାଜ୍ୟରେ ସାଧାରଣ ନାଗରିକ ନିଜ ଘରେ ଏବଂ ସର୍ବସାଧାରଣ ସ୍ଥାନରେ ନିଜ ଜୀବନ ପ୍ରତି ସଚେତନ ନୁହେଁ, ଆଇନ କାନୁନ ପଢ଼ି ସେ ଯେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଦାବି କରିବ ବା କେଉଁଠି ଏ ବାବଦରେ ତ୍ରୁଟି ଦେଖିଲେ କାହା ଆଗରେ ଅଭିଯୋଗ କରିବ ଏ କଥା ଭାବିବା ବୃଥା!

ଆମ ସରକାରୀ ବାବୁମାନେ ବି ଆମମାନଙ୍କ ଭିତରୁ ଜଣେ ଜଣେ। ଯେତେବେଳେ କୌଣସି ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା ଘଟେ ସେତେବେଳେ କିଛି ଦିନ ପାଇଁ ଚାଲେ ଜୋରଦାର ଧରପଗଡ଼। ମିଡିଆ ବି ମାତିଯାଏ। କିନ୍ତୁ ଦିନ କେତେଟା ଭିତରେ ସେହି କାର୍ଯ୍ୟକ୍ରମ ପୁଣି ପାଣି ଫାଟିଯାଏ। ଆମେ ଖାଲି ଭୁବନେଶ୍ୱର ପାଇଁ ଚିନ୍ତା କରୁଛୁ। ଅସଲରେ ଦେଖିବାକୁ ଗଲେ ସାରା ରାଜ୍ୟର ଅବସ୍ଥା ଏକାପରି। କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ରାୟଗଡ଼ା, ବଲାଙ୍ଗୀର, ବାରିପଦା, ଅନୁଗୁଳ ଢେଙ୍କାନାଳ – ରାଜ୍ୟର ସବୁ ଛୋଟବଡ଼ ସହରରେ ଆଜି ଯେମିତି ନିଆଁ ଆମକୁ ଗୋଡାଉଛି!

ଗତ ଅକ୍ଟୋବର ୪ ତାରିଖରେ ଓଡ଼ିଶାରେ ଅଗ୍ନିଶମ ବିଭାଗ ପାଇଁ ନୂଆ ଆଇନ କାର୍ଯ୍ୟକାରୀ ହେବା ସହ ବିଭାଗର ନାମ ବଦଳାଇ ବେସାମରିକ ପ୍ରତିରକ୍ଷା ବିଭାଗ ରଖାଯାଇଛି। ଭଲ କଥା। ଏହି ବିଭାଗର ମୁଖ୍ୟ ଭାବେ ଜଣେ ଡିଜିପି ରାଙ୍କର ଦକ୍ଷ ଅଫିସର ଅଛନ୍ତି। ଆମେ ଆଶା କରିବା ଯେ, ଏହି ବିଭାଗ ଆଉ କୌଣସି ଅଗ୍ନିକାଣ୍ଡକୁ ନ ଅପେକ୍ଷା କରି ଆମ ସହର ଓ ଆମ ଘର ପରିବେଶକୁ ଅଗ୍ନିକାଣ୍ଡ-ନିରୋଧକ କରିବା ପାଇଁ ଯେଉଁ ଆଇନ ରହିଛି ତାହାର କଡ଼ାକଡ଼ି ପାଳନ ସକାଶେ ସବୁପ୍ରକାର ଉଦ୍ୟମ କରିବ। କେବଳ ସେତିକି ନୁହେଁ, ଆଜି ଆମ ସମସ୍ତଙ୍କ ଭିତରେ ଅଗ୍ନି ନିରାପତ୍ତା ପାଇଁ ଏକ ସଚେତନତାର ଆବଶ୍ୟକତା ରହିଛି। ତେଣୁ ଏ ଦିଗରେ ମଧ୍ୟ ବିଭାଗ ନିଜ ସାଧ୍ୟମତେ ଏବଂ ସରକାରୀ ଓ ଘରୋଇ ଅନୁଷ୍ଠାନ ସହାୟତାରେ ଜନସଚେତନତାର ଏକ ନୂଆ ପାଣିପାଗ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ)

Comment