ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବିଧାନସଭାର ଅନ୍ୟତମ ଧନୀ ବିଧାୟକ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଗଢୁଛନ୍ତି ନୂଆ ରାଜନୈତିକ ଦଳ।

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଗଢ଼ିବେ ନୂଆ ରାଜନୈତିକ ଦଳ। ଏନେଇ ସନାତନ ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି। ନୂଆ ପାର୍ଟିର ନାଁ ରଖାଯାଇଛି ‘ଜନ ସମୃଦ୍ଧି ପାର୍ଟି’। ୧୯୫୧ ଜନପ୍ରତିନିଧି ଆଇନ୍ ଧାରା ୨୯-ଏ ଅନୁଯାୟୀ ସନାତନ ଏହି ନୂଆ ପାର୍ଟିର ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। କେନ୍ଦୁଝରଗଡ଼ର କାଶୀପୁର-ବଳରାମପୁରରେ ପାର୍ଟିର ମୁଖ୍ୟ କାର୍ଯ୍ୟାଳ଼ୟ ରହିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନପତ୍ରରେ ସନାତନ ମହାକୁଡ଼ ସଭାପତି ରହିଥିବାବେଳେ ସରୋଜ ସାହୁଙ୍କୁ କାର୍ଯ୍ୟକାରୀ ସଭାପତି ରଖାଯାଇଛି। ଓଡ଼ିଶାର ୧୪୭ ନିର୍ବାଚନମଣ୍ଡଳୀରେ ଏହି ପାର୍ଟି କାର୍ଯ୍ୟ କରିବ। ନିର୍ବାଚନ କମିଶନଙ୍କଠାରୁ ନୂଆ ପାର୍ଟିକୁ ଅନୁମତି ମିଳିବା ପରେ ପୁରୀରୁ ଏକ ରାଲି ଘଟଗାଁ ତାରିଣୀ ପୀଠ ପର୍ଯ୍ୟନ୍ତ ଆସିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

୨୦୧୪ରେ ସନାତନ ମହାକୁଡ଼ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ତତ୍ତ୍ବ ପ୍ରକାଶ ଶତପଥୀ ଓରଫ୍ ପପୁଙ୍କୁ ପରାଜିତ କରି ସେ ଚମ୍ପୁଆରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସନାତନ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । କେନ୍ଦୁଝର ଜିଲ୍ଲାରେ ସନାତନ ଗଢ଼ିଥିବା ‘ସନା ସେନା’ ଏବେ ମଧ୍ୟ ସକ୍ରିୟ ଅଛି।

ସନାତନ ବିଜେଡିରେ ମିଶିବେ ବୋଲି କିଛିଦିନ ତଳେ ଚର୍ଚ୍ଚା ହେଉଥିଲା। ତେବେ ହଠାତ୍ ସେ ନୂଆ ଦଳ ଗଠନ ପାଇଁ ଆବେଦନ କରିବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସନାତନଙ୍କ ନୂଆ ଦଳ ଗଠନ ପଛରେ କାହାର ମନ୍ତ୍ରଣା ଅଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହାକୁ ନେଇ ରାଜନୈତିକ ଆଲୋଚନା ଜୋର ଧରିଛି।

Comment