ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମ୍ମିଳନୀ। ୩୦ଟି ଜିଲ୍ଲାର ସମସ୍ତ ମୁଖ୍ୟ ଚିକିତ୍ସାଧିକାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହି ସମ୍ମିଳନୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରିଛନ୍ତି।

ରୋଗୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଦୁର୍ଗମ ଅଞ୍ଚଳରେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି ଆଲୋଚନଚକ୍ରରେ ଆଲୋଚନା ହୋଇଛି। ଏହାସହ ନିରାମୟ, କର୍ପସଫଣ୍ଡ, ଟ୍ରମାକେୟାର୍ ଓ ଚୁକ୍ତିଭିତ୍ତିକ ଡାକ୍ତର ନିଯୁକ୍ତି, ପରିମଳ ଓ ଅକାଳ ମୃତ୍ୟୁ ପରି ସ୍ୱାସ୍ଥ୍ୟସେବାର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, “ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକରୁ ଅଧିକ ସୁଧାର ଆଣିବା ପାଇଁ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ସବୁ କାମ ରୋଗୀମାନଙ୍କ ଉଦ୍ଦେଶ୍ୟରେ ହିଁ ସମର୍ପିତ। ଡାକ୍ତର ଏବଂ ରୋଗୀମାନଙ୍କ ଭିତରେ ଏକ ଭଲ ସମ୍ପର୍କ ତିଆରି କରିବା ପାଇଁ ଆଜିର ଏ ସମ୍ମିଳନୀ ବେଶ୍ ସହାୟକ ହେବ।”

“ଦୁଇ ଦିନିଆ ସିଡିଏମ୍‌ଓ ସମ୍ମିଳନୀରେ ନିରାମୟ, ନିଦାନ, ସହାୟ, ଆମ କ୍ଲିନିକ୍, ଅନ୍‌ମୋଲ୍‌, କେମୋଥେରାପି ଆଦି ସମ୍ପର୍କରେ ଆଲୋଚନା ହେବ। ଏହା ଜାନୁଆରୀ ୨୯ରୁ ଆରମ୍ଭ ହେବାକୁ ଥିବା ମିଳଳିମିଳା ଏବଂ ରୁବେଲ୍‌ସ ଟୀକାକରଣ ଅଭିଯାନ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଆଲୋଚନା କରାଯିବ”, କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଶାଳିନୀ ପଣ୍ଡିତ।

Comment