ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

  • ରଜ ସିନେମା ପାଇଁ ଏବେଠୁ ସଜବାଜ ହେଲେଣି ଅନୁଭବ
  • ସ୍ଲିମ୍‌ ଫିଗର ପାଇଁ ଅନୁଭବ ଯାଉଛନ୍ତି ଜିମ୍‌
  • ଡାଏଟ୍‌ କଣ୍ଟ୍ରୋଲ ଉପରେ ଜୋର୍ ଦେଉଛନ୍ତି

ଓଲିଉଡ ତାରକା ଅନୁଭବ ମହାନ୍ତି ଏବେଠୁ ରଜ ପାଇଁ ସଜବାଜ ହେଲେଣି। ରଜ ହେଉଛି ଓଡ଼ିଆ ସିନେମା ପାଇଁ ଏକ ବଡ଼ ସୁଯୋଗ। ଆଗାମୀ ରଜରେ ତାଙ୍କ ସିନେମା କିଭଳି ଲୋକପ୍ରିୟତା ପାଇବ ଏବଂ ସେଥିରେ ସେ କିଭଳି ତାଙ୍କ ଫ୍ୟାନ୍‌ମାନଙ୍କୁ ଆକର୍ଷିତ କରିପାରିବେ ସେଥିପାଇଁ ଅନୁଭବ ଆଜିଠାରୁ ଫିଟ୍‌ ରଖିବା ପାଇଁ ବେଶ୍ ସଚେତନ ଅଛନ୍ତି।

ନିକଟରେ ଅନୁଭବଙ୍କ ଫେସ୍‌ବୁକ୍‌ ପେଜ୍‌ରେ କେତୋଟି ମାଚୋ ଫଟୋ ଫ୍ୟାନ୍‌ମାନଙ୍କୁ ବେଶ୍ ଆକର୍ଷିତ କରିଛି। ଅନୁଭବ ଗୋଟିଏ ନୀଳ ରଙ୍ଗର ଟି ସାର୍ଟ ପିନ୍ଧି ସେଥିରେ ତାଙ୍କ ବାହୁବଳୀ ଚେହେରା ପାଇଁ ପୋଜ୍ ଦେଇଛନ୍ତି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଏବେ ବେଶ୍ ଚାଲିଛି।

ଏହି ଫଟୋ ସମ୍ପର୍କରେ ଓଡ଼ିଶାଲାଇଭ୍‌ ତାଙ୍କର ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲା। ହ୍ବାଟସ୍‌ଆପ୍‌ ଜରିଆରେ ଅନୁଭବ ତାଙ୍କର ଉତ୍ତର ଦେଇ କହିଛନ୍ତି ଯେ, ଏହା ସେ କେବଳ ମଜାରେ ଉଠାଇଥିଲେ। ତେବେ ଏକଥା କହିବା ବେଳେ ସେ ସୂଚନା ଦେଇଛନ୍ତି ଯେ, ତାଙ୍କର ପରବର୍ତ୍ତୀ ସିନେମା ପାଇଁ ତାଙ୍କୁ ବେଶ୍ ପତଳା ଚେହେରା ଦରକାର। ତେଣୁ ଏବେ ଅନୁଭବ ପ୍ରତିଦିନ ସ୍ଲିମ୍‌ ଫିଗର ପାଇଁ ଜିମ୍‌ ଯାଇ ୱାର୍କଆଉଟ୍ କରୁଛନ୍ତି। କେବଳ ସେତିକି ନୁହେଁ, ସେ ମଧ୍ୟ ଫିଟ୍‌ ରହିବା ପାଇଁ ଖାଇବା ଉପରେ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି।

“ଅନେକ ସମୟରେ ନିୟମିତ ବ୍ୟାୟାମ କରିବା ସମ୍ଭବ ହେଉ ନାହିଁ। ତେଣୁ ନିଜକୁ ଫିଟ୍‌ ଆଣ୍ଡ ଫାଇନ୍ ରଖିବା ଏକ ବଡ଼ ଆହ୍ବାନ। ତେଣୁ ମୁଁ ଆଜିକାଲି ମୋର ଖାଇବା ଉପରେ ପୂରା ଧ୍ୟାନ ଦେଉଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଅନୁଭବ।

ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ଅନୁଭବ ତାଙ୍କର ପରବର୍ତ୍ତୀ ମୁଭି ପାଇଁ ଭାରି ସିରିୟସ୍। ତେଣୁ ରଜ ଅବସରରେ ଆସିବାକୁ ଥିବା ଏହି ସିନେମାର ସଫଳତା ପାଇଁ ସେ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି।

Comment