ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ କିଛି ଠିକ୍‌ଠାକ୍‌ ଚାଲିନି। ପ୍ରଥମ ଥର ପାଇଁ ମିଡିଆରେ ଏଭଳି ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି। ଏହି ୪ ବିଚାରପତି କିଏ ଜାଣନ୍ତୁ ଏହି ରିପୋର୍ଟରୁ।

ଭାରତ ଇତିହାସରେ ଘଟିଛି ପ୍ରଥମ ଘଟଣା। ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି ପ୍ରଥମ ଥର ପାଇଁ ମିଡିଆରେ ଖୋଲିଛନ୍ତି ମୁହଁ। ସୁପ୍ରିମକୋର୍ଟରେ ଚାଲିଥିବା ଗଡ଼ଗଡ ସମ୍ପର୍କରେ ଏହି ୪ ବିଚାରପତି ମତ ରଖି ବିତର୍କ ସୃଷ୍ଟି କରିଛନ୍ତି।

ମିଡିଆରେ ମୁହଁ ଖୋଲିଥିବା ସୁପ୍ରିମକୋର୍ଟର ଏହି ୪ ବରିଷ୍ଠ ବିଚାରପତି ହେଉଛନ୍ତି- ଜସ୍ତି ଚେଲେମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ଭୀମରାଓ ଲୋକୁର ଏବଂ କୁରିଏନ୍‌ଯୋସେଫ୍।

ଜଷ୍ଟିସ୍‌ ଜଷ୍ଟି ଚେଲାମେଶ୍ୱର

ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ ଜନ୍ମ ହୋଇଥିବା ବିଚାରପତି ଜସ୍ତି ଚେଲାମେଶ୍ୱର କେରଳ ଏବଂ ଗୌହାଟୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଭୌତିକ ବିଜ୍ଞାନରେ ସ୍ନାତକ ହାସଲ କରିଥିବା ଚେଲାମେଶ୍ୱର ୧୯୭୬ରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ଆଇନ୍‌ ଶିକ୍ଷାରେ ଡିଗ୍ରୀ ହାସଲ କରିଥିଲେ।

୨୦୧୧ ଅକ୍ଟୋବର ମାସରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।  କୌଣସି ବ୍ୟକ୍ତିଙ୍କ ବିରୋଧରେ ଯଦି ଆପତ୍ତିଜନକ ମେଲ୍‌ କରୁଥିବାର ଅଭିଯୋଗ ରହିଥାଏ ତାହାଲେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାର ଅଧିକାର ପୋଲିସ ନିକଟରେ ରହିଥିଲା। ଏହାକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଥିଲା। ହେଲେ ଜଷ୍ଟିସ୍‌ ଚେଲାମେଶ୍ୱରଙ୍କ ନେତୃତ୍ୱରେ ଗଠିତ ବେଞ୍ଚ୍ ଏହି ଆଇନ୍‌କୁ ଖାରଜ କରିଥିଲେ। ଏଥିପାଇଁ ଚେଲାମେଶ୍ୱରଙ୍କୁ ଦେଶବାସୀ ପ୍ରଶଂସା କରିଥିଲେ।

ଜଷ୍ଟିସ୍‌ ରଞ୍ଜନ ଗୋଗୋଇ

ଆସାମରୁ ଆସିଥିବା ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତି ଭାବେ ବେଶ୍ ଜଣାଶୁଣା। ବରିଷ୍ଠତା ଆଧାରରେ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗୌହାଟୀ ହାଇକୋର୍ଟରୁ ବିଚାରପତି ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ଗୋଗୋଇ ୨୦୧୧ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ। ୨୦୧୨ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବାପା କେଶବ ଚନ୍ଦ୍ର ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଥିଲେ।

ଜଷ୍ଟିସ୍‌ ମଦନ ଭୀମରାଓ ଲୋକୁର

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ହାସଲ କରିଥିବା ଜଷ୍ଟିସ୍‌ ମଦନ ଭୀମରାଓ ଲୋକୁର ଆଇନ୍‌ରେ ଡିଗ୍ରୀ କରିଥିଲେ। ୧୯୭୭ରେ ସେ ଆଇନଜୀବୀ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୨୦୧୦ ଫେବୃୟାରୀରୁ ମେ ପର୍ଯ୍ୟନ୍ତ ସେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରହିଥିଲେ। ଗୌହାଟୀ ଏବଂ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ରହିଥିଲେ ସେ।

ଜଷ୍ଟିସ୍‌ କୁରିଏନ୍‌ ଯୋଶେଫ୍‌

୧୯୭୯ରେ ଆଇନ୍‌ଜୀବୀ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା କୁରିଏନ୍‌ ଯୋଶେଫ୍‌ ୨୦୦୦ ମସିହାରେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୦ ଫେବୃୟାରୀରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ୨୦୧୩ ମାର୍ଚ୍ଚ ୮ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି।

Comment