ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି

“ଆଙ୍କରିଂ କରିବା ଗ୍ଲାମରର ପରିଭାଷା ନୁହେଁ। ଏହା ଏକ କଳା। ମୋ ମତରେ ଆଙ୍କରିଂ ଓ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ସାହିତ୍ୟ ମୋ ଭିତରେ ଶଦ୍ଦର ସ୍ଥାପତ୍ୟ ସୃଷ୍ଟି କରେ ଆଙ୍କରିଂ ପାଇଁ। ମୋର ଆଙ୍କର ହେବା ପଛରେ ସାହିତ୍ୟର ଖୁବ୍ ହାତ ଅଛି। ତେଣୁ ମୁଁ ସମାନ ଭାବରେ ସାହିତ୍ୟ ଓ ଆଙ୍କରିଂକୁ ଭଲପାଏ। ହୁଏତ ଈଶ୍ଵରଙ୍କର ଏହା ମୋ ପାଇଁ ଉପହାର”, କହିଛନ୍ତି ପ୍ରାର୍ଥନା ଚାନ୍ଦ।

ଜାଭିୟର୍ ୟୁନିଭର୍ସିଟିରେ ବିଏସ୍‌ସି ପାଠ ପଢ଼ୁଥିବା ପ୍ରାର୍ଥନାଙ୍କୁ ତ୍ରିଧାରା କୁହାଯାଇପାରେ। ପାଠପଢ଼ା ସାଙ୍ଗକୁ ଆଙ୍କରିଂ ଓ କବିତା ରଚନା କରିବାରେ ସେ ବେଶ୍‌ ମାହିର୍‌। ବାଲେଶ୍ଵର ସହଦେବଖୁଣ୍ଟାସ୍ଥିତ ଚାନ୍ଦମାରି ପଡ଼ିଆ ନିକଟରେ ବାପାମାଆଙ୍କ ସହ ରହୁଥିବା ପ୍ରାର୍ଥନାଙ୍କର କବିତା ଓ ଆଙ୍କରିଂର ଯାତ୍ରା ଆରମ୍ଭ ହୁଏ ପିଲାବେଳୁ।

“ଅଷ୍ଟମ ଷ୍ଟାଣ୍ଡାର୍ଡରେ ପଢ଼ିବା ବେଳଠୁ ମୁଁ କବିତା ଲେଖିବା ପ୍ରତି ଆକୃଷ୍ଟ ହୋଇଥିଲି। ଏଥିରେ ମୋ ବାପାମାଆଙ୍କ ପ୍ରେରଣା ବେଶୀ କାମ ଦେଇଛି”, କୁହନ୍ତି ପ୍ରାର୍ଥନା।

ପ୍ରାର୍ଥନାଙ୍କ ବୟସ ଯେତେବେଳେ ୧୪ ବର୍ଷ ହୋଇଥିଲା ସେତେବେଳେ ତାଙ୍କ କବିତା ପ୍ରକାଶ କରିଥିଲା ଟାଇମ୍ସ ଅଫ୍ ଇଣ୍ଡିଆ,  ଟେଲିଗ୍ରାଫ୍ ଏବଂ ଇଣ୍ଡିଆନ୍ ଏକ୍ସପ୍ରେସ୍ ଭଳି ଇଂରାଜୀ ଖବରକାଗଜରେ। ଏସବୁ କବିତା ପାଇଁ ସେତେବେଳର ସେଇ ସ୍କୁଲ ଛାତ୍ରୀ ଜଣକ ବେଶ୍ ପ୍ରଶଂସାର ପାତ୍ରୀ ହେବା ସହ ନିଜ ବିଦ୍ୟାଳୟରେ ହୋଇଯାଇଥିଲେ ଏକ ଚିହ୍ନାମୁହଁ। ତାଙ୍କ ଭିତରେ ଲୁଚି ରହିଥିବା ଏ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟରେ ପ୍ରାର୍ଥନା ଅନେକ ସମୟରେ ବୁଡ଼ି ରହିଥିଲେ ଶଦ୍ଦ ଓ ଭାବ ସହ।

ବାଲେଶ୍ଵରସ୍ଥିତ ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲରୁ ମାଟ୍ରିକ୍ୟୁଲେସନ ଶେଷ କରି ବାଲେଶ୍ଵରର ମଡର୍ଣ୍ଣ ପବ୍ଲିକ ସ୍କୁଲରୁ ଇଣ୍ଟରମିଡିଏଟ୍ ପଢ଼ା ଶେଷ କରିବା ଭିତରେ ପ୍ରାର୍ଥନାଙ୍କର ଆଉ ଏକ ପରିଚୟ ତିଆରି ହୋଇସାରିଥିଲା। ଅସାଧାରଣ ଆଙ୍କରିଂ ସ୍କିଲ୍ ସାଙ୍ଗକୁ ଡିବେଟିଂରେ ସେ ନିଜ ବିଦ୍ୟାଳୟରେ ସୁନାମ ଅର୍ଜନ କରିସାରିଥିଲେ।

ପେସାଗତ ଭାବେ ଆଙ୍କରିଂ ଆରମ୍ଭ କରି ସେ ବାଲେଶ୍ଵରର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ଉପସ୍ଥାପିକା ଭାବେ ନିଜକୁ ଦେଲେ ଏକ ସ୍ଵତନ୍ତ୍ର ପରିଚୟ।

ସ୍କୁଲ ପଢ଼ା ବେଳୁ ଭଲ ବକ୍ତୃତା ଦେଇପାରୁଥିବା ପ୍ରାର୍ଥନାଙ୍କୁ ମିଳିଥିଲା ଏକ ଶୋଭନୀୟ ଚେହେରା। ଧୀରେ ଧୀରେ ଉପସ୍ଥାପିକା ଭାବେ ପ୍ରାର୍ଥନାଙ୍କ ପୃଥିବୀ ହୋଇଉଠିଲା କୁସୁମିତ। ବିଶେଷକରି କର୍ପୋରେଟ୍ ମିଟିଂଗୁଡ଼ିକରେ ସେ ହୋଇଉଠିଲେ ପର୍ଫେକ୍ଟ ଆଙ୍କର।

କେମିତି ନିଜକୁ ଫିଟ୍ ଷ୍ଟାଇଲିସ୍ କରି ରଖନ୍ତି ପ୍ରାର୍ଥନା?

ଏହି ପ୍ରଶ୍ନର ଉତ୍ତରରେ ପ୍ରାର୍ଥନା କହନ୍ତି,”ମୋ ପାଇଁ ଷ୍ଟାଇଲ୍ ହେଉଛି ଆତ୍ମବିଶ୍ଵାସ। ମୋ ଭିତରେ ମୋ ପାଇଁ ସେତିକି ବିଶ୍ଵାସ ଅଛି। ଯାହା ହିଁ ମୋତେ ଷ୍ଟାଇଲ୍ ବା ଶୈଳୀ ସଚେତନ କରାଇଥାଏ। ଜନଗହଳି ହେଉ କି ହଲ୍ ଭର୍ତ୍ତି ଶ୍ରୋତା, ମୁଁ ବିଶ୍ଵାସର ସହ ସେମାନଙ୍କ ସାମ୍ନାକୁ ଯାଏ ଓ ସ୍ଵୟଂକ୍ରିୟ ଭାବରେ ବିନା ନର୍ଭସରେ କାର୍ଯ୍ୟକ୍ରମର ଉପସ୍ଥାପନାକୁ ନିର୍ଭୁଲ୍ ଭାବେ କରେ।”

ଆଜିର ସମାଜରେ ନାରୀ ପ୍ରତି ଯେଉଁ ମନୋଭାବ ରହିଛି, ତା’କୁ ପ୍ରତିହତ କରି ପ୍ରାର୍ଥନା ଜଣେ ସଫଳ ଆଙ୍କର୍ ହେବାର ଯାତ୍ରାରେ ଆଗେଇ ଚାଲିଛନ୍ତି। “ମୁଁ ଭାବେ ନିଜ ପ୍ରତି ବିଶ୍ଵାସ ନ ଥିଲେ ଜଣେ ନାରୀ ନାନା ସମସ୍ୟାର ସମ୍ମୁଖୀନ ହୁଏ। ତେଣୁ ଗଭୀର ଆତ୍ମବିଶ୍ଵାସ ହିଁ ମୋତେ ଆଜିର ସମୟରେ ବେଶ୍ ସହାୟକ ହୋଇଛି”, କହନ୍ତି ପ୍ରାର୍ଥନା।

ଶିଳ୍ପପତି କଲ୍ୟାଣ କୁମାର ଚାନ୍ଦ ଏବଂ ସୁମିତା ଚାନ୍ଦଙ୍କ ଝିଅ ହେଉଛନ୍ତି ପ୍ରାର୍ଥନା। ବାପା ମାଆଙ୍କର ପ୍ରେରଣା ଓ ଉତ୍ସାହକୁ ପାଥେୟ କରି ପ୍ରାର୍ଥନା ଜଣେ କବି ଓ ଆଙ୍କର ଭାବରେ ସମାନ୍ତରାଳ ଯାତ୍ରା କରୁଛନ୍ତି।

୨୦୧୬ରେ ତାଙ୍କର ପ୍ରଥମ ଇଂଲିଶ କବିତା ବହି ‘Those scribbled Lines’ ପ୍ରକାଶ ପାଇଥିଲା।  ଏହାର ମୁଖବନ୍ଧ ଲେଖିଛନ୍ତି ପ୍ରସିଦ୍ଧ କବି ଜୟନ୍ତ ମହାପାତ୍ର। ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ସ୍ପଷ୍ଟ କଥା କହି ହୃଦୟ ଜିଣିଥିବା ଏଇ ଆଙ୍କର୍ ଏବଂ କବି ଜଣକ ଭାବନ୍ତି: ‘ଲାଇଫ୍‌ ଅଲୱେଜ ୟଙ୍ଗ’।

Comment