ଛନ୍ଦା ମିଶ୍ର
ପୂରା ସପ୍ତାହ ସାରା ଅପେକ୍ଷା କରିଥାଏ ରବିବାରକୁ। ଟିଭିରେ ଥାଏ ଅନେକ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ। ସକାଳେ ରଙ୍ଗୋଲି, ପରେପରେ ରାମାୟଣ, ଜଙ୍ଗଲବୁକ୍, ଏକ ଦୋ ତିନ୍ ଚାର ଆଦି ଅନେକ ଶିକ୍ଷଣୀୟ ତଥା ମନୋରଞ୍ଜନରରେ ଭରପୂର କାର୍ଯ୍ୟକ୍ରମ। ଏତିକିବେଳେ ମାଆ ଡାକିଲା, ଏଠିକି ଆସିଲୁ।
ଗଲାବେଳକୁ ଦାଣ୍ଡଘରେ ସଫା ଧୋତି ପଞ୍ଜାବୀ ପିନ୍ଧା ବେଶ୍ ସୁଦୀର୍ଘ ତଥା ସୁନ୍ଦର ଚେହେରାର ବୃଦ୍ଧ ଜଣେ ବସିଥାନ୍ତି। ହାତଯୋଡ଼ି ନମସ୍କାର କଲି, ମା କହିଲା-ଗଲୁ ଟିକେ ଲେମ୍ବୁସରବତ୍ କରିଆଣିବୁ। ଲେମ୍ବୁପାଣି ଆଣି ବୃଦ୍ଧଙ୍କ ହାତକୁ ବଢାଇେଦଲି। ତାଙ୍କ ହାତ ଏତେ ଜୋରରେ ଥରୁଥାଏ ଯେ ସବୁତକ ସରବତ୍ ତଳେ ଢାଳିଗଲା। ଆଉଥରେ କରି ଆଣି ତାଙ୍କୁ ପିଇବାରେ ସାହାଯ୍ୟ କଲି। ଆଖିରୁ ତାଙ୍କର ଲୁହ ବୋହିଯାଉଥାଏ।
ପିଇସାରି ମୋ ମୁଣ୍ଡରେ ହାତଥୋଇ ଅନେକ କଲ୍ୟାଣ କଲେ। ଟିକେ ସାଷ୍ଟାମ ହେଲା ଉତ୍ତାରୁ କହିଲେ,‘‘ଗାଁ ସ୍କୁଲରେ ଶିକ୍ଷକତା କରୁଥିଲି। ମୋ ପରେ ମୋର ଏକମାତ୍ର ପୁତ୍ର ମଧ୍ୟ ସେଠାରେ ଶିକ୍ଷକ ହିସାବରେ ଯୋଗେଦେଲା। ବହୁତ ଆଗରୁ ସ୍ତ୍ରୀ ମରିଯାଇଛି। ତେଣୁ ପୁଅ ଚାକିରି କଲାପରେ ମୋର ଜଣେ ଶିକ୍ଷକ ବନ୍ଧୁଙ୍କ ଝିଅକୁ ବୋହୂକରି ଆଣିଲି। ମାତ୍ର ଦୁର୍ଭାଗ୍ୟ, ମୁଁ ତା ଆଖିରେ କଣ୍ଟା ସାଜିଲି। ସବୁବେଳେ ମତେ ଦୁର୍ବ୍ୟବହାର କଲା। ପୁଅ ଥିଲାବେଳେ ଏସବୁ କଲେ ପୁଅ ପ୍ରଥମେ ପ୍ରଥମେ ଗାଳି ଓ ପରେ ପରେ ହାତ ମଧ୍ୟ ଉଠାଇଲା। ତେଣୁ ପୁଅ ଘରୁ ଚାଲିଗଲା ପରେ ବୋହୂ ତାର ସବୁଯାକ ରାଗ ମୋ ଉପରେ ଶୁଝାଉଥିଲା। ଅବସ୍ଥା ଏପରି ହେଲା ଯେ ପୁଅ ନଥିଲା ବେଳେ ବୋହୂ ମତେ ଆଉ ଖାଇବାକୁ ମଧ୍ୟ ଦେଲାନି।
କାଲିରାତିରେ ମତେ ନେଇ ପୁଅବୋହୂଙ୍କ ଭିତରେ ପ୍ରବଳ ଝଗଡ଼ା ହେଲା, ପୁଅ ବୋହୂକୁ ବାଡ଼ାବାଡ଼ି କଲା। ଯେତେ ମନା କଲି ଶୁଣିଲାନି। ମୋ ପାଇଁ ସେମାନଙ୍କ ସଂସାରରେ ଅଶାନ୍ତି ହେଉଛି ଭାବି ସକାଳୁ ଉଠି ଘରୁ ଚାଲିଆସିଲି। ଗାଁରୁ ବସରେ ଆସି ପହଞ୍ଚିଲି। ଏଇ ପାଖରେ କେଉଁଠି ମୋ ପୁତୁରାର ଘର। ଖୋଜିଖୋଜି ଆସିଲା ବେଳକୁ ଏଇ ମୁଣ୍ଡଫଟା ଖରାରେ ଦେହ କଣ ହୋଇଗଲା। ତେଣୁ ଏଇ ବାରଣ୍ଡାରେ ଟିକେ ବସିଯାଇଥିଲି। ମତେ ଟିକେ ମୋ ପୁତୁରାର ଘରେ ଛାଡ଼ିଦେଲେ ଭାରି ପୁଣ୍ୟ ହେବ। ସେ ମତେ ନେଇ ତାଳଚେରରେ ଏକ ଆଶ୍ରମ ଅଛି ସେଠି ଛାଡ଼ିଦେବ। କିଛି ସମୟ ବସି, ଟିକେ ଭଲ ଲାଗିଲାରୁ ଜଳଖିଆ ଖାଇ ଭାଇଙ୍କ ସହିତ ତାଙ୍କ ପୁତୁରାଙ୍କ ଘରକୁ ଗଲେ।
ଆଜି ଧନୀ ଗରିବ ନିର୍ବିଶେଷରେ ପ୍ରାୟ ପ୍ରତ୍ୟେକ ଘରେ ଏହି ଅବସ୍ଥା। ବୁଢାବୁଢୀମାନେ ସବୁ ଜାଗାରେ ଅବହେଳିତ। କିଏ ଦେଖେଇ କାନ୍ଦୁଛି କେହି ବା ଲୁଚେଇ। କେଉଁଠି ପୁଅବୋହୂ, ବାପାମାଙ୍କୁ ଘରୁ ତଡ଼ିଦେଉଛନ୍ତି, କେହି ବା ନେଇ ବୃଦ୍ଧାଶ୍ରମରେ ଛାଡ଼ିଦେଉଛି, ଆଉ କେହି ଯଦିଓ ଲୋକଲଜ୍ଜା ଭୟରେ ଘରେ ରଖିଛନ୍ତି, ମାତ୍ର ସେମାନଙ୍କର ଅବସ୍ଥା ଗୃହପାଳିତ ପଶୁଠାରୁ ମଧ୍ୟ ହୀନ। ଆଗେ, ଯାହାର ଯେତେ ପୁଅ, ସେ ନିଜକୁ ସେତେ ଭାଗ୍ୟବାନ ମନେକରୁଥିଲା, ମାତ୍ର ବର୍ତ୍ତମାନ ବର୍ଷକ ବାରମାସ ଯାକ ସବୁ ପୁଅଙ୍କ ଭିତରେ ବାଣ୍ଟିହୋଇ ରହିବାକୁ ପଡୁଛି। ଆଉ ଯେଉଁଠି ପୁଅବୋହୂ ବାପା ମା’ଙ୍କ ଠାରୁ ଦୂରରେ, ସେଠି ନିଜ ଅତୀତକୁ ରୋମନ୍ଥନ କରି ଦିନ କାଟିବା ହୋଇଛି ସାର। ସାଇପଡ଼ିଶାଙ୍କ ଦୟା ଉପରେ ନିର୍ଭରକରି ଚଳିବାକୁ ପଡୁଛି।
ଆଉ ଯଦି ଶାଶୁ ବା ଶ୍ୱଶୁରଙ୍କ ମଧ୍ୟରୁ ଜଣେ ବଞ୍ଚିଛି, ତେବେ ମୃତ୍ୟୁ ହୋଇପଡ଼ିଛି ବଞ୍ଚିବାଠାରୁ ବେଶି ସହଜ। ଆପଣ ଯେଉଁଠାକୁ ବି ଯାଆନ୍ତୁ ପ୍ରାୟ ପ୍ରତ୍ୟେକ ଜାଗାରେ ଶୁଣିବେ ଆମ ପୁଅଟି ଭଲ, ମାତ୍ର ବୋହୂ ତାକୁ ଶିଖାଇ ଆମଠାରୁ ଦୂରେଇ ନେଉଛି। ଓଡ଼ିଆରେ ଢଗ ଅଛି, ‘ଖୁଣ୍ଟ ଯଦି ମଜଭୁତ ତେବେ ଓଲେଇଗାଈ କରିବ କଣ? ତେବେ ଏଠାରେ ସ୍ଵତଃ ମନରେ ପ୍ରଶ୍ନଉଠେ ଯେଉଁ ପୁଅଟି ୨୫/୩୦ ବର୍ଷ ଧରି ବାପା ମାଙ୍କ ପାଖରେ ରହିଲା, ସେ ବାପା ମା’ଙ୍କଠାରୁ କିଛି ନ ଶିଖି ବର୍ଷେ/ଦୁଇବର୍ଷ ପୁରୁଣା ନିଜ ସ୍ତ୍ରୀ କଥାରେ ଉଠବସ ହୁଏ କିପରି ?
ଅନେକ କ୍ଷେତ୍ରରେ ଏପରି ଆଜ୍ଞାବହତାର ଆରମ୍ଭ ହୁଏ ଶୈଶବରୁ। ସାନବେଳୁ ଆମେ ପିଲାକୁ କେଉଁଟା ଠିକ୍ ବା ଭୁଲ୍ ତାହା ସିଦ୍ଧାନ୍ତ ନେବାକୁ ନ ଦେଇ ନିଜେ ନିଜର ମତ ବା ଇଚ୍ଛାକୁ ସେମାନଙ୍କ ଉପରେ ଲଦି ଦେଇଥାଉ। ତାର ଇଚ୍ଛା ଅନିଚ୍ଛାକୁ ବୁଝିବାକୁ ଆମେ ଚାହିଁ ନ ଥାଉ, ଧୀରେ ଧୀରେ ତାର ମସ୍ତିଷ୍କ ନିଜ ଭାବନା ଶକ୍ତିକୁ ଆଉ କ୍ରିୟାଶୀଳ କରିପାରେ ନାହିଁ।
ଘରେ ବାପା ମା’, ସ୍କୁଲରେ ଶିକ୍ଷକ ବା ଅଫିସରେ ଉପରିସ୍ଥ ହାକିମଙ୍କ ଆଦେଶ ମାନିବାରେ ସେ ହୋଇଉଠେ ସିଦ୍ଧହସ୍ତ ଓ ଯେତେବେଳେ ସ୍ତ୍ରୀ ଆସି ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଏ, ସେତେବେଳେ ସେ ହୁଏ ସ୍ତ୍ରୀର ଅଧୀନ। ଯଦି ବୋହୂଟି ଶାଶୁଶ୍ୱଶୁରଙ୍କୁ ପସନ୍ଦ ନକଲା ତେବେ ସେମାନେ ପୁଅ ପାଇଁ ମଧ୍ୟ ହୋଇ ଉଠନ୍ତି ଅସହ୍ୟ ଏବଂ ଯେଉଁ ଘରେ ପୁଅଟି ବୋହୂର ଅଧୀନତା ସ୍ଵୀକାର ନକଲା, ସେଠାରେ ଅଶାନ୍ତି ତଥା ହିଂସାର ବାତାବରଣ ସୃଷ୍ଟି ହୁଏ।
ଆଉ ଅଳ୍ପବିଦ୍ୟା ଭୟଙ୍କରୀ ନୀତିରେ କିଛି ତଥାକଥିତ ଶିକ୍ଷିତା ବୋହୂ, ଟିକେ ଟିକେ କଥାରେ ଥାନା, କଚେରି ବା ଆତ୍ମହତ୍ୟାର ଭୟ ଦେଖାନ୍ତି।
କଥାରେ ଅଛି, ‘ପୁଅଟିଏ ବାହା ହେଲା ପର୍ଯ୍ୟନ୍ତ ବାପା ମା’ଙ୍କର ହୋଇ ରହେ, ମାତ୍ର ଝିଅଟିଏ ଆଜୀବନ ବାପାମାଙ୍କ ପାଇଁ ବ୍ୟାକୁଳିତ ହୁଏ’। ଗୋଟିଏ କଥା ଲକ୍ଷ୍ୟ କରନ୍ତୁ। ଯେଉଁ ଝିଅଟିର ନିଜ ବୃଦ୍ଧ ମାତାପିତାଙ୍କ ପାଇଁ ଏତେ ଦରଦ, ସେଠି ସେ ନିଜ ଶାଶୁ ଓ ଶ୍ୱଶୁରଙ୍କୁ ଅବହେଳା ତଥା ଅଣଦେଖା କରେ କିପରି?
କେବଳ ଅଳ୍ପ କେତେକ କ୍ଷେତ୍ରରେ ଏପରି ଘଟେ। ମାତ୍ର ଅଧିକାଂଶ ସ୍ଥାନରେ ତାଳି ଦୁଇହାତରେ ବାଜେ। ବୋହୂଟି ଘରକୁ ଆସୁଆସୁ ଅନେକେ ବୋହୂକୁ ନିଜ ଅକ୍ତିଆରରେ ରଖନ୍ତେ ବୋଲି ଚିନ୍ତାକରି ଅନେକ ପ୍ରକାରର କଳାକୌଶଳ ପ୍ରୟୋଗ କରିଥାନ୍ତି। ମାତ୍ର ବୋହୂଟି କିଛିଦିନ ଶାଶୁଘରର ରୀତିନୀତିକୁ ଅନୁଧ୍ୟାନ କଲାପରେ ନିଜ ଆଧିପତ୍ୟ ବିସ୍ତାର କରିବାରେ ଲାଗିପଡ଼େ।
ଏଠି ପୁଅଟି ହୋଇଉଠେ କାଠକଣ୍ଢେଇ। ସେ ନା ହୁଏ ବାପ ମାଙ୍କର ନାଁ ସ୍ତ୍ରୀର। ଫଳରେ ସମସ୍ତେ ଅଶାନ୍ତି ଭୋଗନ୍ତି। ଦୁହିତା ଦୁଇକୁଳକୁ ହିତା, ସେ ଯେପରି ନିଜ ବାପଘର ପାଇଁ ଚିନ୍ତିତ, ସେହିପରି ଶାଶୁଘରର ସମସ୍ତ ସଦସ୍ୟଙ୍କୁ ଆପଣାର କରି ବୋହୂର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିବା ହେଉଛି ତା’ର ଦାୟିତ୍ୱ ଓ ଏଥିରେ ସେ ଦରକାର କରେ ସ୍ଵାମୀର ସହଯୋଗ।
ପୁଅଟି ମାତାପିତାଙ୍କର ଭୁଲ୍ ଠିକ୍ ତାଙ୍କୁ ନମ୍ରତାର ସହ ବୁଝାଇଲାବେଳେ ସେପଟେ ସ୍ତ୍ରୀର ଦୋଷ ଦୁର୍ବଳତାକୁ ନିଜ ସ୍ନେହ ସାହାଯ୍ୟରେ ସୁଧାରିନେବା ଉଚିତ। କୌଣସି ଗୋଟିଏ ମୁହୂର୍ତ୍ତରେ ଢିଲାହୋଇ ଉଚିତ ନିଷ୍ପତ୍ତି ନ ନେଇପାରିଲେ ଯେଉଁ କ୍ଷତି ହେବ ତାର ଭରଣା କରିହେବ ନାହିଁ।
ବାପା, ମା’ ଆମକୁ ଜନ୍ମଦେଇ ଆଜୀବନ ଋଣୀ କରିଦେଇଛନ୍ତି।ବାପା ଆକାଶ ପରି ଉଦାର ହୋଇ ଆମର ସବୁ ଦୋଷ କ୍ଷମା କରିଦେଲାବେଳେ ମା ପୃଥିବୀ ପରି ସର୍ବଂସହା ହୋଇ ଆମର ସବୁ ଅଳିଅଝଟକୁ ଆନନ୍ଦରେ ସହିଯାଇଛି। ଏମାନେ ଆମର ମୂଲ୍ୟବାନ ସମ୍ପତ୍ତି। ସେମାନେ ବଞ୍ଚି ଥାଉଥାଉ ସେମାନଙ୍କର ଯତ୍ନ ନନେଇ ମୃତ୍ୟୁ ପରେ ସେମାନଙ୍କର ମରଶରୀରକୁ ଫୁଲରେ ପୋତିପକାଇ, ସୁସ୍ଵାଦୁ ଭୋଜି ବାଣ୍ଟି ବା ଗଙ୍ଗା ଗୟା ଯାଇ ଶ୍ରାଦ୍ଧ ଦେଇଦେଲେ ଆମ ପାପ ଧୋଇହେବ ନାହିଁ।
ବୁଢୀ ମାଉସୀର ଗୋଟିଏ ଢଗ ମନେପଡୁଛି-‘ଜିଅନ୍ତେ ନାଇଁ ଖୁଦୁକୁଣ୍ଡା, ମଲେ ଦେବି ଛେନାମଣ୍ଡା’। ଏଣୁ ବୃଦ୍ଧ ମାତାପିତାଙ୍କର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉଛି ଆମର ପରମ କର୍ତ୍ତବ୍ୟ ଓ ଦାୟିତ୍ୱ, ନ ହେଲେ ଆମ ପିଲାମାନେ ଆମଠାରୁ ଶିଖିବେ କ’ଣ?
(ସୌଜନ୍ୟ – ଭିନ୍ନ ମଣିଷ)


















