ମୃଣାଳ ଚାଟ୍ଟାର୍ଜୀ
ମୁଁ ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ। ଆଜିକାଲି ଲୋକ ଆଉ ଯାହା କରୁ ନକରୁ ମର୍ଣ୍ଣିଂ ଓ୍ୱାକ୍ ନିଶ୍ଚୟ କରୁଛି। ଖୁସୀରେ ନୁହେଁ, ବାଧ୍ୟବାଧକତାର। ଦୁନିଆରେ ରୋଗବାଗ ବଢ଼ିଲାଣି, ଆଉ ଆଲୋପାଥି, ହୋମିଓପାଥି, ଆୟୁର୍ବେଦ ସବୁ ଡାକ୍ତର, ପୁଣି ରାମଦେବ ବାବାଙ୍କ ଭଳି ସବୁ ଯୋଗାଚାର୍ଯ୍ୟମାନେ କହୁଛନ୍ତି: ସକାଳୁ ଚାଲ। ସକାଳୁ ତେଣୁ ରାସ୍ତାରେ ବହୁ ଲୋକ ଚାଲନ୍ତି। ମୁଁ ଯେଉଁଠି ରହେ- ଢେଙ୍କାନାଳ, ଛୋଟସହର। ଏଠି ବଡ଼ସହର ଭଳି ମଣିଷ ମଣିଷକୁ ଦେଖି, ନ ଚିହ୍ନିଲା ପରି ମୁହଁ ମୋଡ଼ି, ବାଟ ଭାଙ୍ଗି ଚାଲିଯାଏନି। ତେଣୁ ସକାଳୁ ବହୁ ଲୋକ ଦେଖା ହୋଇଯାନ୍ତି।
ଗୋଟେ କଥା ମୁଁ ଲକ୍ଷ୍ୟ କରୁଛି, ଯେତେ ଲୋକଙ୍କ ସହିତ ମୋର ଦେଖାହୁଏ, ଅଧିକାଂଶ ମୋତେ କହନ୍ତି: ଗୁଡ୍ମର୍ଣ୍ଣିଂ ଇଆଡେ଼ ପାଟିରେ ଗୁଡ୍ମର୍ଣ୍ଣିଂ କହିବା ସହିତ ହାତ ଟେକି ନମସ୍କାର ବି କରନ୍ତି। ଗୁଡ୍ମର୍ଣ୍ଣିଂ ଆଉ ନମସ୍କାର- ଏକାସାଙ୍ଗରେ।
ପ୍ରଥମେ ଏଟା ମୋତେ ଭାରି ଅଡ଼ୁଆ ଲାଗୁଥିଲା। ପରେ ଚିନ୍ତାକରି ବୁଝିଲି, ଇଏ ହେଲା ଆମ ଭାରତୀୟ ସଭ୍ୟତାର ପ୍ରତୀକ। ଆମେ ଭିନ୍ନ ସଂସ୍କୃତିକୁ ନିଜ ଭିତରେ ମିଶେଇ ଦେବାରେ ପାରଙ୍ଗମ। ଆମର ପ୍ରକୃତି ହେଲା, ଅନ୍ୟ ସଂସ୍କୃତିକୁ ରିଜେକ୍ଟ କରିବୁନି କି ଅନ୍ୟ ସଂସ୍କୃତିରେ ନିଜକୁ ହଜେଇ ଦେବୁନି। ସେ ସଂସ୍କୃତିକୁ ନିଜ ସଂସ୍କୃତି ସହିତ ମିଶେଇ ନିଜର କରିନେବୁ।
ଏକଦମ ସରଳ କେତେଗୁଡ଼ିଏ ଉଦାହରଣ ଦିଏା ଗୋଟେ ସଂସ୍କୃତିର ପ୍ରଭାବ ଆଉ ଏକ ସଂସ୍କୃତି ଉପରେ ଯେତେବେଳେ ପଡେ଼- ପ୍ରଥମେ ତାର ମନୋରଂଜନର ମାଧ୍ୟମ, ପୋଷାକ, ଖାଦ୍ୟ ତିଆରି ଉପରେ ପଡେ଼। ତାପରେ ତାହା ଭିତରକୁ ଭିତରକୁ ଭେଦ।
ତିରିଶ ବର୍ଷ ତଳେ ଯେତେବେଳେ ଷ୍ଟାର ଟିଭି ପ୍ରଥମେ ତା’ର ପ୍ରସାରଣ ଆରମ୍ଭ କଲେ- ଅନେକେ କହିଲେ- ଗଲା ଏବେ ଭାରତୀୟ ସଂସ୍କୃତିର ବାରଟା ବାଜିଗଲା। ଲୋକେ ଏବେ ଦିବାରାତ୍ର ଇଂରାଜୀ କାର୍ଯ୍ୟକ୍ରମ ଦେଖିବୋ ବୋଲଡ ଆଣ୍ଡ ବିଉଟିଫୁଲ୍ ଦେଖିବ। ଲଙ୍ଗଳା ମୁକୁଳା ଦେହସବୁ ଦେଖିଆମ ପିଲାଏ ଛତରା ଆଉ ବାଳୁଙ୍ଗା ହୋଇଯିବୋ ହେଲା କଣ? ଷ୍ଟାରରେ ଏବେ ଚବିଶ ଘଣ୍ଟା ହିନ୍ଦି କାର୍ଯ୍ୟକ୍ରମ। ମହାଭାରତ, ରାମାୟଣ, ହନୁମାନ, ଶାଶୁ ବୋହୁ ସବୁ କିଛି ଦିଶୁଛି। ହିନ୍ଦିରେ ଖବର ଦେଲେଣି। ବଂଗଳା, ତେଲେଗୁ ଆଦି ଆଞ୍ଚଳିକ ଭାଷାରେ ସ୍ଥାନୀୟ ଟିଭି ଚ୍ୟାନେଲ ସହିତ ମିଶି ଖବର ଦେଲେଣି। ଇଏସପିଏନରେ ଆପଣ ହିନ୍ଦିରେ କ୍ରିକେଟର ଧାରା ବିବରଣୀ ଶୁଣୁଛନ୍ତି। ଇଂରାଜୀ ସିନେମା ଆଞ୍ଚଳିକ ଭାଷାରେ ଡବ୍ କରାଯାଇ ଦେଖାଯାଉଛି।
ଆଉ ଗୋଟେ ଉଦାହରଣ ନିଅନ୍ତୁ। ମ୍ୟାକଡୋନାଲଡ ଆସିଲା। ଲୋକେ କହିଲେ- ଗଲା- ଆମେ ସବୁ ମାଂସାହାରୀ ହୋଇଯିବା। ମ୍ୟାକଡୋନାଲଡ ବାଲା ଆମକୁ କାଙ୍ଗାଳ କରିଦେବେ। ଏବେ ଦେଖିଲା ବେଳକୁ ମ୍ୟାକଡୋନାଲଡରେ ଭେଜ୍ ବର୍ଗର ମିଳିଲାଣି। ଆମ ଢେଙ୍କାନାଳ ବଜାରରେ ବି ପିଜାର ବେସ୍ (ଗୋଲ ପାଉଁରୁଟି ପ୍ରାୟ ଜିନିଷଟି) ମିଳିଲାଣି। ଲୋକେ ତାକୁ ଘରେ ତିଆରି କରି ଖାଉଛନ୍ତି।
କହିବା କଥା ହେଲା- ଭିନ୍ନ ସଂସ୍କୃତିକୁ ଆମ ସଂସ୍କୃତିରେ ମିଶେଇ ଦେବା ଆମ ରକ୍ତରେ। ତେଣୁ ଅନ୍ୟ ସଂସ୍କୃତିକୁ ନେଇ ବ୍ୟସ୍ତ ହେବା ଜମା ଦରକାର ନାହିଁ। ଯେତେ ଗୁଡମର୍ଣ୍ଣିଂ ଆସିଲେ ବି ଆମହାତ ଦୁଇଟି ନମସ୍କାର ମୁଦ୍ରାରେ ଉଠିବ ନିଶ୍ଚୟ। ତାହାହିଁ ଭାରତୀୟତାର ବିଶେଷତ୍ୱ।
ଓଡ଼ିଶା–ଆସାମ ବନ୍ଧୁତ୍ୱ
ଏଇ କିଛିଦିନ ତଳେ ମୁଁ ଗୁଆହାଟୀ ବିଶ୍ୱବିଦ୍ୟାଳୟରେ ଏକ ଆର୍ନ୍ତଜାତିକ ସେମିନାରକୁ ଯାଇଥିଲି। ଚାରି ଦିନ ରହିଲି। ବହୁ ଅସମିଆ କବି, ଲେଖକ, ବୁଦ୍ଧିଜୀବୀ, କଳାକାରମାନଙ୍କ ସହିତ ଦେଖାହେଲା।
ଅସମିଆ ଲେଖକ ଲକ୍ଷୀନାଥ ବେଜବଡ଼ୁଆ (ତାଙ୍କୁ ଆସାମରେ ସାହିତ୍ୟ ମହାରଥୀ ବୋଲି କୁହାଯାଏା ଗୁଆହାଟୀ ବିଶ୍ୱବିଦ୍ୟାଳୟ ଅସମିଆ ବିଭାଗ ସାମ୍ନାରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିକୃତି ରହିଛି)ଙ୍କ ସମ୍ବଲପୁର ବାସଭବନକୁ ସଂରକ୍ଷଣ କରାଯିବ ଏବଂ ସେଠି ଗୋଟେ ସଂସ୍କୃତି କେନ୍ଦ୍ର ନିର୍ମାଣ କରାଯିବ ବୋଲି ଓଡ଼ିଆ ସରକାର ଘୋଷଣା କଲାପରେ ଆସାମର ଲୋକମାନେ ଭାରି ଖୁସୀ ହୋଇଛନ୍ତିା ଯେଉଁମାନେ ଜାଣିନାହାନ୍ତି, ସେମାନଙ୍କ ପାଇଁ କହିଦିଏ ବେଜବଡ଼ୁଆ (୧୮୬୪-୧୯୩୮) ଦୀର୍ଘ ବର୍ଷ ସମ୍ବଲପୁରରେ ରହୁଥିଲୋ ତାଙ୍କର ଅନେକ କୃତି ସମ୍ବଲପୁରରେ ଲେଖା।
ଆସାମ ସହିତ ଓଡ଼ିଶାର ସମ୍ପର୍କ ବହୁ ପ୍ରାଚୀନ ଏବଂ ଘନିଷ୍ଠ। ଭାଷା ଏବଂ ସଂସ୍କୃତିରେ ଦୁଇଅଞ୍ଚଳରେ ଅନେକ ସାମଞ୍ଜସ୍ୟ ରହିଛି। ବେଶ କିଛି ଅସମିଆ ସାହିତ୍ୟକୃତି ଓଡ଼ିଆରେ ଏବଂ ଓଡ଼ିଆ ସାହିତ୍ୟକୃତି ଅସମିଆରେ ଅନୁଦିତ ହୋଇଛି। ତା ଭିତରେ ମୋର ଦୁଇଟି ଓଡ଼ିଆ ଉପନ୍ୟାସ ବି ରହିଛି। କିନ୍ତୁ ଓଡ଼ିଆ-ଅସମିଆ ଦ୍ୱିଭାଷୀ ଚଳଚ୍ଚିତ୍ର ଗୋଟିଏ ହେଲେ ତିଆରି ହୋଇନାହିଁ। ଏକଥା କହିଲି ଯେ କେତେକ ଚଳଚ୍ଚିତ୍ର ନିର୍ମାତା କହିଲେ, ଆରେ ସତ ତ, ଏ ଦିଗରେ ଆମେ କେବେ ସିରିଅସଲି ଭାବି ଦେଖିନାହୁାଁ ଏବେ ଗୋଟେ ଓଡ଼ିଆ, ବଂଗଳା ଅସମିଆ ତ୍ରିଭାଷୀ ଚଳଚ୍ଚିତ୍ରଟିଏ ନିର୍ମାଣର କଥା ଚାଲିଛି – ଦେଖାଯାଉ କଣ ହେଉଛି।
ଦକ୍ଷିଣରେ ତାମିଲ-ତେଲେଗୁ-କନ୍ନଡ଼-ମାଲୟଲାମ୍ ଏ ଚାରୋଟି ଭାଷାରୁ ଏକାସଂଗରେ ଏକାଧିକ ଭାଷାରେ ବହୁ ଚଳଚ୍ଚିତ୍ର ହେଉଛି। ଏହାଦ୍ୱାରା ବ୍ୟବସାୟିକ ଲାଭ ଅଧିକ ହେଉଛି। ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକରେ ବଂଗଳା-ଓଡ଼ିଆ ବା ବଂଗଳା-ଅସମିଆ ଦ୍ୱିଭାଷୀ ଚଳଚ୍ଚିତ୍ର ହୋଇଛି। ଓଡ଼ିଆ-ଅସମିଆ ଚଳଚ୍ଚିତ୍ର ହୋଇନି। ହେଲେ ଭଲହୁଅନ୍ତା।
କବିତା ପାଠୋତ୍ସବ
ଏଟା ଗୁଲିକି ସତ ମୁଁ କହିପାରିବିନି। କାରଣ ଏଟା ମୁଁ ଗୋଟେ ସାହିତ୍ୟ ଖଟିରେ ଶୁଣିଥିଲି। ସେଠି ଯେତେ କଥା ଶୁଣାଯାଏ, ତା’ର କେଉଁଟା ସତ ଆଉ କେଉଁଟା ଭେଜାଲ ତାହା ଜାଣିବା କାଠିକର ପାଠ। ତ ସେଠି ଜଣେ କବି କହିଲେ କବିତା ପାଠୋତ୍ସବରେ ଲୋକ ହେବାର ଗୋଟେ ଭଲ କାଇଦା କରିଛନ୍ତି ଅମକ। କବିତା ପାଠୋତ୍ସବ ପୂର୍ବରୁ ରେକର୍ଡ ଡ୍ୟାନ୍ସ କମ୍ପିଟିସନ୍। ଆଜିକାଲି ରେକର୍ଡ ଡାନ୍ସ କମ୍ପିଟିସନରେ ଛୋଟ ଛୋଟ ପୁଅଝିଅଙ୍କ (କେତେକ କ୍ଷେତ୍ରରେ ସେତେ ଛୋଟ ବି ନୁହେଁ) ବାପାମା’ମାନେ ପିଲାମାନଙ୍କୁ ବିଚିତ୍ର ବେଶପୋଷାକ ପିନ୍ଧେଇ ନିଜେ ନେଇ ଯାଉଛନ୍ତି। ଘଣ୍ଟା ଘଣ୍ଟା ଧରି ବସୁଛନ୍ତି। ଅମକ ଠିକ୍ କରିଛନ୍ତି ଗୋଟେ ଡ୍ୟାନ୍ସ ପରେ ଚାରିଟା କବିତା ପଢ଼ାଯିବ। ତାପରେ ପୁଣି ଗୋଟେ ରେକର୍ଡ ଡାନ୍ସ ତାପରେ ଫେର ଚାରିଟା କବିତା। ଶ୍ରୋତା ନରହି ଯିବେ କୁଆଡେ଼!
ଦେଶସେବା
ସୁନ୍ଦରୀ ଯୁବତୀମାନେ ପ୍ରାତଃ ଭ୍ରମଣକୁ ଗଲେ, ସେମାନେ ନିଜ ସହିତ ଆଉ ଦଶଜଣଙ୍କ ସ୍ୱାସ୍ଥ୍ୟ ଭଲ କରିବାରେ ସାହାଯ୍ୟ କରନ୍ତି। ସେମାନେ ସୁନ୍ଦରୀଙ୍କୁ ଦେଖିବା ପାଇଁ ପ୍ରାତଃ ଭ୍ରମଣରେ ବାହାରି ପଡ଼ନ୍ତି। ତେଣୁ ଦେଶବାସୀଙ୍କ ସ୍ୱାସ୍ଥ୍ୟର ସ୍ୱାର୍ଥରେ ସୁନ୍ଦରୀମାନେ ମର୍ଣ୍ଣିଂ ଓ୍ୱାକ କରନ୍ତୁା
ଜନହିତରେ ଜାରୀ।
ଶୀତ ଅବସରରେ ଗୁରୁଜ୍ଞାନ
ଗୋଟେ କଥା ମନେରଖିବ। ଦୁନିଆରେ ଲୁହ ପୋଛିବା ପାଇଁ ବହୁ ଲୋକ ମିଳିବ। ହେଲେ ନାକରୁ ବୋହୁଥିବା ଶିଙ୍ଗାଣି ପୋଛିବା ଲୋକ ମିଳିବା କଷ୍ଟା ଏତେ ଶୀତ ପଡ଼ିଲାଣି। ନିଜ ଦେହର ଯତ୍ନ ନିଜେ ନେବେ – ସର୍ଦ୍ଦି ଯେମିତି ନଲାଗେ!
(ସୌଜନ୍ୟ – କଥାରେ କଥାରେ ମୃଣାଳ)


















