ଛନ୍ଦା ମିଶ୍ର
ମହାତ୍ମାଗାନ୍ଧୀଙ୍କ ପିଲାଦିନ, ନାଟକ ହରିଶ୍ଚନ୍ଦ୍ରରେ ରାଜା ହରିଶ୍ଚନ୍ଦ୍ରଙ୍କର ସତ୍ୟବାଦିତା ତାଙ୍କ କୋମଳ ଶିଶୁ ମନକୁ ଏତେ ମାତ୍ରାରେ ପ୍ରଭାବିତ କଲା ଯେ, ଆଜୀବନ ସେ ସତ୍ୟ ଓ ନ୍ୟାୟର ଏକ ମୂର୍ତ୍ତିମନ୍ତ ପ୍ରତୀକ ହୋଇ ସମଗ୍ର ସମାଜ ପାଇଁ ପରିଣତ ହେଲେ ଏକ ଆଲୋକବର୍ତ୍ତିକାରେ।
ହିନ୍ଦୀରେ ଶକ୍ତିମାନ୍ ସିରିଏଲ୍ ଦେଉଥିବା ବେଳର କଥା ମନେପକାନ୍ତୁ। କେତେ କୋମଳମତି ବାଳକ ନିଜକୁ ଶକ୍ତିମାନ୍ ବୋଲି ମନେକରି ଘୂରି ଘୂରି ଛାତ ଉପରୁ ତଳକୁ ଲମ୍ଫ ପ୍ରଦାନ କରି ମୃତ୍ୟୁବରଣ କଲେ। ଏଇ ଅଳ୍ପଦିନ ତଳେ ଉତ୍ତରପ୍ରଦେଶର ଛୋଟ ପିଲାଟିଏ ନିଜ ଅନୁଜ ସମ୍ମୁଖରେ ଟିଭିରେ ଦେଖିଥିବା ଏକ ଆତ୍ମହତ୍ୟାର ଅଭିନୟ କରିବାକୁ ଯାଇ ମୃତ୍ୟୁବରଣ କଲା।
କିଛିଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଦିଲ୍ଲୀ ଘଟଣାରେ ନାବାଳକ ଅଭିଯୁକ୍ତଟିର ହିଂସ୍ର ଆଚରଣ ବିଷୟରେ। ଦିନକୁ ଦିନ ଏହିଭଳି ନାବାଳକମାନଙ୍କର ଅପରାଧର ସଂଖ୍ୟା ଏବେ ବଢ଼ିବାରେ ଲାଗିଛି। ହତ୍ୟା, ଡକାୟତି, ବଳାତ୍କାର ପ୍ରତ୍ୟେକଟି ଅପରାଧରେ ନାବାଳକମାନେ ବେଶ୍ ସକ୍ରିୟ ହେବାରେ ଲାଗିଛନ୍ତି। ଏହାକୁ ଦେଖି ଆଜି ନାବାଳକ ଅପରାଧୀର ବୟସସୀମା ଅଠର ବର୍ଷରୁ କୋହଳ କରିବା ପାଇଁ ଚିନ୍ତା କରାଗଲାଣି। ମାତ୍ର ଯେଉଁଠି ବାର/ତେର ବର୍ଷର କିଶୋରଟିଏ ବଳାତ୍କାର ଓ ହତ୍ୟା ପରି ଜଘନ୍ୟ ଅପରାଧ କରିବାର ଦେଖାଗଲାଣି ସେଠାରେ ଏପରି ଆଇନ ତିଆରି କରିବା ସତେ ଯେପରି ଔଷଧ ବିକଳରେ ତାଟିଆ କାମୁଡ଼ିବା ପରି ମନେହୁଏ। ଏସବୁ ଅଘଟଣ ଘଟିବାର ପ୍ରକୃତ କାରଣ ଅଛି ପିଲାଟିର ଶୈଶବ ତଥା ଆଦ୍ୟ କୈଶୋରର କଳୁଷିତ ବାତାବରଣରେ। ଆଜି ଆମ ସମସ୍ତଙ୍କ ପାଖରେ ସମୟର ଘୋର ଅଭାବ। ଶିଶୁଟିଏ ବିରକ୍ତ କରୁଛି ବୋଲି ଆମେ ତା’ ହାତରେ ଟିଭିର ରିମୋଟଟି ଧରାଇଦେଇ ସେ କିଛି ବୁଝିପାରୁନି ବୋଲି ମନେମନେ ଭାରି ଆତ୍ମସନ୍ତୋଷ ଲାଭ କରୁଛୁ।
ଚଳଚ୍ଚିତ୍ର ତଥା ଦୂରଦର୍ଶନର କାର୍ଯ୍ୟକ୍ରମଗୁଡ଼ିକ ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ ବୋଲି ଜାଣି ମଧ୍ୟ ତାକୁ ବାସ୍ତବ ମନେକରି ଯେଉଁଠି ପ୍ରାପ୍ତବୟସ୍କମାନେ ଭାବବିହ୍ଵଳ ହୋଇଉଠୁଛନ୍ତି, ସେଠାରେ କୋମଳମତି ଶିଶୁ ମନରେ ଯେ ଏକ ଭୟଙ୍କର ଅସ୍ଥିରତା ଦେଖାଦେବ ଏହା ନିଃସନ୍ଦେହ। ସମାଜର ଏକ ପ୍ରମୁଖ ଗୋଷ୍ଠୀ ଯାତ୍ରା ବା ଅପେରାଦେଖା ନିଶାରୁ ନିଜକୁ ଦୂରେଇ ରଖତ୍ପାରନ୍ତି ନାହିଁ।
ସପରିବାର ଯାତ୍ରା ଦେଖିଯିବା ସେମାନଙ୍କ ପାଇଁ କୌଣସି ଉତ୍ସବଠାରୁ ମଧ୍ୟ କମ୍ ନୁହେଁ। ଆଗେ ରାମାୟଣ, ମହାଭାରତ, କାଞ୍ଚି ଅଭିଯାନ, ଦାନବୀର ହରିଶ୍ଚନ୍ଦ୍ର ଆଦି ନାଟକ ପ୍ରଦର୍ଶିତ ହେଉଥିଲା। ସମୟକ୍ରମେ ତା’ର ସ୍ଥାନ ଗ୍ରହଣ କଲେ ନିଶା ନିବାରଣ ତଥା ସମାଜ ସଂସ୍କାରକ ନାଟକଗୁଡିଏ। ମାତ୍ର ବର୍ତ୍ତମାନ ଯାତ୍ରାଗୁଡ଼ିକର ନାମ ଏହିପରି – ଦିନରେ ଦିଅର ରାତିରେ ସ୍ଵାମୀ, କଲଗାର୍ଲ, ବାକିରେ ଏଠି ସ୍ଵାମୀ ମିଳନ୍ତି ଆଦି। ଏହି ନାଟକଗୁଡ଼ିକର ବିଷୟବସ୍ତୁ କେଉଁଭଳି ହୋଇଥିବ ତାହା ସହଜରେ ଅନୁମେୟ।
ହିନ୍ଦୀ ଓ ଓଡ଼ିଆ ସିନେମାଗୁଡ଼ିକ ବିଷୟରେ ନ କହିବା ହିଁ ଭଲ। ସେଥିରେ ହିରୋଟି ଫୁଲହାତ ଶାର୍ଟ ତଥା ଫୁଲପ୍ୟାଣ୍ଟ ପିନ୍ଧିଥିଲା ବେଳେ ହିରୋଇନଟି କାହିଁକି କପଡା ଖଣ୍ଡେ ପିନ୍ଧିବାକୁ ପାଏନି ତାହା ସେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ହିଁ ଜଣା ଏବଂ ପ୍ରତ୍ୟେକଟିରେ ହିରୋ ସିଗାରେଟ୍ ଖାଇ ଧୂଆଁ ଛାଡୁଥିଲା ବେଳେ ତଳେ ଛୋଟ ଅକ୍ଷରରେ ଧୂମପାନ ହାନିକାରକ ବୋଲି ଲେଖିବା ଧର୍ମକୁ ଆଖିଠାର ପରି ମନେହୁଏ। ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପଚାରିଲେ ଉତ୍ତର ମିଳେ, ସିଚୁଏସନର ଡିମାଣ୍ଡ ହିସାବରେ ସିନ୍ ରଖିବାକୁ ହେବ।
ସବୁଥିରୁ ବେଶି ଆମେ ପ୍ରଭାବିତ ଦୂରଦର୍ଶନ ଦ୍ଵାରା। ଆମେ ଜାଣିଥିବା ଓ ନ ଜାଣିଥିବା ଅନେକ ତଥ୍ୟ ଆଜି ସେ ଆଣି ଆମ ସମ୍ମୁଖରେ ବାଢି ଦେଉଛି। ଏଥିରେ ପ୍ରସାରିତ ଅଧିକାଂଶ କାର୍ଯ୍ୟକ୍ରମ ନିଜର ସାମାଜିକ ଦାୟିତ୍ୱବୋଧକୁ ପାସୋରି ପକାଇଛନ୍ତି। ଏମାନେ ଆଜି ଶୟନକକ୍ଷର ନିଷିଦ୍ଧାଞ୍ଚଳକୁ ମଧ୍ୟ ପ୍ରବେଶ କରିସାରିଲେଣି। ଶିଶୁ ପାଇଁ ପ୍ରଦର୍ଶିତ କାର୍ଟୁନଟିଏ ମଧ୍ୟ ଆଜି ହିଂସା ଓ ଅଶ୍ଲୀଳତାରେ ଭରପୁର ହୋଇରହିଛି। ପ୍ରତ୍ୟେକଟିରେ ନାରୀର ନଗ୍ନତାର ବିଜ୍ଞାପନ।
ଅନେକ ଅଭିଭାବକ ଏସବୁରେ ନିଜର ଯୁକ୍ତି ମଧ୍ୟ ଉପସ୍ଥାପନ କରୁଛନ୍ତି। ସେମାନଙ୍କର କହିବା କଥା ଯେ, ପିଲାମାନେ ଭଲ ଖରାପ ଉଭୟ ଜାଣିବା ଦରକାର, ଏ ଲେଖିକା ମଧ୍ୟ ସେଥିରେ ଏକମତ। ତେବେ ପିଲାଟି ଏକ ପରିପକ୍ଵ ମାନସିକତାର ଅଧିକାରୀ ତ, ଯିଏ ଭଲ ଓ ଖରାପ ମଧ୍ୟରେ ଥିବା ପାର୍ଥକ୍ୟକୁ ହୃଦୟଙ୍ଗମ କରି କେବଳ ଭଲଟି ଗ୍ରହଣ କରିବ ଓ ଖରାପଟିକୁ ତ୍ୟାଗ କରିବ ।
ଆଜି ଦୂରଦର୍ଶନରେ ପ୍ରସାରିତ ହେଉଥିବା ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକରେ ମୁନ୍ନି ବଦନାମ୍ ହୁଇ, ଶୀଲା କି ଜଓ୍ୱାନି ଓ ଚିକିନିଚମେଲି ଆଦି ଗୀତର ଧୂନ୍। ଯେଉଁ ଶିଶୁ ବା କିଶୋରୀଟି ସ୍ଵଳ୍ପ ପୋଷାକ ପରିଧାନ କରି ଉକ୍ତ ପ୍ରତିଯୋଗିତାରେ ଭାଗନେଇଛି, ନିଜେ ମା’ଟିଏ, ଟିପ୍ସ ଦେଇ କିପରି ନିଜକୁ ସେକ୍ସି ହିସାବରେ ପ୍ରତିପାଦିତ କରିବାକୁ ହେବ ତାହା ବତାଉଛନ୍ତି।
କୁନି ପ୍ରତିଯୋଗୀଟିଏ ଯେଉଁଠି ଜଓ୍ୱାନିର ଅର୍ଥ ବୁଝେନି, ତା’ର ଅଭିଭାବକ ତଥା ନୃତ୍ୟଗୁରୁ, ସେ କିପରି ଓଠ କାମୁଡି ଆଖିତ୍ମାରି ନିଜ ଜଓ୍ୱାନିକୁ ପ୍ରଦର୍ଶନ କରିବ ତାହା ବତାଉଛନ୍ତି। ଆଉ ଯିଏ ଏସବୁ ନ କରିପାରୁଛି ତାର ଏକ୍ସପ୍ରେସନ ନାହିଁ ବୋଲି ସେ ପ୍ରତିଯୋଗିତାରୁ ବାଦ୍ ପଡୁଛି। ଆଉ ଯିଏ ଏପରି ଏକ୍ସପ୍ରେସନ ଦେଇ ଶ୍ରେଷ୍ଠ ପ୍ରତିଯୋଗୀ ହେଉଛି, ସେ ଏହାକୁ ନିଜ ସଫଳତାର ଚାବିକାଠି ବୋଲି ଧରିନେଉଛି। କୋମଳମତି କିଶୋରୀଟିଏ ଏପରି ଧାରଣା ପୋଷଣ କରିବା ସ୍ଵାଭାବିକ। ତେବେ ଏଠାରେ ଅଭିଭାବକମାନେ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଉଛନ୍ତି ତ !
ଏହାଛଡା ମୋବାଇଲ ଆଉ ବିଳାସ ନହୋଇ ପରିଣତ ହୋଇଛି ଆବଶ୍ୟକତାରେ। ତାହା ଆଜି ଛୋଟ ପିଲା ହାତରେ ବି ଶୋଭାପାଉଛି। ପାଠକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏବେ ଷଷ୍ଠ/ସପ୍ତମର ଛୋଟପିଲାମାନେ ମଧ୍ୟ ନଗ୍ନ ଭିଡିଓ ଦେଖୁଛନ୍ତି। ତେଣୁ କିଶୋରୀଟିଏ ମାତୃତ୍ୱ ଓ କିଶୋରଟିଏ ପିତୃତ୍ୱ ଲାଭ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ମହାମତି ଚାଣକ୍ୟ କହିଛନ୍ତି-ଲାଳୟେତ୍ ପଞ୍ଚବର୍ଷାଣି, ଦଶବର୍ଷାଣି ତାଡ଼ଏତ୍, ପ୍ରାପ୍ତେଷୁ ଷୋଡ଼ଶ ବର୍ଷେ, ପୁତ୍ରଂ ମିତ୍ରବଦାଚରେତ୍। ତେଣୁ ଶିଶୁକୁ ପ୍ରଥମ ପାଞ୍ଚବର୍ଷ ଅତ୍ୟନ୍ତ ସ୍ନେହରେ ଲାଳନପାଳନ କରିବା ଏବଂ ତା’ର ସମସ୍ତ ଜିଜ୍ଞାସାର ଉତ୍ତର ଦେବା ଉଚିତ। ତ” ପରର ଦଶବର୍ଷ ଅତ୍ୟନ୍ତ ଅନୁଶାସନଭରା ହେବା ଉଚିତ। କାରଣ ଏହା ବୃତ୍ତିପ୍ରବୃତ୍ତି ଉଙ୍କିମାରିବାର ସମୟ। ଏହି ସମୟରେ ଖରାପ ପ୍ରବୃତ୍ତିକୁ ବାଧା ନେଦଲେ ସେଗୁଡ଼ିକ ବୃଦ୍ଧିପାଇ ତାର ଭବିଷ୍ୟତ ଜୀବନକୁ ନଷ୍ଟ କରିଦେଇପାରେ ଓ ତାକୁ ଅପରାଧୀ ସଜେଇେଦଇପାରେ।
ଆଜି, ଆପଣ ଯେତେବଡ଼ ବିଦ୍ଵାନ୍ ଓ ମହାନ୍ ବ୍ୟକ୍ତିଙ୍କୁ ପାଖକୁ ଯାଆନ୍ତୁ, ପ୍ରତ୍ୟେକ ସେମାନଙ୍କର ସଫଳତା ପାଇଁ ଶୈଶବକୁ ଦ।ୟୀ କରନ୍ତି। ମାତାପିତା ତଥା ଗୁରୁଙ୍କର ଅନୁଶାସନରେ ସେମାନଙ୍କର ଜୀବନ ହୋଇଥାଏ ମହକିତ।
ସାଧାରଣ ଗଛଟିର ଜୀବନକୁ ଲକ୍ଷ୍ୟ କରନ୍ତୁ। ଛୋଟ ଚାରାଟିଏ ଲଗାଇଲା ବେଳେ ତାହା ଉତ୍ତମରୂପେ ବଢିବା ପାଇଁ ଉର୍ବର ମାଟି, ପାଣି ଓ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଆବଶ୍ୟକରେ। ତା’ ଚାରିପାଖରେ ହେଉଥିବା ଅନାବନା ଗଛଗୁଡ଼ିକୁ ଉପାଡି ଦେଲେ ଚାରାଟି ଉତ୍ତମରୂପେ ବଢେ। ଏହାର ଚାରିପଟେ ବାଡବୁଜି ନ ଦେଲେ ଛେଳି ତଥା ଗୋରୁ ଖାଇଯିବାର ଭୟ ରହେ। କିଛିଦିନ ଯତ୍ନ ନେଇଗଲା ପରେ ଗଛଟି ପାଲଟେ ସ୍ଵୟଂ ନିଜର କର୍ତ୍ତା ।
ଶିଶୁଟିର ମନ ଅତ୍ୟନ୍ତ ନରମ, ସମ୍ବେଦନଶୀଳ ତଥା ଅନୁକରଣ ପ୍ରିୟ। ଏହି ସମୟରେ ସେ ଦରକାର କରେ ପ୍ରଚୁର ଯତ୍ନ, ସ୍ନେହ ଓ ଆଧ୍ୟାତ୍ମିକତାର ଏକ ପରିବେଶ। ତା’ର ମାନସିକ ତଥା ଶାରୀରିକ ବିକାଶ ଘଟିଥାଏ ଅଭିଭାବକ, ଗୁରୁ ଓ ଗୁରୁଜନମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। ଖାଲି ପିଲା ଜନ୍ମ କରିଦେଲେ ଦାୟିତ୍ୱ ସରିଯାଏନି ବରଂ ପ୍ରକୃତ ଦାୟିତ୍ୱ ଓ କର୍ତ୍ତବ୍ୟ ଆରମ୍ଭ ହୁଏ ସେହିଦିନଠାରୁ। ଆମର ଏହି ଗୁରୁଦାୟିତ୍ୱର ନିର୍ବାହ ଉପରେ ନିର୍ଭର କରେ ଆମେ ଆଗାମୀ ପିଢ଼ିକୁ କେଉଁ ରୂପେ ଦେଖିବାକୁ ଚାହୁଁ, ରୁଗ୍ଣ ଓ ଶୁଖିଲା ଗଛଟିଏ ପରି ନା ହୃଷ୍ଟପୁଷ୍ଟ ଫୁଲଫଳରେ ଭରା ଏକ ବିରାଟ ଦ୍ରୁମରୂପରେ।
(ସୌଜନ୍ୟ – ଭିନ୍ନ ମଣିଷ)


















