ମୃଣାଳ ଚାଟ୍ଟାର୍ଜୀ

ଓଡ଼ିଶାରେ ମହାବିଦ୍ୟାଳୟର ଅଭାବ ନାହିଁ। ଗୋଟେ ହିସାବ କହେ, ଓଡ଼ିଶାରେ ଯେତେ ମହାବିଦ୍ୟାଳୟ ଦରକାର ତାଠୁ ଢେର ଅଧିକ ରହିଛି। ଗୋଟେ ସମୟରେ ସାରା ଓଡ଼ିଶାରେ ଛତୁ ଫୁଟିଲା ପରି କଲେଜ ଖୋଲିଗଲା। ଯେନତେନ ପ୍ରକାରେଣ କଲେଜଟିଏ ଖୋଲିଦେଲେ ଆମ ପିଲାଏ ଉଚ୍ଚଶିକ୍ଷିତ ହୋଇଯିବେ- ଏମିତି ଚିନ୍ତା ବହୁ ଲୋକଙ୍କୁ ଏକାଥରେ ଘାରି ଧରିଲା। କିଛି ଅଞ୍ଚଳରେ କଲେଜ ଖୋଲିବା ଆଞ୍ଚଳିକ ଅସ୍ମିତା ପ୍ରଦର୍ଶନର ଉପାୟ ହୋଇଉଠିଲା। କେତେକ ଅଞ୍ଚଳରେ ଏହା ହୋଇଉଠିଲା ରାଜନୈତିକ କ୍ଷମତା ପ୍ରଦର୍ଶନର କ୍ଷେତ୍ର। କାରଣ ଯାହା ହେଉନା କାହିଁକି ବହୁ କଲେଜ ଖୋଲିଗଲା। ଏବେ ପିଲା ହେଉନଥିବାରୁ ଗ୍ରାମାଞ୍ଚଳରେ ଅନେକ ମହାବିଦ୍ୟାଳୟ ବନ୍ଦ ହେବା ଅବସ୍ଥାରେ ପହଞ୍ଚିଲାଣି।

କିନ୍ତୁ ଗୋଟେ କଥା ମୁଁ ବୁଝିପାରେନି, ଆମର ଅଧିକାଂଶ ମହାବିଦ୍ୟାଳୟଗୁଡ଼ିକର ପରିବେଶ ଏତେ ଅପରିଷ୍କାର ଏବଂ ଅପରିଚ୍ଛନ୍ନ କାହିଁକି? ଅଧିକାଂଶ ମହାବିଦ୍ୟାଳୟରେ ପରିସରରେ ଦେଖିବେ ଅନାବନା ଜଙ୍ଗଲ। ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ିରହିଛି। ପାନଛେପ ଆଉ ଗୁଟ୍‌ଖା ଖୋଳ ପଡ଼ିଛି ସିଡ଼ିରେ। ଶ୍ରେଣୀଗୃହରେ ଫ୍ୟାନ୍‌ ଗୁଡ଼ିକର ଅଷ୍ଟବକ୍ର ଅବସ୍ଥା। ଝରକାର କାଚସବୁ ଭଙ୍ଗା। ଶୌଚାଗାରଗୁଡ଼ିକ ବ୍ୟବହାର ଅଯୋଗ୍ୟ।

ମହାବିଦ୍ୟାଳୟରେ ଏମିତି ଅବସ୍ଥା କାହିଁକି ହେବ? ପାଠ ପଢ଼ିବା ଜାଗାଟିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମ ସଂସ୍କୃତି। କିନ୍ତୁ ମହାବିଦ୍ୟାଳୟର ଅବସ୍ଥା ଦେଖିଲେ.. ଛାଡ଼ନ୍ତୁ। ମହାବିଦ୍ୟାଳୟରେ ଅପାଠୁଆ ତ କେହି ନାହାନ୍ତି, ତେବେ ଏମିତି ଅଳିଆ ଆବର୍ଜନା ଅସ୍ୱାସ୍ଥ୍ୟକର ପରିବେଶ କାହିଁକି ରହିବ?

ଅଧିକାଂଶ ବଡ଼ କଲେଜରେ ଏନ୍ଏସ୍ଏସ୍ ଅଛି, ଏନସିସି ଅଛି। ଏହାର ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ କରି ଗଢ଼ିତୋଳିବା। ସମାଜ ସଚେତନ କରିବା। ସମାଜକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ଆଗଭର କରେଇବା। ସେମାନେ ଗାଁକୁ ଯାଇ ବିଭିନ୍ନ ଇସ୍ୟୁରେ ସଚେତନତା ଶିବିର କରନ୍ତି। ଗ୍ରାମ ସଫେଇ ବି କରନ୍ତି। ନିଜ ମହାବିଦ୍ୟାଳୟ ପରିବେଶ ଅପରିଷ୍କାର ରହିଛି, ତାକୁ କାହିଁକି ସଫା କରୁନାହାନ୍ତି ସେମାନେ? ପରିଚ୍ଛନ୍ନତା ସମ୍ପର୍କରେ ନିଜ କଲେଜ ପିଲାମାନଙ୍କୁ କାହିଁକି ସଚେତନ କରୁନାହାନ୍ତି?

ଏକଥା ଥରେ ଏକ ବଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରିଲି। ସେ କହିଲେ, ଆଜ୍ଞା କଲେଜ ସଫାସଫି କରିବାକୁ ପଇସା କାହିଁ? ସରକାର ଆମକୁ କେତେ ପଇସା ଦଉଛନ୍ତି କି? ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ମହାବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକ ଝାଡ଼ୁ ଦେବା, ଅନାବନା ଗଛ ଉପାଡ଼ିବା ପାଇଁ କ’ଣ ସରକାରଙ୍କୁ ଚାହିଁ ବସିବା? ସବୁକଥାରେ ସରକାର-ମନସ୍କ ହୋଇରହିବା? ମହାବିଦ୍ୟାଳୟ ପରିସରରେ ଚାରିଟା ଗଛ ଲଗେଇବାକୁ କଣ ହାତିଘୋଡ଼ା ଟଙ୍କା ଦରକାର? ମହାବିଦ୍ୟାଳୟରେ ଗଣେଶ ପୂଜା ହୋଇପାରୁଛି, ସରସ୍ୱତୀ ପୂଜା ହୋଇପାରୁଛି, ସେଥିରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇ ପାରୁଛି। ବିଭିନ୍ନ ଉତ୍ସବରେ ଖର୍ଚ୍ଚ ହୋଇ ପାରୁଛି, ପରିଷ୍କାର ପରିଚ୍ଛନ୍ନତା ବେଳକୁ ଅର୍ଥାଭାବ ?

ମୋତେ ଲାଗେ ଏଟା ଆମର ମାନସିକତାର ଅଭାବ। ଆମେ ଯଦି ମହାବିଦ୍ୟାଳୟକୁ ନିଜର ବୋଲି ଭାବିବା, ତେବେ ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦିଗରେ ଆଗଭର ହେବା। ଯଦି ମହାବିଦ୍ୟାଳୟକୁ କାମଧେନୁ ବୋଲି ଭାବିବା – ଶିକ୍ଷକମାନେ କ୍ଲାସ ନିଅନ୍ତୁ ବା ନ ନିଅନ୍ତୁ ଦରମା ନେବେ, ଛାତ୍ରମାନେ ତାକୁ ମଉଜମଜଲିସର ଆଖଡ଼ା ବୋଲି ଭାବିବେ- ତେବେ ଏଇ ଅବସ୍ଥାରେ ରହିବ। ଦେଶକୁ ନିଜର ବୋଲି ଭାବିଲେ ସିନା ତା’ର ରକ୍ଷଣାବେକ୍ଷଣ କରିବା।

ଛାତ୍ରମାନଙ୍କୁ ମହାବିଦ୍ୟାଳୟ ସ୍ତରରୁ ତାହା ଶିକ୍ଷା ଦେବାର ସବୁଠୁ ଭଲ ବାଟ ହେଲା ନିଜ ମହାବିଦ୍ୟାଳୟକୁ ନିଜେ ପରିଷ୍କାର ରଖିବାର ଶିକ୍ଷା ଦେବା। ହେଲେ ଦେବ କିଏ? ଶିକ୍ଷକମାନଙ୍କର ତ ନିଜ ଶିକ୍ଷାନୁଷ୍ଠାନ ପ୍ରତି ପ୍ରତିବଦ୍ଧତା ନାହିଁ। ଶିକ୍ଷକମାନେ ଏ ଦିଗରେ ଆଗଭର ହେଲେ ଅନେକ ପରିବର୍ତ୍ତନ ହୋଇପାରିବ। କେତେକ ମହାବିଦ୍ୟାଳୟରେ ମୁଁ ଏପରି ହେବାର ଦେଖିଛି। ଶିକ୍ଷକମାନେ ଏ ଦିଗରେ ଆଗଭର ହେଲେ ଛାତ୍ରମାନେ ମଧ୍ୟ ନିଶ୍ଚୟ ପରିଚ୍ଛନ୍ନତା-ମନସ୍କ ହେବ। ପରିଚ୍ଛନ୍ନତା ଏକ ସଂସ୍କୃତି। ଏହାକୁ ସଚେତନ ଭାବରେ ସୃଷ୍ଟି ଓ ଲାଳନ କରାଯାଇପାରିବ, ଯଦି ଇଚ୍ଛା ଓ ନିଷ୍ଠା ଥାଏ।

(ସୌଜନ୍ୟ – କଥାରେ କଥାରେ ମୃଣାଳ)

Comment