ଛନ୍ଦା ମିଶ୍ର

ହାଇଦ୍ରାବାଦର ଏକ ସଫ୍ଟେଓ୍ୱର କମ୍ପାନୀରେ ଦୁଇଜଣ ଓଡ଼ିଆ ଯୁବକ, ଯୁବତୀ ଏକାଠି କିଛିଦିନ ଚାକିରୀ କଲାପରେ ପରସ୍ପରକୁ ବିବାହ କରିବାର ନିଷ୍ପତ୍ତି ନେଲେ। ଉଭୟ ପରିବାର ପ୍ରଥମେ ବିରୋଧ କରୁଥିଲେ ମଧ୍ୟ ପରେ ପୁଅଝିଅଙ୍କ ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇଲେ। ବିବାହର ଛଅ/ସାତ ମାସ ପରେ ଦୁଇଜଣଙ୍କ ମଧ୍ୟରେ ଛୋଟଛୋଟ କାରଣକୁ ନେଇ ମନୋମାଳିନ୍ୟ ଆରମ୍ଭ ହେଲା। ଏଥିରେ ଇନ୍ଧନ ଯୋଗାଇବାରେ ତିଳେ ହେଲେ ବି ହେଳା କରିନଥିଲେ ଉଭୟ ପରିବାରର ମହିଳାମାନେ। ବିବାହର ମାତ୍ର ଦୁଇବର୍ଷ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଗଲା।

ଜୀବନର ଅନ୍ୟ ନାମ ବୁଝାମଣା। ବାପା, ମା’, ଭାଇ, ଭଉଣୀ, ସାଙ୍ଗସାଥୀ ପ୍ରତ୍ୟେକଙ୍କ ସହିତ ଉତ୍ତମ ବୁଝାମଣା ହିଁ ଜୀବନକୁ ସଫଳ ତଥା ଶାନ୍ତିମୟ କରିଥାଏ। ଯେଉଁ ସ୍ଥାନରେ ଏହି ବୁଝାମଣାରେ ଟିକିଏ ବି ବ୍ୟତିକ୍ରମ ଦେଖାଦିଏ ସେଠି ସମ୍ପର୍କରେ ଫାଠ ସୃଷ୍ଟି ହୁଏ। ଦୁଇଜଣଙ୍କୁ ମଧ୍ୟରୁ କେତେବେଳେ ଜଣକୁ ଓ କେତେବେଳେ ମଧ୍ୟ ଦୁଇଜଣଙ୍କ ପରିସ୍ଥିତି ସହିତ ଖାପ ଖୁଆଇ ଚାଲିବାକୁ ହୁଏ। ଯେଉଁଠି ଏପରି ହୋଇନପାରେ, ଜଣେ ଆର ଜଣଙ୍କୁ ଆଡ଼େଇ ଚଳିବାକୁ ବାଧ୍ୟ ହୁଏ। ମାତ୍ର ବିବାହ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିଲେ ସ୍ଥିତି ହୁଏ ଭୟଙ୍କର। ପ୍ରାୟ ପ୍ରତ୍ୟେକଙ୍କ ଜୀବନରେ ପ୍ରେମ ଓ ବିବାହକୁ ନେଇ ମନରେ ଥାଏ ଅନେକ ସ୍ଵପ୍ନ।

ଆମ ମହାନ ପରମ୍ପରା ବିବାହକୁ ଏକ ଧାର୍ମିକ ଅନୁଷ୍ଠାନ ମନେକରେ। ବିବାହ କରି ଜଣେ ଗୃହସ୍ଥ ଭାବେ ସୁଖି ଦାମ୍ପତ୍ୟ ନିର୍ବାହ ସହ ପିତାମାତା ଗୁରୁଗୁରୁଜନ, ଅତିଥି ଅଭ୍ୟାଗତଙ୍କ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିବା ସହିତ ସୁସ୍ଥ ସନ୍ତାନ ଜନ୍ମେଦଇ ସେମାନଙ୍କୁ ଉଚିତ ପ୍ରତିପାଳନ ପୂର୍ବକ ଏକ ଦାୟିତ୍ୱବାନ ତଥା ଉତ୍ତମ ନାଗରିକ ରୂପେ ଗଢ଼ିତୋଳିବାକୁ ନିଜର ଗୁରୁଦାୟିତ୍ୱ ବୋଲି ମନେ କରିବା ଉଚିତ।

ହେଲେ ଗତ କିଛିବର୍ଷ ହେଲା ବିବାହ ପାଲିଟିଛି ଏକ ପ୍ରହସନରେ। ଖୁବଗୁଡ଼ାଏ ଖର୍ଚ୍ଚକରି ବ୍ୟାଣ୍ଡ ବାଜା ଓ ବାଣ ଝଲସାଇ କନ୍ୟା ଘରେ ପହଞ୍ଚି ଦାମୀ ଜାନିଯୌତୁକ ଧରି ଏକ ଭବ୍ୟ ପ୍ରୀତିଭୋଜନ ପ୍ରଦାନ କରି ଆମେ ଭାବି ନେଉଛୁ ଜୀବନର ଏକ ବଡ଼ କାମ ସରିଗଲା ବୋଲି। ମାତ୍ର ପ୍ରକୃତ କାମ ଆରମ୍ଭ ହୁଏ ତାହା ପରେ। ବର, କନ୍ୟା ଦୁହେଁ ଅଲଗା ଅଲଗା ପରିବେଶ ତଥା ପରିସ୍ଥିତି ଦେଇ ଆସିଥାନ୍ତି। ଦୁହିଁଙ୍କୁ, ଦୁହିଁଙ୍କ ସହିତ ଖାପ ଖୁଆଇ ଚଳିବାକୁ ହୋଇଥାଏ। ଅନ୍ୟର ପସନ୍ଦ, ନାପସନ୍ଦ, ଇଚ୍ଛା ଓ ଅନିଚ୍ଛାକୁ ସମ୍ମାନ ଦେବାକୁ ପଡ଼େ। ଏଥିସହିତ ଜଣେ, ଅନ୍ୟ ଜଣଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ରହି ନିଜ ସ୍ନେହ ଓ ଶ୍ରଦ୍ଧା ଦ୍ଵାରା ତାର ହୃଦୟ ଜୟ କରିଥାଏ। ଏହା ନହୋଇପାରିଲେ ବିବାହ ହୋଇଯାଏ ଏକ ବୋଝ ସଦୃଶ, ଯାହାକୁ ଜୀବନବ୍ୟାପୀ ନିଜ କାନ୍ଧରେ ବୋହି ବଞ୍ଚିବାକୁ ହୁଏ। ଯେତେବେଳେ ଏହି ବୋଝ ମଣିଷ ପକ୍ଷରେ ବୋହିବା ସମ୍ଭବପର ହୁଏନାହିଁ ସେତେବେଳେ ବିବାହ ବିଚ୍ଛେଦ ହେବା ସୁନିଶ୍ଚିତ। ତେବେ, ବିବାହ ନାମକ ଏହି ଅନୁଷ୍ଠାନଟିକୁ ସଫଳ କରିବାରେ ବର ଓ କନ୍ୟା ଉଭୟଙ୍କ ପରିବାରର ସଦସ୍ୟମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି ।

ପ୍ରଥମେ ଝିଅଟିଏ ବିବାହକରି ଶାଶୁଘରକୁ ଆସିଲା ପରେ ସେଠାରେ ଥିବା ଶାଶୁ, ଶ୍ୱଶୁର, ଦିଅର ଓ ନଣନ୍ଦମାନଙ୍କର ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇ ନିଜ ଘରକୁ ଭୁଲି ଶାଶୁଘରକୁ ଆପଣାର କରିଥାଏ। ଯଦି ଶାଶୁଘରର ସଦସ୍ୟମାନେ ବୋହୂଟିକୁ ସହଯୋଗର ହାତ ନବଢ଼ାନ୍ତି ବା ନିଜେ ବୋହୂଟି ଶାଶୁ ଶ୍ୱଶୁରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ ନକରେ, ତେବେ ଛୋଟଛୋଟ ମନୋମାଳିନ୍ୟ ସୃଷ୍ଟି ହୋଇ ତାର ସୁଖି ବୈବାହିକ ଜୀବନକୁ ବିଷମୟ କରିଦିଏ।

ଆଗେ ଝିଅ ବିଦା ବେଳେ ଉପଦେଶ ଦେବା ଛଳରେ ଝିଅର ବାପା ମାଆ କିପରି ଝିଅକୁ ଶାଶୁ ଶ୍ୱଶୁରଙ୍କ ନିଜ ମାଆବାପା ବୋଲି ଜ୍ଞାନ କରି ଚଳିବାକୁ ହେବ, ତଥା ନିଜର କର୍ମ ଓ ବ୍ୟବହାର ଦ୍ଵାରା କିପରି ବାପଘର ସମ୍ମାନରେ ଆଞ୍ଚ ନଆସିବ ତାହା ବୁଝାଇ କହୁଥିଲେ। ହେଲେ ଆଜିର ଅଭିଭାବକ ଝିଅ ବିଦାବେଳେ ଝିଅକୁ ବୁଝାଇ ଦେଉଛନ୍ତି ତତେ ଏଠାରେ ତ ସବୁଦିନ ରହିବାର ନାହିଁ। ତେଣୁ ଦୁଇ ଚାରିଦିନ ଟିକେ ବୁଢ଼ାବୁଢ଼ୀଙ୍କ ପାଖରେ ଆଡ଼ଜଷ୍ଟ କରି ଚଳିଯା। ଏହାଦ୍ଵାରା ଅଜାଣତରେ ହେଲେ ମଧ୍ୟ ସେମାନେ ଯେ ନିଜ ଝିଅର କ୍ଷତି କରୁଛନ୍ତି ତାହା ଭୁଲିଯାଉଛନ୍ତି।

ଗୁରୁଜନମାନଙ୍କର ସନ୍ତୋଷ ଭଗବତ୍ ଆଶୀର୍ବାଦ ରୂପେ ଜୀବନକୁ ଅନେକ ସୁଫଳ ପ୍ରଦାନ କରେ ତଥା ସେମାନଙ୍କର ଉପସ୍ଥିତି ଓ ଅଭିଜ୍ଞତା ପରିବାରକୁ ଯୋଗାଏ ଅଭୂତପୂର୍ବ ସୁରକ୍ଷା। ଅନ୍ୟ ଦିଗରେ ଆଜି ଅଧିକାଂଶ ପୁଅ, ଚାକିରିଆ ପତ୍ନୀଟିଏ ପାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ମାତ୍ର ଏପରି ବିବାହ ଖୁବ୍ କମ୍ କ୍ଷେତ୍ରରେ ସଫଳ ହେଉଛି। କର୍ମ ବିରତି ପରେ ପତ୍ନୀର ସାନିଧ୍ୟ ପାଇବା ଆଶାରେ କ୍ଳାନ୍ତ ପତିଟିଏ ଯେତେବେଳେ ଘରକୁ ଫେରେ ସେଠି ପତ୍ନୀ ମଧ୍ୟ ଥାଏ କ୍ଳାନ୍ତ। ଉଭୟଙ୍କ ମନ ଓ ଶରୀର ବିଶ୍ରାମ ପାଇବାକୁ ଚାହୁଁଥିଲା ବେଳେ ଦାମ୍ପତ୍ୟର ଛୋଟ ମୋଟ ମନୋମାଳିନ୍ୟ ବଡ଼ ଆକାର ଧାରଣ କରେ। ଫଳରେ ‘ତୁମ ଦରମା ଓ ମୋ ଦରମା’ କେବେ ‘ଆମ ଦରମା’ ହୋଇପାରେ ନାହିଁ। ଏତେବେଳେ ସନ୍ତାନଟିର ଆଗମନ ଏ ଦୁହିଁଙ୍କୁ ଏକ ପ୍ରତିବନ୍ଧକ ପରି ମନେହୁଏ। ସନ୍ତାନର ଦାୟିତ୍ୱ କିଏ ନେବ ଚିନ୍ତା କରି ସନ୍ତାନ ଜନ୍ମକୁ ବିଳମ୍ବ କରିଦିଆଯାଏ। କିନ୍ତୁ ପ୍ରକୃତରେ ସନ୍ତାନଟିଏ ପତିପତ୍ନୀଙ୍କ ମଧ୍ୟରେ ଏକ ସେତୁବନ୍ଧର ଦାୟିତ୍ୱ ତୁଲାଇଥାଏ। ସମ୍ପର୍କରେ ଆଣିଥାଏ ମଧୁରତା। ଏସବୁ ଛଡ଼ା ପତି ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ସନ୍ଦେହ ଉପୁଜିଲେ ପରିସ୍ଥିତି ହୁଏ ଭୟଙ୍କର।

ଅନେକ ସ୍ଥଳରେ ପରିସ୍ଥିତି ଏପରି ହୁଏ ଯେ, ଜଣେ ଆତ୍ମହତ୍ୟା କରେ କିମ୍ବା ଅପରକୁ ହତ୍ୟା କରିବାକୁ ହୁଏ ଆଗଭର। ତେଣୁ ବିବାହ ପୂର୍ବରୁ ପ୍ରତ୍ୟେକ ଯୁବକ, ଯୁବତୀ ନିଜକୁ ମାନସିକ ରୂପେ ପ୍ରସ୍ତୁତ କରିବା ଏକାନ୍ତ ଆବଶ୍ୟକ। ବିବାହ ଜୀବନର ପ୍ରମୁଖ ଆବଶ୍ୟକତା ମଧ୍ୟରୁ ଅନ୍ୟତମ। ସୁଖି ଦାମ୍ପତ୍ୟ ନିର୍ବାହ କରୁଥିବା ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସଫଳ ହୁଏ। ଜୀବନର ଦୁଃଖପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକରେ ମଧ୍ୟ ସାନ୍ତ୍ୱନାର ମିଠା କଥା ପଦେ ଶୁଣି, ସେ ସାହସର ସହିତ ଆଗକୁ ମାଡ଼ି ଚାଲେ। ଏକ ସୁଖି ପରିବାର, ବ୍ୟକ୍ତିର ଜୀବନରେ ଭରିଦିଏ ଉତ୍ସାହ ଓ ଉଦ୍ଦୀପନା ତଥା ଯୋଗାଇଥାଏ ମାନସିକ ଓ ଶାରୀରିକ ସୁରକ୍ଷା। ତେଣୁ ଜଣେ ଅଭିଭାବକ ହେଉ ଅବା ହେଉ ସମ୍ପର୍କୀୟ କିମ୍ବା ନିଜେ ପତି ଅବା ପତ୍ନୀ କୌଣସି ପରିସ୍ଥିତିରେ ମଧ୍ୟ ନିଜକୁ ନିଜର କିମ୍ବା ଅନ୍ୟର ବିବାହ ବିଚ୍ଛେଦର କାରଣ କରି ଗଢ଼ି ତୋଳନ୍ତୁ ନାହିଁ।

ଅତ୍ୟନ୍ତ ଧୈର୍ଯ୍ୟପୂର୍ବକ ପରିସ୍ଥିତିର ଅନୁଧ୍ୟାନ କରି ପାଦ ଆଗକୁ ବଢ଼ାଇବାରେ ହିଁ ଅଛି ବୁଦ୍ଧିମତ୍ତା। ବିବାହରେ ସୃଷ୍ଟି ହେଉଥିବା ଫାଟକୁ ଯୋଡ଼ି, ଏକ ସୁନ୍ଦର ଓ ସୁଖି ଦମ୍ପତ୍ତି ହେବା ପାଇଁ ସହଯୋଗର ହାତ ବଢ଼ାନ୍ତୁ। କୁହାଯାଏ, ମ୍ୟାରେଜେସ ଆର ମେଡ୍‍ ଇନ୍ ହେଭେନ। ତେବେ ବିବାହ ବିଚ୍ଛେଦ ଭଳି ଏକ ଘୃଣ୍ୟ କାର୍ଯ୍ୟକରି ବା କରାଇ ଆମେ ଭଗବାନଙ୍କ ପାଖରେ ଦୋଷୀ ହେବା ନାହିଁ କି?

(ସୌଜନ୍ୟ – ଭିନ୍ନ ମଣିଷ)

Comment