ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁବପିଢିଙ୍କ ମଧ୍ୟରେ ନିଃସଙ୍ଗତା ଦୂର କରିବେ ମନ୍ତ୍ରୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନରେ ଦେଖିବାକୁ ମିଳିଛି ଏମିତି ଘଟଣା। ଏଠାକାର ପ୍ରଧାନମନ୍ତ୍ରୀ ନିଃସଙ୍ଗତା ଦୂର କରିବା ପାଇଁ ଜଣେ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି।

ବ୍ରିଟେନରେ ଯୁବପିଢିଙ୍କ ମଧ୍ୟରେ ନିଃସଙ୍ଗତା ଏକ ଗୁରୁତ୍ଵପୁର୍ଣ୍ଣ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏହାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ଥେରେସା ମେ ଜଣେ ମନ୍ତ୍ରୀ ନିଯୁକ୍ତ କରିଛନ୍ତି।

ବିଧିବଦ୍ଧ ଭାବେ ଏ ନେଇ ଏକ ବିଭାଗ ପ୍ରତିଷ୍ଠା କରାଯାଇ ଦେଶର କ୍ରୀଡା ଏବଂ ନାଗରିକ ସମାଜ ମନ୍ତ୍ରୀ ଟ୍ରାସି କ୍ରୋଚଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ୟୁରୋପୀୟ ସଂଘରେ ବ୍ରିଟେନର ସଦସ୍ୟତାକୁ କେନ୍ଦ୍ର କରି ୨୦୧୬ରେ ହତ୍ୟାର ଶିକାର ହୋଇଥିବା ପୂର୍ବତନ ସାଂସଦ ଜୋ କସ୍କ ନିଃସଙ୍ଗତା ମୁକାବିଲା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଥେରୋସାଙ୍କ ଉପରୋକ୍ତ ପଦକ୍ଷେପ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ବୋଲି କୁହାଯାଉଛି। କ୍ରୋଚଙ୍କ ନେତୃତ୍ଵାଧୀନ ଏହି ବିଭାଗ ନିଃସଙ୍ଗତା ସମ୍ବନ୍ଧୀୟ ବିଭିନ୍ନ ସରକାରୀ ନୀତିର ଅନୁଧ୍ୟାନ କରିବ। ଏଥିସହ ନିଃସଙ୍ଗତାର ଶିକାର ହୋଇ ସାମାଜିକ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିବା ଲୋକଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ  କରୁଥିବା ସଂଗଠନ ଏହି ବିଭାଗ ପାଣ୍ଠି ଯୋଗାଇ ଦେବ।

ବ୍ରିଟେନର ୯ ନିୟୁତରୁ ଉର୍ଦ୍ଧ୍ଵ ଲୋକ ଏହି ସମସ୍ୟା ଦେଇ ଗତି କରୁଥିବାବେଳେ ୨,୦୦,୦୦୦ ଯୁବପିଢି ସେମାନଙ୍କ ବନ୍ଧୁପରିଜନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁନଥିବା ଜଣାପଡିଛି। ଏଠାରେ ୧୮ ରୁ ୩୪ ବର୍ଷ ବୟସର ୮୫ ପ୍ରତିଶତ ଶାରିରୀକ ଅକ୍ଷମ ଯୁବପିଢି ନିଃସଙ୍ଗତାର ଶିକାର ଥିବା କୁହାଯାଉଛି।

Comment