ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପ ଏବେ ବିଶ୍ଵବାସୀଙ୍କ ନିଦ ହଜାଇଛି।

ଗତବର୍ଷ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ମହାମାରୀ ସାରା ବିଶ୍ଵକୁ ଅସହାୟ କରିଦେଇଛି। ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ସାଧାରଣ ଜୀବନଶୈଳୀ ସମ୍ଭବ ହୋଇପାରିନାହିଁ। ଏଭଳି ସ୍ଥିତିରେ ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପ (ଷ୍ଟ୍ରେନ୍) ସମଗ୍ର ବିଶ୍ଵବାସୀଙ୍କ ନିଦ ହଜାଇ ଦେଇଛି। ପୂର୍ବ ଭାଇରସ ତୁଳନାରେ ଏହା ଅଧିକ ସଂକ୍ରମିତ ହେଉଥିବାରୁ ବୈଜ୍ଞାନିକମାନେ ମଧ୍ୟ ଚିନ୍ତାରେ ପଡ଼ିଲେଣି। ଦିନ କେଇଟା ଭିତରେ କରୋନା ଭୂତାଣୁର ଏହି ନୂଆ ଷ୍ଟ୍ରେନ୍ ୟୁରୋପ ସମେତ ୪ଟି ମହାଦେଶକୁ ବ୍ୟାପିଗଲାଣି।

ବ୍ରିଟେନରେ କରୋନାର ନୂଆ ରୂପ କ’ଣ?

ଗତବର୍ଷ ଚୀନର ଉହାନ ସହରରେ ପ୍ରଥମେ କରୋନା ଭୂତାଣୁ ଠାବ ହୋଇଥିଲା। ସେବେଠାରୁ ଏହି ଭୂତାଣୁରେ ଅନେକ ପରିବର୍ତ୍ତନ ଆସିଛି। ତେବେ ନିକଟରେ ବ୍ରିଟେନରେ ଠାବ ହୋଇଥିବା ନୂଆ ରୂପ ଅଧିକ ମାରାତ୍ମକ ବୋଲି ବ୍ରିଟେନ ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ଷ୍ଟ୍ରେନ୍‌କୁ ‘ଭିୟୁଆଇ ୨୦୨୦୧୨/୦୧’ (VUI 202012/01) ନାମରେ ନାମିତ କରାଯାଇଛି।ଏହି ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ୍‌ଗୁଡ଼ିକଠାରୁ ଦ୍ରୁତଗତିରେ ବ୍ୟାପୁଛି ଏବଂ ଅଧିକ ପ୍ରଭାବ ପକାଉଛି। ଏପରିକି ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପକୁ ‘ସୁପର ସ୍ପ୍ରେଡର’ ବୋଲି ମଧ୍ୟ କୁହାଗଲାଣି। ତେଣୁ ବ୍ରିଟେନ ସରକାର ପୁଣି ଲକଡାଉନ୍ ଘୋଷଣା କରିଛନ୍ତି। ଦ୍ରୁତ ସଂକ୍ରମଣ ଭୟ ଥିବାରୁ ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଉଛି।

କେତେ ସଂକ୍ରାମକ?

କରୋନା ଭୂତାଣୁର ଏହି ନୂଆ ରୂପ ପୂର୍ବ ଅପେକ୍ଷା ୭୦ ପ୍ରତିଶତ ଅଧିକ ସଂକ୍ରାମକ। ଏହା ଖୁବଶୀଘ୍ର ବ୍ୟାପୁଛି। ଏଥିପାଇଁ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଏମିତିକି ୨୦୨୦ ଅପେକ୍ଷା ୨୦୨୧ରେ କରୋନା ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ବଢ଼ିଯିବ ବୋଲି କୁହାଯାଉଛି।ସେହିପରି ଲଣ୍ଡନର ଇମ୍ପେରିୟାଲ କଲେଜର ଡାକ୍ତର ଏରିକ୍ ବୋଲ୍ଜ କହିଛନ୍ତି ଯେ, ଏବେ ହଠାତ୍ ଏହି ଭୂତାଣୁର ଭୟାବହତା ବିଷୟରେ କହିହେବନି। ପୂର୍ବ ତୁଳନାରେ କିନ୍ତୁ ଏହି ଭାଇରସ୍ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି। ସଠିକ୍ ଯାଞ୍ଚ କରିବା ପରେ ଏହାର ଭୟାବହତା ବିଷୟରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ନୂଆ ଲକ୍ଷଣ କ’ଣ?

କୋଭିଡ୍-୧୯ର ସାଧାରଣ ଲକ୍ଷଣ ଯଥା ଜ୍ଵର, ଶୁଖିଲା କାଶ, ସ୍ଵାଦହୀନତା ଆଦି କରୋନାର ନୂଆ ରୂପରେ ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ଛଡ଼ା ଭୋକ ନ ହେବା, ମୁଣ୍ଡବିନ୍ଧା, ଡାଇରିଆ, ମାନସିକ ଅସ୍ଥିରତା, ମାଂସପେଶୀରେ ଯନ୍ତ୍ରଣା ପରି ଲକ୍ଷଣ ମଧ୍ୟ ଦେଖାଯାଉଛି।କାମ ଦେବ ତ କରୋନା ଟିକା?

ବର୍ତ୍ତମାନର କରୋନା ଟିକା ଏହି ନୂଆ ଷ୍ଟ୍ରେନ୍‌କୁ ପ୍ରତିହତ କରିପାରିବ କି ନାହିଁ ସେନେଇ କିଛି ସଠିକ୍ ପ୍ରମାଣ ମିଳିପାରିନାହିଁ। ଅନ୍ୟପଟେ ଜର୍ମାନୀର ସ୍ଵାସ୍ଥ୍ୟମନ୍ତ୍ରୀ ଜେନ୍ସ ସ୍ପାହନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର କରୋନା ଟିକା ଏହି ନୂଆ ରୂପକୁ ପ୍ରତିହତ କରିବାରେ ସକ୍ଷମ ହେବ। ଟିକା ଉପରେ କରୋନାର ନୂଆ ରୂପ କୌଣସି ପ୍ରକାର ନକାରାତ୍ମକ ପ୍ରଭାବ ପକାଉନାହିଁ। ତେଣୁ କରୋନା ଟିକା ପୂର୍ବଭଳି ପ୍ରଭାବ ପକାଉଛି। ବିଶେଷକରି ଫାଇଜର ଦ୍ଵାରା ପ୍ରସ୍ତୁତ କରୋନା ଟିକା ଏହି ନୂଆ ଷ୍ଟ୍ରେନ୍‌କୁ ପ୍ରତିହତ କରିବାରେ ସକ୍ଷମ ବୋଲି ସ୍ପାହନ କହିଛନ୍ତି।

ଏବେ ଫାଇଜର ଟିକାକୁ ବ୍ରିଟେନ ଓ ଆମେରିକାରେ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରାଯାଉଛି। ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ଫାଇଜର ଟିକା ପାଇଁ ବରାଦ ଦେଇଛନ୍ତି। ତେଣୁ ବ୍ରିଟେନରେ କରୋନାର ନୂଆ ରୂପକୁ ନେଇ ଚିନ୍ତିତ ବିଶ୍ଵବାସୀଙ୍କୁ ଜର୍ମାନୀ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ସାମାନ୍ୟ ଆଶ୍ଵସ୍ତି ଦେଇଛି।

କେତେ ଦେଶକୁ ବ୍ୟାପିଲାଣି?

ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପ ଏବେ ୪ଟି ଦେଶକୁ ବ୍ୟାପିଗଲାଣି। ୟୁରୋପ ମହାଦେଶର ସ୍ପେନ, ସ୍ଵିଜରଲ୍ୟାଣ୍ଡ, ସ୍ଵିଡେନ, ଫ୍ରାନ୍ସ, ଡେନ୍‌ମାର୍କ, ଇଟାଲି, ଜର୍ମାନୀ, ନେଦରଲ୍ୟାଣ୍ଡ ଆଦି ଦେଶରେ ଏହି ଭୂତାଣୁ ବ୍ୟାପିସାରିଛି। ସେହିପରି ଉତ୍ତର ଆମେରିକାର କାନାଡ଼ା, ଏସିଆ ମହାଦେଶର ସିଙ୍ଗାପୁର ଓ ଜାପାନ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ କରୋନାର ନୂଆ ରୂପ ବ୍ୟାପିଗଲାଣି।କ’ଣ ପଦକ୍ଷେପ ନିଆଯାଇଛି?

ବ୍ରିଟେନ ପକ୍ଷରୁ ନୂଆ କରୋନା ଭୂତାଣୁ ବିଷୟରେ ଘୋଷଣା କରାଯିବା ପରେ ଭାରତ ସମେତ ଅଧିକାଂଶ ଦେଶ ଏଠାକୁ ବିମାନ ସେବା ବନ୍ଦ କରିଦେଇଛନ୍ତି। ଭାରତ ପକ୍ଷରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ବ୍ରିଟେନରୁ ଭାରତ ଆସିଥିବା ଲୋକମାନଙ୍କ କୋଭିଡ୍ ଟେଷ୍ଟ କରାଯିବା ସହ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି।

ସେହିପରି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ବ୍ରିଟେନ ସୀମାକୁ ସିଲ୍ କରିଦିଆଯାଇଛି। ଅନ୍ୟପଟେ ଜାପାନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ସେହିପରି ବିଦେଶରୁ ଜାପାନ ଆସୁଥିବା ଜାପାନୀଙ୍କ ପାଇଁ ମଧ୍ୟ କଡ଼ା ନିୟମ କରାଯାଇଛି।

ଓଡ଼ିଶାରେ ସ୍ଥିତି କ’ଣ?

ଓଡ଼ିଶାରେ ବର୍ତ୍ତମାନ କରୋନା ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ କରୋନାର ନୂଆ ରୂପ ଏଯାଏଁ ଦେଖିବାକୁ ମିଳିନାହିଁ। ତେବେ ନିକଟରେ ବ୍ରିଟେନରୁ ଫେରିଥିବା ଦୁଇ ଜଣ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତେବେ ତାହା ନୂଆ କରୋନା ଭୂତାଣୁ କି ନୁହେଁ ସେଥିପାଇଁ ପରୀକ୍ଷା କରିବାକୁ ପଠାଯାଇଛି। ଅନ୍ୟପଟେ ଡିସେମ୍ବର ମାସରେ ବ୍ରିଟେନରୁ ୪୩ ଜଣ ଓଡ଼ିଶା ଆସିଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ବିଷୟରେ ଜଣାପଡ଼ିବା ପରେ ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Comment