ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟ ତୁଳନାରେ ବ୍ୟୟ ଅଧିକ ହେଉ ଥିବାରୁ ଯାତ୍ରା ପାର୍ଟି ବନ୍ଦ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏହାକୁ ନେଇ ମନୋରଞ୍ଜନ ଦୁନିଆରେ ସୃଷ୍ଟି ହୋଇଛି ଆଲୋଡ଼ନ। ତେବେ ଯାତ୍ରା ଜଗତରେ କ’ଣ ଚାଲିଥିଲା, କେତେ ଟଙ୍କାର ବେପାର ହେଉଥିଲା ଏବଂ ଦାମୀ କଳାକାର କିଏ ତାକୁ ନେଇ ସ୍ୱତନ୍ତ୍ର ରିପୋର୍ଟ।

କାହିଁକି ଏଭଳି ନିଷ୍ପତ୍ତି

ଯାତ୍ରାପାର୍ଟି ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ସେମାନେ ନିୟମିତ ଭାବେ ବର୍ଷ ବର୍ଷ ଧରି କ୍ଷତି ସହି ଆସୁଥିବା କାରଣରୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟ ସରକାରଙ୍କର ଯାତ୍ରା ପାର୍ଟି ପ୍ରତି ଦରଦ ନାହିଁ। ଏପରିକି ନାନା କଟକଣା ମଧ୍ୟ ରହିଛି। ଫଳସ୍ୱରୂପ ପ୍ରଯୋଜକମାନଙ୍କୁ କ୍ଷତି ସହିବାକୁ ପଡ଼ିଛି। ଆୟକମ୍ ବ୍ୟୟ ବେଶି ବୋଲି ମଧ୍ୟ କହୁଛନ୍ତି ଯାତ୍ରା ପାର୍ଟି ମାଲିକ ସଂଘ।

ଆହୁରି ମଧ୍ୟ କୁହାଯାଇଛି ଯେ କଟକ, ପୁରୀ, ବରଗଡ଼ ଭଳି ରାଜ୍ୟର କେତେକ ସହରରେ ଯାତ୍ରା ପାର୍ଟିର ପରିବେଷଣ ଉପରେ ବର୍ଷ ସାରା ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ଏହି କାରଣରୁ ପୁରୀରେ ଗତ  ୨୦ ବର୍ଷ ହେଲା, କଟକରେ ପ୍ରାୟ ୧୬ ବର୍ଷ ହେବ ଯାତ୍ରା ପାର୍ଟି ପଡ଼ିନାହିଁ। ଏହା  ବ୍ୟବସାୟରେ ଅସୁବିଧା ସୃଷ୍ଟି କରୁଛି। ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ଦ୍ୱାହି ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଅନୁମତି ପାଇଥିବା ଯାତ୍ରାପାର୍ଟିକୁ ଅପେରା ପରିବେଷଣକୁ ବାତିଲ କରାଯାଉଥିବାର ବି ଅଭିଯୋଗ ରହିଛି ଏଥିରେ। କଳାକାରମାନଙ୍କର ଆକାଶ ଛୁଆଁ ଦର ଓ ଯାତ୍ରାର ଆଧୁନିକୀକରଣ ବାବଦରେ ପ୍ରଚୁର ଅର୍ଥ ବ୍ୟୟ କରାଯାଉଥିବା ବି କ୍ଷତିର ଅନ୍ୟତମ କାରଣ ବୋଲି କୁହାଯାଉଛି।

୧୦୦ କୋଟିର କାରବାର!

ଏକ ଆକଳନରୁ ଜଣାଯାଇଛି ଯେ ରାଜ୍ୟରେ ଥିବା ୨୩ଟି ‘ଏ’ ଗ୍ରେଡ୍ ଯାତ୍ରା ପାର୍ଟି ବାର୍ଷିକ ପ୍ରାୟ ସାଢ଼େ ଚାରିକୋଟିରୁ ପାଞ୍ଚ କୋଟି ଟଙ୍କା ଯାଏଁ ଆୟ କରିଥାନ୍ତି। ବର୍ଷକ ଭିତରେ ପ୍ରାୟ ୩୦୦ ଦିନ ଧରି ଏମାନେ ବିଭିନ୍ନ ସ୍ଥାନରେ ଯାତ୍ରା ପରିବେଷଣ କରିଥାନ୍ତି। ଏ ଦୃଷ୍ଟିରୁ ଯାତ୍ରା ପାର୍ଟି ବନ୍ଦ ହୋଇଗଲେ ପାଖାପାଖି ଶହେ କୋଟି ଟଙ୍କାର କାରବାର ବନ୍ଦ ହୋଇଯିବାର ଆଶଙ୍କା କରାଯାଉଛି। ତେବେ ଏଥିରେ ରାଜ୍ୟ ସରକାରଙ୍କର କିଛି କ୍ଷତି ହେବ ନାହିଁ, କାରଣ ଯାତ୍ରା ପାର୍ଟିମାନେ ସରକାରଙ୍କୁ କୌଣସି ପ୍ରକାର ଟିକସ ଦେଉନାହାନ୍ତି।

ସମୀକ୍ଷକଙ୍କ ଅନେକ ପ୍ରଶ୍ନ

ଯାତ୍ରା ପାର୍ଟି ମାଲିକମାନେ କ’ଣ ପ୍ରକୃତରେ ବ୍ୟାବସାୟିକ କ୍ଷତି ସହୁଛନ୍ତି? କାରଣ ଯାତ୍ରା ସମୀକ୍ଷକଙ୍କ ମତ ଅନୁସାରେ ଯେଉଁଠାରେ ଯାତ୍ରା ଆୟୋଜିତ ହୋଇଥାଏ, ସେଠାକାର ଆଞ୍ଚଳିକ କମିଟି ସେଠାରେ ହେଉଥିବା ଆୟର ମାତ୍ର ୧୫ ପ୍ରତିଶତ ଅର୍ଥ ନେଇଥାନ୍ତି, ଅବଶିଷ୍ଟ ଅର୍ଥ ଯାତ୍ରା ପାର୍ଟି ମାଲିକଙ୍କ ହାତକୁ ଯାଇଥାଏ। ଯାତ୍ରା ପାର୍ଟି ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ବାର୍ଷିକ ୫୦ ଲକ୍ଷରୁ ୧ କୋଟି ଟଙ୍କା ଯାଏଁ କ୍ଷତି ହେଉଛି, ତାହାର ବାସ୍ତବତା ନେଇ ପ୍ରଶ୍ନ ଉଠୁଛି। କାରଣ ସମସ୍ତେ ଜାଣନ୍ତି ଯେ ଓଡ଼ିଶାରେ ସିନେମା ଅପେକ୍ଷା ଯାତ୍ରାର ଚାହିଦା ବେଶି ଓ ଏଥିରୁ ଭଲ ଆୟ ହୋଇଥାଏ।

ଯାତ୍ରା ସମୀକ୍ଷକଙ୍କ ମତରେ କାହିଁକି କେତେକ କଳାକାରଙ୍କୁ ମାତ୍ରାଧିକ ମୂଲ୍ୟ ଦିଆଯାଉଛି। ରାଇମୋହନ, ଦୈତାରୀ ପଣ୍ଡା, ସଞ୍ଜୟ ଭୋଳ ଓ ବିନୋଦ-ବେବିନାଙ୍କ ଭଳି କଳାକାରଙ୍କୁ ୩୫ରୁ ୪୦ ଲକ୍ଷ ଟଙ୍କା ଯାଏଁ ବାର୍ଷିକ ଦିଆଯିବାର କି ଆବଶ୍ୟକତା ରହିଛି? ଏଥିପାଇଁ କ’ଣ ନିଜେ ଯାତ୍ରା ପାର୍ଟି ମାଲିକମାନେ ଦାୟୀ ନୁହନ୍ତି। ଠିକ ସେହିପରି ମୁମ୍ବାଇରୁ ବଲିଉଡ୍ କଳାକାର ଶକ୍ତି କପୁରଙ୍କୁ ପ୍ରଚୁର ଅର୍ଥ ଦେଇ ଯାତ୍ରାକୁ ଆଣିବାର ନିଷ୍ପତ୍ତି କ’ଣ ଯଥାର୍ଥ?

ଅପରପକ୍ଷରେ ମଝିରେ ମଝିରେ ସିନେ ଓ ଟେଲି କଳାକାରଙ୍କୁ ମଧ୍ୟ ଅଧିକ ଦର ଦେଇ ଯାତ୍ରା ଜଗତକୁ ଆଣିବା କ’ଣ ସମୀଚୀନ? ତା’ ଛଡ଼ା ସିନେ- ଟେଲି କଳାକାରଙ୍କୁ ଯାତ୍ରା ମଞ୍ଚକୁ ରାତିରେ କେବଳ ୧୦/୧୫ ମିନିଟ୍ ପାଇଁ ଆଣି ଅର୍ଥ ଶ୍ରାଦ୍ଧ କରିବାର ମାଲିକମାନଙ୍କ ନିଷ୍ପତ୍ତି କ’ଣ କ୍ଷତିର କାରଣ ନୁହେଁ କି?

ଆଉ କେତେକ ଯାତ୍ରା ପାର୍ଟି ମାଲିକଙ୍କର ପରିଚାଳନା ଗତ ତ୍ରୁଟି ଯୋଗୁଁ କ୍ଷତି ସହୁନାହାନ୍ତି ତ? ଯାତ୍ରା ସମୀକ୍ଷକଙ୍କ ପ୍ରଶ୍ନ ହେଉଛି ଯେ ନାଟକ ପ୍ରତି ଯଥେଷ୍ଟ ଧ୍ୟାନ ଦିଆନଯାଇ କେବଳ ଆଲୋକ, ପେଣ୍ଡାଲ୍ ଓ ନାମୀ କଳାକାରଙ୍କ ଉପରେ ଗୁରୁତ୍ୱ ଦିଆଯାଇ ଯାତ୍ରାକୁ ବ୍ୟୟ ବହୁଳ କରାଯିବାର କି ଆବଶ୍ୟକତା ରହିଛି? କାରଣ ଯାତ୍ରା ପ୍ରେମୀମାନେ ଭଲ ନାଟକ ଦେଖିବାକୁ ଚାହାଁନ୍ତି। ତା’ ଛଡ଼ା ଟିକେଟ ମୂଲ୍ୟ କମ୍ ହେଲେ ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢ଼ନ୍ତା।

ଯାତ୍ରା ପାର୍ଟି ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ଆମେ ବର୍ଷକୁ ୫ ଲକ୍ଷ ଲୋକ ଯାତ୍ରା ଦେଖୁଥିଲେ, ଏବେ ସେହି ସଂଖ୍ୟା ୨ଲକ୍ଷରେ ପହଞ୍ଚିଲାଣି। ଏଠାରେ ପ୍ରଶ୍ନ ହେଉଛି ଯେ ଏଥିପାଇଁ କ’ଣ ଯାତ୍ରା ପାର୍ଟି ମାଲିକମାନେ ଦାୟୀ ନୁହନ୍ତି କି? ସଂଘରେ ପାର୍ଟି ମାଲିକମାନଙ୍କ ମଧ୍ୟରେ ସମନ୍ୱୟ ଓ ସୁସମ୍ପର୍କ ନଥିବା ଏହାର ଅନ୍ୟତମ କାରଣ ନୁହେଁ କି? ବିଶେଷକରି କଳାକାରଙ୍କ ଦର ଉପରେ ଯଥେଷ୍ଟ ଆଗରୁ ଅଙ୍କୁଶ ଲଗାଇବାର ଆବଶ୍ୟକତା ନଥିଲା କି? ଯଦି ଯାତ୍ରାପାର୍ଟି ମାଲିକମାନେ ଏହାକୁ ଗୁରୁତ୍ୱର ସହ ବିଚାର କରି ଥାନ୍ତେ ଓ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ପରିତ୍ୟାଗ କରିଥା’ନ୍ତେ, ତେବେ ଯାତ୍ରା ପାର୍ଟି ବନ୍ଦ କରିବାର ନିଷ୍ପତ୍ତି ନେବାକୁ କାହିଁକି ପଡ଼ିଥାନ୍ତା?

ଦାମୀ କଳାକାରଙ୍କ ଉପରେ ଚାପ ପଡ଼ିବ!

ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଯାତ୍ରା ପାର୍ଟି ମାଲିକ ସଂଘ ଏଭଳି ଯାତ୍ରା ପାର୍ଟି ବନ୍ଦ କରିବାର ଘୋଷଣା କରି ପ୍ରକାରାନ୍ତରେ ଦାମୀ କଳାକାର ଓ ଲେଖକ-ନିର୍ଦ୍ଦେଶକଙ୍କ ପାରିଶ୍ରମିକକୁ କମ କରାଇବାପାଇଁ ଚାପ ପକାଇବେ। ଦ୍ୱିତୀୟତଃ ସରକାରଙ୍କ ଉପରେ ଚାପ ରହିବ କେମିତି ସରକାରୀ ସବ୍‌ସିଡ଼ି ମିଳିବ ଓ ପୂର୍ବରୁ ଥିବା କେତେକ କଟକଣାକୁ ପ୍ରତ୍ୟାହାର କରାଯିବ, ତାହା ଉପରେ ଦୃଷ୍ଟି ରଖିଛି ସଂଘ। କିପରି କମ୍ ଖର୍ଚ୍ଚରେ ଯାତ୍ରା ଆୟୋଜିତ ହୋଇପାରିବ, ତା’ର ପରିକଳ୍ପନା କରିବେ ଯାତ୍ରା ପାର୍ଟିମାନେ।

ତେବେ ଯାତ୍ରା ସମୀକ୍ଷକଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଯାତ୍ରା ମଞ୍ଚ ବନ୍ଦ ହେବାର ଆଶଙ୍କା କମ୍। କାରଣ ତଥାକଥିତ ‘ଏ’ ଗ୍ରେଡ୍ ପାର୍ଟିଗୁଡ଼ିକ ବନ୍ଦ ହୋଇଗଲେ, ‘ବି’ଗ୍ରେଡ୍ ପାର୍ଟିମାନଙ୍କର ଅଭ୍ୟୁଥାନ ଘଟିବ। ସେମାନେ ଯଥେଷ୍ଟ କମ୍ ମୂଲ୍ୟରେ ଯାତ୍ରା ନାଟକ ପରିବେଷଣ କରିବେ ଓ ଏହା ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେବ।

Comment