ଛନ୍ଦା ମିଶ୍ର

କଳ୍ପନା ଛକରେ ଥିବା ବହି ଦୋକାନରେ ‘ଭଲ ଡଟପେନଟିଏ ଦେଖାନ୍ତୁ’ ବୋଲି କହିବାରୁ ସେ ପାର୍କର ପେନଟିଏ ବଢାଇ ଦେଇ, ଦେଢଶହ ଟଙ୍କା ବୋଲି କହିଲେ। ମୁଁ ତାଙ୍କୁ କହିଲି, ନା, ନା ଏତେ ଦାମିକା ନୁହେଁ ଟିକେ ଶସ୍ତା, ସବୁଦିନ ବ୍ୟବହାର ପାଇଁ।

ଦୋକାନୀ ଜଣକ କହିଲେ, ‘ସେ କଥା କହୁନାହାନ୍ତି ଆଜ୍ଞା, ମୁଁ ଭାବିଲି ବୋଧହୁଏ କାହାକୁ ଗିଫ୍ଟ ଦେବେ’ କହି ମୋ ହାତକୁ ୫ଟି ଡଟ ଥିବା ପ୍ୟାକେଟଟିଏ ବଢାଇେଦଲେ ଓ ‘ଦଶଟଙ୍କା’ ବୋଲି କହିଲେ। ମୁଁ ପଚାରିଲି, ‘କଣ ଗୋଟାକ ଦଶଟଙ୍କା’। ସେ କହିଲେ, ‘ନା ଆଜ୍ଞା ପ୍ୟାକେଟଟା ଦଶଟଙ୍କା, ଗୋଟାକୁ ଦୁଇ।’ ମୁଁ ପଚାରିଲି ‘ଏତେ ଶସ୍ତା କିପରି’। ଦୋକାନୀ ଜଣକ ବୁଝାଇଦେଲେ, ‘ଆଜ୍ଞା ଇଏ ହେଉଛି ୟୁଜ୍ ଆଣ୍ଡ ଥ୍ରୋ ପେନ୍।’ ଆପଣ ଗୋଟିଏ ବ୍ୟବହାର କରି ସାରିଲା ପରେ ତାକୁ ଫୋପାଡି ଦେଇ ଆଉ ଗୋଟିଏ ବ୍ୟବହାର କରିବେ। ମୁଁ କହିଲି, ‘କିନ୍ତୁ ଭାଇ ପ୍ଲାଷ୍ଟିକଟା ତ ପରିବେଶର କ୍ଷତି କରିବ।’

ସେ ମୋ ମୁହଁକୁ ଟିକିଏ ଦେଖିଲେ ଓ କହିଲେ, ‘ଆଜ୍ଞା ସେ କଥା ଆମେ ଜାଣିନୁ। ଏହି ପେନର ତ ଅଧିକ ଡିମାଣ୍ଡ, ଆପଣ ଯଦି ନ ନେବେ ତେବେ ଏଇ ସେଲୋ ଗ୍ରିପର ଗୋଟାଏ ନିଅନ୍ତୁ। ଆପଣଙ୍କ ବଜେଟରେ ହେବ ଓ ନୂଆ ରିଫିଲ ମଧ୍ୟ ପକାଇପାରିବେ’। ମୁଁ ପେନଟି ଧରି ଫେରିଲି।

ଭୋଜି ଖାଇବାକୁ ଗଲେ ପ୍ଲାଷ୍ଟିକ ପ୍ଲେଟ୍, ଗ୍ଲାସ ଓ ଚାମଚରେ ଖାଇଲେ ଓ ଫିଙ୍ଗିଦେଲେ। ତାହା ପରିବେଶର ଯେଉଁ କ୍ଷତି କଲା, ତାକୁ ଦେଖିବାକୁ କାହା ପାଖରେ ସମୟ ନାହିଁ। କଦଳୀପତ୍ର ଓ ଖଲିଦନାରେ ବଢା ହୋଇଥିବା ଖାଦ୍ୟର ସୁଆଦ ଓ ତୃପ୍ତି ସେ ଚିକିମିକିଆ ପ୍ଲାଷ୍ଟିକ ପ୍ଳେଟରେ କାହୁଁ ଆସିବ?

ଆଜି ଦୁର୍ମୂଲ୍ୟ ମଣିଷ ଜୀବନକୁ ମଧ୍ୟ ବ୍ୟବହାର ପରେ ଫିଙ୍ଗିଦିଆଯାଉଛି। କେତେକ ପିଲାଙ୍କର ଆଖି ଓ କିଡନୀ କାଢିନେଲା ପରେ ଅସହାୟ ରୂପେ ଛାଡିଦିଆଯାଉଛି। ଛୋଟଛୋଟ ଝିଅମାନଙ୍କୁ ପ୍ରାପ୍ତ ବୟସ୍କା ଭଳି ଦିଶିବେ ବୋଲି ଷ୍ଟେରଏଡ ଦେଇ ସେମାନଙ୍କର ଜୀବନକୁ ନର୍କ ମଧ୍ୟକୁ ଠେଲି ଦିଆଯାଉଛି। ଏଇ ଅଳ୍ପଦିନ ତଳେ ଶୈଳବାଳା କଲେଜର ଝିଅଟିଏ ଆତ୍ମହତ୍ୟା କଲା। ପିପିଲିର ଝିଅଟି ଏ ପର୍ଯ୍ୟନ୍ତ କହିପାରିନାହିଁ ତା’ର ଏପରି ଦଶା ହେଲା କିପରି? ବାଲେଶ୍ୱର ଝିଅଟି ପାଗଳୀ ହୋଇ ବୁଲୁଛି। ଏହିପରି ଉଦାହରଣ ଆମ ଚତୁଃପାର୍ଶ୍ୱରେ ଭରିରହିଛି।

ପ୍ରକୃତରେ ଆଜି ଯୁଗ ହୋଇଯାଇଛି ୟୁଜ୍ ଆଣ୍ଡ ଥ୍ରୋର। ସେ ପଲିଥିନଟିଏ ହେଉ ଅବା ପ୍ଲାଷ୍ଟିକ ଗ୍ଲାସଟିଏ କିମ୍ବା ହେଉ ଗୋଟିଏ ଝିଅର ଜୀବନ, ଫରକ କଣ? ଏଇ ଗତ ମାସର ଘଟଣା, ଫର୍ଚୁନ ଟାଓ୍ୱାର ପାଖରେ ଝିଅଟିଏକୁ ଚଳନ୍ତା କାର ମଧ୍ୟରୁ ବାହାରକୁ ଫିଙ୍ଗି ଦିଆଗଲା। ଚିନ୍ତା କରନ୍ତୁ ତ, କାରରେ ବସିଥିବା ସେ ପିଲାମାନଙ୍କ କଥା।  ସେମାନଙ୍କ ନାଁରେ କୋର୍ଟରେ କେସ୍ ଚାଲିବ ଓ ଅତିବେଶିରେ ୬ ବା ୭ ବର୍ଷ ଜେଲଦଣ୍ଡ ହେବ। ମାତ୍ର ଯେଉଁ ଝିଅଟିକୁ ୟୁଜ୍ କଲାପରେ ଥ୍ରୋ କରାଗଲା ତାର ଜୀବନରେ କେଡେ ଅଲିଭା ଦାଗଟିଏ ସୃଷ୍ଟି ହେଲା।

ଏସବୁକୁ ପାଖରୁ ନିରିଖେଇ ଦେଖିଲେ ଆମେ ଜାଣିବା, କିପରି ଏଗୁଡାକ ଆମର ଦେହସୁହା ହୋଇଗଲାଣି। ପ୍ରତ୍ୟେକ ଦିନ ଟିଭି ସିରିଏଲ, ସିନେମା ଓ ଖବରକାଗଜ ଆଦିରେ ଦେଖିଦେଖି ଆମେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ ଏସବୁ ଆମ ମନକୁ ଆଉ ଆନ୍ଦୋଳିତ କରୁନାହିଁ। ୟୁଜ୍ ଆଣ୍ଡ ଥ୍ରୋର ପ୍ରଚଳନ କେବଳ ମଣିଷକୁ ହିଁ ଜଣା। ସେ ଗାଈଟିଏ ହେଉ କିମ୍ବା କୁକୁରଟିଏ, ବୁଢା ହୋଇଗଲା ପରେ ତା’ର ମୂଲ୍ୟ ମଣିଷ ପାଖରେ ଅତି ତୁଚ୍ଛ ହୋଇଯାଉଥିବାରୁ ସେ ତାକୁ ବାହାରେ ଦରମରା ହୋଇ ବଞ୍ଚିବା ବା ମରିବା ପାଇଁ ଛାଡି ଦେଉଛି କିମ୍ବା କଂସେଇ ହାତରେ ଟେକି ଦେଉଛି।

ଗତବର୍ଷର ଘଟଣା। ଶ୍ରୀଲିଙ୍ଗରାଜ ମନ୍ଦିର ବେଢାରେ ବୃଦ୍ଧ ଜଣେ ବସି କାନ୍ଦୁଥାନ୍ତି। ଘଟଣା କ’ଣ ପଚାରିଲା ବେଳକୁ କିଛି ବୁଝି ନପାରି ଆଉ ଜୋରରେ କାନ୍ଦି ଉଠୁଥାନ୍ତି। ଶେଷରେ ଖଣ୍ଡିଖଣ୍ଡି ହିନ୍ଦୀରେ ଜଣାଇଲେ ଯେ ରାଜସ୍ଥାନର କେଉଁ ଏକ ଆଭ୍ୟନ୍ତରୀଣ ଅଞ୍ଚଳର ସେ ବାସିନ୍ଦା। ନିଜ ପୁଅ ସହିତ ତୀର୍ଥ କରି ବାହାରିଥିଲେ। ପୁଅ ତାଙ୍କୁ ମନ୍ଦିର ବେଢାରେ ବସାଇେଦଇ ‘ବସିଥାଅ ଏଇ ପାଖରୁ ଆସୁଛି ବୋଲି’ କହିଯାଇଛି ଯେ ଯାଇଛି।

ପ୍ରାୟ ୫/୬ ଘଣ୍ଟା ହୋଇଗଲାଣି। ବୃଦ୍ଧ ଜଣକ ମୋ ପୁଅକୁ ମୋ ପାଖକୁ ଆଣ ବୋଲି କହି କାନ୍ଦି ଉଠୁଥାନ୍ତି। ତାଙ୍କୁ କିଏ ବୁଝାଇବ ଯେ, ସେ ଅତ୍ୟନ୍ତ ବୃଦ୍ଧ ହୋଇ ଯାଇଥିବାରୁ ତାଙ୍କ ପୁଅ ପାଇଁ ତାଙ୍କ ଜୀବନର କୌଣସି ମହତ୍ଵ ନାହିଁ। ତାଙ୍କୁ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ପଠାଇବାର ବନ୍ଦୋବସ୍ତ କରାଯିବାରୁ ସେ ନିଜ ଗାଁକୁ ଯିବା ପାଇଁ ଜିଦ୍ ଧରିଲେ। କିଛି ଉତ୍ସାହୀ ଯୁବକ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ ବୃଦ୍ଧ ଜଣଙ୍କୁ ତାଙ୍କ ଗ୍ରାମକୁ ପଠାଇଦିଆଗଲା।

ଏଇ ଅଳ୍ପ କିଛି ଦିନ ତଳେ ଆମେ ଟିଭିରେ ଦେଖିଲେ ଜଣେ ବୃଦ୍ଧାଙ୍କର ତିନିତିନୋଟି ପୁଅ ଥିବା ସତ୍ଵେ ସେ କିପରି ଅସହାୟ ହୋଇ ଡାକ୍ତରଖାନାରେ ନିଜର ମୃତ୍ୟୁର ଦିନ ଗଣି ଚାଲିଥିଲେ। ମାତ୍ର ସନ୍ତାନଟି ପାଗଳ ହେଉ କିମ୍ବା ଅକର୍ମଣ୍ୟ, ମାତାପିତାଙ୍କ ଆଖିରେ ତାର ମୂଲ୍ୟ ନିଜ ଜୀବନଠାରୁ ମଧ୍ୟ ଅଧିକ। ଏଠାରେ ଛୋଟିଆ ଗପଟିଏ ମନେପଡେ।

ଥରେ ପୁଅଟିଏ ଗୁଡାଏ ଧନରତ୍ନ ଧରି ମ” ପାଖରେ ପହଞ୍ଚିଲା ଓ କହିଲା ମା’ ନିଅ ଏସବୁ ତୁମେ ରଖ। ମା କହିଲେ, ପୁଅରେ ମୁଁ ତ ଆସି ବୁଢୀ ହେଲିଣି, ମୋ ଦିନ କାଳ ସରିଲା। ମୁଁ ଏତେ ଧନରତ୍ନ ନେଇ କଣ କରିବି? ପୁଅ ଉତ୍ତର ଦେଲା ମା! ସମସ୍ତେ କୁହନ୍ତି ମାତୃଋଣ କେହି ଶୁଝିପାରନ୍ତି ନାହିଁ। ମାତ୍ର ମୁଁ ଆଜି ତୁମକୁ ଏତେଗୁଡ଼ିଏ ଧନତ୍ନ ଆଣି ଦେଇଛି, ଯାହାଦ୍ଵାରା ମୁଁ ତୁମ ଋଣ ଶୁଝିପାରିଛି।

ମା’ କହିଲେ, ମୋର ଏସବୁ ଦରକାର ନାହିଁ। ତେବେ ତୁ ଯଦି ଆଜି ଗୋଟିଏ ରାତି ମୋ ପାଖରେ ଶୁଅନ୍ତୁ, ତେବେ ତୁ ମୋ ଋଣ ଶୁଝିଦେଇଛୁ ବୋଲି ମୁଁ ଭାବିବି। ପୁଅ ସଙ୍ଗେସଙ୍ଗେ ରାଜି ହୋଇଗଲା। ରାତିରେ ମା’ ଓ ପୁଅ ଏକାସାଙ୍ଗେ ଶୋଇବା ପାଇଁ ଗଲେ। ପୁଅ ଶୋଇପଡ଼ିବା ପରେ ମା’ ପୁଅକୁ ଉଠାଇ ପାଣି ଗିଲାସେ ପିଇବା ପାଇଁ ମାଗିଲେ। ପୁଅ ଉଠି ପାଣି ଦେବାରୁ ମା ନ ଜାଣିବାର ଛଳନା କରି ଶେଯରେ ପାଣି ଢାଳିଦେଲେ। ପୁଅ ଟିକେ ବିରକ୍ତ ହେଲା ଓ ଅଳ୍ପ ଜାଗାରେ ମା’ ଓ ପୁଅ ଶୋଇବାକୁ ଚେଷ୍ଟା କଲେ। ପୁଅକୁ ଟିକେ ନିଦ ହୋଇ ଆସିଲା ବେଳକୁ ମା’ ତାକୁ ପୁଣିଥରେ ଉଠାଇ ପାଣି ପିଇବାକୁ ମାଗିଲେ ଓ ସେହିପରି ଆଉଥରେ ପାଣି ଢାଳିଦେଲେ। ଏଥର ପୁଅ ରାଗିଗଲା। କହିଲା, ମା ଏସବୁ କଣ ହେଉଛି? ମତେ ଶୋଇବାକୁ ଦେଉନ ଓ ପାଣି ପିଇବାକୁ ମାଗି ଶେଯରେ ଢାଳିଦେଉଛ କାହିଁକି?

ମା’ କହିଲେ, ପୁଅରେ ତୁ ସାନ ଥିଲା ବେଳେ ୪ ବର୍ଷ ପଯର୍ୟନ୍ତ ଶେଜରେ ପରିସ୍ରା କରୁଥିଲୁ। କାହିଁ ମୁଁ ତ ଦିନେ ତୋ ଉପରେ ବିରକ୍ତ ହୋଇନାହିଁ। ତୁ ମୋ ନିଦ ଖରାପ କରିଦେଲୁ ବୋଲି। ଓଲଟି ତତେ ଶୁଖିଲା ଜାଗାରେ ଶୁଆଇ ମୁଁ ନିଜେ ଓଦା ଜାଗାରେ ଶୋଇବାକୁ ଚେଷ୍ଟା କରିଛି। ଆଜି ତୁ ଗୋଟିଏ ରାତି ଶୋଇପାରିଲୁନି ବୋଲି ମୋ ଉପରେ ରାଗି ଯାଉଛୁ। ଏହିପରି ଭାବରେ ତୁ ଋଣ ଶୁଝିବୁ?

ପୁଅ ତଳକୁ ମୁଣ୍ଡ ପୋତି ଠିଆ ହୋଇଥିଲା। ମା’ ପୃଥିବୀ ଭଳି ସର୍ବଂସହା ହେଲେ ବାପା ଆକାଶ ପରି ଉଦାର। ତାଙ୍କ ଋଣ କଣ କେହି କେବେ ଶୁଝିପାରେ? କେବଳ ଟିକିଏ ଭଲ ବ୍ୟବହାର ଓ ଅସହାୟ ହୋଇଗଲା ପରେ ଟିକେ ଯତ୍ନ କରିବାର ସୌଭାଗ୍ୟ ମିଳିଲେ ଜୀବନ ଧନ୍ୟ ହେଇଗଲା ବୋଲି ମନେ କରିବା କଥା। ଗୋଟିଏ ନିର୍ଜୀବ ପଦାର୍ଥର ବ୍ୟବହାର ପରେ ଫିଙ୍ଗିଦେବା କଥା ବୁଝିହୁଏ ମାତ୍ର ଗୋଟିଏ ଜୀବନ୍ତ ପ୍ରାଣୀ ସହିତ ଏପରି ବ୍ୟବହାର, ବୋଧହୁଏ ଏହାଠୁ ଆଉ କିଛି ଗର୍ହିତ କାର୍ଯ୍ୟ ନାହିଁ।

(ସୌଜନ୍ୟ – ଭିନ୍ନ ମଣିଷ)

Comment