ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ବିଜେପି ପାର୍ଟି ଅଫିସ୍‌ରେ ମିଶ୍ରଣ ପର୍ବ
  • ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କଲେ ଧର୍ମେନ୍ଦ୍ର ପ୍ରଧାନ
  • ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲାକୁ ନିଶାନା କଲେ ଧର୍ମେନ୍ଦ୍ର
  • ରମାରଞ୍ଜନ କହିଲେ, “ବିଜେଡିରେ ଥିବା ବେଳେ ଅଣନିଶ୍ୱାସୀ ହୋଇ ଯାଇଥିଲି”
  • ଦଳ ଯାହା ଦାୟିତ୍ୱ ଦେବ ଗ୍ରହଣ କରିବୁ: ମିହିର ଦାସ

ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ। ତାଙ୍କ ସହ ଫିଲ୍ମ ତାରକା ମିହିର ଦାସ ଏବଂ ଅନୁ ଚୌଧୁରୀ ମଧ୍ୟ ପଦ୍ମ ଧରିଛନ୍ତି। ବିଜେପି ପାର୍ଟି ଅଫିସରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ୩ ଜଣ ବିଜେପିରେ ସାମିଲ୍‌ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରମା-ଅନୁ-ମିହିରଙ୍କୁ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ରମାରଞ୍ଜନ ତାଙ୍କ ସମର୍ଥକଙ୍କ ସହ ବିଜେପି ପାର୍ଟି ଅଫିସ୍‌କୁ ଆସିଥିଲେ।

“ସତ୍ୟବାଦୀ ହେଉଛି ତ୍ୟାଗର ମାଟି। ଏହି ମାଟିରୁ ବିଜେପି ଉପକୂଳ ଓଡ଼ିଶାରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିବ। ଆଗାମୀ ଦିନରେ ସତ୍ୟବାଦୀରେ ଆମେ ବିଶାଳ ସମାବେଶ ଆୟୋଜନ କରିବୁ”, କହିଛନ୍ତି ରମାରଞ୍ଜନ ବଳିୟାର ସିଂ।

ଏହି ଅବସରରେ ବିଜେଡି ଉପରେ ବର୍ଷିଛନ୍ତି ରମାରଞ୍ଜନ। କହିଛନ୍ତି, ବିଜେଡିରେ ମୁଁ ଅଣନିଶ୍ବାସୀ ହୋଇ ରହିଥିଲି। ଏବେ ବିଜେପିକୁ ଆସି ଖୁସି ଅନୁଭବ କରୁଛି। ଏଠାରେ ମନଖୋଲି କଥା ହୋଇ ପାରିବି। ବିଜେଡିରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ହେଲେ ଚିରିକୁଟି ଦେବାକୁ ପଡ଼ୁଥିଲା।

ଜାନୁଆରୀ ୧୧ ତାରିଖରେ ରମା ରଞ୍ଜନ ବିଜେଡି ଛାଡ଼ଥିଲେ। ବିଜେଡି ସଭାପତି ଏବଂ ତୃତୀୟ ମହଲାର ତାମିଲବାବୁଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ। ତାଙ୍କ ରାଜନୀତିକ କ୍ୟାରିଅର୍‌ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ୧୭ ତାରିଖରେ ବିଜେପିରେ ମିଶିବେ ବୋଲି ରମା ରଞ୍ଜନ ସ୍ପଷ୍ଟ କରିଥିଲେ।

ରମାଙ୍କ ସହ ସିନେ କଳାକାର ମିହିର ଦାସ ଏବଂ ଅନୁ ଚୌଧୁରୀ ମଧ୍ୟ ବିଜେପିରେ ମିଶିବେ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ଆଜି ଏହି ୩ ଜଣ ମିଶ୍ରଣ ପର୍ବ ଅବସରରେ ପଦ୍ମ ଧରିଛନ୍ତି।

ମିହିର ଦାସ କହିଛନ୍ତି, “ପରଦାରେ ଆମେ ଅଭିନୟ କରିବା ବେଳେ ଅନେକ ଥର ରାଜନେତା ଭୂମିକାରେ ଅଭିନୟ କରିବାକୁ ପଡ଼ିଛି। ହେଲେ ମୁଁ ସକ୍ରିୟ ରାଜନୀତିକୁ ଆସିଛି। ଅଭିନୟ କରିବା ବେଳେ ଆମେ ଲୋକଙ୍କ ସହ ରହିଥିଲୁ। ଏବେ ରାଜନୀତିକୁ ଆସି ଆମେ ଲୋକଙ୍କର ଅଧିକ ନିକଟତର ହୋଇପାରିବୁ। ଆଗାମୀ ଦିନରେ ଦଳ ଯାହା ଦାୟିତ୍ବ ଦେବ ତାହାକୁ ଆମେ ଗ୍ରହଣ କରିବୁ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରମା-ଅନୁ-ମିହିରଙ୍କୁ ଦଳକୁ ସ୍ୱାଗତ କରିବା ସହ ବିଜେଡି ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲାକୁ ନିଶାନା କରିଥିଲେ ଧର୍ମେନ୍ଦ୍ର।

“ତୃତୀୟମହଲାକୁ ଦୁର୍ନୀତିର ତାର ଲମ୍ବିଛି। ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ ଜାଗିର୍ ନୁହେଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା ଭରସା ହେଉଛି ତୃତୀୟ ମହଲା”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comment