ମୃଣାଳ ଚାଟ୍ଟାର୍ଜୀ

ସେଦିନ ଟେଲିଭିଜନରେ ବିଜ୍ଞାପନଟିଏ ଦେଖି ତାଟ୍‌କା ହୋଇଗଲି। ବିଜ୍ଞାପନଟି ଥିଲା ଏମନ୍ତ: ଗୋଟେ ପୁଅଝିଅମାନଙ୍କ ହଷ୍ଟେଲରେ ପଶି ସେମାନଙ୍କ ଗୋରା ହେବାର କ୍ରିମ୍‍କୁ ଚୁପକରି ଚୋରି କରୁଛି। ଇତିମଧ୍ୟରେ ଝିଅମାନେ ଉଠିପଡ଼ିଛନ୍ତି ଓ ପିଲାଟିକୁ ଧରିବା ପାଇଁ ଗୋଡ଼ଉଛନ୍ତି। ପୁଅଟି ଦଉଡ଼ି ପଳଉଥିଲା। ଆଉ ଜଣେ ସୁଦର୍ଶନ ଯୁବକ ଦେଖା ହେଲେ। ସେ ତାକୁ କହିଲେ, ବନ୍ଧୁ ଗୋରା ଯଦି ହେବାକୁ ଚାହୁଁଛ ତେବେ ଝିଅମାନଙ୍କ କ୍ରିମ କାହିଁକି ଲଗେଇବ! ପୁରୁଷମାନଙ୍କ ପାଇଁ ବି ଗୋରା ହେବାର କ୍ରିମ ବାହାରିଗଲାଣି। ତାକୁ ବ୍ୟବହାର କର।

ତା’ପରେ ବ୍ୟାକଗ୍ରାଉଣ୍ଡରେ କିଛି ତଥ୍ୟ: ଝିଅମାନଙ୍କ କ୍ରିମ କେମିତି ପୁରୁଷମାନଙ୍କ ମୋଟା ଚମଡ଼ାକୁ ଭେଦେନି। ପୁରୁଷମାନଙ୍କ ପାଇଁ ବିଶେଷ କରି ଗୋଟେ କ୍ରିମ ତିଆରି କରାଯାଇଛି। ତେଣୁ ଏବେ ପୁରୁଷମାନଙ୍କ ପାଇଁ ଆଉ କିଛି ସମସ୍ୟା ନାହିଁ। ଏ କ୍ରିମ ବ୍ୟବହାର କରନ୍ତୁ। ଆଉ ହ୍ୟାଣ୍ଡସମ ହୁଅନ୍ତୁ। ଶେଷ ଦୃଶ୍ୟ: ଝିଅଙ୍କ କ୍ରିମ୍ ଚୋରାଉଥିବା ପିଲାଟି ଏବେ ପୁରୁଷମାନଙ୍କ ଗୋରା ହେବା କ୍ରିମ ଲଗେଇ ହ୍ୟାଣ୍ଡସମ୍ ହୋଇଛି। ତା’ ଆଖପାଖରେ ସୁନ୍ଦରୀମାନଙ୍କ ଭିଡ଼।

ଆଗରୁ କେବଳ ଝିଅମାନଙ୍କ ଭିତରେ ଏ ମାନସିକତା ଥିଲା। ଆମ ସମୟରେ ସାଧାରଣରେ ଗ୍ରହଣଯୋଗ୍ୟ ଚଳଣୀ ଥିଲା: ଝିଅ ହେବ ଗୋରା। ପୁଅମାନେ ହେବେ ଟଲ୍, ଡାର୍କ, ହ୍ୟାଣ୍ଡସମ୍। ରଫ୍ ଆଣ୍ଡ ଟଫ୍। ପୁଅପିଲା କେହି ବେଶୀ ସଜବାଜ ହେଲେ ଆମେ ତାକୁ ମାଇଚିଆ ବୋଲି ଚିଡ଼ଉଥିଲୁ। ଏବେ ଜମାନା ବଦଳିଗଲାଣି। ଏବେ ପୁରୁଷମାନେ ବି ସଜବାଜ ହେବା ପାଇଁ ଚାହୁଁଛନ୍ତି। ବହୁ ପୁରୁଷ ନିୟମିତ ବିଉଟି ପାର୍ଲରକୁ ଯାଉଛନ୍ତି। ଏହାକୁ ଆପଣ ନିଜ ଦୃଷ୍ଟିଭଙ୍ଗୀ ଅନୁସାରେ ପୁରୁଷ ଜାତିର ଉନ୍ନତି ବା ଅଧୋଗତି- ଯେ କୌଣସି ଭାବରେ ଗ୍ରହଣ କରିପାରନ୍ତି।

ଗୋରା ହେବା ପାଇଁ ଆମର ଏତେ ବ୍ୟାକୁଳତା କାହିଁକି କେଜାଣି! ହୁଏତ- ଯାହାର ଯାହା ନାହିଁ, ସେ ତାକୁଇ ପାଇବା ପାଇଁ ହାଇଁପାଇଁ ହେବା – ଦୁନିଆର ନିୟମ। ଗୋରା ଲୋକମାନେ ନିଜ ଚମଡ଼ାକୁ କଳା କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ପଡ଼ିରହନ୍ତି। ଗୋରା ଚମଡ଼ା କଳା ତ ହେବନି। ଅନ୍ତତଃ ବାଦାମୀ ରଙ୍ଗ ହେଲେ ବି ତାଙ୍କୁ ଭାରି ସୁଖ। ତାକୁ ସେମାନେ ଟ୍ୟାନ୍ ବୋଲି କହନ୍ତି।

ଆମେ କଳା ଲୋକ (ଭାରତରେ ଅଧିକାଂଶ ଜାଗାରେ ପାଣିପାଗର ଅବସ୍ଥା ଯାହା ଗୋରାଠୁ କଳା ଲୋକଙ୍କ ସଂଖ୍ୟା ଅଧିକ ହେବା ସ୍ୱାଭାବିକ), ତେଣୁ ଗୋରା ହେବା ପାଇଁ ଚାହୁାଁ। ଏଥିପାଇଁ ଅତୀତରେ ଝିଅମାନେ ପିଲାବେଳୁ ମୁହଁରେ ସର, ହଳଦୀ ଇତ୍ୟାଦି ମାଖୁଥିଲେ। ଏବେ ନାନାପ୍ରକାର ରାସାୟନିକ ପ୍ରସାଧନ ସାମଗ୍ରୀ ଲଗାଉଛନ୍ତି। ଏତିକି ବାଟ ଯାଏଁ ଠିକ୍ ଅଛି।

ହେଲେ ଚମଡ଼ାର ରଙ୍ଗକୁ ନେଇକଥାଟା ସେଇଠି ଅଟକି ରହିନି। ତାହା ଆମ ମାନସିକତାର ବହୁତ ଭିତରକୁ ପଶିଯାଇଛି। ଗୋରାମାନେ ସୁନ୍ଦର, ଗୋରାମାନେ ଭଲ, କଳାମାନେ ଅସୁନ୍ଦର, କଳାମାନେ ଖରାପ – ଏମିତି ଏକ ମାନସିକତା ଆମ ଭିତରୁ ଅନେକଙ୍କର। ଏମିତି ମାନସିକତା ପଛରେ ଯୁକ୍ତି କଣ – ତାହା ମୁଁ ଜମା ବୁଝିପାରେନା।

ଇଏ ପୁଣି ଆଜିକାର କଥା ନୁହେଁ। ବହୁ ଯୁଗରୁ ରହିଛି। ଶାସ୍ତ୍ରପୁରାଣରେ ଠାକୁର ଦେବତାଙ୍କ ରୂପ ବର୍ଣ୍ଣନା ପଢ଼ନ୍ତୁ। ପଢ଼ିବାକୁ କଷ୍ଟ ଲାଗିଲେ, ପୂଜାମଣ୍ଡପରେ ଦେଖନ୍ତୁ। ଠାକୁରମାନେ ଗୋରା। ଅସୁରମାନେ କଳା। କେବଳ ଯମରାଜ ଭଳି ଭୟଙ୍କର ଠାକୁରଙ୍କ ଛାଡ଼ିଦେଲେ ଅଧିକାଂଶ ଠାକୁରଙ୍କ ରଙ୍ଗ ଗୋରା। (ଶ୍ରୀରାମ, ଶ୍ରୀକୃଷ୍ଣ- ଆଦିଅଳ୍ପ କେତେଜଣ ଗୋରା ନୁହନ୍ତିା ହେଲେ ସେମାନଙ୍କୁ କଳା ନକହି କୁହାଯାଏ- ଶ୍ୟାମଳ ବର୍ଣ୍ଣ) ଏମିତି ଗୋରା-ପ୍ରିୟ ମାନସିକତା କାହିଁକି? ଚାଲୁ ଗୀତ ଦେଖନ୍ତୁ, ନାୟକ ସବୁବେଳେ କୁହାଟ ଛାଡ଼େ, ଏ ଗୋରୀ! ଏ କାଳି ବୋଲି ତ କାଇଁ କେବେ କହେନି। ସାହିତ୍ୟରେ ସୁନ୍ଦରୀ ଝିଅର ବର୍ଣ୍ଣନାରେ କୁହାଯାଏ: ଦୁଧ ଅଳତା ରଙ୍ଗ, ହଳଦି ରଙ୍ଗ, ଗହମ ରଙ୍ଗ। କାଇଁ, କୋଳଥ ରଙ୍ଗ ବୋଲି ତ କଉଠି କୁହାଯାଇନି। ଖବରକାଗଜରେ ପାତ୍ରୀ ଆବଶ୍ୟକ ବିଜ୍ଞାପନ ପଢ଼ନ୍ତୁ। ସମସ୍ତେ ଆବଶ୍ୟକ କରନ୍ତି ଗୋରୀ କନିଆା କାଳିଝିଅର ବାପାକୁ ମଧ୍ୟସ୍ଥି କହେ, ଆଜ୍ଞା ଝିଅ ରଙ୍ଗଟା ମଇଳା ତ, ଆଉ ପନ୍ଦର-କୋଡ଼ିଏ ହଜାର ଟଙ୍କା ଅଧିକ ଯୌତୁକ ବ୍ୟବସ୍ଥା କରନ୍ତୁ। ଗୋରା ହେଲା ସଫା, କଳା ହେଲା ମଇଳା।

ଗୋରା ରଙ୍ଗ ପ୍ରତି ଆମର ଏ ପକ୍ଷପାତିତ୍ୱ କାହିଁକି, ମୁଁ କହିପାରିବିନି। ଆପଣ କହିପାରିବେ?

(ସୌଜନ୍ୟ – କଥାରେ କଥାରେ ମୃଣାଳ)

Comment