ଛନ୍ଦା ମିଶ୍ର
ବାପା ଅକ୍ଳାନ୍ତ ପରିଶ୍ରମ କରି ପଇସା ରୋଜଗାର କଲେ। ମା’ ଘରେ ଝିଅପୁଅଙ୍କ ଯତ୍ନ ନେବା ସହିତ ସେମାନଙ୍କର ପାଠପଢ଼ା ଓ ଚରିତ୍ର ଗଠନରେ ପାରୁପଯର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଚାଲିଲେ। ଝିଅପୁଅ ଦୁଇଜଣ ପାଠ ପଢି ରୋଜଗାରକ୍ଷମ ହେଲାପରେ ବିବାହ କାର୍ଯ୍ୟ ସମ୍ପାଦନ ହେଲା।
ମା’ ବାପା ଉଭୟେ ବସି ଚିନ୍ତାକଲେ। ସବୁ କର୍ତ୍ତବ୍ୟ ତ ସରିଲା-ଏବେ ବଞ୍ଚି ଥାଉଥାଉ ସମ୍ପତ୍ତି ଭାଗବଣ୍ଟା କରିଦେଲେ ପିଲାମାନେ ସୁଖରେ ରହିବେ। ନିଜନିଜ ମଧ୍ୟରେ ଆଉ କନ୍ଦଳ ହେବ ନାହିଁ। କିନ୍ତୁ ଝିଅପୁଅଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତି ସମାନସମାନ ବାଣ୍ଟିସାରିଲା ପରେ କଳହର ସୂତ୍ରପାତ ହେଲା।
ବୋହୂ ଓ ପୁଅ କହିଲେ, ଝିଅକୁ ସମ୍ପତ୍ତି ଦିଆଯିବ ନାହିଁ ଏବଂ ଯଦି ଦିଆଯିବ, ତେବେ ତାକୁ ଆଉ ସାବିତ୍ରୀ ଓ ଅଷ୍ଟମୀ ଭାର ଆଦି ଦିଆଯିବ ନାହିଁ। ବିବାହ ବ୍ରତରେ ସେ ଆଉ ମାମୁଘରୁ କୌଣସି ବେଭାରକୁ ଆଶା ରଖିବ ନାହିଁ। ଏହାଛଡା ସେ ମଧ୍ୟ ମା’ ବାପାଙ୍କୁ ବର୍ଷରେ ଛଅମାସ ନେଇ ନିଜ ପାଖରେ ରଖିବ। ଏସବୁ ଦେଖି ପିତାମାତାଙ୍କ ପାଦତଳୁ ମାଟି ଖସିଗଲା, ସେମାନେ ସ୍ଵପ୍ନରେ ସୁଦ୍ଧା ଚିନ୍ତା କରି ନଥିଲେ ଯେ ଯେଉଁ ଭଉଣୀଭାଇ ଦୁଇଜଣଙ୍କ ମଧ୍ୟରେ ଅଭେଦ୍ୟ ପ୍ରୀତି ଥିଲା ସେମାନେ ସାମାନ୍ୟ ସମ୍ପତ୍ତି ପାଇଁ ପରସ୍ପରର ଶତ୍ରୁ ପାଲିଟିଯିବେ।
ସବୁଠାରୁ ବଡ ଅସୁବିଧା କଲା ଘରଟି। ସହରର ପ୍ରମୁଖ ଛକ ଉପରେ ଥିବା ଘରଟି ପାଇବାର ଲୋଭ ଉଭୟଙ୍କୁ କଲା କବଳିତ। ଝଗଡ଼ା ବଢ଼ିବାରେ ଲାଗିଲା। ଶେଷରେ ମଧ୍ୟସ୍ଥମାନେ ନିଷ୍ପତ୍ତି ଶୁଣାଇଲେ ଯେ, ଘରଟି ତାକୁ ପ୍ରାପ୍ତ ହେବ, ଯିଏ ବାପା-ମା’ଙ୍କର ଯତ୍ନ ସୁଚାରରୂପେ ତୁଲାଇବ।
ପୁଅଝିଅ ଦୁହେଁ ଆଗଭର ହେଲେ ପିତାମାତାଙ୍କର ଯତ୍ନ ନେବା ପାଇଁ, ମାତ୍ର ବାପା ଗମ୍ଭୀର ହୋଇ ନିଜ ନିଷ୍ପତ୍ତି ଶୁଣାଇଲେ ଯେ, ସେ ଦୁଇଜଣ କାହା ପାଖରେ ରହିବାକୁ ଚାହାନ୍ତି ନାହିଁ ଓ ସେମାନଙ୍କ ମୃତ୍ୟୁ ପରେ ଘରଟି ଏକ ବୃଦ୍ଧାଶ୍ରମକୁ ପ୍ରାପ୍ତ ହେବ।
ଆଗକାଳରେ ଝିଅମାନଙ୍କୁ ମାତାପିତାଙ୍କର ସ୍ଥାବର ସମ୍ପତ୍ତିରୁ ଭାଗ ଦେବା ବଦଳରେ ବିବାହ ସମୟରେ ଶକ୍ତି ଅନୁଯାୟୀ ଯୌତୁକ ଦିଆଯାଉଥିଲା ଏବଂ ବିଭିନ୍ନ ପର୍ବପର୍ବାଣି ସମୟରେ ଭାର ବା ବେଭାର ଦିଆଯାଉଥିଲା । ଏବେ ସରକାର ଯୌତୁକ ବ୍ୟବସ୍ଥା ଉଠାଇ ଦେଇଛନ୍ତି ଏବଂ ମାତାପିତାଙ୍କ ସମ୍ପତ୍ତିରୁ ଝିଅ ସମାନ ଭାଗ ପାଇବାର ନିୟମ କରିଛନ୍ତି। କିନ୍ତୁ ନା ଯୌତୁକ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଛି ନା ସ୍ନେହବନ୍ଧନ ଅତୁଟ ରହିପାରୁଛି। ଯେଉଁଠି ଝିଅ ମାତାପିତାଙ୍କ ସମ୍ପତ୍ତିରୁ ଭାଗ ଦାବି କରୁଛି ସେଇଠି ଦେଖାଦେଉଛି ଅନର୍ଥ। ଭଉଣୀଭାଇ ଓ ବାପାପୁଅଙ୍କ ମଧ୍ୟରେ ସମ୍ପର୍କ ତୁଟିଯାଉଛି।
ଉପରୋକ୍ତ ଘଟଣାଟି କଳ୍ପନାପ୍ରସୂତ ନୁହେଁ, ବରଂ ଏକ ନିଚ୍ଛକ ସତ କଥାଟିଏ। ଏଇ ତ ଆମର ସଂସାର। ଏଇ ତ ସେଇ ଘର ଯାହାକୁ ତୋଳିଲା ବେଳେ ଆମେ ଏକ ସୁନ୍ଦର ସ୍ଵପ୍ନ ଦେଖିଥାଉ ଯେ ଏଇ ଘର ଦିନେ ଆମକୁ ତା କୋଳରେ ଶାନ୍ତିରେ ନିଃଶ୍ୱାସ ମାରିବା ପାଇଁ ସୁଯୋଗ ଦେବ। ଏଇଟି ସେହି ଘର, ଯେଉଁଠି ଭାଇଭଉଣୀ ଏକାଠି ଖେଳି, ଏକାଠି ବସି, ଏକାଠି ହସି, ଏକାଠି ପଢି, ନିଜର ଶୈଶବ, କୈଶୋର ଓ ଯୌବନ ବିତାଇ ଦେଇଥାନ୍ତି। ସେମାନେ ପରସ୍ପରକୁ ଜୀବନର ଅଭିନ୍ନ ଅଙ୍ଗ ବୋଲି ଭାବିନେଇଥାନ୍ତି।
ମାତ୍ର ସମୟକ୍ରମେ ସ୍ଵାର୍ଥ, ଲୋଭ ଓ ଈର୍ଷାର କବଳିତ ହୋଇ ହରାଇବସିନ୍ତି ନିଜର ହିତାହିତ ଜ୍ଞାନ। ଜଣେ ଅନ୍ୟ ଜଣକର ଶିରୀ ଦେଖତ୍ପାରେ ନାହିଁ। ସ୍ଵାର୍ଥରେ ଅନ୍ଧ ସାଜି ଗୋଟାଏ ପରେ ଗୋଟାଏ ଭୁଲ୍ କରିଚାଲେ। ହେଲେ ଏ ସଂସାରର ନିକିତି ବଡ ଅଦ୍ଭୁତ। ଯେତେ ନେଉଥିବ ସେତେ ହାଲୁକା ହେଉଥିବ ଓ ଯେତେ ଦେଉଥିବ ସେତେ ଭାରି।
ଆମ ଭାରତର ପାରିବାରିକ ମୂଲ୍ୟବୋଧ ପ୍ରଥିବୀ ପ୍ରସିଦ୍ଧ। ବିଦେଶରେ ପିଲାଟି ହେଉଛି ଜାତୀୟ ସମ୍ପତ୍ତି, ମା’ ବାପାଙ୍କର ପିଲାକୁ କଡାକଥା କହିବାର କିମ୍ବା ଦେବାର ଅଧିକାର ମଧ୍ୟ ନାହିଁ। ପିଲାଟି ସାବାଳକ ହୋଇଗଲା ପରେ ମାତାପିତାଙ୍କ ଠାରୁ ଅଲଗା ରହେ। ଏହାଛଡା ମାତାପିତା ବୃଦ୍ଧ ତଥା ଅକର୍ମଣ୍ୟ ହୋଇଗଲା ପରେ ସେମାନଙ୍କର ଦାୟିତ୍ୱ ସେଠାକାର ସରକାର ବହନ କରନ୍ତି। ମାତ୍ର ଆମ ଦେଶରେ ପିଲାଟିଏ ଜନ୍ମହେଲା ମାତ୍ରେ ତା ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଜେଜେବାପା, ଜେଜେମା, କକେଇ, ଖୁଡୀ, ମାଉସୀ, ମାମୁ ଆଦି ଯେତେ ସମ୍ପର୍କୀୟ ଅଛନ୍ତି ସମସ୍ତେ ଆଗଭର ହୋଇ ଆଗ୍ରହ ସହ ଆଗେଇ ଆସନ୍ତି। ଏଠି ଆମେ ବୃଦ୍ଧ ମାତାପିତାଙ୍କୁ ଦେବତାତୁଲ୍ୟ ଜ୍ଞାନ କରିଥାଉ।
ଏହି ସମ୍ପର୍କଗୁଡ଼ିକୁ ସମ୍ମାନ ଦେଇ ପାଳିତ ହୁଏ ଆମର ପର୍ବପର୍ବାଣିଗୁଡ଼ିକ। ଭାଇଭଉଣୀର ପବିତ୍ର ତଥା ମହାନ୍ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ କରିଥାଏ ରାକ୍ଷୀ ପୂର୍ଣ୍ଣମୀ, ଭାଇ ଜିଉନ୍ତିଆ ଓ ଭାଇଦୁଜ୍। ଏଥିରେ ସମଗ୍ର ଜୀବନ ପାଇଁ ଭଉଣୀ ଭାଇ ଉପରେ ନିଜ ସ୍ନେହ, ଶ୍ରଦ୍ଧାର ଅଧିକାର ସାବ୍ୟସ୍ତ କରେ। ପ୍ରଥମାଷ୍ଟମୀରେ ମାମୁ ଆସି ପହଞ୍ଚନ୍ତି ଅଷ୍ଟମୀ ଭାର ନେଇ, ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବା ପାଇଁ। ଭଉଣୀ ସାବିତ୍ରୀ ଅମାବାସ୍ୟା କରିବ ବୋଲି ଭାଇ ଶାଢି ଓ ଫଳମୂଳ ଧରି ପହଞ୍ଚେ। ପୁଅ ମା’ ପାଇଁ ଆଣିଥାଏ ପ୍ରୀତି ଉପହାର ପୁଅ ଜିଉନ୍ତିଆରେ। ଏସବୁରେ କେହି ଉପହାରର ମୂଲ୍ୟ ତଉଲି ନଥାଏ। ଦେଖିଥାଏ କେବଳ ଦେଇଥିବା ବ୍ୟକ୍ତିର ଶ୍ରଦ୍ଧା ।
କେବଳ ରକ୍ତ ସମ୍ପର୍କ ନୁହେଁ, ବନ୍ଧୁତ୍ୱର ସମ୍ପର୍କରେ ମଧ୍ୟ ଅନେକେ ଆମ ସହିତ ଯୋଡି ହୋଇଥାନ୍ତି। ଏଠି ଦରକାର ହୋଇଥାଏ କେବଳ ଟିକେ ଭଲ ପାଇବା ଓ ନିରୋଳା ମଣିଷପଣିଆ। ସେଠି ନ ଥାଏ ଧନୀ-ଗରିବ, ଉଚ୍ଚ-ନୀଚର ଭେଦଭାବ। ସେଠି ନଥାଏ ସ୍ଵାର୍ଥ, ନଥାଏ ତୋର-ମୋରର ପାଚେରି। ଆମ ଦରକାର ବେଳେ ସେମାନେ ଓ ସେମାନଙ୍କ ଦରକାର ବେଳେ ଆମେ ଠିଆ ହେଉ। ସମାଜରେ ସମସ୍ତଙ୍କୁ ଭଲପାଉଥିବା ଲୋକଟିଏ କେବେ ହେଲେ ନିଃସଙ୍ଗ ଜୀବନଯାପନ କରେ ନାହିଁ।
ଆଜି କ୍ଷମତା ଓ ପ୍ରତିପତ୍ତି ଅଛି ବୋଲି ଯିଏ ଦେଖି ନ ଦେଖିଲା ପରି ଚାଲିଯାଉଛି। କାଲି ଯେ ସିଏ ଦୁଃଖ ସମୟରେ ମୁଣ୍ଡ ଥୋଇ କାନ୍ଦିବା ପାଇଁ କାନ୍ଧଟିଏ ପାଇବ ନାହିଁ, ଲୁଚାଇ ନିଜ ଲୁହ ନିଜେ ପୋଛିବ ଏହା ନିଃସନ୍ଦେହ। ଆଜି ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣ କରି ଆମେ ମାନବିକ ମୂଲ୍ୟବୋଧଗୁଡ଼ିକୁ କୁସଂସ୍କାର ମନେକରୁଛେ। ଏହାକୁ ଆମ ବିକାଶର ବାଧକ ବୋଲି ଭାବୁଛେ।
ଯୌଥ ପରିବାର ତ ଆଉ ନାହିଁ, ମାତ୍ର ଆମ ଅଣୁ ପରିବାରଟିରେ କୌଣସି ଅତିଥିଙ୍କ ଆଗମନ ମଧ୍ୟ ଆମକୁ କରିପକାଉଛି ଚିନ୍ତିତ। ସନ୍ଦେହର ବାତାବରଣରେ ପରିବେଶ ଆଜି ଅଣନିଃଶ୍ୱାସୀ। ସ୍ଵାମୀ ସନ୍ଦେହ କରୁଛି ସ୍ତ୍ରୀକୁ, ସ୍ତ୍ରୀ-ସ୍ଵାମୀଙ୍କୁ, ବାପା-ପୁଅକୁ, ପୁଅ-ବାପାକୁ। ତେବେ ଆମ ସୁଖରେ ସୁଖୀ ହେଉଥିବା ଆତ୍ମୀୟଟିଏ ଆମକୁ ମିଳିବ ପୁଣି କେଉଁଠି?
ସମ୍ପର୍କର ମଧୁରତା ଆମ ଜୀବନକୁ କରିଥାଏ ଆନନ୍ଦିତ ଓ ମହକିତ । ଏହି ମହକରେ ଆମ ଜୀବନ ହୋଇଥାଏ ମହାନ୍ ତଥା ପ୍ରଶାନ୍ତିମୟ। ସମ୍ପର୍କ ବଜାୟ ରଖିବା ପାଇଁ ଦରକାର ଧୈର୍ଯ୍ୟ ଓ ସହନଶୀଳତା। କାଟିଦେବା ପାଇଁ କେବଳ ଦୁଇପଦ କଡା କଥା। ସମ୍ପର୍କ ଥରେ କଟିଗଲେ ଯୋଡିବା କଷ୍ଟକର ହୋଇଯାଏ। ଯଦିବା ସୌଭାଗ୍ୟବଶତଃ ଯୋଡିହୁଏ ତେବେ ଆଗର ସେ ମଧୁରତା ହରାଇବସେ। ଆମ ପ୍ରିୟ ପରିଜନଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକର ମଧୁର ସ୍ମୃତି ଜୀବନବ୍ୟାପୀ ଆମ ଅନ୍ତରକୁ ଆନ୍ଦୋଳିତ କରିଥାଏ-‘‘ତୁମରି ଆଶିଷେ ସୁନ୍ଦର ଧରା, ପ୍ରିୟ ପରିଜନ ବନ୍ଧୁରେ ଭରା।”
ଏଠି ଛୋଟ ଗପଟେ ମନେପଡୁଛି। ଖେଳୁଖେଳୁ ଶିଶୁ ଦିଓଟିଙ୍କ ମଧ୍ୟରେ କଳହ ସୃଷ୍ଟିହେଲା। ସେଥିରେ ଉଭୟଙ୍କ ପରିବାର ଯୋଗଦେଇ ଝଗଡାକୁ ତୀବ୍ରତର କରିବାରେ ଦେଲେ ପୂର୍ଣ୍ଣ ସମର୍ଥନ। ହଠାତ୍ ସେମାନେ ଦେଖିବାକୁ ପାଇଲେ ଯେ ପିଲାଦିଓଟି ସେଠାରୁ ଯାଇ ଏକାଠି ହୋଇ ଖେଳିବା ଆରମ୍ଭ କରିଦେଇଛନ୍ତି। ଉଭୟ ପରିବାର କଳହରୁ ହେଲେ ନିଷ୍କ୍ରାନ୍ତ। ଆମ ବଡ଼ମାନଙ୍କ ମଧ୍ୟରେ ଶିଶୁ ମନର ସେହି ନିଷ୍କପଟତା, ସେହି କୋମଳତା ଓ ଅନାବିଳତା ଭରିଗଲେ ଆମ ଘର ଓ ସଂସାର ହୋଇଉଠିବ ବୈକୁଣ୍ଠପୁର। ଶାନ୍ତି, ସ୍ନେହ ଓ ଶ୍ରଞ୍ଚାରେ ଆମ ଚତୁର୍ନ୍ତିଗ ହୋଇଉଠିବ ଆନନ୍ଦମୁଖର। ଜଣେ ଅନ୍ୟର କଷ୍ଟ ଦେଖି ବିଳପି ଉଠିବ। ଆମେ ଆଉ ତୋର-ମୋରର ବନ୍ଧନରେ ବାନ୍ଧିହୋଇ ରହିବା ନାହିଁ । କବିଙ୍କ ଭାଷାରେ-
“ପିତା, ମାତା, ବନ୍ଧୁ, ଭାଇ, ଭଗିନୀର ହୃଦୟେ ଦେଇଛ ପ୍ରୀତି, ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ ସୁଖ ଭୁଞ୍ଜି ନିତିନିତି।”
(ସୌଜନ୍ୟ – ଭିନ୍ନ ମଣିଷ)


















