ଓଡ଼ିଶାଲାଇଭ୍ ବ୍ୟୁରୋ
ତଦନ୍ତ ପରେ ତଦନ୍ତ ହେଲା। ସତ୍ୟାସତ୍ୟ ଜାଣିବା ପାଇଁ କମିଶନ ବି ଗଠନ ହେଲା। ହେଲେ ତଦନ୍ତ ଶେଷ ହେଲାନାହିଁ କି ପୀଡ଼ିତା ନ୍ୟାୟ ପାଇଲେନି। ଶେଷରେ ଜୀବନ ହାରିଦେଲେ କୁନ୍ଦୁଲି ପୀଡ଼ିତା।
ଗଣଦୁଷ୍କର୍ମର ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତା ସୋମବାର କରିଥିଲେ ଆତ୍ମହତ୍ୟା ଉଦ୍ୟମ। ବନ୍ଦ ଘରେ ବେକରେ ରଶି ଲଗାଇଥିଲେ ସେ। ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁନ୍ଦୁଲି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲିର ଜନୈକା ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୪ ଜଣ ଯବାନଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ ପୀଡ଼ିତା। ହେଲେ ଏଥିରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ସେତେବେଳେ ପୋଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ।
ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟରେ ପ୍ରବଳ ତୁମ୍ବିତୋଫାନ୍ ହୋଇଥିଲା। ପୀଡ଼ିତାଙ୍କୁ ପ୍ରଥମେ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପୀଡ଼ିତାଙ୍କ ଗାଁର ୪ ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ହେଲେ ସତ୍ୟାସତ୍ୟ ଜଣାପଡ଼ି ନଥିଲା।
ଶେଷରେ ଓଡ଼ିଶା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଘଟଣାର ତଦନ୍ତ କରିଥିଲେ। କିନ୍ତୁ ଘଟଣା ଉପରୁ ପରଦା ହଟି ନଥିଲା।
ଶେଷରେ କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ପୀଡ଼ିତାଙ୍କ ସହ କୌଣସି ଦୁଷ୍କର୍ମ ହୋଇ ନଥିବା ଏଚ୍ଆର୍ପିସି ଏଡିଜି ମତ ଦେଇଥିଲେ। ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା। ଏହାପରେ ରାଜ୍ୟ ସରକାର ବଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ଜଣେ କାର୍ଯ୍ୟରତ ବିଚାରପତି ଘଟଣାର ତଦନ୍ତ କରୁଥିଲେ।
ପୀଡ଼ିତାଙ୍କ ମାନସିକ ଭାରସାମ୍ୟ ଠିକ୍ ରହୁ ନଥିବା କହି ତାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବହୁ ବାଦବିବାଦ ପରେ ପୀଡ଼ିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତ୍ତୃପକ୍ଷ। ହେଲେ ସୋମବାର ପୀଡ଼ିତା ଜୀବନ ହାରି ଦେଇଛନ୍ତି।








ତଦନ୍ତ ପରେ ତଦନ୍ତ ହେଲା। ସତ୍ୟାସତ୍ୟ ଜାଣିବା ପାଇଁ କମିଶନ ବି ଗଠନ ହେଲା। ହେଲେ ତଦନ୍ତ ଶେଷ ହେଲାନାହିଁ କି ପୀଡ଼ିତା ନ୍ୟାୟ ପାଇଲେନି। ଶେଷରେ ଜୀବନ ହାରିଦେଲେ କୁନ୍ଦୁଲି ପୀଡ଼ିତା।









