ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ପାଳିତ ହୋଇଛି ୬୯ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ।
ଏହି ଅବସରରେ ରାଜ୍ୟପାଳ ଡକ୍ଟର ଏସ ସି ଜମିର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାସହିତ ସେ ମିଳିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ।
ପୋଲିସ ବ୍ରାସବ୍ୟାଣ୍ଡରୁ ଆରମ୍ଭ ହୋଇଥିଲା ପରେଡ। ଏହାପରେ ପୋଲିସ, ଏନସିସି, ସ୍କାଉଟ ଓ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ପରେଡରେ ଅଂଶଗ୍ରହଣ କରିଥିଲେ। ପୁରୁଷ ଓ ମହିଳା ଉଭୟ ବିଭାଗର ଛାତ୍ରଛାତ୍ରୀମାନେ ଡେୟାରଡେଭିଲ୍ସ ସୋ’ ପ୍ରଦର୍ଶନ କରିଥିଲେ। ଏହା ସହିତ ଘୁମୁରା, ଯୋଡ଼ି ଶଙ୍ଖ ଓ ପାଇକ ଆଖଡ଼ା ପରି ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।
କମିଶନରେଟ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ୍ ୩୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି କ୍ୟୁଏର୍ଟି, ଏସ୍ଓଜି, ଓସାଫ, ରାପିଡ୍ ଆକ୍ସନ ଫୋର୍ସ, ସନ୍ଧାନୀ କୁକୁର ଓ ନିୟୋଜିତ ହୋଇଥିଲେ।
ଗାନ୍ଧି ମାର୍ଗ ରାସ୍ତାରେ ସିସିଟିଭି ସହ ୧୯ ଜଣ ଡିଏସ୍ପି, ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ନଜର ରଖିଥିଲେ।
ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ ଡିଜି ଡାକ୍ତର ଆର ପି ଶର୍ମା, କଟକ-ଭୁବନେଶ୍ୱର ପୋଲିସ କମିସନର ଓ୍ୱାଇ ବି ଖୁରାନିଆ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


















