ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛି ପୁରୀ ସଚେତନ ନାଗରିକ ମଞ୍ଚ। ଗୃହ ବିଭାଗର ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛି

ଭିନ୍ନ ମୋଡ଼ ନେଉଛି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିରୋଧୀ କଂଗ୍ରେସ ଏବଂ ବିଜେପି ହଙ୍ଗାମା କରୁଥିବା ବେଳେ ମଙ୍ଗଳବାର ପୁରୀର ସଚେତନ ନାଗରିକ ମଞ୍ଚ ଆଗକୁ ବାହାରିଛି। ନାଗରିକ ମଞ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ରୁଜୁ କରିଛି।

ନାଗରିକ ମଞ୍ଚ ଅଭିଯୋଗରେ ଦର୍ଶାଇଛି ଯେ ପୀଡ଼ିତାଙ୍କୁ ଗୃହ ମନ୍ତ୍ରାଳୟ ନ୍ୟାୟ ଦେବାରେ ବିଫଳ ହୋଇଛି। ଫଳରେ କୁନ୍ଦୁଲିର ନାବାଳିକା ଆତ୍ମହତ୍ୟା କରିଛନ୍ତି। ଗୃହ ମନ୍ତ୍ରାଳୟର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦେବାକୁ ଦାବି କରାଯାଇଛି।

ସଚେତନ ନାଗରିକ ମଞ୍ଚ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, “ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆମେ କୋର୍ଟର ଦ୍ୱାରସ୍ଥ ହୋଇଛୁ। ଗୃହ ବିଭାଗର ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟିତ୍ୱ ରହିଛି। ଏଣୁ ତାଙ୍କ ନାଁରେ ମାମଲା ରୁଜୁ କରିଛୁ। ଆଇପିସି ଧାରା ୩୦୨, ୩୦୬, ୩୭୬,୫୦୬ ଏବଂ ୧୨୦ (ବି)ରେ ମାମଲା ହୋଇଛି।”

ଜାନୁଆରି ୨୨ରେ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟାକୁ କେନ୍ଦ୍ରକରି ରାଜନୀତି ଜୋର୍ ଧରିଛି। ୨୦୧୭ ଅକ୍ଟୋବର ୧୭ରେ କୁନ୍ଦୁଲିର ସୋରଷ ପଦର ଜଙ୍ଗଲ ନିକଟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାର କ୍ରାଇମବ୍ରାଞ୍ଚ ଏବଂ ନ୍ୟାୟିକ ତଦନ୍ତ ଚାଲିଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳି ନଥିଲା।

Comment