ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ବାଦ ବିବାଦ ପରେ ରାଜ୍ୟ ଫୋରେନସିକ୍ ଲ୍ୟାବରୁ କୁନ୍ଦୁଲି ପୀଡ଼ିତାଙ୍କ ବସ୍ତ୍ର ନମୁନା ଯାଇଛି ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ।
ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବକୁ ଗଲା କୁନ୍ଦୁଲି ପୀଡ଼ିତାଙ୍କ ବସ୍ତ୍ର ନମୁନା। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ଦ୍ଦେଶରେ ଏହି ନମୁନା କୋଲକାତାସ୍ଥିତି ଫୋରେନସିକ ଲ୍ୟାବକୁ ପରୀକ୍ଷା ପାଇଁ ପଠା ଯାଇଛି। ମଙ୍ଗଳବାର ରାତିରେ ଏହି ନମୁନା ପଠା ଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ଫୋରେନସିକ୍ ଲ୍ୟାବରେ ପୀଡ଼ିତାଙ୍କ ବସ୍ତ୍ର ନମୁନା ପରୀକ୍ଷା କରାଯାଇଥିଲା। ହେଲେ ପ୍ରଥମ ରିପୋର୍ଟ ଏବଂ ଚୂଡ଼ାନ୍ତ ରିପୋର୍ଟରେ ତାଳମେଳ ନଥିବା ଅଭିଯୋଗ ହୋଇଥିଲା। ପ୍ରଥମ ରିପୋର୍ଟରେ ପୀଡ଼ିତାଙ୍କ ସିମେନରେ ଦାଗ ରହିଥିବା ଜଣାପଡ଼ିଥିଲା। ହେଲେ ଚୂଡ଼ାନ୍ତ ରିପୋର୍ଟରେ କୌଣସି ଦାଗ ନଥିବା କୁହାଯାଇଥିଲା।
ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ପରେ ଘଟଣା ପଦାକୁ ଆସିଥିଲା। ଜାଣିଶୁଣି ଏହାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହୋଇଥିଲା।
ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ କୁନ୍ଦୁଲି ଯାଇ ତଦନ୍ତ କରୁଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍ ପଟ୍ଟାଙ୍ଗି ଥାନା, କୋରାପୁଟ ମେଡିକାଲ ଏବଂ ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କରିଛନ୍ତି।