ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନ କଂଗ୍ରେସ-ବିଜେପି-ବିଜେଡି ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି। ବିଜେପୁର ଦଖଲ କରିବା ପାଇଁ ୩ ପ୍ରମୁଖ ଦଳ ମଇଦାନୁ ଓହ୍ଲାଇଛନ୍ତି। ହେଲେ ବିଜେପି ଓ ବିଜେଡି ଅପେକ୍ଷା କଂଗ୍ରେସ ପାଇଁ ଏହି ଉପ-ନିର୍ବାଚନ ଅସଲ ପରୀକ୍ଷା ବୋଲି ଚର୍ଚ୍ଚା ହେଉଛି।

ବିଜେପୁର ଉପ-ନିର୍ବାଚନ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର। ଓଡ଼ିଶାର ନିର୍ବାଚନ ଇତିହାସରେ ବୋଧହୁଏ ଅନ୍ୟ କୌଣସି ନିର୍ବାଚନକୁ ନେଇ ଏତେ ସରଗରମ ଆଲୋଚନା ଓ ଚର୍ଚ୍ଚା କେବେ ହୋଇନଥିଲା। ଏହି ଆସନକୁ ହାତେଇବା ପାଇଁ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ପ୍ରାଣମୂର୍ଚ୍ଛା ଲାଗି ପଡ଼ିଥିବା ବେଳେ ପ୍ରକୃତରେ କଂଗ୍ରେସ ପାଇଁ ଏହା ହେଉଛି ଅସଲ ପରୀକ୍ଷା।

ବିଜେପୁର କାହିଁକି ତିନୋଟି ଯାକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ତାହା ବୁଝାଇବା ଅନାବଶ୍ୟକ। ବିଜେଡି ଗତ ୪ଟି ବିଧାନସଭା ନିର୍ବାଚନରେ ବିରାଟକାୟ ସଫଳତା ହାସଲ କରିଥିଲେ ମଧ୍ୟ ବିଜେପୁରକୁ ଅକ୍ତିଆର କରିପାରି ନଥିଲା। ସୁତରାଂ ବିଜେପୁର ବିଜେଡ଼ି ପାଇଁ ସମ୍ମାନର ଆସନ ହୋଇ ପଡ଼ିଛି।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ପାଇଁ ଏହି ଆସନର ଗୁରୁତ୍ୱ ମଧ୍ୟ ବଢି ଚାଲିଛି। ବିଜେପୁରକୁ କବଳିତ କରିବା ପାଇଁ ବିଜେପି କେତେ କ’ଣ ଯେ କରୁଛି ତାର ହିସାବ ନାହିଁ। ବିଜେପି ୧୨୦ ପ୍ଲସ୍ ମିଶନକୁ ନେଇ ତୁମ୍ବି ତୋଫାନ କରୁଥିବା ବେଳେ ଯଦି ବିଜେପୁର ଗୋଟିଏ ଆସନ ଜିତି ନ ପାରୁଛି ଦଳ ପାଇଁ ଏହା ଏକ ମସ୍ତବଡ ଧକ୍କା ହେବ ଓ ୨୦୧୯ ନିର୍ବାଚନ ଉପରେ ଏକ ମନସ୍ତାତ୍ୱିକ ପ୍ରଭାବ ପକାଇବ।ଯଦି ଏହି ଆସନରେ ଦଳ ବିଜୟୀ ହେଉଛି ୧୨୦ ମିଶନ ଫମ୍ପା ଆବାଜ ନୁହେଁ ବୋଲି ଦଳ ଦାବି କରି ପାରିବ।

ତେବେ ଏହି ଉପନିର୍ବାଚନ ଯଦି କାହା ପାଇଁ ବେଶି ମାନେ ରଖୁଛି ତାହା ହେଉଛି କଂଗ୍ରେସ। ଏହାର ପ୍ରଥମ କାରଣ ହେଉଛି ବିଜେପୁର ସବୁବେଳେ କଂଗ୍ରେସର ଗଡ଼ ହୋଇ ଆସିଛି। ଗତବର୍ଷ ଅଗଷ୍ଟ ମାସରେ ଏହି ଆସନକୁ ପ୍ରତିନିଧିତ୍ୱ କରୁଥିବା ସୁବଳ ସାହୁଙ୍କ ଦବଦବା ଏଠି ଜୋରଦାର ଥିଲା।

୨୦୧୪ ବିଧାନସଭା ନିର୍ବାଚନରେ ଶାସକ ବିଜେଡି ୧୧୭ଟି ଆସନ ପାଇ ଏକ ଐତିହାସିକ ସଫଳତା ହାସଲ କରିଥିବା ବେଳେ ବିଜେପୁରକୁ ଅକ୍ତିଆର କରିପାରିନଥିଲା। ଖାଲି ସେତିକି ନୁହେଁ, ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସୁବଳ ସାହୁ ମଇଦାନରୁ ହଟାଇଦେଇଥିଲେ। ସେହି କାରଣରୁ ବିଜେପୁର କଂଗ୍ରେସ ଦଳ ପାଇଁ ଏକ ଭଲ ସୁଯୋଗ ଆଣିଛି ଓ ଦଳ ତାର ପ୍ରଭାବକୁ ବଜାୟ ରଖିବା ସହିତ ବିଭିନ୍ନ ଗୋଷ୍ଠି ଏକାଠି ହେବାର ଭଲ ମୌକା ଆସିଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଯାଇଥିବା ବେଳେ ବିଜେପୁର ଯଦି ନିଜ ହାତରେ ଏହାକୁ ରଖି ନପାରୁଛି ତେବେ ଏହି ଦଳରୁ ଆଉ କିଛି ଆଶା କରିବା ବୃଥା। ଗୁଜରାଟ ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ଓ ରାଜସ୍ଥାନ ଲୋକସଭା ଉପ-ନିର୍ବାଚନରେ ବିଜୟ ପରେ କଂଗ୍ରେସ ଦଳର ଉତ୍ସାହ ବୃଦ୍ଧି ପାଇଛି।

ଆହୁରି ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଜୋରଦାର ହେବ ଏହା ବର୍ତ୍ତମାନଠାରୁ ଏକ ପ୍ରକାର ସ୍ପଷ୍ଟ ହୋଇ ଗଲାଣି। ଏଣୁ ବିଜେପୁର କେବଳ ଓଡିଶା କଂଗ୍ରେସ ନେତାଙ୍କ ପାଇଁ ନୁହେଁ ହାଇକମାଣ୍ଡଙ୍କ ପାଇଁ ମଧ୍ୟ ଏକ ବଡ଼ ଚାଲେଞ୍ଜ।

ଓଡ଼ିଶାରେ କଂଗ୍ରେସ ଗତ ୧୭ ବର୍ଷ ଧରି ଯେଉଁଭଳି ସତ୍ତା ହରାଇ ବସିଛି ଓ ବିଜେଡ଼ି ଯେଉଁଭଳି ଆଗକୁ ବଢ଼ିଛି ରାହୁଲଙ୍କ ଦଳ ପାଇଁ ବିଜେପୁର ଜିତିବା ନିହାତି ଆବଶ୍ୟକ।

ବିଜେଡ଼ି ପକ୍ଷରୁ ଶିକାର କରାଯାଇ ସୁବଳଙ୍କ ବିଧବା ପତ୍ନୀଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ବିଜେଡ଼ି ପାଇଁ ସମ୍ପତ୍ତି ହେଉଛି ଅନୁକମ୍ପା ଭୋଟ। ତେଣେ ବିଜେପି ବିଜେଡ଼ିର ଜଣେ ପୂର୍ବତନ ବିଧାୟକଙ୍କୁ ଏଠାରୁ ପ୍ରାର୍ଥୀ କରିଥିବା ବେଳେ ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଠିଆ କରିଛି। ବର୍ତ୍ତମାନ ଅପେକ୍ଷା କରି ଦେଖିବା କଥା କଂଗ୍ରେସ ନେତାମାନେ ଦଳୀୟ କନ୍ଦଳରେ ନ ମାତି କିଭଳି ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଉଛନ୍ତି?

Comment