ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପହଞ୍ଚିଲେ ପୂର୍ବତନ ନେପାଳ ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍‌ ବିକ୍ରମ ସିଂହ ଶାହା ଦେବ।

୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଜା ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହାପରେ କଡ଼ା ସୁରକ୍ଷାବଳୟ ଭିତରେ ତାଙ୍କୁ ପାଛୋଟି ନିଆଯାଇଥିଲା।ପାରମ୍ପରିକ ବେଶରେ ପୂର୍ବତନ ନେପାଳର ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍‌ ବିକ୍ରମ ସିଂହ ଶାହା ଓଡ଼ିଶାରେ ପହଞ୍ଚିଛନ୍ତି।

ରାଜାଙ୍କ ଗସ୍ତର ପ୍ରଥମ ଦିନରେ ଜଟଣୀ ନିକଟବର୍ତ୍ତୀ ରଥିପୁରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଗୋ-ସମ୍ବଦ୍ଧର୍ନା ମହୋତ୍ସବକୁ ଉଦ୍‌ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ନେପାଳ ରାଜା ଗୋ-ମାତା ପୂଜନ ଉତ୍ସବରେ ମଧ୍ୟ ଭାଗ ନେବେ।

ଏକ ଭବ୍ୟ ଗୋବିନ୍ଦ ଗୋ ମାତା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ ସେଠାରେ ଏକ ଗୋଶାଳାର ଉଦ୍‌ଘାଟନ କରିବେ ନେପାଳ ରାଜା।

ଦୀର୍ଘ ୧୫ ବର୍ଷ ପରେ ପୂର୍ବତନ ନେପାଳ ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍‌ ବିକ୍ରମ ସିଂହ ଶାହା ଦେବ ରତ୍ନ ସିଂହାସନରେ ଚଢି ପୂଜାର୍ଚ୍ଚନା କରିବେ। ୧୨ ତାରିଖ ଯାଏ ସେ ଓଡ଼ିଶାରେ ରହିବେ। ତାଙ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରାଯାଇଛି। ପୁରୀର ଆଦ୍ୟ ସେବକଙ୍କୁ ଏହି ଅଧିକାର ନଥିବାବେଳେ ନେପାଳର ରାଜାଙ୍କୁ ଏହି ଅଧିକାର ମିଳିଛି।

୧୧ ତାରିଖ ପୂର୍ବାହ୍ନ ୧୧ଟାବେଳେ ସେ ଶ୍ରୀମନ୍ଦିରର ପ୍ରବେଶ କରି ପୂଜାର୍ଚ୍ଚନା କରିବେ। ଏଥିପାଇଁ ଶ୍ରୀମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିରରେ ତାଲା ପଡିବ। ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିବେ ଓ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ନେପାଳ ନରେଶଙ୍କ ପୁରୀ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗୁରୁବାର ଲିଙ୍ଗରାଜ ମନ୍ଦିରକୁ ଯାଇ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ।

Comment